ଆତ୍ମିୟତାର ସ୍ପର୍ଶ
ଆତ୍ମିୟତାର ସ୍ପର୍ଶ
- ମୋ ଗପ ପଢିଲ ? କେମିତି ଲାଗିଲା ? କ'ଣ ବୁଝିଲ ?
କଲେଜ୍ ଯାଉ ଯାଉ ଶୁଭଶ୍ରୀକୁ ପଚାରିଲା ସ୍ବାଗତ।
ସବୁଦିନେ ଯିବା ଆସିବା ବେଳେ ଦୁହିଙ୍କର ଥାଏ ଅନେକ କିଛି କଥା ଓ ଗପ।ସାଇକେଲ୍ ଗଡୁଥାଏ ରାସ୍ତାରେ।ଦୁହେଁ ହାତ ଧରାଧରି ହୋଇ ଯାଉଥାନ୍ତି ଖୁବ୍ ବେଫିକର ଭଙ୍ଗୀରେ।
ସେଦିନର ଗପ ଆରମ୍ଭ ହେଲା ଏଇଠୁ - ସ୍ବାଗତର ଏଇ ସବୁ ପ୍ରଶ୍ନରୁ।
- ହା - ହା - ହା ।ମୁଁ ତ କିଛି ପଢି ପାରୁନି।ବୁଝିବି କେମିତି ? କ'ଣ ଯେ ଲେଖିଛୁ ତୁ ? କେତୋଟି ଗାର,କିଛି ବୃତ୍ତ,ଅର୍ଦ୍ଧ ବୃତ୍ତ।ଅ,ଆ,ଇ,ଈ ର ଚାରି ଛ'ଟା ଅକ୍ଷର।ଗୁଞ୍ଜି ଗୁଞ୍ଜି କରି ଦି' ପୃଷ୍ଠା ଭର୍ତ୍ତି କରି ଲେଖି ଦେଇଛୁ।
- ମନେଅଛି ନା ପିଲାଦିନେ ଧୂଳିଖେଳରେ ତୁ କନିଆଁ ହେଉଥିଲୁ,ଆଉ ମୁଁ ହେଉଥିଲି ବର।ସେଦିନ ବି ତୁ ଏମିତି ଥିଲୁ।କିଛି ବୁଝୁ ନ ଥିଲୁ।ଖେଳଘର ଭାଙ୍ଗୁଥିଲା।
- ସେଦିନ ମୁଁ ଥିଲି ଗୋଟେ ଅଧା ଫୁଙ୍ଗୁଳା ଝିଅ।ହେଲେ ଆଜି ମୁଁ ବଡ ହୋଇଗଲିଣି।ଏବେ ବହୁତ କଥା ବୁଝି ପାରୁଛି।କାହିଁ ତୋ ଗପରେ ତ ମୋ କଥା କିଛି ନାହିଁ।
- ହେଲେ ମୁଁ ତ ତୋ ପାଇଁ ଲେଖିଛି।ଗୋଟେ କଥା କହୁଛି ଶୁଣ୍।ସେଦିନ ତୁ ଥିଲୁ ମିଛ କନିଆଁ।ଆଜି କନିଆଁ ହେବାକୁ କହିଲେ ତୁ କ'ଣ ସେପରି ହେବୁ ? ମୁଁ ବି ମିଛ ବର ହୋଇ ପାରିବିନି ଜାଣିଥା'।
- ଜାଣେ।ଆଉ ତା' ପରେ ଆମର ଗୋଟେ ଅଲଗା ସଂସାର ଗଢି ହୋଇଯିବ।ନା,ନା ସେମିତି ଜୀବନ ମୋର ଏବେ ଦରକାର ନାହିଁ।ମୋ ଆଖିର ସ୍ବପ୍ନ, ଗାଲର ଗୋଲାପୀ ରଙ୍ଗ ସହିତ ମୁଁ ବଞ୍ଚିବାକୁ ଚାହେଁ।
- ଛାଡ ସେକଥା।ଏବେ ଯଦି କେବେ ଆସିବୁ,ଦେଖିବୁ ଆମ ଗୁହାଳେ ମୁଁ ମୋ ବୋଉର ଶାଢ଼ୀ ଗୁଡେଇ ତୋ ପାଇଁ ଘରଟେ ଗଢିଛି।ଅମରି ଫୁଲରେ ଶେଯ କରିଛି।ତୁ ଭାତ,ତରକାରୀ ରାନ୍ଧିବୁ ବୋଲି ସଢେଇ,ଖପରା,ଧୂଳି ବାଲି ଆଣି ରଖିଛି।ଆ' କେବେ ଥରେ।ମୋର କାହିଁକି ପୁଣି ଥରେ ତୋ ସହିତ ସେଦିନକୁ ଫେରିବାକୁ ଇଚ୍ଛା ହେଉଛି।ତୁ ଓଢଣୀ କରିବୁ ବୋଲି ବୁଢାପା'ର ଗାମୁଛା ବି ଆଣି ରଖିଛି ଯେ।
- ହା - ହା - ହା।ନା,ସେମିତି ହେବାକୁ ମୋର ଆଉ ଇଚ୍ଛା ନାହିଁ।ମୁଁ ଆଉ ପିଲା ହେବାକୁ ଚାହେଁ ନାହିଁ।ପଛକୁ ଫେରିବାକୁ କାହିଁକି କହୁଛୁ ? ଚାଲୁନୁ ଆଗକୁ ଯିବା।ମୋ ହାତ ତୁ ଧରିଥିବୁ।ତୋ ହାତ ମୁଁ ଧରିଥିବି।ମିଛିମିଛିକା ନୁହେଁ, ସତସତିକା ଜୀବନ ବଞ୍ଚିବା।
- ତା' ହେଲେ ତୁ କ'ଣ ମୋର ସତ କନିଆଁ ହୋଇଯିବୁ ?
- ହଁ,କାହିଁକି ନୁହେଁ ? ନ ହେଲେ ତୁ ଗପ ଲେଖିବୁ କେମିତି ?
- ତା' ହେଲେ ମୋ ଗପ ଭଲ ଲାଗିଛି ତତେ।ତୁ ଠିକ୍ ବୁଝି ପାରିଛୁ।ପଢିପାରୁନି ବୋଲି ମିଛ କହୁଥିଲୁ କାହିଁକି ?
- ହା - ହା - ହା।ଗୋଟେ କଥା ପଚାରିବି ?
- କ'ଣ ପଚାରିବୁ ପଚାର୍।
- ଚାରି ବର୍ଷ ହେଲା ଆମେ ଦୁହେଁ ଏମିତି ହାତ ଧରାଧରି ହୋଇ ଯାଉଛନ୍ତି।ଏଇ ଭିତରେ ତୁ ଏମିତି କ'ଣ ବୁଝିଲୁ ଯେ ଲେଖିଦେଲୁ ଗପ ?ଲେଖିଦେଲୁ ଜୀବନର କଥା - ଶଦ୍ଦରେ ନୁହେଁ,ପ୍ରବଣତାରେ ନୁହେଁ,ସତସତିକା ପ୍ରେମରେ ?
ଟିକେ ଲାଜେଇ ଯାଇ ମୁର୍କି ହସିଲା ସ୍ବାଗତ।କିଛି ନ କହି ଶୁଭଶ୍ରୀର ହାତକୁ ଆଉ ଟିକିଏ ଜୋରରେ ମୁଠେଇ ଧରିଲା।
ସ୍ବାଗତର ଆତ୍ମୀୟତାର ସ୍ପର୍ଶ !ବୁଝି ପାରି ଆଦରି ନେଲା ଶୁଭଶ୍ରୀ,ସତେ ଯେମିତି ଏଇ ସମୟ ଓ ସୁଯୋଗକୁ ବହୁ ଦିନରୁ ଅପେକ୍ଷା କରି ରହିଥିଲା ସେ।।ବନ୍ଧୁତାର ବନ୍ଧୁତ୍ୱର ଅଠାରେ ଦୁହେଁ ଯୋଡି ହୋଇଗଲେ।
ରାସ୍ତା ଉପରେ ଲଗାଲଗି ହୋଇ ଖୁସି ଖୁସିରେ ଗଡୁଥିଲା ଦୁହିଙ୍କର ଦୁଇଟି ସାଇକେଲ୍।