ତୁମେ ଆଉ ମୁଁ
ତୁମେ ଆଉ ମୁଁ
ତୁମେ ଯୁଗସ୍ରଷ୍ଟା ମୁଁ ତୁମ ସୃଷ୍ଟିର
ଅତି କ୍ଷୁଦ୍ର ଧୂଳିକଣା
ତୁମେ ନିରାକାର ଅବ୍ୟକ୍ତ ଅଚିନ୍ତ୍ୟ
ମୁଁ ଏକ ଦେହୀରେ ଗଣା ।
ତୁମେ ପରମାତ୍ମା ମୁଁ ଏକ ଆତ୍ମା
ଏକ ସ୍ଥୂଳ ଦେହେ ବାସ
ଦୁହେଁ ପରା ସାଥୀ ଅନାଦି କାଳରୁ
ନିର୍ବାଣରେ ହେବ ଶେଷ ।
ଲୀନ ହୋଇ ଆତ୍ମା ତୁମ ସୂକ୍ଷ ଅଂଶେ
ପାର୍ଥିବ ଭୋଗରୁ ମୁକ୍ତ
ରହି ତୁମ ପାଶେ ଅତ୍ୟନ୍ତ ହରଷେ
ସଦା ପାନ ପ୍ରେମାମୃତ ।
ତୁମେ ନେଇଯିବ ମୋତେ ସେହି ପଥେ
ଜଳାଇ ହୃଦୟ ଦୀପ
ସେହି ଆଲୋକରେ ଖୋଜି ମୁଁ ତୁମକୁ
ସତେ କି ଦେଖିବି ରୂପ !
ଷଡ଼ ଐଶ୍ୱର୍ଯ୍ୟର ଅଧିକାରୀ ତୁମେ
ମୁଁ ତୁମ ଦାସାନୁଦାସ
ଏତିକି ମିନତି ଶ୍ରୀରଙ୍ଗାଚରଣେ
ଢାଳ ଟିକିଏ ଆଶିଷ ।