Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କର୍ମବୀର
କର୍ମବୀର
★★★★★

© Arabinda Rath

Comedy

11 Minutes   5.3K    15


Content Ranking

ଲେଖକ- ଅରବିନ୍ଦ ରଥ

ଆଜ୍ଞା, ଆପଣ ଟିକେ ଦୟା କଲେ ମନ୍ତ୍ରୀଙ୍କ ସାକ୍ଷାତ ମିଳି ଯାଅାନ୍ତା। ଆମ ଅଞ୍ଚଳର ଅବସ୍ଥା ନ କହିବା ଭଲ। ପାଣି ନାହି, ବିଜୁଳି ନାହିଁ, ରାସ୍ତା ନାହିଁ, ଘର ନାହିଁ କି ଖାଇବା ନାହିଁ। ପତ୍ର ଲେଖିଲେଖି ହାତ ବିଣ୍ଡା ପଡିଯିବାରୁ ଏ ଖରା ଦିନଟାରେ ତିରିଶି କିଲୋମିଟର ଆସିଲୁ ଶଗଡ ଗାଡିରେ। ଆମ ଅବସ୍ଥା ଦେଖି ଟିକେ ବିଚାର କରନ୍ତୁ।

– – କାହାର ସମସ୍ଯା ନାହିଁ ଯେ? ସମସ୍ଯା ଅଛି ବୋଲି ତ ନେତା, ମନ୍ତ୍ରୀ, ସରକାରୀ କର୍ମଚାରୀ ମାନେ ଅଛନ୍ତି। ଯଦି ସବୁ ଲୋକ ଖୁସିରେ ରହିବେ, ଏସବୁ ସଂସ୍ଥା ଚାଲିବ କେମିତି। ସବୁ ଲୋକ ତ ସମସ୍ଯା ନେଇ ଆସୁଛନ୍ତି। ତେଣୁ, ମନ୍ତ୍ରୀଙ୍କର କଡା ତାଗିଦ୍ କାହାକୁ ଭିତରକୁ ନ ଛାଡିବା ପାଇଁ। ମୁହଁ ଛିଞ୍ଚାଡି ମନ୍ତ୍ରୀଙ୍କ ପିଆଦା କହିଲା।

– – ଆପଣ ଖାଲି ଥରେ କୁହୁନ୍ତୁ ଯେ ତାଙ୍କ ଗାଁଆ ସଇତାନପୁର ରୁ ଲୋକମାନେ ଭେଟିବାକୁ ଆସିଛନ୍ତି। ସେ ବଳେ ଆମକୁ ଭିତରକୁ ଡାକି ଚାହା ପାଣି ଦେଇ ସବୁ କଥା ବୁଝିବେ।

– – କାଇଁ ଭୁରୁଡି ମାରୁଛ ମଉସା, ବୟସ ଦେଖ ଅଶୀ ଛୁଇଁବଣି। ଏ ବୟସରେ ମିଛ କୁହନି, ଯମ ଘୋଷାଡି ନେବ। ଆମେ ସବୁ ଜାଣିଛୁ ଯେ ମନ୍ତ୍ରୀ ଙ୍କ ଘର ଭୋଙ୍ଗସର୍ ରେ, ମାନେ ରାଜଧାନୀରେ। ସେ ତୁମ ଗାଁଆରେ କେବେ ଜନମ ହେଲେ ବା !

ଗୋବରା ସାହୁଙ୍କ ବହୁତ ଅନୁନୟ ବିନୟ ହେବା ପରେ ପିଆଦା ଟି ମନ୍ତ୍ରୀଙ୍କ ଖାସ୍ କମରା ଭିତରେ ପଶିଲା ଓ କେଇ ସେକେଣ୍ଡ ପରେ ବାହାରକୁ ଆସି କହିଲା-- ମନ୍ତ୍ରୀ କହିଲେ, ସେ ସଇତାନ ପୁର ବୋଲି ଗୋଟେ ଗାଁଆ ଅଛି ବୋଲି ଜାଣି ନାହାଁନ୍ତି। ସେ ବହୁତ ବ୍ଯସ୍ତ ଅଛନ୍ତି ଓ ଦେଖା ଦେବାକୁ ମନା କଲେ। ଆହୁରି କହିଛନ୍ତି, ଯଦି ତୁମେ ମାନେ ଏ ଜାଗା ରୁ ନ ଯିବ ପିଚାରେ ସୁଟ୍ ଓ ହାତରେ ଆମ୍ପ୍ରୋ ବିସ୍କୁଟ୍ ଦେଇ ବିଦା କରିବା ପାଇଁ।

ଗୋବରା ଓରଫ୍ ଗୋବର୍ଦ୍ଧନ ସାହୁ, ସଇତାନପୁର ଗ୍ରାମର ଜଣେ ପୁରୁଖା ଲୋକ। ସ୍ବାଧୀନତା ସଂଗ୍ରାମ ବେଳେ କେତେ ଥର ଜେଲ୍ ଯାଇ ଦେଶ ପ୍ରେମର ନିଦର୍ଶନ ଦେଖାଇଛନ୍ତି। ତାଙ୍କର ତ୍ଯାଗ ଓ ବଳୀଦାନ ପାଇଁ ସାରା ଦେଶର ସମବାୟ ଜନତା ଭକ୍ତିପୂତ ପ୍ରଣାମ ଜଣାନ୍ତି, ପ୍ରତିବର୍ଷ ଜାନୁୟାରୀ ଛବିଶି ଓ ଅଗଷ୍ଟ ପନ୍ଦର ଦିନ। ସେ ସ୍ବାଧୀନତା ସଂଗ୍ରାମୀ ଭତ୍ତା ମଧ୍ଯ ପାଆନ୍ତି ସରକାରଙ୍କ ତରଫରୁ। ପରମ ସହିଷ୍ଣ ଓ ଉଦାରବାଦୀ ମନୁଷ୍ଯ ହିସାବରେ ସାରା ରାଜ୍ଯରେ ସୁପରିଚିତ ଓ ବିଶେଷ ପାଠ ନ ପଢିଲେ ମଧ୍ଯ ରାଜନୀତି ବିଜ୍ଞାନ ରେ ଅଗାଧ ପାଣ୍ଡିତ୍ବ ର ଅଧିକାରୀ। ଏହି ପରିଚୟ ପ୍ରଦାନ ସମ୍ବଳିତ ଅନୁଚ୍ଛେଦଟି ସରକାରୀ ଅଫିସର ନଥିପତ୍ରରୁ ଅବିକଳ ଉଦ୍ଧୃତ ହୋଇଛି। ଏବେ ଗୋବରାଙ୍କର ପ୍ରକୃତ ସ୍ବରୂପ ବାବଦରେ ଆଲୋକପାତ କରିବା।

ସ୍ବାଧୀନତା ସଂଗ୍ରାମୀ ଗୋବର୍ଦ୍ଧନ ସାହୁ ଓରଫ୍ ଗୋବରାଙ୍କର ନାମାବଳୀ ସଇତାନପୁର ଗ୍ରାମବାସୀଙ୍କ ମୁହଁରେ ଅଛି। ତାଙ୍କୁ ଗୋଦରା ଗୋଡିଆ ଗୋବରା, ଗୋବୁ, ଗେବା , ନିଲଜ୍ଜିଆ, ଛୋପରା, ପର ସ୍ତ୍ରୀ ନିଆ, କଳିହା, କୁମ୍ଭୀପେଟିଆ ,ମହା ପର୍ପଞ୍ଚିଆ,ଡମ୍ଫାଳିଆ, ଟିଙ୍ଗଶୁଳିଆ, କୁମ୍ଭାଟୁଆ ଆଖିଆ ଏମିତି କେତେ ନାମରେ ସମ୍ବୋଧନ କରନ୍ତି ଗ୍ରାମବାସୀ। କିଏ କିଏ କୁହନ୍ତି ସଇତାନପୁର ର ନାମକରଣ ଗୋବରା ଜନ୍ମ ହେଲା ପରେ ହୋଇଛି। ନୋହିଲେ ପୂର୍ବ କାଳରେ ଗାଁଆର ନାମ ତାନପୁର ଥିଲା। ଏହି ପ୍ରବାଦ ପଛରେ ଯଥାର୍ଥତା ଥିବା ପରି ମନେ ହୁଏ ; କାରଣ ଗ୍ରାମରେ ତାନପୁରା ବଜେଇବା ଲୋକଙ୍କ ସଂଖ୍ଯା ଅପେକ୍ଷାକୃତ ଅଧିକାଥିଲା ଅତୀତରେ। ଗୋବରାଙ୍କ ପ୍ରତିଟି ନାମ ପଛରେ ଗୋଟିଏ ଲେଖାଏଁ କାହାଣୀ ଅଛି, ସମୟର ଅଭାବ ହେତୁ ସେସବୁକୁ ସ୍ଥାନିତ କରିବା ସମ୍ଭବ ନୁହଁ। ପାଠକଙ୍କ ସନ୍ଦେହ ବିମୋଚନ ହେତୁ, ସଂକ୍ଷେପରେ ଗୋଟିଏ କାହାଣୀ ଅବତାରଣା କରାଗଲା। ଇଂରେଜ ଶାସନ କାଳରେ ସବୁ ଗାଁଆର ପୁରୁଷ ଲୋକଙ୍କୁ ଜେଲ୍ ଭିତରେ ଠୁଙ୍କି ଦିଆ ଯାଉଥିଲା। ସେ ସମୟର ସ୍ବାଧୀନତା ସଂଗ୍ରାମୀ ଧୋକଡ ମାଝିଙ୍କୁ ହାତକଡି ପକେଇ ପୋଲିସ୍ ଘିଞ୍ଚିବା ବେଳକୁ ତାଙ୍କ କନ୍ଯାରତ୍ନଙ୍କ ବଖରାରୁ ଗୋବରା ଦିଗାମ୍ବର ଅବସ୍ଥାରେ ଉଦ୍ଧର ହେଲେ। “ଧୁଆ ମୂଳା ଅଧୂଆ ମୂଳା ସମାନ” ନ୍ଯାୟରେ ସେ ବି ହାତକଡି ପିନ୍ଧି ଜେଲ୍ ଚାଲିଲେ। ସମୟକ୍ରମେ ଅସଲ କଥା ଟା ଲୁଚିଗଲା ଓ ଗୋବରା କହିବୁଲିଲେ

-- ମୁଁ ସେ ଇଂରେଜ୍ ମାନଙ୍କୁ ଭଲ କି ପାନେ ଦେଇଛି। ଦେହରେ ଖଦଡ ଜାମା ପିନ୍ଧିଥିଲି ଓ ମୁଣ୍ଡରେ ଗାନ୍ଧୀ ଟୋପି। ମୋତେ ଯେତେବେଳେ ବାନ୍ଧିବାକୁ ଆସିଲେ ମୁଁ ନିର୍ବସ୍ତ୍ର ହୋଇଗଲି, କାରଣ ମୁଁ ଚାହୁଁ ନ ଥିଲି ସେ ଗାଈ ମାଉଁସଖିଆ ଫିରଙ୍ଗୀ ମାଙ୍କଡ ମାନଙ୍କର ହାତ ମୋ ପରମପୂଜ୍ଯ ବାପୁଜୀଙ୍କ ହାତବୁଣା ଜାମାପଟା କି ଟୋପିରେ ଲାଗୁ।

- - କଣ କହିଲ ଗୋବରା ଭାଇ, ସେ ଜାମାପଟା ଓ ଟୋପି ବାପୁ ତୁମକୁ ଦେଇଥିଲେ?

– – ଆରେ ଦେବେନି କେମିତି ଯେ? ଫୁଙ୍ଗୁଳା ପାଦରୁ କାତି ଛଡେଇ ଫୋଟକା କରି ଯେତିକିି ସତ୍ଯାଗ୍ରହ ମୁଁ କରିଛି, ନିଜେ ବାପୁ ସେତିକି କରି ନ ଥିବେ। ମୋ ମୁଣ୍ଡରେ ଯେତିକି ଚୁଟି ନାହିଁ, ତା ଠାରୁ ଢେର୍ ଅଧିକା ଇଂରେଜିଆ ଠେଙ୍ଗୀଣି ଖାଇଛି। ଏତେ ଥର ଜେଲ୍ ଯାଇଛି ଯେ ସେ ଜେଲ କୋଠରି ପିଣ୍ଡାରେ ମୋ ପିଚା ର ଦାଗ ବସିଯାଇଛି।

– ଆଛା ଗୋବରା ଭାଇ, ତୁମେ ଜେଲ୍ ଯିବା ବିଷୟରେ ଅନ୍ଯ କୁକଥା ମାନ ଶୁଣିବାକୁ ମିଳୁଛି। କଣ ସତ ନା କଣ?

– – ଆରେ ହେଃ ମାଗିଖିଆ, କୁଷ୍ଠରୋଗିଆ ରତନି, କଣ କହିଲୁ? ଆରେ ମୁଁ କାହିଁକି ତା ଝିଅ ସହ ଲସରପସର ହେବି, ନା କଣ ପାଇଁ ତା ଘରେ ଛାତ କଣା କରି ପଶିବି। ତୁ କାହିଁକି ଭାବୁଛୁ ଯେ ଧୋକଡ ମାଝି ଘରେ ନାହିଁ ବୋଲି , ତା ଝିଅ ମୋତେ ଖବର ଦେଇଥିଲା ତା ଘରକୁ ଯିବା ପାଇଁ ? ମୋତେ ଯାହା କହୁଛୁ କହ, କିନ୍ତୁ ସେ ଝିଅ ନାମରେ କହି କାହିଁକି ବଦନାମ କରୁଛୁ?

--- ଇଏ କି ପ୍ରକାରର ଗାଲୁଆ କଥା ଗୋବରା ଭାଇ। ମୁଁ କଣ ସେକଥା କିଛି କହିଛି? ନିଜ ଆଡୁ ସବୁ କହୁଛ ତୁମେ।

ଏତିକି ରେ ରାଗିପାଚି ଲାଲ୍ ହୋଇଯାଏ ଗୋବରା ଓ ସ୍ଥାନ ଛାଡି ଚାଲିଯାଏ। ଟାଉଟରିଆ କଥା ଓ ପର୍ପଞ୍ଚିଆ ବୁଦ୍ଧି ବଳରେ ଗୋବରା ପାଲଟିଗଲା ସ୍ବଧୀନତା ସଂଗ୍ରାମୀ ଓ ପାଞ୍ଚ ଲୋକ ତାକୁ ସଲାମ ଠୁଙ୍କିଲେ।

ସେହି ଗୋବରା ସାହୁକୁ ଗାଁଆ ଲୋକେ ଖାଇବା ପିଇବା ଦେଇ ମନ୍ତ୍ରୀ ପାଖକୁ ଆଣିଥିଲେ, ଗାଁଆର ସମସ୍ଯା ବିଷୟରେ କହିବା ପାଇଁ। କାନ୍ଦୁରୁ ବାରିକ ପୁଅ ମନ୍ତ୍ରୀ ଚକ୍ରପାଣି ବାରିକ ତାଙ୍କରି ଗାଁଆ ଲୋକ। ପିଲା ଦିନେ ସବୁ ଲୋକଙ୍କ ଚୁଟି କାଟି ପେଟ ପୋଷୁଥିଲା ଚକ୍ରପାଣିର ବାପା। ଓଳିଏ ଖାଇଲେ ଆର ଓଳିକୁ ପାଣି ପିଇ ଶୋଉଥିଲା। ରାତିରେ ଛିଣ୍ଡା ମସିଣାରେ ଶୋଇ ଆକାଶର ତାରା ଗଣିଗଣି ଦିନ ଯାଇଛି। କାଲି କି ଯିଏ ଅଣିଏ ଦୁଇପଇଶି ପାଇଁ ପାଦ ତଳେ ପଡୁଥିଲା, ସେ ଆଜି ମନ୍ତ୍ରୀ ହୋଇ କେତେ ବହପ ଦେଖଉଛି। ଚକ୍ରପାଣି କଲେଜ୍ ରୁ ତାଜନୀତି ବିଜ୍ଞାନ ପଢି ଫେରିଲେ କଣ ହେବ, ଅସଲ ରାଜନୀତି ପାଠଟା ତାକୁ ଗୋବରା ପଢେଇଛି। ଲୋକଙ୍କର ଭାବନା ସହ ଖେଳିବା, ଟଙ୍କାରେ ତଉିଲି ମଦ ମାଂସ ଦେଇ ଭୋଟ୍ କିଣିବା, ମିଛ ପ୍ରତିଶୃତି ଦେଇ ଠକିବା ଆଦି ଜ୍ଞାନର ଗୁଢ ରହସ୍ଯ ଶିଖାଇଛି। କିନ୍ତୁ ଟୋକା ଟା ଏମିତି ଭାବରେ ବଦଳିଯିବ ବୋଲି ଆଶା ନ ଥିଲା । ଗୋବରା ଗୁରୁ ହିସାବ ରେ ଯେତିକି ଦକ୍ଷିଣା ମାଗିଥିଲା ତାର କାଣିଚାଏ ବି ଦେଲାନି। ନିର୍ବାଚନ ରେ ଜିତି ଗଲେ, ରାଜଧାନୀରେ ଗୋଟେ ଘର, ଗାଁଆରେ ପାଞ୍ଚ ଏକର ଚାଷ ଜମି, ନଗଦ ବାର ଲକ୍ଷ ଟଙ୍କା, ଚାରି ପିଲାଙ୍କୁ ଚାକିରୀ ଏମିତି କେତେ କଣ ଦେବ ବୋଲି କଥା ଦେଇଥିଲା ଚକ୍ରପାଣି, କିନ୍ତୁ ସବୁ କଥା ଭୁଲିଗଲା। ଏବେ ଅବସ୍ଥା ଏପରି ଯେ ତା ଦୁଆର ମୁହଁରୁ ଫେରେଇ ଦେଲା। ଶଗଡରେ ବାକି ଲୋକେ ମୁହଁ ମାରି ବସିଲା ବେଳକୁ, ଗୋବରା ର ମନରେ କେତେ କଣ ଭାବନା ଜନ୍ମ ନେଉଥିଲା। ତାର ଏକ ମାତ୍ର ଲକ୍ଷ୍ଯ ଥିଲା ପ୍ରତିଶୋଧ।

ମନେ ମନେ କହିଲା-- ରହ ରେ ପୁଅ ଚକରା, ତୋତେ ଏମିତି ପାନେ ଦେବି ଯେ ବୋପା ଖିଅର କରୁଥିବା ଖୁର ଓ ଭଙ୍ଗା ଆରସୀ କଥା ମନେ ପଡିଯିବ। ଏବେ ତୋ ଗାଁଆ କୁ ଚିହ୍ନୁନୁ ତ ! ତୋ ଚଉଦପୁରୁଷଙ୍କର ଯଦି ଶ୍ରାଦ୍ଧ ସମସ୍ତଙ୍କ ଆଗରେ ନ କରେଇ ଦେଇଛି ମୋ ନାମ ପର୍ପଞ୍ଚିଆ ଗୋବରା ନୁହଁ।

ଗାଁଆରେ ଶଗଡ ପଶିଲା ବେଳକୁ ସେ ଚକରା ଘର ଆଡକୁ ଟିକେ ଆଖି ବୁଲେଇ ଦେଖିଲା। ବିରାଟ ଆକ୍ରାନ୍ତରେ ଚାଳ ଘର ତିଆରି ହୋଇଚି। ଘର ଆଗରେ ପଚାଶ ସରିକି ଗାଈ। ଗାଁଆରେ ପିଇବାକୁ ପାଣି ଟୋପେ ନାହିଁ, କିନ୍ତୁ ତା ଘର ସାମନା ରେ ଚାରି ଟା ନଳକୂଅ। ବିଜୁଳୀ ବତୀ ଜଳିଲେ କେମିତି ଦିଶେ ଗାଁଆର ଅଧା ଲୋକ ଦେଖି ନାହାଁନ୍ତି, କିନ୍ତୁ ତା ଘର ପାଖରେ ନୂଆ କରି ଟ୍ରାନସଫରମର ଟାଏ ବସିଛି। ଘର ପାଖକୁ ଲାଗି ବିରାଟ ଗୋଦାମ, ଧାନ ଚାଉଳ ବସ୍ତା ଥାକ ମାରି ରଖା ଯାଇଛି। ଆଉ ଗୋଟେ ବଖରାରେ କିରାସିନି ର ବଡ ବଡ ବ୍ଯାରେଲ୍ ଥୁଆ ଯାଇଛି।

ଖରା ରେ ମୁଣ୍ଡ ଝାଇଁ ମାରିଦେଉଛି। ବୈଶାଖ ମାସିଆ ଖରା, ଏ ବୟସରେ ସହି ହେଉଛି କୁଆଡୁ? ମୁଣ୍ଡରେ ପକେଇଥିବା ଗାମୁଛାଟାରୁ ଧୂଆଁ ବାହାରି ଗଲାଣି। ବଳଦ ଯୋଡିକର ଜିଭ ହାତେ ବାହାରି ଗଲାଣି। ପାଣି ଟୋପେ ପିଇବାକୁ ସେମାନେ ଡହଳ ବିକଳ ହେଲେଣି। ନଳକୂଅ ପାଖରେ ଶଗଡ ରଖି ସବୁ ଲୋକ ମନ ଇଛା ପାଣି ପିଇ ଦେଇଗଲେ। ବଦଳଙ୍କୁ ପାଣି ଦେଲା ବେଳକୁ, କଳା ଭୁଷୁଣ୍ଡିଆ ଲୋକଟେ ଠେଙ୍ଗା ଧରି ସମସ୍ତଙ୍କୁ ପାହାରେ ଲେଖାଏଁ କଷି ଦେଇ କହିଲା-- ଭାଗ ଭିକାରୀ ମାନେ, ଏଡେ ବହପ ଯେ ମନ୍ତ୍ରୀଙ୍କ ନଳକୂଅରୁ ପାଣି ପିଇବ।

ସେଦିନ ସଞ୍ଜ ବେଳେ ଗୋବରା ତା ଘରେ ଜରୁରୀ କାଳୀନ ବୈଠକ ବସାଇଲା। ଗାଁଆର କିଛି ବୁଦ୍ଧିଆ ଲୋକେ ସେ ବୈଠକରେ ବସି କଣ ସବୁ ଟୁପୁରୁ ଟାପର କଥା ହେଲେ। ଶେଷରେ ଗୋବରା କହିଲା-- ଦେଖିବା ଏବେ କାହାର ବଳ ଅଧିକା, ଏ ଚାରି କୋଡି ପୁରନ୍ତା ଗୋବରା ର ନା ସେ ବାରିକ ପିଲା ଚକରା ର।

କିଛି ଦିନ ଉତ୍ତାରୁ ପୁଣି ଦଳେ ଲୋକ ମନ୍ତ୍ରୀଙ୍କ ପାଖକୁ ଗଲେ। ଏଥର ଦେଖା ମିଳିଗଲା। କାରଣ ମନ୍ତ୍ରୀଙ୍କୁ ବୈଶାଖ ମେଳା ପାଇଁ ଆମନ୍ତ୍ରଣ କରାଯାଇଥିଲା ଓ ସଭା ଶେଷରେ “କର୍ମବୀର” ଉପାଧିରେ ସମ୍ମାନିତ କରାଯିବାର କାର୍ଯ୍ଯକ୍ରମ ଥିଲା। ମନ୍ତ୍ରୀ ଓ କର୍ମଚାରୀ ମାନେ ନଥିପତ୍ର ଓ ଦସ୍ତାବିଜ ଖୋଜି ନିଜର କର୍ମ ଗୁଡିକର ହିସାବ ଖୋଜିବାରେ ଲାଗିପଡିଲେ। ଦୁର୍ଯୋଗ କୁ ସେମିତି କିଛି ଆଖିଦୃଶିଆ କର୍ମ ନଜର କୁ ଆସିଲାନାହିଁ। କେବଳ ଗୋଟିଏ କର୍ମର ହିସାବ ଥିଲା, ତାହା ହେଲା ସହରର ଗୋଟିଏ ଲୁଗା ଦୋକାନ କୁ ମନ୍ତ୍ରୀ ଉଦଘାଟନ କରିଥିଲେ। ମନ୍ତ୍ରୀ ବିଳିବିଳେଇ କହିଲେ-- ଆରେ ପାଖଣ୍ଡୀ ମାନେ, ମୁଁ କଣ ଏତେ ଦିନ ହେଲାଣି କିଛି କର୍ମ କରିନି? ତେବେ ମୋତେ କାହିଁକି ସେ ଉପାଧିଟା ମିଳୁଛି।

ଜଣେ ଚାଟୁକାର କହିଲା --- ଏ ମହାପୁରୁଷଙ୍କ ମତରେ “ଖାଦ୍ଯ, ଉପାଧି ଓ ପଦବୀ ” ମିଳିବା ମାତ୍ରେ ଝାମ୍ପି ପଡିବା କଥା, ଅକାରଣ ରେ କାରଣ ଖୋଜିବାର କିଛି କାରଣ ନାହିଁ।

ସୁଦିନ ଟି ଆସି ପହଞ୍ଚିଗଲା। ମନ୍ତ୍ରୀ ନିଜ ତରଫରୁ ତିରିଶି ଟି ସମ୍ବାଦପତ୍ରର ସାମ୍ବାଦିକଙ୍କୁ ଡାକିଥିଲେ, ଉପାଧି ବିଷୟଟା ଖବରକାଗଜରେ ବଡ ଅକ୍ଷରରେ ଛାପିବା ପାଇଁ। ତାଙ୍କ ସହ ଟେଲିଭିଜନ ଓ ଫଟୋଗ୍ରାଫର୍ ମାନଙ୍କୁ ବି ଡକା ଯାଇଥିଲା। କାମ ପଛେ ଯାହା ହେଇଥାଉ କିଏ ଦେଖିଛି ନା ଜାଣୁଛି, ଖବରକାଗଜ ଓ ଟେଲିଭିଜନ ରେ ମୁହଁ ଟା ଦିଶିଗଲେ ଯଶ କାହିଁ କେତେ ଦୂର ବ୍ଯାପୀ ଯିବ। ଯେଉଁ ଗାଁଆରେ ଘର ଘର ବୁଲି ବାପ ଖିଅର କରୁଥିଲା , ସେଇ ଗାଁଆ ଲୋକେ ଉପାଧି ଦେବେ କିଛି କମ୍ ବଡ କଥା ନୁହଁ। ଭାବନା ର ସୁଅ ସହ ଗାଡିଟା ରାସ୍ତା ଉପରେ ଛିଡା ହୋଇଗଲା। ଦେଖିଲା ବେଳକୁ ଗୋଟିଏ ଶଗଡ କୁ ବେଶଭୁଷା କରି ଲୋକେ ହାତରେ ଫୁଲମାଳା ଧରି ଅପେକ୍ଷାରତ। ଗାଁଆ, ଆହୁରି ଅଧ କିଲୋମିଟର ଦୂରରେ। ଏତେ ବାଟରୁ ସ୍ବାଗତ କରିବାର ଅଭିପ୍ରାୟ ପଚାରିବାରୁ ଜଣାଗଲା ଯେ, ଗାଁଆ ଲୋକେ ପ୍ରକୃତିର କୋଳରେ ବସେଇ ମନ୍ତ୍ରୀଙ୍କୁ ପାଛୋଟି ନେବା ଆଶାରେ ଚାତକ ପରି ଖରାତରାକୁ ଖାତିର ନ କରି ଚାହିଁ ରହିଛନ୍ତି। କାନରେ ସେ ଚାଟୁକାର ପୁଣି ଫିସଫିସ କରି କହିଲା “ ଜନତା ର ସମ୍ମାନ କୁ ସମ୍ମାନ ଜଣେଇଲେ ସମ୍ମାନ ବଢେ” ବିରୋଧୀଙ୍କ ପାଟି ରେ କୋଲପ ପଡିଯିବ ଆଜ୍ଞା, ଏ ପଟୁଆର ଦେଖିଲେ। କିଛି ନ ଭାବି ଡେଇଁ ପଡନ୍ତୁ ଶଗଡ କୁ। ମୁଁ ଆପଣଙ୍କ ପଛରେ ଅଛି। କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ମନ୍ତ୍ରୀ ଶଗଡରେ ବସି ଗାଁଆ ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଥିଲେ। କାହୁଁ ଶୀତତାପ ନିୟନ୍ତ୍ରିତ ଗାଡିର ସୁଃଖଦ ଯାତ୍ରା ଓ କାହୁଁ ଧୁ ଧୁ ଖରା ବେଳଟାରେ ଶଗଡ ଯାତ୍ରା। ବିଚରା ମନ୍ତ୍ରୀଙ୍କର ମୁହଁଟା ପାତି ମାଙ୍କଡ ନିତମ୍ବ ରଙ୍ଗ ଧାରଣ କରୁଥିଲା। ଆଗରେ ସମବେତ ଜନତା ର ଜୟ ଧ୍ବନିରେ ସବୁ ବେଦନା ଲୁଚିବାର ପ୍ରୟାସ କରୁଥିଲେ ବି ଲୁଚି ପାରୁ ନ ଥିଲା। ପେପରବାଲା ଏମନ୍ତ ଦୃଶ୍ଯର ଫଟୋ ଉଠାଇଲା ବେଳେ ସେ ମୁହଁ ଟାକୁ ଢାଙ୍କି ପକେଇଲେ। ରାସ୍ତା ସାରା ବୋଲୁଅ, ଢେଲା ର ଅପୂର୍ବ ସମାଗମ। ଧାକୁଡୁ ଧାକୁଡୁ ଢାଇ ଢାଇ ହୋଇ ଶଗଡ ଚାଲିଛି। ବଦଳଙ୍କ ବେକରେ ବାଉଁଶ ତିଆରି ଘଣ୍ଟା ଢଁ ଢଁ ହୋଇ ବାଜି ଚାଲିଛି । ସେଇ ଘଣ୍ଟି ଶବ୍ଦ ସୂଚାଇ ଦେଉଛି ରାସ୍ତାର ଅବସ୍ଥା। ଶଗଡ ଉପରେ ନାମକୁ ମାତ୍ର ଗଦିଟିଏ ପଡିଛି, ଯେଉଁ ଥିରେ ମନ୍ତ୍ରୀ ମହୋଦୟଙ୍କ ବିଶାଳ ନିତମ୍ବ ମାଡି ହୋଇ ପଡିଛି। ଏତେ ମାତ୍ରାରେ ଛେଚା କୁଟା ହେବା କାରଣରୁ ହେଉ ବା ଅସହ୍ଯ ଖରା ପାଇଁ ହେଉ, ପେଟ ଭିତରେ ପ୍ରକୃତିର ଦୁଇ ନମ୍ବର ଡାକଟା ରହି ରହି ଶୁଭୁଛି। ରେଳଗାଡି ଷ୍ଟେସନ ଛାଡିବା ଆଗରୁ ପେଁ କାଳି ମାରିବା ପରି, କିଛି ସମୟ ଅନ୍ତରାଳରେ ମନ୍ତ୍ରୀ ଟିକେ ଉପରକୁ ଉଠି ପେଁ କାଳି ମାରିବାରେ ବ୍ଯସ୍ତ। ଚାଟୁକାର ଟି ଏମନ୍ତ ବିଷାକ୍ତ ବାୟୁର ପ୍ରଭାବରେ ସଜ୍ଞାହୀନ ଅବସ୍ଥାକୁ ଆସିବା ଉପରେ। ଗାଁଆ ଭିତରେ ପହଞ୍ଚିବା ବେଳକୁ ମନ୍ତ୍ରୀଙ୍କର ଧୋତି ଭିତରର ଅବସ୍ଥା ଦୟନୀୟ, ଦଶ ବାରଟି ବଥ ଜନ୍ମ ନେବାର ସୂଚନା ସ୍ପଷ୍ଟ ଦିଶୁଛି। ବିରକ୍ତ ହୋଇ ଚାଟୁକାର କୁ କହିଲେ-- ଛିଃ କି କଦର୍ଯ୍ଯ ରାସ୍ତା। କାହା ନିର୍ବାଚନ ମଣ୍ଡଳୀ ଏଇଟା। ମୁଁ ମୁଖ୍ଯମନ୍ତ୍ରୀଙ୍କ ଆଗରେ ଫେରାଦ ଦେବି।

କୁଟୀଳିଆ ହସଟେ ଫିଙ୍ଗି ଚାଟୁକାର କହିଲା – କ୍ଷମା କରିବେ ହଜୁର୍। ଏଇଟା ପରା ଆପଣଙ୍କ ନିର୍ବାଚନ ମଣ୍ଡଳୀ। ନିଜ ବିଷୟରେ ଫେରାଦ ଦେଲେ କଥା ଟା ଟିକେ ଅସୁନ୍ଦର ହେବନି?

ସମ୍ମୁଖରେ ସ୍ବାଧୀନତା ସଂଗ୍ରାମୀ ଗୋବର୍ଦ୍ଧନଙ୍କୁ ଦେଖି ମନ୍ତ୍ରୀଙ୍କ ଧୋତି ଢିଲା ହେଲା ପରି ଲାଗିଲା। ତାଙ୍କ ପାଦ ତଳେ ପଡିବେ, ନା ହାତ ଯୋଡି ପ୍ରଣାମ କରିବେ ନା କଣ କରିବେ ଭାବିଲା ବେଳକୁ ଚାଟୁକାର କହିଲା-- ଆପଣ ହେଲେ ମନ୍ତ୍ରୀ, ତେଣୁ ଟିକେ ଗମ୍ଭୀର ହୋଇ ଓଠ ମେଲା ନ କରି ମନ୍ଦମନ୍ଦ ହସି ସଭା ଯାଗା କୁ ଚାଲିବା ହୁଅନ୍ତୁ। ମନ୍ତ୍ରୀ ଚାରିଆଡକୁ ଆଖି ବୁଲେଇଲେ। ଗାଁଆ ସାରା ଲୋକ ଜମା ହୋଇଛନ୍ତି, କିନ୍ତୁ ସଭା ହେବ କେଉଁଠାରେ। ସାମିଆନା ଭିଡା ଯାଇନି, ଚଉକି ପଡିନି, ଡାକବାଜି ଯନ୍ତ୍ର ନାହିଁ। ପୁଣି ଚାହିଁଲେ ଚାଟୁକାର ଆଡକୁ। ସେ କିଛି ସମୟ ପରେ ଫେରି କହିଲା-- ଆଜ୍ଞା ସମ୍ପୂର୍ଣ୍ଣ ଗ୍ରାମୀଣ ଠାଣୀରେ ସଭା ହେବ। ଆପଣ ବସିବେ ଖଜୁରୀ ପତ୍ରରେ ନିର୍ମିତ ଚଟାଇରେ। ପାଖରେ ବାକି ଭଦ୍ର ଲୋକ ବସିବେ। ଜନତା ଓ ସାମ୍ବାଦିକ ମାନେ ମାଟି ମାଆ କୋଳରେ ଲୋଟି ପଡିବେ। ସେମାନଙ୍କର ଆସ୍ଥାନର ଲୋଡା ନାହିଁ। ଚାଲନ୍ତୁ ଆଜ୍ଞା,ପ୍ରବଳ ଖରା ହେଲାଣି। ବିଳମ୍ବ କଲେ ମୁଣ୍ଡ ଚୁଟି ସବୁ ଫୁରୁସି ଯିବ।

– ଯିବା ଯେ, କେହି ଥଣ୍ଡା ପାଣି ଟୋପେ ବି ଦେଲେନି। ଜଳଖିଆ ଟିକେ ନ ଦେଲେ ନାହିଁ, ଲୁଣିଆ କାଜୁ ଟିକେ ତ ଦେବା କଥା। ସବୁଠାରୁ ଅସୁବିଧାଜନକ ଘଟଣା ହେଲା, ସଭା ଜାଗାରେ ପଙ୍ଖା ଲାଗିନି। ଯାହା ହେଲେ ମୁଁ ମନ୍ତ୍ରୀ ଲୋକ। ହଉ ଛାଡ, ଚାଲ ସଭାକୁ।

– ଆଜ୍ଞା ପଙ୍ଖାର ଆୟୋଜନ ଟା ପ୍ରାକୃ ତିକ ଢଙ୍ଗରେ କରାଯାଇଛି। ଆପଣ ବସିବା ଯାଗା ର ଉଭୟ ପଟରେ ଦୁଇଜଣ ଶଶକବଦନୀ କନ୍ଯା ହାତରେ ତାଳ ବିଞ୍ଚଣା ଧରି ଛିଡା ହୋଇଛନ୍ତି। ଆପଣ ଖାଲି ମାଟି ଉପରେ ଆସ୍ଥାନ ଜମେଇବା ପରେ ସେମାନେ ହେଲିକେପ୍ଟର ପରି ବିଞ୍ଚଣା ବୁଲେଇବାରେ ଲାଗିଯିବେ। ଚାଟୁକାର କହିଲା।

ସଭା କାର୍ଯ୍ଯ ଆରମ୍ଭ ହେଲା। ଚଟାଇ ଉପରେ ବଡ କଷ୍ଟରେ ମନ୍ତ୍ରୀ ପଦ୍ମାସନରେ ଚକାମାଣ୍ଡୁ ପାରି ବସିଲେ। ଗୋଡ ଓ ପୃଥୁଳ ଜଙ୍ଘ ଦ୍ବୟ ନିଜ ଭିତରେ କଳି ତକରାଳ କରିବା ଆରମ୍ଭ କରିଦେଲେ। କାରଣ ଆଜି ଯାଏ , କେହି କାହା ଉପରେ ଚଢିବାର ଅବସର ଆସି ନ ଥିଲା। ଶେଷରେ ମନ୍ତ୍ରୀ ଦୁଇ ଗୋଡ ମେଲା କରି, ପିଲା ଦେହରେ ମାଆ ତେଲ ଲଗାଇଦେବା ଭଙ୍ଗୀରେ ବସିବାକୁ ବାଧ୍ଯ ହେଲେ। ଜଣେ ଗ୍ରାମବାସୀ ତାଙ୍କ ହାତକୁ ପାଣି ଗିଲାସେ ବଢେଇଦେଲା। ପାଟିରେ ଦେଇ ଥୁଃ ଥୁଃ କରି ଫିଙ୍ଗିଦେଲେ। ଲୋକଟି ଦାନ୍ତ ନେଫେଡି କହିଲା – ଆମ ଗାଁଆ ପୋଖରୀ ପାଣି ଆଜ୍ଞା, ନଳକୂଅ କାମ କରୁନି ବୋଲି ଆମେ ଏଇ ପାଣି ସବୁଦିନ ପିଉଛୁ। ସେ ପୋଖରୀରେ ଗାଧୁଆ, ଲୁଗା କଚା, ଶୌଚକାମ ଓ ଗାଈ ପୋଢ ଧୂଆ କାମ ହେଲେ ବି ପାଣି ଶୁଖୁନି। ଆମ ପାଇଁ ତାହା ଅମୃତ, ଆପଣଙ୍କୁ କେମିତି ଲାଗିଲା ପାଣିର ସ୍ବାଦ? କଣ ଗୋଟେ କହି ଆଣିଲା ବେଳକୁ ଚାଟୁକାର ଓଠରେ ମଝିରେ ବିଶି ଆଙ୍ଗୁଠି ଠିଆ କରେଇ ଚୁପ୍ ରହିବାକୁ ଇସାରା ଦେଲା। ମନ୍ତ୍ରୀ ଗାରୁଗାରୁ କହିଲେ –- ଆରେ କିଏ କୁଆଡେ ଅଛ, ଟିକେ ମିନେରାଲ ପାଣି ଦିଅ।

– ଆଜ୍ଞା, ଆପଣଙ୍କୁ ମିନେରାଲ ଖୋଜି ପିଇବାକୁ ପଡିବନି ବୋଲି, ସେବା ରେ ପୁରା ଖଣି ପାଣି ଲଗେଇ ଦେଇଛୁ। ତା ଭିତରେ ଯାହା କୁ ଯେତେ ମିନେରାଲ ଖୁନ୍ଦି ହୋଇ ବସିଛନ୍ତି। ଯଦି କହିବେ ନଳକୂଅରୁ ପାଣି ଦେବୁ, କିନ୍ତୁ ସେ ପାଣିରେ ଚୁମ୍ବକ ବୁଡେଇ ପିଇବାକୁ ପଡିବ। ଆଜି ଯାଏ ଯେତିକି ଲୁହା ଗୁଣ୍ଡ ବାହାରିଲାଣି, ସବୁ ମିଶିଲେ ଛୋଟକାଟିଆ କୁତବମୀନାର ଟିଏ ଛିଡା ହୋଇଯିବ। କିଏ ଜଣେ ପଛ ପଟରୁ କହିଲା।

ସେତିକି ବେଳେ ନାରୀଟିଏ ହାତରେ ଗିଲାସଟିଏ ଧରିି ଆସିଲା। ମନ୍ତ୍ରୀଙ୍କୁ ଓଳଗି ହୋଇ କହିଲା-- ମାହାପୁରୁ, ଟିକେ ସରବତ ପିଇ ଦିଅନ୍ତୁ। ଢୋକେ ସରବତ ପିଇ ମନ୍ତ୍ରୀ ଗିଲାସ ଟାକୁ ଫିଙ୍ଗି ଦେବାକୁ ବାହାରିଲେ, କିନ୍ତୁ ପୁଣି ସେ ଚାଟୁକାର ଟା ଛିଙ୍କିବାରୁ ତୁନି ହୋଇ ବସିଲେ। ଅତ୍ଯନ୍ତ ଭଦ୍ରତା ସହକାରେ ପଚାରିଲେ-- ଆଛା, ଭଉଣୀ ଏହା କି ରକମ ର ସରବତ। ପୃଥିବୀ ପୃଷ୍ଠର ଫଳରୁ ତିଆରି ନା ସ୍ବର୍ଗକୁ ନିଶୁଣୀ ପକେଇ ଫଳ ଆଣି ତିଆରି କଲ। ଏ ସରବତ ରେ ଚିନି ପଡେ, ନା ଲୁଣ ପଡେ ନା କଣ ପଡେ ଟିକେ କହିବ କି?

– – ହିଃ ହିଃ ମାଆଲୋ ମରିଯାଆନ୍ତି କି। ଆଜି ମନ୍ତ୍ରୀ ମୋ ସହ କଥା ହେଲେ। ନାରୀ ଟି ଲାଜରେ ପାଚିଲା କଲରା ପରି ଦିଶିଲା। ଖୁସି ରେ ଗଦଗଦ ହୋଇ କହିଲା-- ଏ ସରବତର ନାମ କାନ୍ଧିପତରିଆ ସରବତ।

– ମାନେ?

– ମାନେ ଆଉ କଣ, ନଳକୂଅରୁ ବାଲଟି ରେ ପାଣି ଆଣିସାରି ସେଥିରେ ପୁଞ୍ଜେ କାନ୍ଧିଆ ପତ୍ର ଚକଟି ପକେଇବ। ତା ପରେ ଗିଲାସ ରେ ଢାଳି ଲୋକଙ୍କ ମୁହଁରେ ପାଟି ମେଲା କରି ଢାଳି ଦେବ। ଆମେ ତ ସବୁ ଦିନ ପିଲାଙ୍କୁ ସେମିତି ସରବତ ପିଆଉଛୁ। ଚିନି ପରି ମହରଗ ଜିନିଷ ଆମେ କୁଆଡୁ ପାଇବୁ। ଭଲ ଲାଗିଲା କି, ଆଉ ଗିଲାସେ ଦେବି !!!? ସ୍ନହରେ ଗଦଗଦ ହୋଇ କହିଲା ନାରୀ ଟି।

ଚାଟୁକାରଟିି ମନ୍ତ୍ରୀଙ୍କ ଅବସ୍ଥା ଦେଖି ହସିହସି ବେଦମ୍ ହୋଇ ଯାଉଥାଏ। ସାମ୍ବାଦିକ ମାନେ ବି ଏପରି ଚର୍ଚ୍ଚାର ଭିତିରି ଅର୍ଥଟା ଭଲରେ ବୁଝି ସାରିଥିଲେ। କିନ୍ତୁ ମୁହଁରେ ଗାମ୍ଭୀର୍ଯ୍ଯତା ଉକୁଟାଇ ସେମାନେ ମନ୍ତ୍ରୀଙ୍କର ବିଭିନ୍ନ ଭଙ୍ଗୀର ଫଟୋ ଉଠାଇବାରେ ବ୍ଯସ୍ତ ଥିଲେ। ଟିକେ ଦୂରରୁ ବସି ଗୋବରା ସବୁ ଲକ୍ଷ୍ଯ କରୁଥାଏ । ସବୁ କାର୍ଯ୍ଯକ୍ରମ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଚାଲିବାରୁ ସେ ଆଶ୍ବସ୍ତ ଥିଲା। ସେତିକି ବେଳେ ଲୋକଟେ ଦଉଡିି ଆସି କହିଲା – ଭାଇ ମାନେ ଦଉଡି ଚାଲ, ସଭା ସେତିକି ରେ ଥାଉ। ତେଣେ କାନ୍ଦୁରୁ ବାରିକ ଘରେ ନିଆଁ ଲାଗିଗଲାଣି। ଘର ଭତରେ କଣ ଥିଲା କେଜାଣି ତାଳ ଗଛ ଏତିକି ଉଚ୍ଚାରେ ନିଆଁ ଫୁତକାର ମାରି ଜଳୁଛି।

କଥାଟା ଶୁଣି ମୁହଁଟାକୁ ବିଚିକୁଟିଆ କରି ମନ୍ତ୍ରୀ କହିଲେ--- ଆରେ କିଏ ସେ କାନ୍ଦୁରୁ ବାରିକ।

ଭିଡ ଭିତରୁ ଗୋବରା ବାହାରି କହିଲା-- ଆପଣ ଜାଣିବେନି ଆଜ୍ଞା, ଆପଣ ହେଲେ ଭୋଙ୍ଗସର୍ ବାସିନ୍ଦା। ସେ ବୁଢା ଆମ ଗାଁଆର ବାରିକ ଥିଲା,କେବେ ଠୁ ମଲାଣି। ତା ପୁଅ ସହରରେ କୀଳାପୋତେଇ କାମ କରି ଢେର୍ ଅଧର୍ମ ବିତ୍ତ ବଢେଇଏଇ ଘରେ ଠୁଳ କରୁଥିଲା। ମୂଳ ସହିତ ସବୁ ଅଗ୍ନୀଦେବ ଗିଳିଦେଲେ। ବ୍ଯସ୍ତ ହୁଅନ୍ତୁ ନାହିଁ, ଆମ ଗାଁଆରେ ଏମିତି ନିତି ଦିନ ନିଆଁ ଲାଗି ଘର ପୋଡେ, ଦମକଳ ବାଲା ବି ଆସନ୍ତିନି। ଏ ନିଉଁଛୁଣିଆ ଗାଁଆ କୁ କିଏ ବା କାହିଁକି ଆସିବ। ସଭା କାମ ଆଗେଇବା। ଆପଣ ଭାଷଣ ଦିଅନ୍ତୁ, ତା ପରେ ଆମେ “କର୍ମବୀର ” ଉପାଧିଟା ଆପଣଙ୍କୁ ପ୍ରଦାନ କରିବୁ।

ଗୋବରାର କଥା ଶେଷ ହେଲା ବେଳକୁ ମନ୍ତ୍ରୀ ଅତରଛିଆ ତତଲା ରାସ୍ତାରେ ଖାଲି ପାଦରେ ଦଉଡୁଥିଲେ। “ମୋ ଘର ପୋଡିଗଲାରେ, ମୁଁ ବରବାଦ ହୋଇଗଲି, ଦମକଳ କୁଆଡେ ଗଲା, ପୋଲିସ କାଇଁ” ଡାକ ଛାଡିଲା ବେଳକୁ ଆଖିରୁ ଲୁହ ଧାର ବୋହି ଯାଉଥାଏ। ଚାଟୁକାର ଟି କଣ କରିବ ବୁଝି ନପାରି ମନ୍ତ୍ରୀଙ୍କ ପଛରେ ଦଉଡିଲା ଓ ତା ପଛରେ ସବୁ ସମ୍ବାଦିକ।

ଗୋବରା ଗାଁଆ ଲୋକଙ୍କୁ କହିଲା-- କେମିତି ଲାଗିଲା “କର୍ମବୀର” ଉପାଧି ଟା। ପୁଅ ମୋ ସହ ଛୋପରାମୀ କରୁଥିଲା। ଏବେ ନିଆଁ ଲିଭଉଥିବ ଗୁଣ ଗାଉଥିବ। ଲୋକେ କହିଲେ – ଗୋବରା ଟା ସ୍ବାଧୀନତା ସଂଗ୍ରାମୀ ନ ହେଲେ କଣ ହେବ, ବୁଦ୍ଧି ପୁରା ସଂଗ୍ରାମିଆଙ୍କ ପରି ପାଇଛି।

– ସମାପ୍ତ--

ଗୋବରା ମନ୍ତ୍ରୀ ବଳୀଦାନ

Rate the content


Originality
Flow
Language
Cover design

Comments

Post

Some text some message..