ଆଡପ ଅବଢା
ଆଡପ ଅବଢା
ଘୋଷ ଯାତରାରେ ଆସେ କାଳିଆ
ସାଙ୍ଗରେ ଭଉଣୀ ଭାଇ ବଳିଆ ।
ମାଉସୀ ମାଆର ଗଳାମାଳିଆ
ଗୁଣ୍ଡିଚା ମନ୍ଦିର ଦିଶେ ବଢିଆ ।
ବରଷକେ ଥରେ ମାଉସୀ ଘର
ଆସିଛି କାଳିଆ ଧନ ତାହାର ।
ଶ୍ରୀମନ୍ଦିର ଭୋଗ ଛାଡି ଆସିଛି
ପହଣ୍ଡିରେ ଛେଚା କଚା ଖାଇଚି ।
ହସି ହସି ତାର ମାଉସୀ ମାଆ
ଛପନ ପଉଟି ରାନ୍ଧେ ବଢିଆ ।
ଯେଉଁ ଅନ୍ନ ରାନ୍ଧେ ମାଉସୀ ମାଆ
ଆଡପ ଅବଢା ତାହାର ନାଆଁ ।
କେତେ ଯତନରେ ରାନ୍ଧେ ମାଉସୀ
ଖୁଆଇପିଆଇ ଦବ ଆଉଁଷି ।
ଆଡପ ଅବଢା ମହକି ବାସେ
ଗୁଣ୍ଡିଚା ମନ୍ଦିରେ କାଳିଆ ହସେ ।
ଭଳି ଭଳି ବେଶ ହୁଏ କାଳିଆ
ଭକତଙ୍କର ସେ ଗଳାମାଳିଆ ।
କାଳିଆ ହସୁଚି ଗୁଣ୍ଡିଚାଘରେ
ଭକତ ମାନସ ହରଣ କରେ ।
କର୍ପୂର ଚନ୍ଦନ ମହକ ବାସ
ତୁଳସୀରସିଆ ହସୁଛି ହସ ।
ଆଡପ ଅବଢା ଖାଇ କାଳିଆ
ଭକ୍ତଙ୍କୁ ଖୁଆଏ ବଳକେ ଯାହା ।
ଭକତେ ଆନନ୍ଦ ଉଲ୍ଲାସ ହୋଇ
ଆଡପ ଅବଢା ଯାଆନ୍ତି ଖାଇ ।
ମହାପ୍ରସାଦର ସମାନ ଏହା
ଶିରୀମନ୍ଦିରରେ ମିଳଇ ଯାହା ।
ଆଡପ ମଣ୍ଡପେ ଥିଲେ କାଳିଆ
ଆଡପ ଅବଢା ମିଳଇ ଯାହା ।
ଆଡପ ମଣ୍ଡପୁ ଗଲେ କାଳିଆ
ବରଷକ ଯାଏଁ ନମିଳେ ତାହା ।
ଆସରେ ଆସରେ ଭକତ ଜନ
ଆଡପ ମଣ୍ଡପେ କର ଦର୍ଶନ ।
ଗୁଣ୍ଡିଚା ମନ୍ଦିରେ କାଳିଆ ହସ
ଆଡପ ଅବଢା ମହକ ବାସ ।
ଦେଖି ପାଇ ତୃପ୍ତ ହୁଅ ଭକତ
ଧର୍ମ ଅର୍ଥ ମୋକ୍ଷ ହୁଅ ପ୍ରାପତ।
