STORYMIRROR

ABADHOOT PANDA

Classics Others

3  

ABADHOOT PANDA

Classics Others

ଶାକ୍ତ ପରାକ୍ରମ

ଶାକ୍ତ ପରାକ୍ରମ

3 mins
181

ମାତା ଦୁର୍ଗାଙ୍କ ମହିମା ଅନନ୍ତ l ସେ ଏକାଧାରରେ ଜନନୀ, ଜାୟା ଓ ଭଗିନୀ l ସକଳ ସ୍ଥାବର ଓ ଅସ୍ଥାବର ଘଟରେ ସେ ସର୍ବଦା ବିରାଜମାନ l ଏକଦା ଜଣେ ଭକ୍ତ ଥିଲେ ଯାହାଙ୍କ ନାମ ଥିଲା ଗୋବିନ୍ଦ l ସେ କାୟ ମନ ବାକ୍ୟରେ ମାତାଙ୍କୁ ମାନି ଥିଲେ ନିଜର ମାତା ରୂପେ l ସେ ରେବା ନଦୀ କୂଳରେ ବାସ କରୁଥିଲେ ନିଜ ପରିବାର ସହିତ l ବର୍ଷାଋତୁ ସମୟ l ରେବା ନଦୀ ଉଛୁଳି ପଡ଼ୁଥିଲା ବନ୍ୟା ଜଳରେ l ଆକାଶରେ କଳା ବାଦଲର ଗର୍ଜନ l ସୂର୍ଯ୍ୟ ଅଦୃଶ୍ୟ l ପ୍ରବଳ ବର୍ଷା ସହ ବିଜୁଳି ଆଉ ଘଡ଼ ଘଡ଼ି l ସମସ୍ତ ଗ୍ରାମବାସୀଙ୍କ ମନରେ ଆଶଙ୍କା ଓ ଭୟ l ଅଥଚ ଗୋବିନ୍ଦ ନିଜ ଚାଳ ଘରେ ନିଜ ପରିବାର ସହିତ ବସି ପଢ଼ୁଥିଲେ ଶଙ୍କରାଚାର୍ଯ୍ୟ ବିରଚିତ 'ଦେବୀ ଅପରାଧ କ୍ଷମାପର୍ଣ୍ଣ ସ୍ତୋତ୍ରମ୍ l ମନରେ ଶାନ୍ତି ଓ ଆଖିରେ ଆନନ୍ଦ ଅଶ୍ରୁ l ସତେ ଯେପରି ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ଯାହାଙ୍କ ନଥିଲା ତିଳେ ବି ଭ୍ରୁକ୍ଷେପ ଚତୁର୍ପାଶ୍ଵସ୍ଥ ପ୍ରକୃତିର ଅଟ୍ଟହାସ୍ୟ ପ୍ରତି l ଚାହୁଁ ଚାହୁଁ ବନ୍ୟା ସ୍ରୋତ ଏକ ବିଷଧରକୁ ଭସାଇ ଆଣି ପ୍ରବେଶ କରିଥିଲା ତାଙ୍କ ଅଗଣାରେ l ଅହିରାଜର ବିକଳ ଫୁତ୍କାର ଓ ବନ୍ୟା ଜଳ ସ୍ରୋତର ସୁ ସୁ ଗର୍ଜନ l ପରିବାରର ସମସ୍ତ ସଦସ୍ୟ ବଞ୍ଚିବାର ଆଶା ଛାଡ଼ି ଦେଲେ l ପ୍ରବଳ ବନ୍ୟା ଯୋଗୁଁ କ୍ଷୁଦ୍ର ଚାଷୀ ଗୋବିନ୍ଦଙ୍କ ପରିବାର ବର୍ଗଙ୍କ ଆକୁଳ କ୍ରନ୍ଦନ ଚାଳ ଘରର ଚାରି କାନ୍ଥ ଭିତରେ ଥିଲା ଆବଦ୍ଧ l ପିତା କୁପିତା ହେଇପାରନ୍ତି l ମାତ୍ର ମାତା କେବେ କୁମାତା ହେଇପାରନ୍ତି ନାହିଁ l ବନ୍ୟା ଓ ବର୍ଷାର ପ୍ରକୋପ ପ୍ରାୟ ସକାଳ ଛଟାରୁ ଅପରାହ୍ନ ଚାରିଟା ଯାଏଁ ଥିଲା ବଳବତ୍ତର ରହିଲା ପରେ ହେଲା ପ୍ରଶମିତ l ଅହିରାଜ ସାପଟି ଘରର ସଂଘା ଉପରକୁ ଚଢ଼ି ଯାଇ କେବଳ ଫୁତ୍କାରୁ ଥାଏ l କିନ୍ତୁ କ୍ଷୁଧିତ ପରିବାରର ସମସ୍ତ ସଦସ୍ୟଙ୍କୁ ସାନ୍ତ୍ୱନା ଦେଉଥିଲେ ଘରର ମୁରବୀ ଗୋବିନ୍ଦ ମାତାଙ୍କ ଭରସାରେ l ମାତା ଜଗଦମ୍ବା ନିଜ ଭକ୍ତ ଶିରୋମଣି ପୁତ୍ରଙ୍କ ବିନୀତ ପ୍ରାର୍ଥନାକୁ କରିଥିଲେ ମଞ୍ଜୁର l ଫଳରେ ଦୀର୍ଘ ସମୟ ଅତିକ୍ରମ ପରେ ଆସ୍ତେ ଆସ୍ତେ ବନ୍ୟା ଛାଡ଼ି ଗଲା l ବର୍ଷା ବି ଆରମ୍ଭ କଲା କୁଣ୍ଡା ଝାଡ଼ିବାକୁ l ଅହିରାଜ ସାପଟି ମଧ୍ୟ ପରେ ପରେ ଆପେ ଆପେ ଚାଲିଗଲା ବାହାରକୁ l ଗୋବିନ୍ଦ ବାବୁ ମାତା ଦୁର୍ଗାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଘର ସଜଡ଼ା କାମରେ ଲାଗି ପଡ଼ିଲେ ମନଧ୍ୟାନ ଦେଇ l 

ଗ୍ରାମବାସୀଗଣ ବନ୍ୟାର ଅବସ୍ଥା ଦେଖିବା ପାଇଁ ଦୌଡ଼ି ଆସିଲେ ନଦୀ କୂଳକୁ l ସିମେଣ୍ଟବସ୍ତା ବାଲି ପଥର ଖଞ୍ଜି କୂଳକୁ ମଜବୁତ କରିବାକୁ ଲାଗି ପଡ଼ିଲେ l ଏମିତି ପ୍ରାୟ ସାତ ଦିନ ବିତିଗଲା l ନଦୀ ସ୍ରୋତ ତଳଘଟି ଅଞ୍ଚଳକୁ ବୋହିଗଲା ସିନା ଗ୍ରାମବାସୀଗଣ ସେ ବର୍ଷ ନବରାତ୍ରି ଦଶହରା ମହୋତ୍ସବ ପାଳନ କରିବାରେ ଥିଲେ ଅସମର୍ଥ l ଯାହାବି ହେଉ ଲୋକ ମାନଙ୍କ ଧନଜୀବନ ରକ୍ଷାପାଇଥିଲା ମାତାଙ୍କ ଏକନିଷ୍ଠ ଭକ୍ତ ଗୋବିନ୍ଦ ମହାଶୟଙ୍କ ଆକୁଳ ପ୍ରାର୍ଥନା ଜରିଆରେ l ଆଠ ଦିନ ପରେ ଆମେରିକୀୟ କମ୍ପାନୀରେ ଚାକିରୀରତ ଗୋବିନ୍ଦଙ୍କ ବଡ଼ପୁଅ ଟେଲିଗ୍ରାମ ପାଇ ଘରେ ପହଞ୍ଚି ଥିଲେ l ନିଜର ଚାଳ ଘରକୁ କୋଠାଘରରେ କରିଥିଲେ ପରିଣତ l ବନ୍ୟା ଓ ତୋଫାନରୁ ରକ୍ଷା ପାଇଁ ସମ୍ପୂର୍ଣ୍ଣ ମଜବୁତ ଘର ସହିତ ଉଚ୍ଚା ପିଣ୍ଡା କରିଥିଲେ ନିର୍ମାଣ l ଆମେରିକାରୁ ଇଞ୍ଜିନିଅର ଆଣି ବନ୍ୟା ଜଳ ରୋକିବାକୁ ଆଧୁନିକ ଶୈଳୀରେ ଶକ୍ତିଶାଳୀ ନଦୀବନ୍ଧ ମଧ୍ୟ ନିଜ ସଞ୍ଚିତ ଅର୍ଥ ଏବଂ ଗ୍ରାମବାସୀଙ୍କ ଠାରୁ ଚାନ୍ଦା ଆଦାୟ କରି ତଥା ବ୍ୟାଙ୍କ ଋଣ ବିନିଯୋଗ ପୂର୍ବକ ନିର୍ମାଣ କରାଇ ନିଜକୁ ଗର୍ବିତ ମନେ କରିଥିଲେ l ଆମେରିକାରେ ରହୁଥିଲେ ବି ସେ ଥିଲେ ସମ୍ପୂର୍ଣ୍ଣ ସନାତନୀ ଓ ନିଜ ଶାକ୍ତ ପିତା ଗୋବିନ୍ଦଙ୍କ ଅନୁପନ୍ଥୀ l ପିତାଙ୍କ ଆଦର୍ଶକୁ କାୟମ ରଖିବା ପାଇଁ ନିଜ ଗାଁରେ ଏକ ବିରାଟ ଦୁର୍ଗା ମନ୍ଦିର କରିଥିଲେ ନିର୍ମାଣ l ଗ୍ରାମବାସୀଗଣ ମାତା ଦୁର୍ଗାଙ୍କ ବାତ୍ସଲ୍ୟ ପ୍ରେମର ପ୍ରତ୍ୟକ୍ଷ ପ୍ରଭାବକୁ କରିପାରିଥିଲେ ପ୍ରତ୍ୟକ୍ଷ ଅନୁଭବ ।     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics