ଆଲିଙ୍ଗନ
ଆଲିଙ୍ଗନ
ଯୁବପିଢ଼ି ପାଳୁଅଛି
ଆଲିଙ୍ଗନ ଦିବସ
ବାହୁ ବନ୍ଧନରେ ଭରି
ନିଜ ପ୍ରିୟ ପ୍ରିୟାକୁ
ନବ ବିବାହିତ ବିଭୋର
ପାଇ ଆଜୀବନ ପାଇଁ
ଆଲିଙ୍ଗନେ ଈପ୍ସିତ ମଣିଷକୁ
ମଧ୍ୟମ ବୟସ୍କ
ଆଲିଙ୍ଗନ କରିଛି
ସ୍ଵପ୍ନରେ ରହି ଯାଇଥିବା ଆଶାକୁ
ଭାବୁଛି ବାକିଥିବା ଜଞ୍ଜାଳକୁ
ଆଉ ବୟସର ସାୟାହ୍ନେ
ଆଲିଙ୍ଗନ କରିବାକୁ ଇଚ୍ଛା
ନାତି ନାତୁଣୀ ପୁଅ ଝିଅ
ହେଲେ ନାହାନ୍ତି କେହି ପାଖରେ
ମୃତ୍ୟୁକୁ ଆଲିଙ୍ଗନ କରେ
ଏକାନ୍ତରେ ।
ମନେ ପଡେ ବୋଉ
ତାର କୋମଳ ଆଲିଙ୍ଗନ
ବାପା ବି ମନେ ପଡନ୍ତି
ଭାବନାକୁ କଲେ ମନ୍ଥନ
ମନେ ପଡନ୍ତି ଭାଈ ଭଉଣୀ
ରାଗ ରୁଷା ମାନ ଅଭିମାନ
ପୁଣି ସ୍ନେହ ଆଲିଙ୍ଗନ ।।
ଆଲିଙ୍ଗନ କରି ଭାଗ୍ୟକୁ
ଶୋଇ ଯାଇଛି ପଥପ୍ରାନ୍ତେ
ଛିଣ୍ଡା କନ୍ଥା ଘୋଡେଇ ଜୀବନ
ନା ସେ ବୁଝିଚି
ବାବୁ ମାନଙ୍କ ଦେଖାଣିଆ ଆଲିଙ୍ଗନ
ଗଣ୍ଠି ପକା ସମ୍ପର୍କମାନ
ଦିନ ଯାଏ ଦିନ ଆସେ
ମୁଠାଏ ଭାତ ପାଇଁ ଯୁଝେ
ବିକଳ ହୋଇ ଅନାଇ ରହିଥାଏ
ସେଇ ଦୁଇ ବାହୁକୁ
ଯିଏ ବାଣ୍ଟିଦେବ ତାକୁ ଆଶା
ବୁଝିବ ଉଦରର ଭାଷା
ବତୁରା ମନ
ଯିଏ କରୁଥିବ
ତା ସ୍ଵପ୍ନକୁ ଆଲିଙ୍ଗନ ।।