ଆ ମୌସୁମୀ ବରଷା ଧରି
ଆ ମୌସୁମୀ ବରଷା ଧରି
ଆସ ମଉସୁମୀ ଆଶା ବାରୀ ଆଣି
ମେଘ ପାଲିଙ୍କିରେ ବସି
ନିର୍ଜଳା ଭୂମିକୁ ବରଷା ପାଣିରେ
ଦେଇ ଯାଆ ତୁ ଆଉଁସି ।
ଶୁଷ୍କ ଧରଣୀରେ ଅମୃତ ବରଷି
ତୃପ୍ତି ର ପରଶ ଦେଏ
ଶସ୍ୟ ପ୍ରସବିନୀ ହେଉ ଏ ଧରଣୀ
ଶାନ୍ତିର ମନ୍ତ୍ର ଉଚ୍ଚାରେ ।
ଆ ଲୋ ମୌସୁମୀ ବର୍ଷା ରାଣୀ ସଙ୍ଗେ
ରୋଷଣୀ ଜଳାଇ ଆ
ନଭ ରେ ଚମକ ସୌନ୍ଦର୍ଯ୍ୟ ମଣ୍ଡି ତୁ
ଧରା ଶୀତଳ କରି ଯା |
ଶୁଷ୍କ ସରୋବର ସରିତ ସୁଷମା
ତନ ମନ ହରି ଦେଉ
ନଭେ ମେଘ ଦେଖି କେକା ନୃତ୍ୟ କରି
ଜନ ମନ ହରି ନେଉ |
ମୌସୁମୀ ଗୋ ତୁମେ ବର୍ଷା ଆଣି ଆସ
ବନ୍ଧ୍ୟା ବସୁନ୍ଧରା ହସୁ
ସର୍ଜନା ସ୍ରୋତ ରେ ସବୁଜ ଶାଢୀରେ
ଧରା ସୌନ୍ଦର୍ଯ୍ୟରେ ଭାସୁ ।
ରୌଦ୍ର ତାପ କ୍ଳିଷ୍ଟ ଅପସରି ଯାଉ
ଜୀବ ରେ ଜୀବନ ପଶୁ
କୃଷକ ମନର ଆଶା ଅଗଣାରେ
ଖୁସୀ ବରଷା ବରଷୁ ।
ଆସ ମଉସୁମୀ ବରଷାକୁ ନେଇ
ପ୍ରାଣୀ କୂଳ ଛଟପଟ
ଆଉ ଲୁଚକାଳି ଖେଳନାହିଁ ତୁମେ
ହରି ନିଅ ସବୁ କଷ୍ଟ ।
ଆସ ମଉସୁମୀ ଆଶାର ଆଲୋକେ
ଧରା ଆଲୋକିତ କରି
ସବୁଜ ଡାଳରେ ପକ୍ଷୀର କାକଳୀ
ମନ ନେଇ ଯାଉ ହରି ।
ଦଗ୍ଧ ଧରଣୀ ର ଭଗ୍ନ ମନେ ଦିଅ
ସଂଲଗ୍ନ ହେବାର ନିଶା
ଶୁଷ୍କ ପୁଷ୍କରିଣୀ କୁମୁଦ ମଣ୍ଡନେ
କବି ପ୍ରାଣେ ଦେଉ ଭାଷା |
ମୌସୁମୀ ଗୋ ତୁମେ ବରଷା ଅମୃତେ
ନିର୍ଝରେ ପ୍ରେମ ଜଗାଅ
ଅତିଷ୍ଟତା ହରି ତୁଷ୍ଟି ଭରିଦିଅ
ସୃଷ୍ଟି କୁ ସମୃଦ୍ଧି ଦିଅ |
ଆବିର୍ଭୁତା ହୁଅ ମଉସୁମୀ ତୁମେ
ବରଷାକୁ ସଙ୍ଗେ ନେଇ
ଧୂସରତା ମଧ୍ୟେ ସବୁଜିମା ଭରି
ଲେଖ ଜୀବନ କାହାଣୀ ।
କୀଟରୁ ପତଙ୍ଗ ଛଟପଟ ପରା
ଆଉ ଡେରି କର ନାହିଁ
ଜଳଦାନେ ତୁମେ ଧରମ ପାଳନେ
କୁଣ୍ଠିତ ଯେ ହୁଅ ନାହିଁ |
ଆସ ମଉସୁମୀ ବରଷା ସାଥିରେ
ତୁମ ପ୍ରୀତି ସ୍ପର୍ଶ ଦିଅ
ବିବଶ ପୃଥିବୀ ବିଦୀର୍ଣ୍ଣ ବୁକୁରେ
ଶୀତଳତା ଭରି ଯାଅ ।
ତୁମରି ପ୍ରେମର ପରଶେ ପରଶେ
ସବୁଜ ସଙ୍ଗୀତ ଶୁଭୁ
କୃଷକ ମନର ଶୀର୍ଣ୍ଣ ବାରଣ୍ଡାରେ
ବିଶ୍ୱାସର ଦୀପ ଜଳୁ |
ଆସ ମଉସୁସୀ ବରଷାକୁ ନେଇ
ଆଉ ଡେରି କର ନାହିଁ
ଅତିଷ୍ଠତା ମଧ୍ୟେ ମିଷ୍ଟତା ଭର ଗୋ
ଏତିକି କରେ ଦୟିନୀ |
