ଆମେ ଓଡିଆ
ଆମେ ଓଡିଆ
ଆମେ ତ ଓଡ଼ିଆ ଓଡ଼ିଶାରେ ବାସ
ବେଶ ଭୂଷା ଯେ ନିଆରା
ସ୍ଵତନ୍ତ୍ର ଆମର ଜୀବନର ଶୈଳୀ
ବହେ ସଂସ୍କୃତିର ଧାରା ।
ଆମେ ତ ଓଡ଼ିଆ ଶାସ୍ତ୍ରୀୟ ତତ୍ତ୍ଵକୁ
ହୃଦୟେ ବହନ କରୁ
ସରଳତା ଆମ ବଡ଼ ଆଭୂଷଣ
ହେଲେ,
ଜାତି ପାଇଁ ଆମେ ଲଢୁ ।
ଆମେ ତ ଓଡ଼ିଆ ଆମ ପଖାଳ ଯେ
ସ୍ୱତନ୍ତ୍ର ମହକେ ଭରା
ଅନ୍ନ ବ୍ୟଞନର ସ୍ଵାଦ ଫିକା ପଡ଼େ
ପଖାଳ ଆମ ନିଆରା ।
ଆମେ ତ ଓଡ଼ିଆ ଭାଷା ଯେ ଓଡ଼ିଆ
ସ୍ଵର୍ଣ୍ଣପ୍ରସୂ ଆମ ମାଆ
ସବୁଜ ବନାନୀ ପରବତ ମାଳ
ଜୀବନର ମୁଖ୍ୟ ଧାରା ।
ଆମେ ଓଡ଼ିଆ ସରଳତା ମଧ୍ୟେ
ସାହସ ର ବହ୍ନି ଜଳେ
ଅନ୍ୟାୟ ବିରୁଦ୍ଧେ ଆମେ ଲଢି ପାରୁ
ବାଜିରାଉତ ଯେ କହେ ।
ଆମେ ତ ଓଡ଼ିଆ ପର୍ବପର୍ବାଣୀରେ
ସଂପର୍କର ଡୋର ବନ୍ଧା
ଭାଇଚାରାର ଯେ ମହାନ୍ ରାଇଜ
ସ୍ନେହ କରୁଣାରେ ଛନ୍ଦା ।
ଆମେ ତ ଓଡ଼ିଆ ଆମରି ଶିଳ୍ପୀ ଯେ
ପଥରେ ପଦ୍ମ ଫୁଟାଏ
ଓଡ଼ିଶୀ ନୃତ୍ୟର ପ୍ରତିଟି ଛନ୍ଦ ଯେ
ଜଗତକୁ ମୋହି ଦିଏ ।
ଆମେ ତ ଓଡ଼ିଆ ଆମ ସାହିତ୍ୟ ରେ
ବୁହାଉ ଅମୃତ ଧାରା
ଆମ ଲେଖନୀର ଅମୃତ ଝରରେ
ମିଳେ ଜୀଇଁବାର କଳା ।
ଆମେ ତ ଓଡ଼ିଆ ମାଆର ପଣତେ
ନିର୍ଭୟତା ପାଇଥାଉ
ବାପା ପାଖେ ଥିଲେ ଶତ ସିଂହ ବଳେ
ଆମେ ବଳୀୟାନ ହେଉ ।
ଆମେ ତ ଓଡ଼ିଆ ଗାଁ ଆମ ପ୍ରାଣ
ଗ୍ରାମେ ଜୀବନର ଧାରା
ଆମେ ତ ଓଡ଼ିଆ କଳା ନୈପୁଣ୍ୟତା
ଆମରି ରକତେ ଭରା ।
ଆମେ ତ ଓଡ଼ିଆ ଅତିଥି ଙ୍କୁ ଆମେ
ଦେବତା ସମ ଯେ ଭାବୁ
ଶତ୍ରୁ ସଙ୍ଗେ ପୁଣି ସ୍ୱତନ୍ତ୍ରତା ପାଇଁ
ଅଦମ୍ୟ ସାହସେ ଲଢୁ ।
ଆମେ ତ ଓଡ଼ିଆ ଅଟୁ ଯେ ସ୍ଵତନ୍ତ୍ର
ସ୍ଵତନ୍ତ୍ର ଆମର ଭାଷା
ଆମରି ଭାଷା ଯେ ମନ କିଣି ନିଏ
ପରଶଇ ଯେ ମିଷ୍ଟତା ।
ଆମେ ତ ଓଡ଼ିଆ ଗର୍ବ କରୁଥିବା
ଭାଷାକୁ ଦେବା ସମ୍ମାନ
ଯେଉଁ ଗୁଣ ପାଇଁ ଓଡ଼ିଆ ଚିହ୍ନିତ
ଆପଣେଇବା ସେ ଗୁଣ ।
ଆମେ ତ ଓଡିଆ ଆମ ଜଗନ୍ନାଥ
ନୁହଁନ୍ତି ଉତ୍କଳ ନାଥ
ଜଗତର ନାଥ କହି ରଖିଛନ୍ତି
ସେ ପରା ଉତ୍କଳ ଟେକ ।
ମାତୃଭୂମି ମାତୃଭାଷାର ମମତା
ହୃଦେ ଜଗାଇ ରଖିବା
ଆମେ ତ ଓଡ଼ିଆ ଆଗକୁ ବଢିବା
ଜାତି ଟେକ ରଖିଯିବା ।
