ପ୍ରେମରେ ପଡିଲେ ଏମିତି ହୁଏ
ପ୍ରେମରେ ପଡିଲେ ଏମିତି ହୁଏ
ଡିସେମ୍ବରର ହାଡଭଙ୍ଗା ଶୀତ ରାତିରେ ରେଜେଇ ଭିତରେ ମୁହଁ ଘୋଡେଇ ହୋଇ ଚୁପ୍ ଚୁପ୍ କଥା ହେବାର ମଜ୍ଜା ଏକ ନିଆରା ଅନୁଭୂତି । ଦ୍ବିପ୍ରହରେ ରିତା ଦୁଇଘଣ୍ଟା ବିଶ୍ରାମ ନେଇଥିବାରୁ ପରିଣାମ ସ୍ବରୁପ ରାତିର ନିଦ ତାକୁ ଟାଏ ଟାଏ କରି ଅନେକ ଦୂରକୁ ଚାଲି ଯାଇଥିଲା । ନିଦ ନଆସିବାରୁ ସେ ବୁଝି ପାରୁନଥିଲା କଣ କରିବ ? ପୁନଶ୍ଚ ସେ ଚିନ୍ତା କଲା ଦିପକ ସହିତ ଟିକେ କଥା ହୋଇଯିବା ଠିକ୍ ହେବ ।
ପୁନଶ୍ଚ ନିଜର ଭାବନାରେ ବ୍ରେକ୍ କଷିଲା, କେତେ ସ୍ବାର୍ଥପର ଝିଅଟେ ମୁଁ । ମୁଁ ଦ୍ବିପ୍ରହରେ ଦୁଇଘଣ୍ଟା ଶୋଇଥିଲି, ହେଲେ ସେ ଦିନ ତମାମ ଅଫିସ୍ ରେ କାମ କରି ଥକ୍କି ପଡିଥିବ । ତଥାପି ତାର କଣ୍ଠ ସ୍ବର ଶୁଣିବା ଲୋଭରେ ସେ ଧୀରେ ଧୀରେ ମୋବାଇଲ୍ ଉଠାଇ ରିଙ୍ଗ କଲା । ଗୋଟିଏ ରିଙ୍ଗରେ ଦିପକ ଫୋନ୍ ରିସିଭ୍ କଲା । ତାର କଣ୍ଠ ସ୍ବରରେ କି ଯାଦୁ ଥିଲା କେଜାଣି ରିତା ବହୁତ ଆନନ୍ଦ ଦେଉଥିଲା ।
କଥାବାର୍ତ୍ତା ଆରମ୍ଭ ହେଲା ।
ରିତା ପଚାରିଲା ଗୋଟିଏ ରିଙ୍ଗ ରେ ଫୋନ୍ ରିସିଭ୍ କରିଦେଲ, କ'ଣ ମୋ ଫୋନ୍ କୁ ଅପେକ୍ଷା କରିଥିଲ କି ?
ହଁ, ନାଁ, ତୁ....ଫୋ......କଲି ।
ଆରେ, ତୁମ କଥା ମୁଁ ଶୁଣି ପାରୁନି । ରିତା କହିଲା ।
ଟିକିଏ ରୁହ ।
ଏବେ ଶୁଭିଲା ?? ଦିପକ ପଚାରିଲା ।
ହଁ । ରିତା ପ୍ରତିଉତ୍ତରରେ କହିଥିଲା ।
ଦିପକ କହିଲା ତୁମ ନମ୍ବର ପାଇଁ ଅଲଗା ରିଙ୍ଗଟୋନ୍ ରଖିଛି । ତେଣୁ ତୁମ ଫୋନ୍ ଜାଣିପାରି ଶିଘ୍ର ରିସିଭ୍ କରିଦେଲି । ହଁ, ଏବେ କୁହନ୍ତୁ ରାତି ଗୋଟାଏରେ କିପରି ମୋ କଥା ମନେ ପଡିଲା ?
କଥାବାର୍ତ୍ତା ଚାଲିଲା । ଦୁଇ ପ୍ରେମୀ ଯୁଗଳ ମଧ୍ୟରେ । ଅନେକ କଥା, କିଛି ଭବିଷ୍ୟତର ସ୍ବପ୍ନ, କିଛି ଆଜିର ଆଶା ଆକାଂକ୍ଷା ।
ହଠାତ୍ ରିତା ନିଦ ଭାଙ୍ଗିଗଲା । ସେ ମୋବାଇଲ ଉଠାଇ ଦେଖିଲା ରାତି ସାଢେ ତିନିଟା ବାଜିଲାଣି । ହେ ଭଗବାନ୍, ଦେଢଘଣ୍ଟା ହେଲା ମୁଁ ଶୋଇ ପଡିଛି, ଆଖି ମଳି ମଳି ଦେଖିଲା ଏବେ ବି ଫୋନ୍ କଲ୍ ଚାଲିଛି । ଫୋନ୍ କାନରେ ଲଗାଇ କିଛି କହିବା ପୂର୍ବରୁ ସେପାଖରୁ ଦିପକ କଣ୍ଠସ୍ବର ଭାସି ଆସିଲା, ନିଦ ଭାଙ୍ଗିଲା କି ପ୍ରିୟତମା ।
ରିତା ସର୍ବାଙ୍ଗ ଥରି ଉଠିଲା, ସେ ବିରକ୍ତି ହୋଇ କହିଲା ତୁମର ବୁଦ୍ଧି ବିବେକ ଅଛି କି ନାହିଁ ? ଯଦି ମୁଁ ଶୋଇ ପଡିଲି, ତୁମେ ବି ଫୋନ୍ କାଟି ଶୋଇ ପାରିଥାନ୍ତ ।
କହିଲା ଏଠାରେ ଶୋଇବା ପାଇଁ ବ୍ୟବସ୍ଥା ନାହିଁ ।
ମାନେ, କେଉଁଠି ଅଛ କି ତୁମେ ? ରିତା ପଚାରିଲା ।
ଆରେ ବାବା, ନେଟଓ୍ବର୍କ ନଥିଲା, ତୁମକୁ ଶୁଭିଲା ନାହିଁ । ସେଥିପାଇଁ ଛାତ ଉପରକୁ ଚାଲି ଆସିଥିଲି ।