ଆଖି ଅଛି, ନହୁଅ ଅନ୍ଧ
ଆଖି ଅଛି, ନହୁଅ ଅନ୍ଧ
ଆଖି ଦୁଇଟି ଅଛି ଜାଣିବାକୁ ସର୍ବଦା
ନୁଆ ନୁଆ କଥା
ଆଖି ଦ୍ୱାରା ଜଣା ପଡେ ତ କାହାର
କେତେ କ୍ଷମତା ।
ସ୍ୱର କହି ଥାଏ ମଣିଷର ଥିବା ସବୁ
ଅନ୍ତର୍ନିହିତ ଭାବନା
ପରଖନ୍ତି ବିବେକରେ ମନୁଷ୍ୟ କଥାର
ଭାବ ସଦା ବେଳେ ସିନା ।
କେହି ନୁହେଁ ବଡ ଅବା ସାନ, ସବୁରି
ଅଛି ତ ହୃଦୟ
ଅବିବେକତାରେ ଖାଲି ମଣିଷ ମଣଇ
ଅନ୍ୟକୁ ହେୟ ।
ସବୁଜ ସୁନ୍ଦର ପୃଥିବୀରେ ଜୀବନ୍ତ
ପ୍ରାଣ ଭରି ଦେଇଛନ୍ତି
ଧନ ଦୌଲତ ପ୍ରାଚୁର୍ଯ୍ୟ ଭିତରେ
ଧନୀକ ବଡ ବୋଲାନ୍ତି ।
ଗରିବ ମଣିଷ ଦି'ଓଳି ଦି'ମୁଠା
ଭଲରେ ପାଏନା ଖାଇ,
ଦୁଃଖର ଜୀବନ ଭିତରେ କିନ୍ତୁ
ଶାନ୍ତିରେ ପାରେ ସେ ଶୋଇ ।
ଧନ ଲାଳସାରେ ଧନୀକ ନିଜ ମନରେ
ବିଷର ଜ୍ୱାଳା ଭରଇ
ସେ ବିଷ ଜ୍ୱାଳାରେ ହୋଇ ଜର ଜର
ଅଶାନ୍ତିରେ ନିଃଶେଷ ହୁଅଇ ।
ଧୂପ ଦୀପ ଦିଅଁ ପୂଜାର ନାହିଁ ଲୋଡ଼ା
ମନରେ ରହିଲେ ବିଶ୍ୱାସ
ପ୍ରଚାର ସବୁ ଅଟେ ଅସାର ସର୍ବତ୍ର ପରା
ପରମାତ୍ମାଂକ ପ୍ରକାଶ ।
