ଆକାଶର ମହାନତା
ଆକାଶର ମହାନତା


ପ୍ରାଚୀ ଦିଶା ଲଂଘି ଘନଘୋର ଘଟା
ଘୋଟିଆସେ ଘନଘନ,
ପ୍ରତୀଚି ର ରବି ଘନ କାଳିମାରେ
କରନ୍ତି ଆତ୍ମ ଗୋପନ । [୧]
ପ୍ରଶସ୍ତ ସଘନ କାଳିମାର ବୁକୁ
ଧୀରେ ଧୀରେ ଚିରି ଚିରି,
ପ୍ରହ୍ଲାଦେ ପ୍ରଗଳ୍ଭ ବର୍ଷାର ବିନ୍ଦୁ
ଆପେ ଆପେ ଯାଏ ଝରି । [୨]
ପିୟୁଷ ସମାନ ବର୍ଷା ବାରିର
ମଦିରା ପାନର ଭୋଳେ,
ପର୍ଯ୍ୟାପ୍ତ ତରୁ ଲତା ରାଜି
ମତ୍ତ ସମୀର ର ତାଳେ ତାଳେ । [୩]
ପଲ୍ଲବ ଅଙ୍ଗ ଭଙ୍ଗୀ ରଚାଇ
ଆହ୍ଲାଦେ ନୃତ୍ୟ ଛଳେ,
ପ୍ରୀତି ମହ୍ଲାର ସଂଚରି ଯାଏ
ଚାତକ ର ବୁକୁ ତଳେ । [୪]
ପୁଲକ ଜଗାଏ ବିଜୁଳି ଚମକ
ବଜ୍ର ଦୁଦୁଭି ଗାନ,
ପିକ ବାରିଦ ର ଶୁଭ ମାଙ୍ଗଳିକ
ଚାଲିଛି କି ଆୟୋଜନ। [୫]
ପ୍ରିୟ ବାରି ଧାରା ସାଥେ ମତୁଆଲା
ରିମିଝିମି ସୁର ସହ,
ପ୍ରୀତି ରେ ଅଧିରା ନୃତ୍ୟରତା ପିକ
ପାଶୋରି ପ୍ରତୀକ୍ଷା ଦାହ। [୬]
ପାଣ୍ଡୁର ବର୍ଣ୍ଣ
ା ପଲ୍ଲବ ରାଜି
ସବୁଜିମା ଫେରି ପାଇ,
ପ୍ରସନ୍ନେ ହସଇ ସୁନ୍ଦର ଧରଣୀ
ସୁଶୀତଳ ସ୍ପର୍ଶ ପାଇ । [୭]
ପ୍ରଶମିତ କରିବାକୁ ପ୍ରକୃତିର
ଗ୍ରୀଷ୍ମେ ସନ୍ତାପିତ ପ୍ରାଣ,
ପୂର୍ଣ୍ଣ ପ୍ରାଣେ ନଭ ଜଳଦ ଘଟରୁ
କରେ ଜଳଧାରା ସିଂଚରଣ। [୮]
ପ୍ରତିଦାନ ଆଶା ପ୍ରତ୍ୟାହାର କରି
ସ୍ନେହ ବାରି ଧାରା ଦାନ,
ପ୍ରତ୍ୟାଶା ନ ରଖି ପ୍ରୀତିର ଅର୍ପଣ
ଦିବ୍ୟ ନୈସର୍ଗିକ ପ୍ରେମ । [୯]
ପ୍ରହେଳିକା ନୁହେଁ ସୁନୀଳ ନଭର
ଯୁଗନ୍ତ ପ୍ରସାରି ପ୍ରେମ,
ପ୍ରାକୃତ ପ୍ରେମରେ ବିଦେହ ମିଳନ
ବୈକୁଣ୍ଠ ପ୍ରାପ୍ତି ସମ । [୧୦]
ପଂଚଭୂତେ ଗଢା ଜୀବନ ଭିତରେ
ସ୍ଥିତ ସ୍ୱ ଅଂଶ ମିଶ୍ରଣ,
ପାଇ ଉଚ୍ଚ ସ୍ଥାନ ପାଶୋରିନି ନଭ
ନିଜସ୍ୱ କର୍ତ୍ତବ୍ୟ ଜ୍ଞାନ । [୧୧]
ପୂଜ୍ୟ ଗଗନ ପ୍ରକାରାନ୍ତେ ମୂଢ
ମନୁଷ୍ୟେ ଦିଅ ହେ ଶିକ୍ଷା,
ପ୍ରମତ୍ତେ ନ ଭୂଲୁ ନିଜ ସହ ନିଜ
ବନ୍ଧୁ ପରିଜନ ରକ୍ଷା। [୧୨]