ଗୁପତ କଥା
ଗୁପତ କଥା
ଗଲା ସନ ରଜ ପରବ ଦିନ ;
ଦୁଇ ବାନ୍ଧବୀଙ୍କ ଭେଟ ହୋଇଗଲା
ପଚାରିଲା ଚମ୍ପା-"ଆଲୋ ଲାବଣ୍ୟ ।
କେବେଠୁଁ ହେଲୁ ଲୋ ଏଡ଼େ ସିଆଣି ;
ତୁନି ତୁନି କରି ବର ପଟେଇଲୁ
କେମିତି ଟିକେ ବି ଜାଣି ହେଲାନି ।"
"ଶୁଉଣୁ ଲୋ ଚମ୍ପା ,ଗୁମର କଥା ;
ଯୋଉ ବାଗରେ ମୋ ବାହାଘର ହେଲା
ଜାଣିଲେ ସେ କଥା ଘୁରିବ ମଥା ।
ଭାଉଜଙ୍କୁ ଦିନେ କହିଲି ଡାକି ;
ମୋ ପାଇଁ କି ଏତେ ବର ଖୋଜୁଅଛ
ପଚାରୁନା ଥରେ ତମ ଭାଇ କି ।
ଘଡ଼ିଏ ଅଟକି କହିଲେ ସିଏ ;
'ଏକଦମ ଡ୍ୟାନି ହୁରୁଡ଼ି ଯାଉଛି
ବାହାଘର ନାଆଁ ଧରିଲେ କିଏ ।'
ବେଣୀ ଛାଟୁ ଛାଟୁ କହିଲି ହସି ;
ଲୁଚି ଲୁଚି ତମେ ଯାହା କରିଛ ନା
ଚୁପଚାପ ସବୁ ଦେଖିଛି ବସି ।
ଏବେ ଯାଏ ଜମା ଜାଣିନି ମାଆ ;
ଲୁଚେଇକି ତାକୁ ଅଘଷା ପାଟିରେ
ନିତିଦିନ ତମେ ପିଉଛ ଚାହା ।
ବ୍ରତ-ଉପାସରେ ଲୁଚେଇ କରି ;
ସବୁ ମୁଁ ଦେଖିଛି,କେଡ଼େ କାଇଦାରେ
କେମିତିକା ଖାଅ କ୍ଷୀରି ଓ ପୁରି ।
ଆହୁରି ବି ତମେ ରୋଷେଇ ବେଳେ ;
କେଉଁ କେଉଁ ଖାଦ୍ୟ ଚାଖଣା କରିଛ
ଫଟୋ ଉଠେଇଛି ମୋବାଇଲରେ ।
ଜାଣିଚ ତ,ଘରେ ନ ଥିଲେ ମାଆ ;
ତମ ମାଆ ଆଉ ଭଉଣୀ ହାତରେ
ତାଆ ଝାଳ ବୁହା ଦେଇଛ ଯାହା ।
କରିଛ ଭାଇଙ୍କ ପକେଟମାର ;
ଇମିଟେସନ ଏ କହି ଠକି କରି
ଗଢ଼ିଛ ଦୁଇଟା ସୁନାର ହାର ।
ଏତେ କିସମର ଦେଖି ମୋ ତୋପ ;
ସିଆଣିଆ ବୁଦ୍ଧି ବଣା ହୋଇଗଲା
ଶୁଣିକି ଭାଉଜ ଢ଼ୋକିଲେ ଛେପ ।
ଛାନିଆରେ ନାଲି ପଡ଼ିଲା ମୁହଁ ;
କଥା ବାଆଁରେଇ କହିଲେ-' ଲାବଣ୍ୟ,
ତୁମ ଭଳି କିଏ ହୋଇବ କୁହ !
ଯେତେହେଲେ ତୁମେ ନଣନ୍ଦ ମୋର ;
ଅତି ଆପଣାର ଭାବେ ମୁଁ ତୁମକୁ
ତୁମେ ପଛେ ମୋତେ ଭାବୁଥା' ପର।'
ଅଟକାଇ ତାଙ୍କୁ ସାନ୍ତ୍ୱନା ଦେଲି ;
ଚାହିଁଲେ ଏ ତଥ୍ୟ ଗୁପତ ରହିବ
ଚିନ୍ତାକରି ମୋତେ କହିବ କାଲି ।
ତା'ପରେ ଭାଉଜ କଲେ କି ପେଞ୍ଚ ;
ବାହାଘର ପାଇଁ ରାଜିହୋଇ ଡ୍ୟାନି
ମୋତେ ପିନ୍ଧେଇଲା ସିନ୍ଦୁର,କାଚ ।"
ଲାବଣ୍ୟ ତୁଣ୍ଡରୁ ସରିନି କଥା ;
ପଛପଟୁ ଡ୍ୟାନି ଗରଜି କହିଲା ,
"ବୁଝୁଛି ଆଜି ତୋ ହାଲ ରହିଥା' ।
ଭାଇ ଏଡ଼େ ଶଠ କହିଲା ଯାଇ ;
'ଭଉଣୀଟା ମୋର ଭାରି ନିରିମାଖି
ମାଛିକୁ ବି 'ମ' କହଇ ନାହିଁ ।
ଲକ୍ଷ୍ମୀଙ୍କ କଳାରେ ଜନମ ତା'ର ;
ଜ୍ୟୋତିଷ କହିଛି,ଯେଉଁଠିକୁ ଯିବ
ଧନ,ଜନରେ ତା' ପୂରିବ ଘର ।'
ଏବେ ଗଲା ସବୁ ଗୁମର ଖୋଲି ;
ଜଣା ପଡ଼ିଗଲା ତୁଟା କେଡ଼େ ଭଲ
ନିରିମାଖି,ଲକ୍ଷ୍ମୀବତୀଟି ବୋଲି ।
କୋକିଶିଆଳି ଠୁଁ ତୁ ବଡ଼ ଧୂର୍ତ୍ତ ;
ନାନୀଟାକୁ ମୋର ବ୍ଲାକମେଲ କରି
ବାହାହେଲୁ ମୋତେ ରଖିକି ସର୍ତ୍ତ !
ଏବେ ଟିକେ ଖାଲି ଘରକୁ ଚାଲ ;
ଛଡେଇବି ଯେତେ ଫିସାଦିଆ ବୁଦ୍ଧି
ଭାଇ-ଭଉଣୀଙ୍କ ବୁଝିବି ହାଲ ।
ବି ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।