ବଳ ବୟସ ମୋର କାହିଁ
ବଳ ବୟସ ମୋର କାହିଁ
ପାଟିକୁ ସୁଆଦ ମସଲାର ମୁଢ଼ି
ଭାଷାକୁ ସୁନ୍ଦର ରୂଢି
କହୁଥାନ୍ତି ନିତି ପାକୁଆ ପାଟିରେ
ଆମ ଗାଆଁ ବୁଢ଼ା ବୁଢ଼ୀ ।
ସ୍ଵାଦ ସୁମଧୁର ଓଡ଼ିଆ ଭାଷାର
ଛାନ୍ଦ ରୂଢି ଆଳଙ୍କାରେ
କଥା ସାଧାରଣ ତାପ୍ତର୍ଯ୍ୟରେ ପୂର୍ଣ୍ଣ
ରୂଢି ପ୍ରୟୋଗ ଭାଷାରେ ।
ବନ୍ଦିଶାଳେ ବସୁଦେବ କହିଥିଲେ
କୃଷ୍ଣଙ୍କୁ ଦେଖି ଆଗରେ
ତୋତେ ତୁହି ରକ୍ଷା କର ଆହେ ପ୍ରଭୁ
ନିବେଦନ ତୋ ପୟରେ ।
ବଳ ଆଉ ନାହିଁ ବୟସ ବା କାହିଁ
ରାତି ଶେଷ ପାହାନ୍ତାରେ
ପାରିବି ଆଉ କି ପୁତ୍ର ଉପୂଜାଇ
କାଳ ମୋତେ ହାତ ଠାରେ ।
ଥାଉ ବଳ ବୀର୍ଯ୍ୟ ସାହସ ଓ ଧୈର୍ଯ୍ୟ
କାଳର କବଳେ ପଡ଼ି
କୁପଥଟି ଦିଶେ ସୁପଥ ପରାଏ
ଅଜାଣତେ ଯାଏ ହୁଡ଼ି ।
ସାହସ ଓ ଧୈର୍ଯ୍ୟ ପୁଣି ବଳ ବୀର୍ଯ୍ୟ
ହୋଇଗଲେ ପ୍ରଶମିତ
ନିଜକୁ ନିଜେ ସେ ଅସହାୟ ମଣେ
କା ' ଉପରେ ହୁଏ ନ୍ୟସ୍ତ ।
ଅସହାୟ ବେଳେ କଥାରେ କଥାରେ
କୁହନ୍ତି ସଭିଏଁ ମୁହେଁ
ଯିଏ ଭାବ ବୁଝେ ମରମକୁ ଭେଦେ
ପୁଣି କେ ହସି ଉଡ଼ାଏ ।