ଆଲୋ ନାଗାବଳୀ
ଆଲୋ ନାଗାବଳୀ
କଳକଳ ନିନାଦିନୀ ସଦା ଛଳଛଳ,
ହିମଭଳି ସୁଶୀତଳ କାଚକେନ୍ଦୁ ଜଳ;
ଅତିକ୍ରମି କେତେ ବନ ପ୍ରାନ୍ତର ଶଇଳ,
ରାୟଗଡକୁ କରିଛୁ ତୋର କ୍ରୀଡାସ୍ଥଳ।
ଆଲୋ ନାଗାବଳୀ
ସାଥୀ ହୋଇ ରହିଥିବୁ
ନ ଯିବୁ ବଦଳି ।
କଳାହାଣ୍ଡି ପାହାଡରୁ ଆସିଛୁ ବାହାରି,
ବାଟେ ଭେଟିଛନ୍ତି ତୋତେ କେତେ ଯେ ସୁନ୍ଦରୀ;
ଝଞ୍ଜାବତୀ ବେଗବତୀ ଶିରୀକୋଣା ପରି,
ନଦୀ ରୂପୀ ନାରୀମାନେ ତୋର ସହଚରୀ ।
ଆଲୋ ନାଗାବଳୀ
ଈର୍ଷାକରି କାହା ସାଥେ
କରିବୁନି କଳି ।
କଇବର୍ତ୍ତ ଜୀବିକା ତୁ ରଜକ ଜୀବନ,
ପ୍ରେମିକର ପ୍ରେମିକା ତୁ ଭାବୁକର ମନ;
କୋଳରେ ତୋ ବଢୁଛନ୍ତି ନାନାଜାତି ମୀନ,
ଜଳରେ ତୋ ଗଢିଅଛି କୂଳେ କେତେ ବନ।
ଆଲୋ ନାଗାବଳୀ
ରାଣ ଅଛି କୂଳ ଲଙ୍ଘି
ଯାଅନା ଉଚ୍ଛୁଳି ।
ଓଡିଶାରେ ଖେଳିଖେଳି ଯାଉ ଆନ୍ଧ୍ରଦେଶ,
କଲ୍ଲେଇପାଲୀ ନିକଟେ ହୁଏ ତୋର ଶେଷ;
କେବେ ତେଲୁଗୁଣୀ କେବେ ଓଡିଆଣୀ ବେଶ,
କେବେ ଶାନ୍ତ ସ୍ବରୂପିଣୀ କେବେ କରୁ ରୋଷ।
ଆଲୋ ନାଗାବଳୀ
ଥଟ୍ଟା ପରିହାସ ଶୁଣି
ଯିବୁନି ତୁ ଚଳି ।
କାଗଜକଳରୁ ଜାତ ଯେତେକ ମଇଳା,
ସବୁ ଆଣି ଦେହରେ ତୋ ହେଉଅଛି ବୋଳା;
ହଜିଲାଣି ସୁନ୍ଦରତା ହେଲୁଣି ଦୁର୍ବଳା,
ଶୁଭ୍ରକାନ୍ତି ରୂପ ତୋର ଦିଶିଲାଣି କଳା ।
ଆଲୋ ନାଗାବଳୀ
ମଣିଷର ଭୁଲ ପାଇଁ
ଦେଏନା ଲୋ ଗାଳି।
ଆମ ସରକାର ଏବେ ଯୋଜନା କଲେଣି,
ଆମ ଭାଈ ଭଉଣୀ ବି ସୁଧୁରି ଗଲେଣି;
ଜଳ ପ୍ରଦୂଷଣ ଲାଗି କେତେ ଯେ ମଲେଣି,
ନିଜ ନିଜ ଭୁଲ୍ ସବୁ ବୁଝି ସାରିଲେଣି ।
ଆଲୋ ନାଗାବଳୀ
ଠାକୁରଙ୍କ ପାଶେ ଆମେ
କରୁଅଛୁ ଅଳି;
ପୂର୍ବ ଗଉରବ ପାଉ
ପ୍ରିୟ ନାଗାବଳୀ ।