ଆଜିର ମଣିଷ
ଆଜିର ମଣିଷ


ସିଧାକଥା -୧୯
ମାଛ ମାଉଁସର ମୂଲ ବଢୁଥିଲେ ବଢୁ ଯେତେ ଚିନ୍ତା ନାହିଁ,
କଦଳୀ ନଡ଼ିଆ ପୂଜା ପାଇଁ ଘିଅ ବଢିଲେ କିଣେନା ମୁହିଁ ।
ଦୀପ ପାଇଁ ମିଳେ କେତେ ଶସ୍ତା ଘିଅ ସେଥିରେ ଚଳାଏ କାମ,
ପଡ଼ିଶା ବାଡ଼ିରୁ ତୋଳି ନିଏ ଫୁଲ କିଣିବାକୁ ପ୍ରଭୁ ମନ ।
ମାଗଣା ମିଳୁଛି ବେଲପତ୍ର ପୁଣି କୋଳିପତ୍ର ଆମ୍ବଡ଼ାଳ,
ସେଥିରୁ ପୁଳାଏ ଛିଡ଼େଇ ଆଣୁଛି ଲଗାଇ ମୋ ଦେହ ବଳ ।
ଦୁଧ ଦହି ମୂଲ ବଢିଗଲେ ସିନା ବାଧୁଛି ଯାହାକୁ ଯେତେ,
ବିଦେଶୀ ବୋତଲ ହେଲେ ଚଢାମୂଲ ସୁଆଦ ଲାଗୁଛି ସେତେ ।
ସିଗାରେଟ ବିଡ଼ି ପାନ ଗୁଟୁଖାର ମୂଲ ମୁଁ ପଚାରେ ନାହିଁ,
ଶାଗ ବାଇଗଣ ମୂଲ ପଚାରି ମୁଁ ରହେ ଦୋକାନୀକୁ ଚାହିଁ ।
ଚାକିରି ଖଣ୍ଡେ ମୁଁ ପାଇଛି ବୋଲି ତ ପାଉଛି ବିଡ଼ାଏ ଟଙ୍କା,
ଖଟିଖିଆ ଲୋକ ମଜୁରି ବଢିଲେ ମୁହଁ କରିଦିଏ ବଙ୍କା ।
ମଡ଼ର୍ଣ୍ଣ ଯୁଗର ଶିକ୍ଷିତ ମଣିଷ କାହାକୁ ଖାତର ନାହିଁ,
ବାପା-ମାଆ ଗୁରୁ ଗୁରୁଜନ ଦେଖି ଚାହିଁଛନ୍ତି ବୋକାହୋଇ ।