STORYMIRROR

Dharitri Das

Children

3  

Dharitri Das

Children

ଅ ଆ ଇ

ଅ ଆ ଇ

2 mins
271

ଅଧିର ହୁଅଇ ମନ ନ ଦେଖି   

       ତୋତେରେ କାଳିଆ ଧନ।

 ଆଖିରୁ ଗଡ଼ଇ ଲୁହ ତୋ ପାଇଁ

       ହୋଇଲେ ଆନନ୍ଦ ମନ।

 ଇଟାରେ ତିଆରି ତୋର ମନ୍ଦିର

        ଲାଗଇ ସୁବର୍ଣ୍ଣ ପୁର।

ଈଶ୍ୱର ଭାବରେ ପୂଜେ ସଂସାର 

        ପୁଷ୍ପରେ ମଣ୍ଡିଣ ଶିର।

ଉଶ୍ୱାସ କରିବୁ ମହୀ ବିନତି

        କରୁଛି ପୟରେ ତୋର।

ଊର୍ଚ୍ଚିତ ବଢ଼ିଛି ତୁମ ମହିମା

        ଗାଇବା ପାଇଁକି ମୋର।

ଋଜୁତା ବର୍ଣ୍ଣନ ପାଇଁ ତୁମର

        କିଏବା ସକ୍ଷମ ସାଇଁ।

ଏଓତା ଖାଇଲେ ଆର ଓତାକୁ

         ଉପାସ ରୁହଇ ମୁହିଁ।

ଐଶ୍ୱର୍ଯ୍ୟ ପାଇବି କାହୁଁ ଦେବାକୁ 

      ତୋତେରେ କାଳିଆ ମୁହିଁ।

ଓଖର ଟିକିଏ ଢ଼ାଳି ପୟରେ

        ପାଦୁକା ପାଇବି ନେଇ।

ଔଷଧ ହୋଇବ ତାହା ରୋଗକୁ

        ନିବାରି ପାରିବ ସେଇ।

କଉଶ ତୁମର ପୁଜି ଭରତ

       ଶାସନ କରିଲେ ଯାଇ।

ଖରଦି କରିଛି ଫୁଲ ଗଜରା

      ମଣ୍ଡାଇ ଦେବିରେ ଶିର।

ଗଡୁକ ଚନ୍ଦନ ପେଡି ଥୋଇଛି

       ପୂଜିବି ପୟର ତୋର।

ଘନାନ୍ତ ଶେଷରେ ଆସେ ହେମନ୍ତ

       କାର୍ତ୍ତିକେ ଧରମ ମୋର।

ଙ ଅନୁନାସିକା ଵର୍ଣ୍ଣ ଅଟଇ

       କ'ବର୍ଗେ ତାହାର ଘର।

ଚଇନି ହେଉନି ମନ ମୋହର

       ରୂପରେ ତୋହର ହଜି।

ଛପନ ଭୋଗରେ ପେଟ ପୁରଇ

        ଭଜନେ ରହିଛି ମଜି।

ଜଞ୍ଜିର ଫିଟିଲା ନଦୀ ଶୁଖିଲା

       ଦେବକୀ ନନ୍ଦନ ପାଇଁ।

ଝଲ୍ଲିକା ବିଛାଇ ଚାହିଁ ରହିଛି।  

     କୋଳେଇ ନେବରେ ସେହି।

ଟହକ ଦିଶଇ ପୂର୍ବ ଆକାଶ

        ଉଦୟ ହୁଅନ୍ତି ରବି।

ଠକାମି କରିବା ପାଇଁ ମଣିଷ

        ସର୍ବଦା ହୁଅଇ ଭାବି।

ଡଗର ସାଜିଛି ଆଜି ଅକ୍ରୁର

        କଂସର ଖବର ଆଣି।

କହ୍ନେଇ ଦେଖିବ ଧନୁ ଯାତରା

        ମଥୁରା ପୁରରେ ପୁଣି।

ଢ଼କର ବାଗେଇ ନନ୍ଦ ରାଜନ

        ମଥୁରା ହୋଇଲେ ସଜ।

ଣ'ବର୍ଣ୍ଣ ଥାଏଟି ଟ'ଵର୍ଗ ଶେଷେ

         ଚୈତନ୍ୟ ଅର୍ଥକୁ ହେଜ।

ତବଲା ବାଜିଲେ ଗୀତ ଗାଆନ୍ତି

         ଗାୟକ ଗାୟିକା ଜାଣ।

ଥନ୍ତଲ ପେଟକୁ କରି ଆଗକୁ

        ଚାଲଇ ଜୋକର ପୁଣ।

 ଦବକେ ଡାକଇ ଆହେ ଶ୍ରୀକୃଷ୍ଣ

        ବିପଦେ ହୋଇବ ଠିଆ।

ଧଉତ ବସନ ପିନ୍ଧି ପୂଜଇ

         ତଥାପି ଥରୁଛି ହିଆ।

ନଶ୍ୱର ଶରୀର ପାଇ ଜପଇ

        ତୋହରି ନାମକୁ ନୀତି।

ପନ୍ନଗ ଆସନେ ବସି ପାଳୁଛ

         ତୁମେତ ଇସାରେ କ୍ଷିତି।

ଫଣୀନ୍ଦ୍ର ବହିଛି ତାର ମଥାରେ

         ସମଗ୍ର ବସୁଧା ଟେକି।

ବଗଡ଼ା ଅନ୍ନରେ ମନ ରହିଛି

         ଖାଇବା ବେଳତ ବାକି।

ଭବନ ମୋହର ହେବ ପବିତ୍ର

         ତୁମରି ପୟର ଲାଗି।

ମଙ୍ଗଳ ଆଳତି ବ୍ରାହ୍ମ ମୁହୂର୍ତ୍ତେ

          କରିବି ନିଇତି ଜଗି।

ଯମୁନା କୂଳରେ ବସି କରିବୁ

      ଗୋପୀଙ୍କ ସଙ୍ଗତେ ଖେଳା।

ଯାଜୁଷ ପୂଜନ୍ତି ତୋତେ ଜଗତେ

       ନକରି କେବେବି ହେଳା।

ରଜନୀ ଶେଷରେ ଉଠି ପ୍ରଥମେ

       କରଇ ପ୍ରଣାମ ତୋତେ।

ଳ'ବର୍ଣ୍ଣ ଅଟଇ ଅଷ୍ଟ ବିଂଶତି

        ବ୍ୟଞ୍ଜନ ବର୍ଣ୍ଣଟି ସତେ।

ଲଟକ ବ୍ୟକ୍ତିଙ୍କ ଠାରୁ ଦୂରେଇ

        ରହିବା ସର୍ବଦା ଭଲ।

ୱତନ ତୋହର ଅଟେ ଶ୍ରୀକ୍ଷେତ୍ର

        ସମୁଦ୍ର କରଇ ଗେଲ।

ଶକୁନୀ ମାତୃକା ପ୍ରିୟ ତୋହର

        ପ୍ରସାଦ ରୂପରେ ଯୋଗ।

ଷଡ଼ାସ୍ୟ ଅଟନ୍ତି ଗଣ ପତିଙ୍କ

         ସୋଦର ଜାଣିଥା ଆଗ।

ସଉଧ ନିର୍ମାଣି ରହି ଅଛନ୍ତି

         ମୋହର କାଳିଆ କାହ୍ନୁ।

ହଇଏ ରାଧିକା ଡାକ ଶୁଭଇ

         କାହ୍ନୁର ବଇଁଶୀ ସ୍ୱନୁ।

କ୍ଷତିରେ ରହିଛି ଲାଭ ଗାଇଲେ

         ଶ୍ରୀହରି ନାମକୁ ଭଲେ।

ଅ ଠାରୁ କ୍ଷ ବର୍ଣ୍ଣେ ରଚିଦେଲି

        କବିତା ଦେଖରେ ପିଲେ।

 ଜ୍ଞାନର ନୟନେ ଭୁଲି ଯିଵଟି

         ରଚନା ଜନିତ ତ୍ରୁଟି ।

ସର୍ବଦା ମଥାମୋ ଯିବରେ

        ତୁମରି ପୟରେ ଲୋଟି।



Rate this content
Log in

Similar oriya poem from Children