Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚେମେଣିଙ୍କ ମୋବାଇଲ
ଚେମେଣିଙ୍କ ମୋବାଇଲ
★★★★★

© Arabinda Rath

Comedy

10 Minutes   14.2K    16


Content Ranking

ଲେଖା-ଅରବିନ୍ଦ ରଥ

ଅଚାନକ ଟୁଁ ଟାଁ ଶବ୍ଦ ଶୁଣି ଚମକି ଉଠିଲେ ସୁକୁଟା ବାବୁ। ଦେଖିଲେ ଧର୍ମପତ୍ନୀ ଚେମେଣି, ଆନନ୍ଦରେ ଘୁଙ୍ଗୁଡି ମାରୁଛନ୍ତି। ଘଣ୍ଟା ଆଡକୁ ନଜର ପକେଇ ଦେଖିଲେ ରାତି ଗୋଟାଏ ବାଜିଛି। ଏ ସମୟରେ ଏମିତି ଅସ୍ବାଭାବିକ ଶବ୍ଦର କାରଣ କ’ଣ ହୋଇ ଥାଇପାରେ ଭାବିଲା ବେଳକୁ ପୁଣି ଶୁଭିଲା ଟୁଁ ଟୁଁ ଟାଁ ଟାଁ। ଚେମେଣିଙ୍କୁ ଡାକି ଉଠେଇ ପଚାରିଲେ – ହେଇ, ଦେଖିଲ କଣ ଗୋଟାଏ ଶବ୍ଦ ହେଉଛି। କିଛି ଭୌତିକ କାଣ୍ଡକାରଖାନା ପରି ଲାଗୁଛି। ଚେମେଣି ତାଙ୍କର ପ୍ରକାଣ୍ଡକାୟ ଶରୀରର ଭାର ଖଟ ଉପରୁ ଲାଘବ କରି ଚିଡାଚିଡା ସ୍ବରରେ କହିଲେ – କଣ ହେଲା ? ରାତିରେ ମଣିଷକୁ ଟିକେ ଶାନ୍ତିରେ ଶୋଇବାକୁ ଦେବନି ନା କଣ? ସୁକୁଟା ସମସ୍ତ ବୃତ୍ତାନ୍ତ ଶୁଣାଇଲେ ପରେ ଚେମେଣି ନିହାତି ସହଜ ରୂପରେ ଉତ୍ତର ଦେଲେ-- ଆରେ ଡରିବାର କିଛି ନାହିଁ। ସେଇଟା ଫେସବୁକରେ ମେସେଜ୍ ଆସିବାର ଧ୍ବନି। ଏତିକିରେ ଧୋତି ଓଦା ନ କରି ଶୋଇପଡ। କିଛି ପ୍ରତିକ୍ରିୟା ଦେବା ଆଗରୁ , ଚେମେଣି ଘୁଙ୍ଗୁଡି ନାଦରେ ଗଗନପବନ ପ୍ରକମ୍ପାଇବା କାର୍ଯ୍ଯ ଜାରି ରଖିଲେ। ଲଣ୍ଡା ମୁଣ୍ଡଟିରେ ହାତ ବୁଲେଇ ଶୋଇବାର ପ୍ରୟାସ କଲେ ସୁକୁଟା।

ସୁକୁଟା ପାହାଡସିଂହ, ବନବିଭାଗରେ ବନରକ୍ଷୀ ଭାବରେ କାର୍ଯ୍ଯରତ। ବୟସ ପାଖାପାଖି ପଚାଶ ହେବ, କିନ୍ତୁ ଆବଶ୍ଯକତାରୁ ଅଧିକ କାର୍ଯ୍ଯଭାର ମୁଣ୍ଡାଇବା ହେତୁ କେଶରାଶି ଭୁପତିତ। ଲଣ୍ଡାମୁଣ୍ଡରେ ଦୁଇ ତିନୋଟି ଧବଳ କେଶ, ସୂଚାଉଥିଲା ଯେ ଅତୀତରେ ଏହି ଟାଙ୍ଗରା ଭୂମି ବି ଶସ୍ଯଶ୍ଯାମଳ ଥିଲା। କାଳର କରାଳ ଗ୍ରାସରେ କାହିଁ କେତେ ସଭ୍ଯତା ଲୋପ ପାଇଯାଇଛି, ତାଙ୍କ କେଶ କଥା ପଚାରେ କିଏ? ସୁକୁଟାଙ୍କ ମୁଖମଣ୍ଡଳର ଅନ୍ଯତମ ଆକର୍ଷଣ ଥିଲା ଦୁଇଗୋଟି ମିଞ୍ଜିମିଞ୍ଜିଆ ଆଖି। ମୁହଁ ତୁଳନାରେ ଆଖି ଦୁଇଟି ସାନଥିଲା ଓ ଭ୍ରୁଲତାର ବର୍ଦ୍ଧିତ ଲୋମରାଶି ସେଗୁଡିକୁ ନିଜ ଆଢୁଆଳରେ ଘୋଡାଇ ରଖିବାର ପ୍ରୟାସରେ ଅବିରତ ଲାଗିରହିଥିଲେ। ସାଧାସିଧା ଚେହେରା ବିଶିଷ୍ଟ ସୁକୁଟାଙ୍କର ସେମିତି କିଛି ନାରୀ ଆକର୍ଷଣକାରୀ ଗୁଣ ନ ଥିଲେ ମଧ୍ଯ ଚେମେଣି ଦେବୀ ତାଙ୍କୁ ପସନ୍ଦ କରି ବାହାହୋଇଥିଲେ। ଅବଶ୍ଯ ବିଭାଘରର କାରଣ ଟା ଏଯାବତ ରହସ୍ଯମୟ, କାରଣ ସରକାରୀ ଚାକିରୀ କୁ ଛାଡିଦେଲେ ସୁକୁଟାଙ୍କ ପାଖରେ ସେମିତି କିଛି ବେଶେଷତ୍ବ ନ ଥିଲା। ଅନ୍ଯପକ୍ଷରେ ଚେମେଣି ବିଭାଘର ସମୟରେ ଯଥେଷ୍ଟ ସୁନ୍ଦରଥିଲେ। ଅନ୍ତତଃ ପକ୍ଷେ ତାଙ୍କ ଘରର କାନ୍ଥରେ ଟଙ୍ଗାଯାଇଥିବା କାଚଫ୍ରେମ୍ ରେ ବନ୍ଧା କଳାଧଳା ଫଟୋକୁ ଦେଖିଲେ ସେମିତି ଲାଗୁଛି। ଉଭୟପ୍ରାଣୀ ବିଭାଘରର ପଚିଶତମ ବର୍ଷପୁରାଣି ପାଳିବା ପରେ ମଧ୍ଯ ପ୍ରେମ ନାମକ ଚିଜଟି କଣ ଜାଣିବାକୁ ଅସମର୍ଥ ଥିଲେ। ସମୟ ସମୟରେ ଚେମେଣି ଗଞ୍ଜନାସୂଚକ ବାଣୀ ପ୍ରୟୋଗ କରି କୁହନ୍ତି-- ଆଛା ଭାଲୁଟାକୁ ବାହାହେଲି ଯେ ଜୀବନଟା ବରବାଦ ହୋଇଗଲା। ବାଘ ଭାଲୁ ବରଂ ସହରରେ ଆସି ବୁଲାଚଲା କରୁଛନ୍ତି, କିନ୍ତୁ ଏ ମଣିଷଟା ଜଙ୍ଗଲ ଛଡା ଅନ୍ଯ କେଉଁ ଯାଗା ଦୁନିଆଁରେ ଅଛି ବୋଲି ଜାଣିପାରିଲାନି। ରସ ଚିପୁଡା ଯାଇଥିବା ଆଖୁ ଖାଇବା ଯାହା ଏ ଲୋକ ପାଖରେ ରହିବା ସେୟା। ଯେତେ ଗାଳିମନ୍ଦ ଦେଲେ ବି ସୁକୁଟା ସ୍ଥିତପ୍ରଜ୍ଞ ହୋଇ ରୁହନ୍ତି। ମନେ ମନେ କୁହନ୍ତି-- ଯାହା ପ୍ରକୃତି ଯାହା, କିଏ ଚାହିଁଲେ ବଦଳି ଯିବ ନା କଣ ? କୁଆକୁ ଯେତେ ଉପାୟରେ ତାଲିମ ଦେଲେ କଣ ସେ କୋଇଲି ପରି ଗୀତ ଗାଇବ ନା ସାପକୁ ଗୀତା ଭାଗବତ ପଢେଇଲେ ସେ କାମୁଡା ଛାଡି ପିଠି ସଲସଲ କରିବ ? ଯାହାକୁ ଦଇବ ଯେମିତି ଗଢିଛିି ସେ ସେମିତି ରହିବ।

ଏକମାତ୍ର କନ୍ଯାର ବିଭାଘର ସରିଯିବା ପରେ ଚେମେଣିଙ୍କୁ, ସୁକୁଟାଙ୍କ ସହ ଖିଚିରିମିଚିରି ହୋଇ କଳି ଲାଗିବା ପାଇଁ ଯଥେଷ୍ଟ ସମୟ ମିଳୁଥିଲା ଓ ସେ ତାର ସଦୁପଯୋଗ କରୁଥିଲେ। କେମିତି କ’ଣ କରି ଏ ବିପଦରୁ ଉଦ୍ଧାର ପାଇବେ ସେ ଚିନ୍ତାରେ ବୁଡି ରହୁଥିଲେ ସୁକୁଟା। ଜଣେ ସହକର୍ମୀ ଚେମେଣିଙ୍କ ରୋଗର ଅମୋଘ ନିଦାନ ବତାଇଦେଲା। ଦିନେ ସଞ୍ଜବେଳେ ସୁକୁଟା ବତିଶ ଦାନ୍ତ ଦେଖେଇ କିଛି ଗୋଟେ ପ୍ଯାକେଟ ଚେମେଣିଙ୍କ ହାତକୁ ବଢାଇଦେଲେ। ପାରା ପରି ଗୁମୁରି କଳି ଲାଗିବାକୁ ଉପକ୍ରମ କରୁଥିବା ଚେମେଣିଙ୍କ ଚକ୍ଷୁ ଯୋଡିକ କୋଲଗେଟ୍ ଘଷା ଦାନ୍ତ ପରି ଚମକି ଉଠିଲା। ଭୋକିଲା ବାଘୁଣୀ ଶିକାରର ବୁକୁ ଚିରି କଲିଜା କାଢି ଚୋବେଇବା ପରି, ସେ ପ୍ଯାକେଟକୁ ନୃଶଂସ ଭାବରେ ବିଦୀର୍ଣ୍ଣ କରି ତା ଭିତରୁ ଉପହାରଟି କାଢି, ସଦ୍ଯ ଜନ୍ମିତ ଶିଶୁକୁ ତୋଳି ଧରିବା ପରି ହାତରେ ଧରିଲେ। ପ୍ରଶ୍ନିଳ ଆଖିରେ ସୁକୁଟାକୁ ମୁହଁକୁ ଦେଖନ୍ତେ, ସେ ମୁହଁରେ ହସଲଡୁ ଫୁଟାଇ କହିଲେ

-- କେତେ ଦିନ ହେଲାଣି ତୁମକୁ କିଛି ଗୋଟେ ଉପହାର ଦେବି ବୋଲି ଭାବୁଥିଲି। ଏଇ ମୋବାଇଲ ଦେଖି ଭାବିଲି, ତାହା ହିଁ ହେବ ତୁମ ପାଇଁ ସବୁଠାରୁ ଭଲ ଉପହାର। ସେ ଦୋକାନୀ ମୋତେ କହିଛି, ଯାହା ଖୋଜିବେ ସବୁ ପାଇବେ। ମୋବାଇଲରେ ସିମ୍ କାର୍ଡ ଓ ଇଣ୍ଟରନେଟ୍ ପ୍ଯାକ୍ ବି ପଡିଛି। ତୁମେ ସିନେମା, ଗୀତ, ନାଚ, ଧାରାବାହିକ ସବୁ ଦେଖି ପାରିବ। ଟେଲିଭିଜନ ଆଗରେ ବସିବା ଦରକାର ନାହିଁ କି ଧାରାବାହିକର ସମୟକୁ ଅପେକ୍ଷା କରିବାର ନାହିଁ। ଯେତେବେଳେ ଯାହା ମନ ହେବ ଦେଖି ପାରିବ। କେବଳ ସେତିକି ନୁହଁ, ଫେସବୁକ, ହ୍ବାଟସଆପ୍, ଟୁଇଟର ଓ କେତେ କଣ ଜିନିଷ ଖୁନ୍ଦି ହୋଇ ରହିଛି ଏ ମୋବାଇଲରେ। “ମେଦିନି ଭିତରେ ରହିଛି ଜାଣ ଅମାପ ଜଳ, ତେତେ ବାହାରିବ ଖୋଳିବ ଯେତେ ପ୍ରକାଶି ବଳ” ଏହି କବିତାର ଭାବାର୍ଥ ମୋବାଇଲ ପାଇଁ ମଧ୍ଯ ଲାଗୁ ହେଉଛି। ତୁମେ ଯେତେ ଖୁଟୁରୁ ଖାଟର କରି ମୋବାଇଲ ସାଙ୍ଗେ ଲାଗିବ, ସେତିକି ନୂଆ ନୂଆ ଜିନିଷ ବାହାରିବ ଓ ତୁମକୁ ଆନନ୍ଦ ଦେବ। ଗୋଟେ ନିଶ୍ବାସରେ ମୁଖସ୍ଥ କରିଥିବା ସଂଳାପ ସବୁ ଉକାଳି ପକେଇ ଚେମେଣିଙ୍କ ମୁହଁ କୁ ଦେଖିଲେ।

ଗୋଟେ ଥରରେ ସୁକୁଟା ଏତେ କଥା ପ୍ରାଞ୍ଜଳ ଭାବରେ କହିବାର ଦେଖି ଟିକେ ଆଚମ୍ବିତ ହେଲେ ଚେମେଣି। କାରଣ ; ଖାଲି ଶୁଣିବା ଲୋକ ଯେତେବେଳେ କହିବା ଆରମ୍ଭ କରେ, କିଛି ଗୋଟେ ଫିସାଦିଆ ଚାଲ୍ ଅଛି ବୋଲି ବୁଝାପଡେ। ଅଚାନକ ପ୍ରେମର ଏମିତି ବାଦଲଫଟା ବର୍ଷା ଦେଖି ଚେମେଣି କିଛି ଗୋଟେ ଭିତିରିଆ ଉଦ୍ଦେଶ୍ଯ ରଖି ଏ ଉପହାର ଦିଆଯାଇଛି ବୋଲି ମନେ କରି ଜୁଳୁଜୁଳୁ ଦେଖିଲେ।

– ଆରେ ସେମିତି ଦେଖୁଛ କଣ ଯେ? ଝିଅ ସହ ମନଇଛା ଗପି ପାରିବ, ତା ଭଲମନ୍ଦ ଦିନକୁ ପଚାଶଥର ବୁଝି ପାରିବ। ଝିଅ ସହ ଗପିବାକୁ ଆଉ ଦୂରଭାଷ ଯନ୍ତ୍ରର ଆବଶ୍ଯକତା ନାହିଁ। ଆହୁରି କେତେ କଣ କରି ପାରିବ, ନିଜେ ସିନା ପରିଶ୍ରମ କଲେ ହେବ! !

– ସବୁ ଠିକ୍ ଯେ, କିନ୍ତୁ ତୁମ ପାଖରେ ତ ମୋବାଇଲ ନାହିଁ, ମୋ ପାଖରେ ଥାଇ କଣ ଲାଭ।

– ମୋର ମୋବାଇଲ କଣ ହେବ? ମୋତେ ତୁମ ଛଡା କିଏ ଖୋଜିବ ଯେ ମୁଁ ମୋବାଇଲ ଧରିବି।

କଥାଟା ଶୁଣି ଚେମେଣିଙ୍କ ମନ ହାଲୁକା ହେଲା ଓ ସେ ହସହସ ମୁହଁରେ ମୋବାଇଲ ଧରି ପ୍ରଥମ ଡାକ ଝିଅକୁ ଦେଲେ। ମାଆ ଝିଅ ମୋବାଇଲରେ କଥା ହୋଇ କୃତ୍ଯକୃତ୍ଯ ହୋଇଗଲେ ଓ ଚେମେଣି ଜୀବନରେ ପ୍ରଥମ ଥର ସୁକୁଟାଙ୍କୁ କହିଲେ-- ତୁମ ଉପହାର ପାଇଁ ବହୁତ ଧନ୍ଯବାଦ। ମୁଁ ଆଜି ବହୁତ ଖୁସି। ଚେଙ୍ଗ ମାଛ ମୁଗୁରାରେ ପଶିଛି ଜାଣି ମନେମନେ ବହେ ନାଚିଗଲେ ସୁକୁଟା। ଯାହାହେଉ ଏଥର ତାଙ୍କ ମୁଣ୍ଡରେ ବଜ୍ର ପଡିବା କମିଯିବ। ସତ କୁ ସତ ମୋବାଇଲଟା ଚେମେଣିଙ୍କ ସୁଖଦୁଖର ସାଥୀ ହୋଇଗଲା। ସଞ୍ଜୟ କୁରୁକ୍ଷେତ୍ର ଯୁଦ୍ଧର ବିବରଣୀ ଧୃତରାଷ୍ଟ୍ରଙ୍କୁ ଦେଲା ପରି ଝିଅ, ଦିନର ଅର୍ଦ୍ଧାଧିକ ସମୟ ଶାଶୁଘର ଖବର ଦେବାରେ ବିତେଇଲା। ଦିନେ ସକାଳୁ ଗାୟତ୍ରୀ ମନ୍ତ୍ରର ମଧୁର ଧ୍ବନି ଶୁଣି ସୁକୁଟାଙ୍କ ହାତ ଯୋଡି ହୋଇ ଆସିଲା ବେଳକୁ ମନ୍ତ୍ରଟା ଅଧାରୁ ବନ୍ଦ ହୋଇ ଚେମେଣିଙ୍କ କର୍କଶିଆ ସ୍ବର ଭାସି ଆସିଲା “ହଁ ଲୋ ମାଆ, କହ କଣ ହେଲା”। ଝିଅ ସହ କଥା ହୋଇସାରି ଚେମେଣି ହସି ହସି କହିଲେ ଆରେ ତୁମେ ମନ୍ତ୍ର ଶୁଣି ହାତ ଯୋଡିଦେଲ ଯେ? ସେଇଟା ପରା ମୋବାଇଲ ର ବାଜଣାଧ୍ବନି। ନିଜର ବୋକାମି ପାଇଁ ଲଜ୍ଜିତ ହୋଇଗଲେ ସୁକୁଟା। ଯାହା ହେଉ ମୋବାଇଲଟା ଆସିଲା ଯେ କେତେ କାମ ସୁରୁଖୁରୁରେ ହୋଇଯାଉଛି। ପରିବା, କ୍ଷୀର, ସଉଦାପତ୍ର ସବୁ ଘରେ ପହଞ୍ଚିଯାଉଛି, ମୋବାଇଲର ଗୋଟିଏ ଡାକରା ରେ। ଏପରିକି କାମବାଲୀ ବି ସନ୍ଦେଶ ପଠେଇ କହୁଛି “ଆଜି କାମକୁ ଆସି ପାରିବିନି, ସିନେମା ଦେଖି ଯାଉଛି”।

ପଡୋଶୀ ବରାଳ ବାବୁଙ୍କ ସ୍ତ୍ରୀ, ଚେମେଣିଙ୍କ ହାତରେ ଇଟା ସରକି ମୋବାଇଲ ଦେଖି ପ୍ରମାଦ ଗଣିବା ଆରମ୍ଭ କରିଦେଇଥିଲେ। ସଦାବେଳେ ତାଙ୍କୁ ଟାହିଟାପରା କରି କହୁଥିଲେ-- ନ ଦେଖିଲା ଲୋକ ଦେଖ, କଇଁଛ କାଢିଛି ବେକ”। ଏ ବୁଢୀ ବୟସରେ ଟୋକୀଙ୍କ ପରି ମୋବେଇଲି ଧରି ଫୁଟାଣି ମାରିଲେ “ଜନେ ହସିବେ ତହୁଁ ଏହା ହେବ ଫଳ”। ସାଇକେଲ ଚଲେଇ ଜାଣି ନ ଥିବା ଲୋକ ବ୍ଯୋମଯାନ ଚଲେଇବା ଯାହା, ତୁମେ ଏ ମୋବାଇଲ ଚଲେଇବା ସେଇୟା। ସୁକୁଟା ବାବୁଙ୍କୁ ଆଉ କିଛି ମିଳିଲାନି ଯେ ତୁମକୁ ମୋବେଇଲି ଟେ ଧରେଇଦେଲେ।

କିନ୍ତୁ ଭିତିରିଆ କାରଣଟା ଏହା ଯେ, ତାଙ୍କ ପାଖରେ ଆମ୍ବ ଟାକୁଆ ଲମ୍ବର ପୁରୁଣା କାଳିଆ ମୋବାଇଲ ଥିଲା। ପରଦା ଟା କଳାଧଳା ଓ ମୋବାଇଲ ଚଲାଇବାକୁ ସାନ ସାନ ବୋତାମ ଉପରେ ଆଙ୍ଗୁଠି ଚାଳନା କରିବାକୁ ପଡୁଥିଲା। ମୋବାଇଲ ପଛ ପଟେ ମୂଷା ଆଖି ପରି କ୍ଯାମେରା ଥିଲା, ଯେଉଁଥିରେ ଫଟୋ ଉଠେଇଲେ ମହାବଳ ବାଘ ବି ବିଲେଇ ପିଲା ପରି ଦିଶୁଥିଲା। ଅପରପକ୍ଷେ ଚେମେଣିଙ୍କ ମୋବାଇଲ ଉଗ୍ର ଆଧୁନିକ ଥିଲା। ସମ୍ମୁଖ ଭାଗକୁ କବଳିତ କରିଥିଲା ରଙ୍ଗୀନ୍ ପରଦା। ଖାଲି ଛୁଇଁଦେଲେ ମୋବାଇଲଟା କ’ଣ ନାହିଁ କ’ଣ କରି ପକାଉଥିଲା। ପଛ ପାଖରେ ମୃଗନୟନ ସମ କ୍ଯାମେରା ଶୋଭା ପାଉଥିଲା। ସେଥିରେ ଫଟୋ ଉଠାଇଲେ ଶାଗୁଣା ବି ମୟୁର ପରି ଦିଶୁଥିଲା। ସେ ପୁରୁଣା କାଳିଆ ମୋବାଇଲରେ ଇଣ୍ଟରନେଟ୍ ନାମକ ଚିଜର ନାମ ଗନ୍ଧ ନ ଥିବା ବେଳେ, ଚେମେଣିଙ୍କ ମୋବାଇଲରେ ଦିନରାତି ଚବିଶି ଘଣ୍ଟା ଇଣ୍ଟରନେଟ୍ ଚାଲୁଥିଲା। ବରାଳ ବାବୁ ସ୍ତ୍ରୀ ମୋବାଇଲର ବାଜଣାଧ୍ବନି ଢୋଲ ବାଜିଲା ପରି ଶୁଭୁଥିଲା ବେଳେ ଚେମେଣିଙ୍କ ମୋବାଇଲରୁ ନିତି ଦିନ ନୂଆ ଗୀତର ମୂର୍ଚ୍ଛନା ଝରି ଆସୁଥିଲା।

ବରାଳିଆଣୀଙ୍କ ଟାହିଟାପରା ଗଞ୍ଜଣାରେ ଅତିଷ୍ଠ ହୋଇ ଚେମେଣି ତାଙ୍କ ମୋବାଇଲର କାର୍ଯ୍ଯକାରିତା ବିଷୟରେ ସବିଶେଷ ଜ୍ଞାନ ଆହରଣ କଲେ। ଦରକାର ବେଳେ ଝିଅ ପାଖରୁ କିଛି ବୁଦ୍ଧି ଉଧାର ଆଣିଲେ। କିଛିଦିନ ଅକ୍ଳାନ୍ତ ପରିଶ୍ରମ କରି ଶେଷରେ ସେ ମୋବାଇଲଜ୍ଞାନୀ ହେବାର ଉପାଧି ହାସଲ କଲେ।

ପଡୋଶୀ ପ୍ରମିଳା ମହଲରେ ଚେମେଣିଙ୍କ ମୋବାଇଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା। ଥରେ ବରାଳିଆଣୀଙ୍କ ଟାହିଟାପରାର ଅନ୍ତ ଘଟାଇ ଚେମେଣି କହିଲେ

-- ମୋ ମାବାଇଲରେ ଚାରି ଜିବି ରାମ ଅଛି ବୋଲି ଏମନ୍ତ ଚାଲୁଛି ଓ ତୁମ ମୋବାଇଲରେ ରାମ କଣ ରାବଣ ବି ନାହିଁ। ମୋ ମୋବାଇଲ “ଛୁଆଁ ପରଦା” ବାଲା ହେଲା ବେଳକୁ ତୁମର “ହାତୁଡିପିଟା”। ତୁମର ସେ ଆମ୍ବ ଟାକୁଆର ଦର ଯେତିକି, ମୋ ମୋବାଇଲ ଖୋଳପା ଦର ତା’ଠୁ ବେଶି। ଖାଲି କଣ ସେତିକି, ୟା ଭିତରେ ଗୋଟେ “ମେମୋରି କାର୍ଡ” ମାନେ “ମନେରଖିବା କାର୍ଡ” ପଡିଛି। ତା’ର ଆକାର ବତିଶି ଜିବି। ତୁମ ଘରଦ୍ବାର, ବଉଁଶ କୁଟୁମ୍ବ ସେ କାର୍ଡ ଭିତରେ ପଶିଯିବେ। ତା ଭିତରେ ମୁଁ ଯେତିକି ଗୀତ ରଖିଛି, ଯଦି ଆଜି ଠାରୁ ଶୁଣିବା ଆରମ୍ଭ କରିବ ଦଶ ବର୍ଷ ଯାଏ ସରିବନି। ମୋବାଇଲରେ ଯେଉଁ ପରଶ୍ବଶୁର (ପ୍ରୋସେସର) ପଡିଛି, ଧର୍ କହିଲେ ମାରି ଆଣିବ। ପୁଣି ସିମ୍ ପଡିଛି “ଫୋର୍ ଜି”। ଯେତେ ପାରୁଛ ଫୋନ୍ କର, ମେସେଜ୍ ଦିଅ, ସବୁ ମାଗଣା। ତୁମ ମୋବାଇଲରେ ଲେମ୍ବୁ ଲୁଣଟା ଅଛି ଯେ ଏତେ ମୁହଁ ଫୁଟାଣି ମାରୁଛ??

“ରାମ” “ମେମୋରି କାର୍ଡ” “ଜିବି” “ପରଶ୍ବଶୁର” “ଫୋର୍ ଜି ” ପରି ଅତ୍ଯାଧୁନିକ ଓ ଦୁର୍ବୋଧ୍ଯ ଶବ୍ଦାବଳୀ ଶୁଣି ବରାଳିଆଣୀ ଓ ଅନ୍ଯ ନାରୀ ମାନଙ୍କର ଆଖିଡୋଳା ପେଣ୍ଡୁ ପରି ଢିମା ହୋଇଗଲା। ଚେମେଣି ନାମକ ନିହାତି ସାଧାରଣ ମହିଳା ମୁହଁରୁ ଏମନ୍ତ କଷ୍ଟକର ଯନ୍ତ୍ରପାତିଆ କଥାବାର୍ତ୍ତା ଶ୍ରବଣଜନିତ ଧକ୍କା ସହିବାର ଅବସ୍ଥାରେ କେହି ନ ଥିଲେ।

ଚେମେଣି କଟାକ୍ଷର ତୀର ବରାଳିଆଣୀଙ୍କ ବୁକୁରେ ତେଣ୍ଟା ପରି ଭୂଷି ହୋଇଗଲା। କ୍ଷୀର ଉତୁରି ଚୁଲିରେ ପଡିବା ପରି, ଦୁଇ ଆଖିରୁ ଲୁହ ଉତୁରି ଟାଆଁସିଆ ଗାଲ ଭିଜେଇଦେଲା। କେଇ ବୁନ୍ଦା ଲୁହ ଗାଲରେ ବସନ୍ତରୋଗ ଜନିତ କ୍ଷୁଦ୍ର ଗର୍ତ୍ତରେ ଲୁଚିଗଲେ। ସେ କିଛି ନ କହି ରାଗରେ ଜଳି ଉଠି ମନେମନେ କହିଲେ

-- ହଉ ଲୋ ଚେମେଣି, ଆଜି ମୋତେ ଯେତିକି ହନ୍ତସନ୍ତ କଲୁ ତାର ହିସାବ ଗଣି ଗଣି ନେବି, ହେଇ କାନିରେ ଗଣ୍ଠି ପକେଇଲି। ପ୍ରତିଶୋଧ ନ ନେବା ଯାଏ ଏ ଗଣ୍ଠି ଖୋଲିବନି। କାନି ଖୋଜିଲା ବେଳକୁ ମନେ ପଡିଲା ସେ ଶାଢୀ ନ ପିନ୍ଧି ସାଲଓ୍ବାର କାମିଜ ପିନ୍ଧିଛନ୍ତି। ଅଗତ୍ଯା ଓଢଣୀରେ ଗଣ୍ଠିଟେ ମାରିଦେଇ, ମୁହଁ ଫଣଫଣ କରି ଘରକୁ ଦଉଡିଲେ। ତେଣେ ବରାଳିଆଣୀଙ୍କ ଦର୍ପଦଳନ କରିଥିବାରୁ, ଚେମେଣିଙ୍କ ମନରେ ଗେଣ୍ଡୁଫୁଲ ଫୁଟି ଉଠୁଥାଏ। ଘରକୁ ଯାଇ ନିଜର ବିଜୟ କାହାଣୀ ସୁକୁଟାଙ୍କ ଆଖରେ ବଖାଣି ହସିହସି ତଳେ ଲୋଟିଗଲେ। ସୁକୁଟା ଦୀର୍ଘ ନିଶ୍ବାସ ପକାଇ ଭାବିଲେ, ଢିଙ୍କି ଯୁଆଡେ ଗଲେ ଧାନ କୁଟିବା ପରି ମୋ ମାଇପ ଯୁଆଡେ ଯିବ, କେବଳ କୁଟା କୁଟି କାମ କରିବ। ଯାହାହେଉ ତାଙ୍କ ଭାଗ୍ଯ ଭଲ ଯେ ଚେମେଣି ତାଙ୍କୁ ଛାଡି ବାହାରେ ନିଜ କାଳିଶି ରୂପ ଦେଖେଇଲେ।

ବରାଳିଆଣୀ ଆଖିରେ ନିଦ ନାହିଁ। ଚେମେଣୀଙ୍କ କରାଳିଆ ବଦନ ଓ ନାଗ ସାପ ପରି ଆଖି ତାଙ୍କୁ ଦିଶି ଯାଉଛି। କେଡେ ବଜ୍ଜାତ୍ ମାଇକିନାଟା! ! ସମସ୍ତଙ୍କ ସାମନାରେ ଇଜ୍ଜତ ବାରଗଣ୍ଡା ଦି କଡା କରିଦେଲା। ସେ ବରାଳ ବାବୁଙ୍କୁ ଉଠେଇ ବହେ କନ୍ଦାଛିଟିକା କରି ନୂଆ ମୋବାଇଲଟେ ଆଣିବାର ଜିଦ୍ ରେ ସଫଳ ହେଲେ। ଚେମେଣିଙ୍କ ମୋବାଇଲର ଅବିକଳ ନକଲ ମୋବାଇଲ ତହିଁ ଆରଦିନ ତାଙ୍କର କୋଳମଣ୍ଡନ କଲା। କାହାକୁ କିଛି ନ କହି, ସେ ମଧ୍ଯ ମୋବାଇଲ ଜ୍ଞାନ ଆହରଣରେ ମନୋନିବେଶ କରିବାରେ ଲାଗିଗଲେ। ବେଶ୍ କିଛି ଦିନ ଯାଏ ଚେମେଣି ଓ ବରାଳିଆଣୀ ମୁହଁ ଚାହଁ ଚୁହିଁ ହେଲେ ନାହିଁ।

ସୁକୁଟାଙ୍କର ଜୀବନରେ ଆନନ୍ଦର ବର୍ଷା ଅନବରତ ହେବାରେ ଲାଗିଲା। ତାଙ୍କ ମୁଣ୍ଡଖାଇବା କାମରୁ ନିବୃତ୍ତ ହୋଇ, ଚେମେଣି ଦିନରାତି ଚବିଶ ଘଣ୍ଟା ମୋବାଇଲର ପରଦା ଆଗରେ ମୁହଁମାଡି ପଡିଲେ । କେତେ ବେଳେ କଥାହେଲେ ତ କେତେ ବେଳେ ଗୀତ ଶୁଣି ଭେରେଣ୍ଡା ରାବ ଦେଲେ, କେତେବେଳେ ସିନେମା ଦେଖି ଲୁହ ଝରେଇେଲ ତ କେତେ ବେଳେ କାହାଣୀ ପଢି ଆନନ୍ଦରେ ଗଦଗଦ ହୋଇଗଲେ। ମୋଟାମୋଟି କହିବାକୁ ଗଲେ ଚେମେଣିଙ୍କ ଅସ୍ତିତ୍ବ ମୋବାଇଲ ଭିତରେ ସିମୀତ ହୋଇଗଲେ। ଏବେ ଗାଧୁଆଘରେ ପଶିଲେ ବି ମୋବାଇଲ ସାଙ୍ଗରେ ଯାଉଥିଇା, ପୂଜା କଲା ବେଳେ ମୋବାଇଲ ମୁହଁରୁ ମନ୍ତ୍ର ଝରି ପଡୁଥିଲା। ପାଣିପାଗ, ଦେଶବିଦେଶର ଖବର ବି ସେଇ ମୋବାଇଲ ହିଁ ଦେଉଥିଲା। ସେହି ଜଡବସ୍ତୁ ଟି ଗୋଟିଏ ଜୀବନ୍ତ ଅସ୍ତିତ୍ବରେ ରୂପାନ୍ତରିତ ହେଉଥିଲା ବେଳେ ସୁକୁଟା ନାମକ ପ୍ରାଣୀ ଟି ଚେମେଣିଙ୍କ ଜୀବନରେ ନିଜ ସ୍ଥାନ ବିଷୟରେ ଭାବି ଅସ୍ଥିର ହୋଇ ଉଠୁଥିଲା। ଦିନ ଭିତରେ ପାଞ୍ଚ ଦଶ ପଦ କଥା ଛାଡିଦେଲେ ସେମାନଙ୍କ ଭିତରେ ବିଶେଷ କଥାବାର୍ତ୍ତା ହେବାର ଅବକାଶ ନ ଥିଲା। ଧିରେ ଧିରେ ସୁକୁଟା ଅନୁଭବ କଲେ ଯେ ଚେମେଣିଙ୍କର ଘରଦ୍ବାର ପ୍ରତି ବିଶେଷ ଆଗ୍ରହ ରହୁନି ଓ ସେ ସଦାବେଳେ ଏକ ଅଲଗା ଦୁନିଆରେ ବିଚରଣ କରୁଛନ୍ତି। ଅବସ୍ଥା ଏପରି ହେଲା ଯେ, ଚେମେଣିଙ୍କୁ ମୋବାଇଲର ବାଜଣାଧ୍ବନି ବିନା କାରଣରେ ଶୁଭିବାକୁ ଲାଗିଲା। ପାଞ୍ଚ ମିନିଟ୍ ରେ ଦଶଥର ମୋବାଇଲ ନ ଦେଖିଲେ ତାଙ୍କୁ ବଡ ଅସ୍ତବ୍ଯସ୍ତ ଲାଗୁଥିଲା। ବିଚାରି ଏକ ପ୍ରକାର ନାଗଫାଶରେ ପଡିଯାଇଛନ୍ତି ବୋଲି ସୁକୁଟା ଅନୁଭବ କରି ପାରୁଥିଲେ।

ସେଦିନ କଲୋନୀର ନାରୀଶକ୍ତିମାନଙ୍କର ଏକ ବିଶେଷ ପରଛିଦ୍ରଗାନକାରୀ ଉତ୍ସବରେ ଯୋଗ ଦେବା ପାଇଁ ଚେମେଣି ଡାକରା ପାଇ ସଜବାଜ ହୋଇ ବାହାରିଲେ। ଗଲା ବେଳକୁ ସୁକୁଟାଙ୍କୁ କହିଲେ-- ଆଜି ରାତି ରେ ମୁଁ ସେଠାରେ ଖାଇ ଆସିବି, ତୁମେ ପାଉଁରୁଟି କ୍ଷୀର ଖାଇନେବ। ଯଦି ସେ ବରାଳିଆଣୀ ମୋ ସହ କଟକଟ ହୋଇ ଲାଗିବ, ତା ଅବସ୍ଥା ଆଜି ଛାଲଛାଡି କୁକୁର ପରି କରି ଫେରିବି। ତୁମେ ବ୍ଯସ୍ତ ହେବନି।

ଚେମେଣିଙ୍କୁ ବିଦାୟ ଜଣାଇ ସୁକୁଟା ଖଣ୍ଡେ ବିଡିରେ ଦିଆସିଲି ଖେଞ୍ଚା ଦେଇ ପିଣ୍ଡା ଚଉକି ରେ ବସି ରହିଲେ। ତେଣେ ଚେମେଣି ସାଙ୍ଗସାଥୀଙ୍କ ଗହଣରେ ଖଚ ଚୁଗୁଲି ଗପରେ ଗଗନପବନ ମୁଖରିତ କରିବାରେ ଲାଗିଲେ। ଅଚାନକ ବରାଳିଆଣିଙ୍କ ଆବିର୍ଭାବ ତାଙ୍କ ମୁହଁ କୁ ଆମ୍ବିଳା କରିବା ପାଇଁ ଯଥେଷ୍ଟ ଥିଲା। ଦେଢଶୂରକୁ ଦେଖି ନୂଆ ଭାଇବୋହୁ ଲୁଚିବା ପରି ଚେମେଣି ମୁହଁ ଆଡେଇ ଅନ୍ଯ ଆଡକୁ ଚାଲିଗଲେ। କିଛି ସମୟ ପରେ ଦେଖିଲା ବେଳକୁ ବରାଳିଆଣୀ ପାଖରେ କିଛି ସ୍ତ୍ରୀ ଲୋକ ଖୁସି ଗମାତରେ ମାତିଛନ୍ତି। ତାଙ୍କୁ ଟିକେ ଅବାଗିଆ ଲାଗିଲା। ଯେତେହେଲେ କଲୋନୀର ନାରୀ ମାନଙ୍କ ଭିତରେ ସେ ବେଶି ଆଧୁନିକା ଓ ଭଲ ମୋବାଇଲଧାରିଣୀ। ତାଙ୍କ ମୁହଁରୁ ଖାଲି ଯନ୍ତ୍ରପାତିଆ କଥା ଗୁଡା ଗଳଗଳ କରି ବୋହି ଯାଉଛି। ସେତିକି ଶୁଣି ହଜମ କରିବା ଲୋକଙ୍କୁ ମାସେ ଲାଗିଯିବ। ତାଙ୍କ ପରି ବ୍ଯକ୍ତିତ୍ବକୁ ଛାଡି ସେ ଟାକୁଆଗାଲି, ଦାନ୍ତୁରୀ, ବାଲୁରୀ, ନୁଖୁରାମୁଣ୍ଡି ବରାଳିଆଣୀ ପାଖରେ ହେଳେମେଳେ ହେଲେ କି ଲାଭ ଅଛି? ମନଟା ରାଗରେ ବିଥେଇ କୁନ୍ଥେଇ ହେଲେ ବି ନିଜକୁ ଶାନ୍ତ କରି ମୋବାଇଲଟିକୁ ଖୁଚୁରୁ ମୁଚୁରୁ କଲେ। କିଛି ସମୟ ପରେ ଖାଇବା ପର୍ବ ଆରମ୍ଭ ହେଲା। ଟେବୁଲରେ ସବୁ ନାରୀ ମାନେ, ପିମ୍ପୁଡି ଚିନିଦାନା ଘେରି ବସିଲା ପରି ବସିଲେ। କିଛି ଗୋଟେ ଦେଖି ଚେମେଣିଙ୍କ ଆଖିରୁ ନିଆଁଝୁଲ ଖସି ପଡିଲା। କଣ ହେଲା ବୁଝିବା ପୂର୍ବରୁ ନିଜ ସ୍ଥାନରୁ ଲମ୍ଫ ପ୍ରଦାନ କରି ସେ ବରାଳିଆଣୀ ଉପରକୁ “ଚୋରଣି”ବୋଲି ଚିତ୍କାର କରିି ଝପଟି ପଡିଲେ। ତା ଚୁଟି ଧରି ଟେବୁଲରେ ମୁଣ୍ଡକୁ ବାଡେଇ ରଡି ଛାଡି କହିଲେ “ ସତ୍ଯାନାଶୀ, ପୋଡାମୁହିଁ, କଲକତି ଚୋରଣି, ମୋ ମୋବାଇଲ ଚୋରି କରିବାକୁ ସାହାସ କଲୁ କେମିତି”। ତା ହାତରୁ ମୋବାଇଲଟା ଛଡାଇ ଆଣିଲା ବେଳକୁ ବରାଳିଆଣୀ ଗୋଟିଏ ନିର୍ଘାତିଆ କର୍ଣ୍ଣମୂଳିଆ ଚାପୁଡା ପକାଇବାରୁ ଚେମେଣିଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ପରି ଲାଗିଲା। କିଛି ସମୟ ପରେ ଦୁଇଜଣ ନାରୀ, ଭୀମ ଦୁଃର୍ଯ୍ଯୋଧନ ଯୁଦ୍ଧକଲା ପରି ଗଡାତଡା ହୋଇ ସମ୍ମୁଖ ଯୁଦ୍ଧରେ ମାତିଗଲେ। ବିଧା,ଚାପୁଡା,ଗୋଇଠା,ଚିମୁଟା,କାମୁଡା,ରାମ୍ପୁଡା,କଣଠେସା,କହୁଣିମାଡ ଇତ୍ଯାଦି ନାନାଦି ଯୁଦ୍ଧକଳା ପ୍ରଦର୍ଶନପୂର୍ବକ, ନିଜ ନିଜର ସାମର୍ଥ୍ଯ ଦେଖାଇବାରେ କୌଣସି ଅବହେଳା କଲେ ନାହିଁ। ଦିହେଁ ଦିହିଁକି ଭୂଇଁରେ ଗଡାଇ ମନ ଇଛା ଖୋବଣା ମାନ ଦେଇଚାଲିଲେ। ସେମାନଙ୍କ ମୁହଁ ଫାଟି ରକ୍ତ ବାହାରିବା ପରେ ମଧ୍ଯ କେହି କାହାକୁ ଛାଡିବାକୁ ନାରାଜ୍। ଉପାୟ ନ ପାଇ ବରାଳିଆଣୀ ମୋବାଇଲଟା ନିଜ ଶାଢୀରେ ପୁରେଇଦେଲା, କିନ୍ତୁ କ୍ରୋଧର ଚରମସୀମାରେ ପହଞ୍ଚିଥିବା ଚେମେଣି ତା ଶାଢୀ ଚିରି ମୋବାଇଲଟା ଘିଞ୍ଚି ଆଣିବା ବେଳକୁ ଗୋଟିଏ ଶବ୍ଦ ଶୁଣି ଚୁପ୍ ହୋଇ ଛିଡା ହୋଇଗଲେ। ହାତରେ ଧରିଥିବା ମୋବାଇଲକୁ ତନ୍ନତନ୍ନ କରି ଦେଖି ଜାଣିଲେ ଯେ ଶବ୍ଦଟା ତାଙ୍କ ଟଙ୍କାଥଳିରୁ ଆସୁଛି। ଦଉଡିଯାଇ ଥଳିକୁ ଖୋଲି ଦେଖନ୍ତେ, ତାଙ୍କ ମୋବାଇଲଟି ଅନବରତ ବାଜି ଚାଲିଛି। ଯଦି ତାଙ୍କ ମୋବାଇଲ ଥଳି ଭିତରେ ଅଛି, ସେ ଧରିଥିବା ମୋବାଇଲଟି କାହାର? ଏ ପ୍ରଶ୍ନ ମୁଣ୍ଡରେ ଆସିଲା ବେଳକୁ ସେ ଅନୁଭବ କଲେ ମୁଣ୍ଡରେ କିଛି ଏକ ଶକ୍ତ ପ୍ରହାର। ଉପାୟ ନ ପାଇ ବରାଳିଆଣି ତାଙ୍କ ମୁଣ୍ଡରେ ଚେୟାରଟିଏ ଆଣି ଛେଚି ଦେଇଥିଲା। ସେ ରକ୍ତାକ୍ତ ହୋଇ ଦାନ୍ତ କାମୁଡି ଚେତା ହରେଇ ପାଟି ମେଲା କରି ପଡିଗଲେ। ବରାଳିଆଣୀ ଘଟଣାର ଭୟାବହତା ଜାଣି ସେ ଜାଗାରୁ ଚମ୍ପଟ ମାରିଲା। କଲୋନୀର ବାକି ସ୍ତ୍ରୀ ଲୋକେ ଚେମେଣିଙ୍କୁ ଶୂନ୍ଯେ ଶୂନ୍ଯେ ଟେକି ନେଇ ସୁକୁଟାଙ୍କୁ ହସ୍ତାନ୍ତର କରି ଚାଲିଗଲେ।

ବେଶ୍ କିଛିଦିନ ବିଛଣାରେ ପଡିବା ପରେ ଚେମେଣି ସୁସ୍ଥ ହେଲେ। ଭଲ ହେବା ଯାଏ ମୋବାଇଲଟି ମୃତ ଶରୀର ପରି ତାଙ୍କ ପାଖରେ ପଡିରହିଥିଲା। ନା ସେ ତାକୁ ଦେଖୁଥିଲେ ନା ଧରୁଥିଲେ। ମୋବାଇଲ ଆଡକୁ ଦେଖିଲେ, ସେଦିନ ର ଭୟଙ୍କର ଯୁଦ୍ଧ ଓ ବରାଳିଆଣୀର ନିର୍ଘାତ ପ୍ରହାର ତାଙ୍କ ରୁମ ଟାଙ୍କୁରାଇ ଦେଉଥିଲା। କିଛିଦିନ ଅନ୍ତେ ବିଛଣାରୁ ଭଲ ହୋଇ ଉଠିବାପରେ ସେ ଗେହ୍ଲେଇ ହୋଇ ସୁକୁଟାଙ୍କୁ ପାଖକୁ ଡାକି କହିଲେ-- ହେଇଟି ଶୁଣୁଛ, ଏ ମୋବାଇଲଟା ତୁମେ ରଖ, ମୋର ମୋବାଇଲ ଧରିବାକୁ ଆଉ ମନ ନାହିଁ। ବହୁତ ହୋଇଗଲା। ମୋ ଦୁନିଆରେ ମୁଁ ଖୁସିରେ ଅଛି। ସେ ନିଆଁଲଗା ମୋବାଇଲ ପାଇଁ ମୁଁ ଏତିକି ହନ୍ତସନ୍ତ ହେଲି, କଲୋନୀରେ ମୋ ମାନ ଇଜ୍ଜତ ସବୁ ଗଲା। ଭୁଲ ବୁଝାମଣା ପାଇଁ ବରାଳବାବୁଙ୍କ ସ୍ତ୍ରୀ ସହ ବେକାରଟାରେ ସମ୍ପର୍କ ଖରାପ ହୋଇଗଲା।

ଚେମେଣିଙ୍କ ପରିବର୍ତ୍ତନ ଦେଖି ସୁକୁଟା ବଡ ଆଚମ୍ବିତ ହେଲେ। ମନେମନେ ଭାବୁଥିଲେ ବରାଳିଆଣୀର ଚଉକି ପାହାରରେ ଚେମେଣିଙ୍କ ମୁଣ୍ଡର ସବୁ ଅଡୁଆ ସୁତା ସିଧା ହୋଇଗଲା ବୋଧେ। ନୋହିଲେ ଯେଉଁ ଚିଜ କୁ ସେ ଦଣ୍ଡେ ଛାଡୁ ନ ଥିଲେ, ତାକୁ ଧରିବାକୁ ମନ ହେଉନାହିଁ କାହିଁକି ?

***********ସମାପ୍ତ*************

ମୋବାଇଲ ଉପହାର କୋଇଲି

Rate the content


Originality
Flow
Language
Cover design

Comments

Post

Some text some message..