ସର୍ବଂସହା ଧରିତ୍ରୀ
ସର୍ବଂସହା ଧରିତ୍ରୀ
ସ୍ଥାବରଜଙ୍ଗମ କୋଳେଇ
ସର୍ବଂସହା ଧରିତ୍ରୀ
ସାଜିଛି ପ୍ରତି ଜୀବନର
କେବଳ ଜଣେ ଧାତ୍ରୀ ।
ବନ୍ଦନୀୟା ସେ ମାଟି ମାଆ
ସହି ନାନା କଷଣ
ନୀରବେ ସକଳ ଖୁସିର
ସତେ ଅଙ୍ଗ ଭୂଷଣ ।
ସାଇତିଛି ବୁକେ ତାହାର
ନାନା ସଂପଦରାଜି
ଯାହା ପାଇଁ ଲୋଡ଼ା ଯାହାଟି
ସିଏ ପାରଇ ଭୁଞ୍ଜି ।
ବାସ ପାଇଁ ଗୃହ ଦିଏ ସେ
ଦେହ ପାଇଁ ବି ବାସ
ପୁଷ୍ପ ସମ୍ଭାରରେ ଖଞ୍ଜିଛି
ମନୋହରା ସୁବାସ ।
ଭୂତଳେ ସାଇତି ରଖିଛି
କେତେ କେତେ ସମ୍ପଦ
ସୁନା ରୂପା ପୋଟ୍ରୋଲିୟମ
ଜଳ ଆଦି ସହିତ ।
ବୃକ୍ଷଲତା ପଶୁ ସମ୍ପଦେ
ଭରେ କୋଳେ ଜଙ୍ଗଲ
ଆହା ! କି ଶୋଭାମୟୀ ରୂପ
ନାହିଁ ତାହାର ତୁଲ ।
ଡାଳେ ଡାଳେ ପକ୍ଷୀ ବାନ୍ଧନ୍ତି
ନିଜ ନିଜର ବସା
କିଚିରିମିଚିରି ଶବଦେ
ମନ ହୁଏ ସରସା ।
ମାତ୍ର ଏ ମାନବ ନିଜର
ସ୍ବାର୍ଥେ ହୁଅଇ ବଶ
ଭଲମନ୍ଦ ନବିଚାରି ସେ
ଡାକେ ନିଜର ନାଶ ।
ବୃକ୍ଷସବୁ କାଟି କରୁଛି
ଯେତେ ଜଙ୍ଗଲ ନଷ୍ଟ
ବାସହରା ପଶୁପକ୍ଷୀଏଁ
ହୃଦେ ଲଭନ୍ତି କଷ୍ଟ ।
ଏହି କାରଣୁ ପରିବେଶ
ଦିନୁଦିନ ଦୂଷିତ
ଧରା ପାଇଁ ଅତ୍ଯାବଶ୍ୟକ
ବୃଷ୍ଟି ଅନିୟମିତ ।
ନାନା ଖାଦ୍ୟ ଶସ୍ୟ ଫଳାଏ
ତାହାର ସୁନା କ୍ଷେତ
ଏଥିପାଇଁ ପରା ଖୋଜେ ସେ
ଉଚିତ ବୃଷ୍ଟିପାତ ।
ନିଜର ସୁଖ ସମ୍ଭୋଗରେ
ବୁକୁ ସମ୍ପଦ ସାରି
ଏ ମଣିଷ ଆଜି ଦେଇଛି
ଯେତେ ଶୂନ୍ୟତା ଭରି ।
ଅସହାୟେ ଆଜି ରୋଦନ
କରି ଧରଣୀ ମାତା
ମାନବ ପାଇଁ ବି ତଥାପି
କରୁଅଛି ସେ ଚିନ୍ତା ।
ମାଆ ପରା ସିଏ କିପରି
ସହି ପାରିବ ଦୁଃଖ
ସନ୍ତାନଙ୍କ ଶୁଭ ମନାସି
ଭରୁଥିବ ସେ ସୁଖ ।
ସର୍ବଂସହା ନାମ ତାହାର
କରୁଥିବ ସାର୍ଥକ
ସନ୍ତାନ ଅଞ୍ଚଳେ ନିଇତି
ଭରୁଥିବ ସେ ଭିକ ।
ଏତିକି ବିନତି ଚରଣେ
କରି କୋଟି ନମନ
ତା' ପଣତେ ଢାଙ୍କି ଥାଉ ସେ
ତା'ର କୋଟି ସନ୍ତାନ ।