ଏଇ ତ
ଏଇ ତ
ଏଇ ତ
ଅସ୍ତ ଯିବ ଅନ୍ଧାର !
ମୁଠାଏ ଆଶାରେ
ଖୋଲିଯିବ
ନିସଙ୍ଗ କାରାଗାର ।
ଦିଗବଳୟ ସେପାଖରେ
ବିଞ୍ଚୁଥିବ କେହି
ରକ୍ତିମ ଅବିର
ବୋଳୁଥିବ କେହି
ଘାସରେ କାକର
କାକଳିର କଣ୍ଠରେ ଭରୁଥିବ କେହି
ମିଠା ସ୍ଵର
ମହକୁଥିବ ଦଶ ଦିଗ
ଫୁଟୁଥିବ ବଉଳ
ଆଉ ତମେ..... ?
ତମେ ସେତେବେଳେ
ଗୁମ୍ ମାରି ବସିଥିବ ହାତରେ ମେନ୍ଥୋପ୍ଲସ ଧରି
ତୁମ ଆଖିରେ
ମୋ ବେଖିଆଲି ହସ ଯାଉଥିବ ପହଁରି
ସମାଜ ଓ ପରିବାର ପାଇଁ କର୍ତ୍ତବ୍ୟ କରୁ କରୁ
ମେସପଟାମିଆ ମନଟା ତମର ସାରିଥିବ ମରି ।
ଏଇ ତ
ଦୁଃଖର ନୀଳ ରଙ୍ଗ ଜୁଆର !
ଅମାନିଆ ହେଇ ବହିଯାଏ
ଓଦା କରେ
ଯନ୍ତ୍ରଣାର ସବୁ ଶୁଖିଲା ପତର ।
ତମେ ଯେତେବେଳେ
ରିଂ କରିବାକୁ ମୋତେ ଫୋନ୍ ଧରୁଥିବ
ସାହସ ଅଣ୍ଟେଇ ପାରୁନଥିବ
ଭାବୁଥିବ, କେମିତି ପାରି ହେବି
ପ୍ରେମର ନଈ !!!