ବସନ୍ତ-ଅଭିସାର
ବସନ୍ତ-ଅଭିସାର
ରୋମାଣ୍ଟିକ କବି ମାୟାଧର ମାନସିଂହ
ବସନ୍ତ ଆସିଛି ପ୍ରିୟେ,ପର୍ଣ୍ଣାଞ୍ଚଳ ଟାଣି
ମଞ୍ଜୁଳ କୋକିଳ-କଣ୍ଠେ ଫିଟାଇ ତା ବାଣୀ,
ଅଙ୍ଗେ ଭରି ପୁଷ୍ପଭାର, ସର୍ବାଙ୍ଗେ ସୁରଭି
ଡାକୁଛି କୁଟୀରାଙ୍ଗନେ- 'ଉଠ ଉଠ କବି,
ଭୋଗକର ବାର୍ଷିକ ଏ ମୋର ଅଭିସାର
ଭୁଲିଯାଅ ଦୁଃଖ ଶୋକ ।' ମୁଗ୍ଧ ନମସ୍କାର
କଲି ମୁଁ ଅତିଥି-ବରେ ; ତା'ପରେ ଭାଷିଲି
ମଳୟର କାନେ କାନେ -' ବନ୍ଧୁ ସାଥେ ମିଳି
ଆଜକ ରଜନୀ ଏହି ଆମ୍ର କୁଞ୍ଜତଳେ
ଯାପିବ କି ବନ୍ଧୁ ମୋର ? ମୁଗ୍ଧ କୁତୁହଳେ
ଦେଖିବ ସଲଜ୍ଜ ଲୀଳା ସୁନ୍ଦରୀ ପ୍ରିୟାର,
ସାର୍ଥକ ହୋଇବ ଶ୍ରମ ।' ମଳୟ ସ୍ୱୀକାର
ମର୍ମର ରଚିଲା ଧୀରେ ଆମ୍ରକୁଞ୍ଜ ପରେ
ବସନ୍ତ ଧଇଲା ବୀଣା କୋକିଳ-କଣ୍ଠରେ ।
ସମାପ୍ତ