ଆଜିର ନାରୀ
ଆଜିର ନାରୀ
ବିନା ଆଶ୍ରୟରେ ବଞ୍ଚିପାରିବେନି
କବିତା ବନିତା ଲତା,
ଥିଲା ଏହା କେଉଁ ପୁରୁଷ ପ୍ରଧାନ
ପ୍ରାଚୀନ ଯୁଗର କଥା।
ଯୁଗ ଯାଇଛି ବଦଳି,
ପୁରୁଷର ସାହଚର୍ଯ୍ୟ ବିନା ଆଜି
ନାରୀ ବି ପାରୁଛି ଚଳି। ୧
ନାରୀ ଥିଲା କାଲି ବିଦ୍ୟା ବିରହିତା
ଅବଳା ଅସୂର୍ଯ୍ଯାଂପଶ୍ୟା,
ସ୍ବଶିକ୍ଷା,ସ୍ବଶକ୍ତି,ସ୍ବଦମ୍ଭେ ଆଜି ସେ
ପରିବାରର ସଦସ୍ୟା
ପୁରଷର ସମକକ୍ଷ,
ବିଷମ ମୂହୁର୍ତ୍ତେ ଧୈର୍ଯ୍ୟଶୀଳା ନାରୀ
ନରେ ଦେଖାଉଛି ଦିଶା ।୨।
ସମାଜେ ନଥିଲା ନାରୀ ସ୍ବାଧିନତା
ନଥିଲା ଶିକ୍ଷା ବ୍ୟବସ୍ଥା,
ଅପ୍ରାପ୍ତ ବୟସେ ବିବାହ ବନ୍ଧନେ
ବାନ୍ଧି ଦେଉଥିଲେ ପିତା
ରନ୍ଧନ ପରିବେଷଣ,
ଘରସଫା ଲୁଗାସଫା କରି କଟୁଥିଲା
କୁନି ବୋହୂର ଜୀବନ।
କୁନି ବୋହୂ ସାଜି ଟିକି ଟିକି ପାଦ
ଚାଲୁଥିଲା ଚିପି ଚିପି,
ଗୃହାଙ୍ଗନ ଛାଡ଼ି ଯିବା ଅସମ୍ଭବ
ସଦର ଦରଜା ଟପି।
ଶାଶୁ ଶ୍ୱଶୁର ଙ୍କସେବା,
ଶାଶୁ ଙ୍କ ଆକଟ ନଣନ୍ଦ କଟାକ୍ଷ
ସ୍ବାମୀ ଅଧୀନେ ଜୀଇଁବା।୩
ସମୟ ସ୍ରୋତରେ ନାରୀ ଜାତିଲାଗି
ପାହିଛି ଅମା ରଜନୀ,
ଦେଶ ସ୍ଵାଧୀନତା ସଙ୍ଗେ ସମତାଳେ
ସ୍ବାଧୀନ ଆଜି ରମଣୀ।
ସାମର୍ଥ୍ୟ କୁ ନେଇ ଶିକ୍ଷା'_
ଆହରଣ କରି ହୁଏ ସ୍ବାବଲମ୍ବୀ
ଆଜି ସ୍ବାଧୀନ ବାଳିକା । ୪।
ଉନ୍ମୁକ୍ତ ଆଜି ସକଳ ଦରଜା
ଦୁର୍ବଳା ଅବଳା ପାଇଁ,
ଶିକ୍ଷା ବାତାୟନ ନବୀନ ଆଲୋକେ
ଉଦ୍ଭାସିତ ପଥପାଇ,
ନାରୀ ଆଜି ସ୍ବାବଲମ୍ବୀ,
ବିଶାଳ ପୃଥିବୀ କୋଣେ ଅନୁକୋଣେ
ପ୍ରକାଶୁଛି ତା'ର ଦାବି। ୫।
କଲମ ଧରୁଛି,ବନ୍ଧୁକ ଧରୁଛି
ଧରୁଛି ହାତରେ ବାଡ଼ି,
ଶିକ୍ଷକ ସାଜୁଛି ସୈନିକ ହୋଇଛି
ଆଣୁଛି ଚୋରକୁ ଭିଡ଼ି,
ହୋଇଛି ବିଚାରପତି,
ନ୍ୟାୟ ବିତରଣେ ସର୍ବଦା ତତ୍ପର
ରୋକିଛି ନାରୀ ଦୁର୍ଗତି। ୬
ଦାମ୍ଭିକ ପୁରୁଷ ହୃଦୟ କନ୍ଦରେ
ସୃଷ୍ଟି କରିଛି କମ୍ପନ,
ପୁରୁଷର ସାଥେ ହାତେ ହାତ ଛନ୍ଦି
କରେ ସମସ୍ୟାର ସମାଧାନ।
ଅଛି କିନ୍ତୁ ବ୍ୟତିକ୍ରମ,
ସ୍ବାଧୀନତା ପାଇ ସ୍ବେଚ୍ଛାଚାରୀ ହୋଇ
ସଂଘଟିତ କରେ ଅପକର୍ମ।
