STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଆକାଶ କ‌ଇଁଆ ଚିଲିକା ମାଛ

ଆକାଶ କ‌ଇଁଆ ଚିଲିକା ମାଛ

1 min
286


କଥାଟି ପୁରୁଣା ସମସ୍ତଙ୍କୁ ଜଣା

   କିନ୍ତୁ ମୂଲ୍ୟବାନ ସିନା,

ଯେ ତତ୍ତ୍ଵ ବୁଝିଛି ଭ୍ରାନ୍ତି ତୁଟି ଅଛି

   ହୋଇନି ସେ ବାଟବଣା।

କ‌ଇଁଆ କହୁଛି ଆରେ ମାଛ ଭାଇ

   ତୁ ଅଛୁ ଚିଲିକା ଜଳେ,

ମୁଁ ଆଜି ଅଛି ଗଛ ଡାଳେ କାଲି

   ମିଶିବା ରୋଷେଇ ଶାଳେ।

ମାଛ ଆଉ କଞ୍ଚା ତେନ୍ତୁଳିର ଝୋଳ

    ଯେ ଖାଇଛି ଏକା ଜାଣେ,

ଟକଳ‌ ଫୁଟେଇ ଝୋଳ ହାମ୍ପୁଡେଇ

    ନିଜେ ଭାଗ୍ୟବାନ ମଣେ‌।

ଏ ଗଲା ଉପର ଆଖିଦେଖା କଥା

    ଭିତିରି କଥାଟି ଭିନ୍ନ,

ମାଛ କ‌ଇଁଆର ଭାବକୁ ବୁଝିଲେ

    ଧନ୍ୟ ହୋଇବ ଏ ପ୍ରାଣ।

ଏହି ମାଟିଘଟ ଯଦି ହୁଏ ମଠ

    ମଠରେ ବାବାଜୀ ଥାଏ,

ସେ ବାବାଜୀ ବଡ଼ ରସିକ ନାଗର

    ମାତାଟିଏ ଖୋଜୁଥାଏ।

ଦୁଇ ପ୍ରାଣୀଙ୍କର ଏହି ଖେଳଘର

    ପ୍ରେମ ଚାଲେ ନିରନ୍ତର,

ପ୍ରେମ ଛାଡିଗଲେ ମନ ତୁଟିଯାଏ‌

    ଛିଡେ ସମ୍ପର୍କର‌ ଡୋର।

ମଠ ଛାଏଁ ମଠ ପଡିରହିଥାଏ

    ବାବା ହୁଅନ୍ତି ଅନ୍ତର,

ଛିଣ୍ଡା ବସନର‌ ନେବାକୁ ଯତନ

    ମାତା ନଥାନ୍ତି ପାଖର।

ଭାଙ୍ଗିଯାଏ ଦିନେ ସେ ଯୁଗଳଲୀଳା

    ବହେ ଅଣଚାଶ ବାଆ,

ଚାଳ ଉଡିଯାଏ ମଠ ଶୋଇଯାଏ

    କାନ୍ଥ ଫାଟି କରେ ଆଁ।

ମାଟି ଘର ପଛେ ମିଶୁ ଏ ମାଟିରେ

    ନ‌ଇ ଗଣ୍ଠି ଛିଡିଯାଉ,

ପାମ୍ପରା ବତାକୁ ଉଈ ପଛେ ଖାଉ

    ଭାବ କିନ୍ତୁ ବଞ୍ଚିଥାଉ। 

କେଶର କସ୍ତୁରୀ ଅତରର ମୂଲ୍ୟ

   ନଥାଉ ପଛେ ସଂସାରେ,

ତଥାପି ପରମପୁରୁଷର ଲୀଳା

   ଲାଗିଥାଉ ନିରନ୍ତରେ।

ମାଛ କ‌ଇଁଆର ଭାବେ ଜୀବ ବ୍ରହ୍ମ

   ବାବା ମାତାଙ୍କର ଛଳେ,

ପରମ ପ୍ରକୃତି ଖେଳା ଲୀଳା ଯହିଁ

   ସଦା ଦେହ ମନ୍ଦିରରେ।

ମାୟାରୁ ରହିତ ମୋହରୁ ବର୍ଜିତ‌

   ପବିତ୍ର ରଖିଲେ ମଠ,

ନିତ୍ଯ ବୃନ୍ଦାବନ ରାହାସ କାନନେ

   ନିଶ୍ଚେ ଦିନେ ହେବ ଭେଟ।



Rate this content
Log in

Similar oriya poem from Tragedy