STORYMIRROR

Sudeshna Misra

Action Others

4  

Sudeshna Misra

Action Others

ରାଧାପାଦ ଦର୍ଶନ

ରାଧାପାଦ ଦର୍ଶନ

3 mins
349

ସେଠାକୁ ଯିବା ଭାବନା ର ମୂଳ ଟା ମୁଁ ସଠିକ୍ ନଜାଣି ଥିଲେ ମଧ୍ୟ ନକ୍ଷି ଆଈଙ୍କର ବହୁତ ଦିନରୁ ଦର୍ଶନ ଇଚ୍ଛାଥିଲା ବୋଲି ଏହି ଯୋଜନା ହେଇଥିବ ବୋଲି ଭାବୁଛି।ନକ୍ଷି ଆଈଙ୍କର ଭଲ ନାଁ ଲକ୍ଷ୍ମୀ । ଭାରି ସ୍ନେହି ମଣିଷ। ଖାଲି ସ୍ନେହି ନୁହଁନ୍ତି ସେ, ବଡ ପରିବାର ସହିତ, ବିରାଟ ଘର, ଲୋକବାକ ଯିବା ଆସିବା, ଖାଇବା ପିଇବା ସବୁ ସୁରୁଖୁରୁରେ ଚଳେଇଥାଆନ୍ତି ସେ। ପୁରା ପରିଚାଳନା ସେ ଖୁବ୍ ଭଲଭାବରେ କରିପାରନ୍ତି। 

ମୋ ବାବା ତାଙ୍କ ବଡଜୋଇଁ ହରମୋହନ ମଉସାଙ୍କ ସାଙ୍ଗ ହେଇଥିବାରୁ ସେ ବାବାଙ୍କୁ ମଧ୍ଯ ଜୋଇଁ ହିସାବ କରନ୍ତି । ଆଈଙ୍କର ପରିଚୟ ଆଉ ଟିକିଏ କରେଇ ଦେଉଛି। ସେ ଥିଲେ ସେକାଳର ଓଡ଼ିଶା ର ଜଣେ ବିଶିଷ୍ଟ ଶିଳ୍ପ ଓ ଉଦ୍ୟୋଗପତି ନବ କିଶୋର ମହାନ୍ତି ଙ୍କ ଧର୍ମପତ୍ନୀ। ତାଙ୍କଘର କଟକର‌ ଝାଞ୍ଜରି ମଙ୍ଗଳା ଅଞ୍ଚଳରେ।

ଯିବା ସ୍ଥାନ ଟି ଥିଲା ପୁରୀ ଜିଲ୍ଲାର ସାକ୍ଷୀଗୋପାଳ, ଯିବାର କାରଣ ହେଲା ରାଧାଙ୍କ ପାଦ ଦର୍ଶନ। ଆଉ ତିଥିଥିଲା ଅଅଁଳା ନବମୀ। ଏଇଟା ମୋ ପିଲାଦିନ ଯେତେବେଳ ମୁଁ ବୋର୍ଡ ସ୍କୁଲରେ ପଢୁଥିଲି ସେହି ସମୟର କଥା। ଆମେସବୁ କଟକରୁ ସକାଳୁ ସକାଳୁ ବାହାରିଗଲୁ। ମୋ ମା, ମୁଁ ଓ ମୋ ସାନ ଦୁଇ ଭାଇ ଏବଂ ଆମ ସହିତ ସହ ନକ୍ଷି ଆଈଙ୍କ ଙ୍କର ଭଉଣୀ ମଧ୍ୟ ଗଲେ। ଆମର ତ ଡ୍ରାଇଭର ନଥିଲା , ସବୁବେଳେ ବାବା ହିଁ ଗାଡ଼ି ଚଲାନ୍ତି। ତେଣୁ ଏଥର ମଧ୍ୟ ଚାଳକ ବାବା।

ପ୍ରାୟ ଦୁଇଘଣ୍ଟା ଭିତରେ ସାକ୍ଷୀଗୋପାଳରେ ପହଞ୍ଚି ଗଲୁ। ବାଟରେ ପଇଡ଼ ପିଆ ହେଲା। ଆଉକିଛି ଖିଆପିଆ ନାହିଁ, କାରଣ ଖାଲି ପେଟରେ ଦର୍ଶନ କଲେ ପୂଣ୍ୟ ମିଳିବ ବୋଲି ବିଶ୍ୱାସ। ମଣିଷର ବିଶ୍ୱାସ କୁ ନେଇ ଭାଵ। ସେଇ ଭାବ ଖୁବ୍ ଶକ୍ତିଶାଳୀ। ବନ୍ଧବାଡ ମାନେ ନାହିଁ ଭିଡ଼ ବେଶ୍ ଥାଏ ସେଠି। ଭିଡ଼ ଭିତରେ କିପରି ଗଲୁ ମନେ ନାହିଁ। ବାବା ବୋଧେ ହାତଧରି ନେଇଥିବେ। ମୁଁ କଥାବାର୍ତ୍ତା ରୁ ଯାହା ବୁଝିଥିଲି ସେଟା ହେଉଛି ଠାକୁରଙ୍କ ପାଦ କୁ ମୁଣ୍ଡିଆ ମାରିବା କଥା । ଠାକୁର ଙ୍କ ସିଂହାସନ ର ଉଚ୍ଚତା ମୋ ନିଜ ଉଚ୍ଚତା ପାଖାପାଖି । ତା ଉପରେ ବେଶ୍ ଉଚ୍ଚ ପିତ୍ତଳ ମୂର୍ତ୍ତି। । ତେଣୁ ମୋତେ ରାଧାରାଣୀ ଙ୍କର ପାଦ ଦୁଇଟି ଦେଖିବାକୁ ମୁଣ୍ଡକୁ ତଳ କିମ୍ବା ଉପର କରିବାକୁ ପଡ଼ିଲାନାହିଁ। ମୋ ଆଖିର ପତ୍ତନ ରେ ମୁଁ ଠାକୁରାଣିଙ୍କ ପାଦକୁ ଦର୍ଶନ କରିପାରିଲି। ପ୍ରକୃତରେ ସେ ଠାକୁର ନୁହଁନ୍ତି ଠାକୁରାଣୀ ବୋଲି ଜାଣିଲି ସେତେବେଳେ।

କିନ୍ତୁ ସେ ପିଲା ବୟସରେ ଏହି ଦର୍ଶନର ମହତ୍ତ୍ଵ ମୋ ପାଇଁ ବିଶେଷ କିଛି ନଥିଲା । ରାଧାଙ୍କ ପାଦ ବର୍ଷ ସାରା ଘୋଡ଼ା ହେଇକି ଥାଏ ଓ ସେଇ ଗୋଟିଏ ଦିନ ଖୋଲାଯାଇଥାଏ ଭକ୍ତଙ୍କ ଦର୍ଶନ ପାଇଁ, ଏଇଟା ବି ଜାଣିନଥିଲୁ। ଗାଡ଼ିରେ ବସି କୁଆଡେ ଗୋଟେ ବୁଲିବାକୁ ଯାଉଛୁ, ସେଠି ମଜା କରିବୁ, ସେଇଟା ହିଁ ଥିଲା ଖୁସୀ। ଆଜି ଯେତେବେଳେ ଆମେ ଅଧିକ ଭଗବତ ପ୍ରେମୀ ହେଇ ସେଇ ଦର୍ଶନର ମହତ୍ତ୍ଵଟାକୁ ବୁଝିଛୁ ସେତେବେଳେ ଆଉ ଯାଇହେଉନି। ଆଉ ସେଇ ପିଲାଦିନ ଯିବାଟା ଥିଲା ମୋର ପ୍ରଥମ ରାଧାଙ୍କ ପାଦ ଦର୍ଶନ ଏବଂ ଆଜି ପର୍ଯ୍ୟନ୍ତ ମୁଁ ଆଉଥରେ ଯାଇପାରିନି। ସେଇ ପ୍ରଥମ ଆଉ ଶେଷ ମଧ୍ଯ। ମୁଁ ଏବେ ଭାବୁଛି, ସେ ଦର୍ଶନ କେବଳ ନକ୍ଷି ଆଈଙ୍କର ଇଚ୍ଛା ଯୋଗୁଁ ସମ୍ଭବ ହେଇଥିଲା। 

ବାବା ମାଉସୀଙ୍କ ଇଚ୍ଛା ପୂରଣ ପାଇଁ ଠାକୁର ଦର୍ଶନ କରେଇନେବା ଉଦ୍ଦେଶ୍ଯରେ ଏହି ବୁଲିବା ଯୋଜନା ଟି କରିଥିଲେ। କାରଣ ମୋ ବାବା ଦେଖାଯିବାପରି ଠାକୁର ବିଶ୍ବାସୀ ନଥିଲେ। କିନ୍ତୁ ମା, ମୋ ଆଈ, କିମ୍ବା ଆଉ କେହି ଚାହିଁଲେ ସେ ପୁରୀ ଓ ଅନ୍ୟାନ୍ୟ ତୀର୍ଥ ସ୍ଥାନକୁ ବୁଲେଇବକୁ ନେଇଯାଉଥିଲେ। ଅଅଁଳା ନବମୀରେ, ସେବର୍ଷ ସାକ୍ଷୀଗୋପାଳ ଯିବାର ପ୍ରାୟ ପଚାଶ ବର୍ଷ ହେଇଗଲାଣି। ଏତେଦିନ ପରେ ଆଜି ଏବେ ଇଚ୍ଛା ହେଉଛି, ମନଭିତରେ ଭକ୍ତିର ଭାବ ନେଇ ଯାଇ ଭଲକରି ସେ ଠାକୁରାଣୀଙ୍କୁ ଦେଖି ଆସନ୍ତି କି? ମନଭରି ଚାହାନ୍ତି ସେ ପାଦ ଦୁଇଟିକୁ , ଯାହାର ଆକର୍ଷଣ ଟାଣି ଆଣେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରତି ବର୍ଷ।

ଆଈ ଅନେକ ଦିନରୁ ବିଦାୟନେଲେଣି ଏ ପୃଥିବୀ ପୃଷ୍ଠରୁ। କିନ୍ତୁ ତାଙ୍କ ସହିତ ଅଅଁଳା ନବମୀରେ ସାକ୍ଷୀଗୋପାଳ ଯାତ୍ରାର ସ୍ମୃତି ମନେରେ ରହିଛି ଝାପସା ହେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action