ପ୍ରିୟା
ପ୍ରିୟା
ଚତୁର୍ଦିଗ ମୋତେ ଦିଶେ ପ୍ରେମମୟ
ତା ମଧ୍ୟେ ତୁମର ଛବି
ଆଖି ବୁଜିଦେଲେ ଅନ୍ତର୍ମନେ ଦେଖେ
ରହିଅଛ ତୁମେ ଦ୍ରବି
ତୁମେ ମୋ ହାସରେ ତୁମେ ମୋ ଭାଷରେ
ତୁମେ ମୋର ସର୍ବାଙ୍ଗରେ
ରଙ୍ଗାଇ ଦେଇଛ ସର୍ବାଙ୍ଗକୁ ମୋର
ପ୍ରକୀର୍ଣ୍ଣ ପ୍ରେମ ରଙ୍ଗରେ
ତୁମେ ନିଶ୍ୱାସରେ ତୁମେ ପ୍ରଶ୍ୱାସରେ
ପ୍ରୀତିର ସୁଗନ୍ଧ ହୋଇ
ମହକାଉ ଅଛ ମୋ ମନ ଅଙ୍ଗନ
ନିରନ୍ତର ପାଶେ ରହି
କହି ତ ନଥିଲି ମିଠା କଥା କେବେ
ମୋହିବାକୁ ତୁମ ମନ
ନଥିଲା ସେଭଳି ଧନ ଦଉଲତ
ଅବା ମୋର ବଡପଣ
କାହିଁକି କିପରି କଅଣ ଏପରି
ଟାଣିନେଲା ତୁମ ମନ
ବାଛିନେଲ ସାଥୀ ରୂପେ ଜୀବନର
ମୋତେ ତୁମେ ଚିରଦିନ
ନଥିଲା ସୁନ୍ଦର ରୂପ ଯଉବନ
ଆକର୍ଷିବା ପାଇଁ ମନ
କି ଗୁଣେ ମୋହିତ ହୋଇ ଆକର୍ଷିତ
ହେଲ ଜାଣିବା କଠିନ
ତୁମେ କି ଜାଣିଛ ପ୍ରିୟେ ମୋର ସେହି
ଦୁଃଖ ବେଦନାର ଦିନ
ମାଟିକାନ୍ଥ ଘେରା ଘର ଥିଲା ସିନା
ନଥିଲା ଚାଳ ମଥାନ
ବେଦନା ଭରା ସେ ଜୀବନେ ମୋହର
ଆସିନି ବସନ୍ତ କେବେ
ଝଡିଯାଇଥିବା ପତ୍ର ସବୁ ମୋର
କଅଁଳି ବି ନାହିଁ ଏବେ
ତୁମକୁ ପାଇ ମୁଁ ସବୁ ପାଇଗଲି
ପାଇଲି ଜୀବନେ ଆଶା
ମଉଳା ସପନ ପାଇଲେ ଜୀବନ
ମନେ ମୋ ପ୍ରୀତିର ଭାଷା
କଣ୍ଠରୁ ତୁମର ଝରିଲା ଷଡଜ
ଆଦି ଯେତେ ସପ୍ତ ସ୍ୱର
କେତେବେଳେ ତୀବ୍ର ଅବା ସେ କୋମଳ
ମୋହିଲା ମନ ମୋହର
ଗାଇଗଲ କେତେ ପ୍ରୀତିର ରାଗିଣୀ
ହସି ଉଠିଲା ସଂସାର
ତମେ କଲେ ରୋଷ ହେବ ସର୍ବନାଶ
ଜୀବନ ହେବ ଅସାର
ତୁମେ ସଙ୍ଗେ ଥିଲେ ସଞ୍ଜ ବା ସକାଳ
ସବୁ ମୋ ପାଇଁ ସମାନ
ଆକାଶରେ ଏକ ସଙ୍ଗେ ରହିଥିବେ
ସୂର୍ଯ୍ୟ ତାରା ଆଉ ଜହ୍ନ