ଆ ବଳଦ ମୋତେ ବିନ୍ଧ୍
ଆ ବଳଦ ମୋତେ ବିନ୍ଧ୍
ଓଡ଼ିଆ ଭାଷାର ରୁଢି ଦିଏ ବାର୍ତ୍ତା
ଜୀବନ ଚର୍ଯ୍ୟାକୁ ପଥ ଦେଖାଏ
ରୁଢି ସଦା କୁହେ ଗୁଢ଼ ତତ୍ତ୍ଵ କଥା
ଜୀବନ ଗତିରେ ଚିନ୍ତନ ଦିଏ l
ନିଜ ହାତେ ସୃଷ୍ଟ ଯେସନେ ରାକ୍ଷସ
ବର ପ୍ରାପ୍ତି ପରେ ମାରି ଗୋଡ଼ାଏ ଭାବନା ଚିନ୍ତାରେ ଦୂର ଦୃଷ୍ଟି ଥିଲେ ବିପଦ ପାଖକୁ ଆସି ନ ଥାଏ ।
ନିଜ ହାତେ ନିଜେ ପାପ ଅରଜିଲେ
ପାପର ଫଳ ତ ନିଶ୍ଚୟ ମିଳେ
ଆ ବଳଦ ବିନ୍ଧ୍ ନ୍ୟାୟରେ ମାନବ
ଅକର୍ମରେ କର୍ମ ମୋହର ଦିଏ |
ନିଜ ହାତେ ନିଜେ ପରିବେଶ ହାନି
ନିଜେ ସାମ୍ନା କରେ ଘୋର କଷଣ
ଉପର ଚିକ୍କଣ କଥା କୁହା ପଣେ
ଭାସିଲେ ଜୀବନ ହୁଏ ଉଚ୍ଛନ୍ନ ।
କର୍ମର ମର୍ମ ରେ ଦୁଷ୍କର୍ମ ଛନ୍ଦରେ
ଜୀବନ କୁ କରେ ଅକର୍ମ ଶିଳା
ବିବେକ ବିଚ଼ାର ବର୍ଜନ କରିଣ
ନିଜେ ବୁଡାଉଛେ ନିଜର ଭେଳା ।
କର୍ମର ମର୍ମରେ ମୋହ ବନ୍ଧନରେ
ନିଜ ହାତେ ନିଜେ ଯନ୍ତ୍ରଣା ଡାକେ
ସନ୍ତାପ କରିଲେ କିଛି ମିଳେ ନାହିଁ
ଆ ବଳଦ ବିନ୍ଧ୍ ରୁଢି ଯେ ରୋକେ ।
ପ୍ରେମ ଆକର୍ଷଣ ବିଭେଦ ବୁଝେନା
ଭାସିଯାଏ ପୁଣି ଦୁରୁହ ପଥେ
ଫଳପ୍ରାପ୍ତି ହୁଏ ପ୍ରତାରଣା ପୁଣି
ଅପଯଶ ବୋଝ ଡାକଇ ସାଥେ |
ଅନ୍ୟାୟ ର ସଙ୍ଗ ଖଚ଼ ମିଛ ରଙ୍ଗ
ରଙ୍ଗେ ରଙ୍ଗେଇଲେ ମନ ବିବେକ
ସମୟ ଦିଅଇ ତାହାର ଉତ୍ତର
ମଣିଷ ଜୀବନ ହୁଏ ଅଭେକ ।
ନିଜ ହାତେ ନିଜ ଜିହ୍ଵା ଛେଦ କଲେ
ପ୍ରତିଫଳ ଡାକେ ନିଜ ହାତରେ
ଭଲ ମନ୍ଦ ଜ୍ଞାନ କାର୍ଯ୍ୟରେ ନଥିଲେ
ବିପଦ କୁ ଡାକେ ହାତ ଠାରରେ ।
ଲାଞ୍ଚ ମିଛ ନିଜେ ଶିଖାଇଣ ପୁଣି
ନିଜେ ପଡ଼େ ନର ସେଇ ଫାନ୍ଦରେ
ମୁଣ୍ଡ କଚାଡ଼ି କି ଯେତେ ବାହୁନିରେ
ବଳଦ ବିନ୍ଧଇ ଯନ୍ତ୍ରଣା ଭରେ ।
ପରିବାର କୁହ ଦେଶ ଗ୍ରାମ କୁହ
ଆମେ ରଚୁ ଅଛେ ମହାଭାରତ
ଶିକ୍ଷା ଖୋଳପାରେ ଟଙ୍କା ରୋଜଗାର
ସଂସ୍କାର ଖୋଜିଲେ କାହୁଁ ମିଳିବ ।
ସନ୍ତାନ ମନରେ ବିଦେଶର ମୋହ
ଶିଶୁ ମନେ ଆମେ ଭରି ଯେ ଦିଏ
ପରିବାରେ ଆମ କର୍ମ ଦରପଣ
ଅବଚେତନ ରେ ଛାପ ପକାଏ ।
ନିଜ ହାତେ ନିଜେ ପିତୁଳା ଗଢୁଛେ
ଆରମ୍ଭୁ ସଂସ୍କାର ଅତ୍ୟନ୍ତ ଲୋଡ଼ା
ସଂସ୍କାର ନ ଦେଇ ସଂସ୍କାର ଚାହିଁଲେ
ବଳଦ ବିନ୍ଧିବା ମିଳିବ କଡ଼ା |
ନିଜ କର୍ମ ପଥେ ବିବେକ ଇଙ୍ଗିତେ
ଶ୍ରଦ୍ଧା ସୁମନରେ କର୍ମ ସୁନ୍ଦର
ଜୀବନ ସଫଳ ହୋଇବ ନିଶ୍ଚୟ
ମିଳିବ ଦୁଃଖ ଦୁସହ ଭାର ।
