(୨୬)#ଶେଷଚିଠି ମେଘ ରାଇଜରୁ#
(୨୬)#ଶେଷଚିଠି ମେଘ ରାଇଜରୁ#
ମନ ମୟୂରୀ ମେଘା ,
ଭାବୁଛି ବଉଳ ଫୁଲର ସୁରଭି ପରି
କଦମ୍ବ ମଲ୍ଲୀ ହେନାର ମହକ ଭିତରେ
ଆଜି ବି ବାରି ହୋଇ ପଡୁ ଥିବ
ନିଶ୍ଚେ ତମେ ଅଲଗା ,
ଆଶା, ସମୟର ପ୍ରଖର ସ୍ରୋତରେ
ଛାପି ଛାପିକା ଜହ୍ନ ଆଲୁଅରେ
ଏବେ ମଧ୍ୟ ହଜାଇ ନଥିବ
ଅତୀତର ସ୍ମୃତି ସବୁକୁ
ଆଉ କା'ମନ ଅଗଣାରେ ,
ସତ କହିଲ, କାହିଁ ପୁଣି ଏତେଦିନ ପରେ,
ସେଇ କୋମଳ ଗାନ୍ଧାର ରାଗର
ସ୍ମୃତିମୟ ମଧୁ ଆଳାପ ହୋଇ,
ଖୁବ୍ ବେଶୀ ମନେ ପଡୁଛ
ଏ ମେଘ ରାଇଜରେ,
ଏମିତିରେ ବି ଏ ପାହାଡିଆ ଦାର୍ଜିଲିଂ ସହର
ଏକା ମୁକସାକ୍ଷୀ ଆମ ପ୍ରଣୟର ,
ଯାର ବାଟ ଘାଟ ଫୁଲ ପତ୍ରରେ
ମୁଁ ତମକଥା ଝୁରି ବିମୋହିତ ହୁଏ
ଆଜି ବି ସଂଜ ନଇଁ ଗଲା ପରେ ,
ସେଦିନ ସେ ନୀରବତାର ହାତଧରି
ତମେ ଚାଲିଗଲ ଅବିଳମ୍ବେ
ମୋ ମନର ପରିଧିକୁ ପାର କରି ,
କେଉଁ ଏକ ଅବୋଧ୍ୟ ଅଭିମାନରେ
ହଁ ତମ ଯୈ।ବନର ସ୍ପର୍ଦ୍ଧିତ ଆଗମନରେ ,
ହାତରୁ ଖସି ପଡିଥିଲା ମୋ ତାଜମହଲ
ଭାସ୍କର୍ଯ୍ୟ ହୋଇଥିଲା ଲହୁ ଲୁହାଣ,
ମନରେ ବଢିଥିଲା ଅବୁଝା ପଣ
ମୁଁ ହୋଇଥିଲି ଅଧିକରୁ ଅଧିକ
ତମ ପାଇଁ ଭାବପ୍ରବଣ ,
ତମେ କିନ୍ତୁ ଫେରିଲନି ସେଦିନ ଆସନ୍ନ ନିଶିରେ
ରାଗ ରୋଷ ରାଣ ରଖି ନିଜ ହୃଦୟରେ,
ମୋ ଆଖିରେ ଆଖିଏ ସ୍ବପ୍ନ ଥୋଇ ,
ଚାଲିଗଲ ଆଉ କା' ଦୁନିଆ ର
ଭବିଷ୍ୟତକୁ ସଂଖୋଳିବା ପାଇଁ ,
ବିଶ୍ବାସ , ଖୁସିରେ ଥିବ ପ୍ରୀତି ଦରିଆରେ
ସୁଖ ଛାଇ ଥାଉ ତମ ପାଦ ପଦ୍ମରେ,
ଚିରି ଦେବ ଏ ଚିଠକୁ ନିଜ ହାତେ
ଥରେ ପଢି ସାରିଲା ପରେ,
କରିଦେବ ମୋତେ ଅଗ୍ନି ସଂଯୋଗ
ତମ ହୃଦୟରେ ,
ଇତି ,ତମେ କେବେ ଦିନେ ସମ୍ବୋଧିତ
କରୁଥିଲା ମୋତେ ଯଉଁ ନାଁ ରେ,
ଗୋଧୂଳି ଗଡିଗଲା ପରେ
ଖାଁ ଖାଁ ଫୁଲ ସଂଜରେ
ଏଇ ସହରରେ .....!

