STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଯନ୍ତା

ଯନ୍ତା

3 mins
14


ମୁଁ ବାଘଟିଏ । ବଣର ବାଘ। ବଣ ମୋ ଘର । ଜନ୍ତା ନୁହେଁ ।‌


ବଣ‌ ? ହଁ ବଣ ! ଯାହା ଏବେ ଖାଲି ଚିତ୍ରରେ ପିଲେ ଦେଖିବେ, ଠିକ୍ ମତେ ଦେଖିଲା ପରି ଛବି ବହିରେ । "ବାଘ ଜନ୍ତାରେ ରହେ ", କହୁଥିବେ ମାଷ୍ଟ୍ରେ ପିଲାଙ୍କୁ ଅନ୍ତକା'ର ଶିଖାଉଥିଲାବେଳେ ।


ପାଣି ଟୋପେ ଜିଭ ଅଗରେ ଲାଗି ନ ଥିଲା ମୋର ତିନି ଦିନରୁ।ତତଲା ରକ୍ତ ପିଇବାରେ ଅଭ୍ୟସ୍ତ ଜିଭ ମୋର ଫଟା ବିଲ ପରି ଠିଆ ଠା ଫାଟୁଥିଲା ଆଉ ଜୋର ପୋଡୁଥିଲା । ଦିନ ସାରା ମୁଁ ଲୁଚିକି ରହୁଥିଲି ଏ ଚକରୁ ସେ ଗାଡି ତଳକୁ ଗୁରୁଣ୍ଡି ଗୁରୁଣ୍ଡି । କେମିତି କେଜାଣି କୋଉଠି ବି ପାଣି ଚଳେ ଦିଶୁନଥିଲା । ମୁଁ ଯୋଉଠି ଲୁଚିକି ଆତ୍ମରକ୍ଷା କରୁଥିଲି ସେଇଠି ଦିନ ବେଳାବି ଗହଳି ଥାଏ ହାଲୁକା।


ମତେ ପିଲାଦିନୁ ମାଆ ମୋର ମନା କରିଥିବା ପୃଥିବୀର ଏପାଖ ଭୟଙ୍କର ଅଞ୍ଚଳରେ ମୁଁ ଥିଲି ବୋଲି ମୁଁ ବୁଝିସାରିଥିଲି । ନିରୁପାୟ ଭାବେ ମତେ ଦିନ କାଟିବାକୁ ପଡୁଥିଲା । ଶୂନ୍ୟ ଶୂନ୍ୟ ଲାଗୁଥିଲା । ଈଶ୍ୱର ମତେ ରାତିରେ ଦେଖିବାର ଶକ୍ତି ଦେଇଥିଲେ ଆଉ ରାତି ଅନ୍ଧାର ସହ ଏଇ ଜନ ଗହଳି କମୁଥିଲା , ତେଣୁ ମୁଁ ସେଇ ସମୟକୁ ନିଜ ମୁକ୍ତି ପାଇଁ ଠିକ୍ ବୋଲି ଭାବିନେଇଥିଲି । କେମିତି କରି ଦେଲେଣି ଏଇ ପୃଥିବୀକୁ ଲୋକେ। ହଁ ମାଆ କହେ ଏଇ ଜୀବ ମାନଙ୍କୁ " ଲୋକ " କୁହନ୍ତି କାଳେ । ଏମାନେ କାଳେ ସବୁଠୁ ଭଲ ଜୀବ । ଦ୍ଵିତୀୟ ଈଶ୍ୱର ପରି । ୟାଙ୍କ ପାଖରେ ବୁଦ୍ଧି, ଜ୍ଞାନ,ଦୟା ଆଉ କଣ କଣ ସବୁ ଭଲ ଗୁଣ ଥାଏ ବୋଲି ବାପା କହେ । ଆମେ ହେଲୁ ହିଂସ୍ର । ଏମାନେ ଆମକୁ ମଧ୍ୟ କାବୁ କରିପକାନ୍ତି। ଖାଲି କଣ ଆମକୁ, ଦୁନିଆ ଠୁ ଆକାଶ ଯାଏ ସବୁ ୟାଙ୍କର ହାତ କଥା । ମୁଁ ଏମାନଙ୍କୁ ଦେଖିବାକୁ ଆସିନଥିଲି,‌ ମୁଁ ବାଟବଣା ହେଇ ନିଜ ପରିବାର ଠାରୁ ଦୂରେଇ ଯାଇଥିଲି ଯାହା। ଭାବୁଥିଲି ସୁଯୋଗର ଅପେକ୍ଷାରେ ସତର୍କ ଥାଏ, ବାଟ ଖୋଜି ଘରକୁ ଚାଲିଯିବି । ହେଲେ ଲୋକେ ମତେ ଦେଖିଦେଲେ। ସେମାନଙ୍କ ଉପରେ ମୋର ବିଶ୍ବାସ ଥିଲା ଯେ ସେମାନେ ମଣିଷ। ନିଶ୍ଚୟ କଣ ଗୋଟେ ବୁଦ୍ଧି କରି ମତେ ନେଇ ମୋତେ ନେଇ ମୋ ଘରେ ଛାଡ଼ିଦେବେ। ମୋ ଜଙ୍ଗଲ ମାଆ ତାଙ୍କୁ ଆଶିଷ ଢାଳିବ ଆଉ ମୋ ବାଘୁଣି ମାଆ ତ ଆହୁରି ଶହେ ବର୍ଷ ଯାଏ ତ ପଣ ନାତି ମାନଙ୍କୁ ଏହି ଗପ ଶୁଣେଇବ ଯେ ତା ପୁଅ ଭେଟିଥିବା ମଣିଷ ସବୁ କେତେ ଭଲ ଥିଲେ। ଏତିକି ବେଳେ


ମୋ ଭାବନା ର ଅନ୍ତ ଘଟେଇ ଲୋକେ କୋଳାହଳ କଲେ, ଆଗ୍ରହୀ ଦିଶିଲେ ,କିଛି ଉତ୍ସାହିତ ହେଲେ ଆଉ କାହିଁକି କେଜାଣି ଭୟ ବ

ି କଲେ। ମାଆ ମାନେ ତାଙ୍କ ପିଲା ଙ୍କୁ ଯାକି ଧରିଲେ। ମୁଁ ବି ଆଡେଇ ଯାଇ ଝାଡବୁଦା ରେ ଲୁଚିଗଲି। ମୋ ପାଇଁ ଅବୁଝା ଥିଲା ଏ ଅନ୍ତର୍ଦ୍ବନ୍ଦ।


କିଏ କାହାକୁ ଡରୁଥିଲା କହିହେଉନଥାଏ .... ମୁଁ ସେମାନଙ୍କୁ,କି ସେମାନେ ମତେ ।


ରାତି ଗାଢ ହେଉଥାଏ। ଲୋକେ ସତର୍କ ହେଉଥାନ୍ତି।ଚାପା ଗୁଞ୍ଜରଣଟେ ଘୁରି ବୁଲୁଥାଏ। ଭୟ ବୋଳି ହେଇ ପବନ ବୋହୁଥାଏ ।


ଅମାଅନ୍ଧାର କୋଳରୁ ନିଦ ଭାଙ୍ଗି ସକାଳ ଉଠିଲା। ତମସାର ଚଦର ତଳୁ ସୂର୍ଯ୍ୟ ଫିଟିପଡିଲେ ଏ ଆପାର୍ଟମେଣ୍ଟ ଆଉ ତା ଆଖି ପାଖ ସହରିଭାଗଯାକ । ଦଳେ ଏକା ପରି ପୋଷାକ ପିନ୍ଧା ମଣିଷ ଧାଇଁବାର ଦିଶିଲା ।"ଖାକି ବାବୁ ଅଇଲେ ଅଇଲେ,ଇଲେ ସେ ବାଘୁଟା ଧରା ପଡିବ,ଆସ,ଆସ ଦେଖିବ" ବୋଲି ଏଠିକାର ଚୌକିଦାର ଯିଏ ମୁଁ ଏଠାକୁ ଆସିବା ଦିନଠୁ କୁଆଡେ ଇଲାପତା ଥିଲା ସବୁଠୁ ଆଗରେ ଦଉଡୁଥିଲା। ମୁଁ ସେଇ ଜଡାଫଳ ଗଛ ବୁଦୁବୁଦୁକିଆ ଜଙ୍ଗଲ ଭିତରେ ଥରୁଥିଲି। ଏକରକମ ହାରିଯାଉଥିଲି ଯେମିତି। ମାଆ କେତେ ମହା ମହା ବାଘଙ୍କ ଗପ ମତେ କହିଥିଲା। ହେଲେ ମୁଁ ଏବେ ସେ ସବୁ ମନେ ପକେଇ ପାରୁନଥିଲି ।ମୋର ଗୋଟେ ହାତୀ ଗପ ଆଉ ଗୋଟେ ହରିଣ ଗପ ମନେ ପଡୁଥିଲା। କାହାକୁ ଗୋଟେ ସେମାନେ ବଡ କାତର ହେଇ ଡାକିଥିଲେ ଯେ ସିଏ ଗରୁଡ ପିଠିରେ ଆସି ତାଙ୍କୁ ଉଦ୍ଧାରି ନେଇଥିଲା । ହେଲେ ସିଏ କିଏ ଥିଲା? ଛାଡ। ମୁଁ ତ ମନେରଖନି ତାକୁ, ସିଏ କାଇଁ ମତେ ରକ୍ଷା କରନ୍ତା ଯେ ! ମୁଁ ଭାବିଲି," ମୁଁ ବାଘ,ବାହୁବଳରେ ଜଗତ ଜିତିବା ବାଲା। ଝାମ୍ପ ମାରି ଚିରି ଦେବି। "


ଖାଲି ଭାବିଲେ କଣ ହୁଏ !

ବଳ ସଂଚରିବା ପାଇଁ ଦେହରେ ତାକତ ଥିବାର ଅଛି। ମୋ ମୁଣ୍ଡ ଘୁରଉଥିଲା। ମୁଁ ହଲଚଲ ହଉନଥିଲି। ମୁଁ ପ୍ରକୃତରେ ଗୋଟେ ଘର ତୋଳା ହେଇନଥିବା ପ୍ଲଟରେ ଥିଲି ,ଯାହା ଚାରିପଟ ଛାତରୁ ଝୁଲି ପଡି ଲୋକେ ମତେ ଆଖିକୁ ବାଇନାକୁଲର କରି ଖୋଜୁଥିଲେ।ଏ ମଣିଷ ଜାତି ଭାରି ଭୟଙ୍କର। ଏମିତି କାଇଁ ମତେ ଲାଗୁଥିଲା। କିଏ ଗୋଟେ ମତେ ଲକ୍ଷ୍ୟ କରି ଟେକା ମାରିଲା ସତେ ଯେମିତି ମୁଁ ଗାତୁଆ ମୂଷା ! ମୋ ଚମ ବି ହାଡରକ୍ତ ମାଂସ ତିଆରି ପରା। ମତେ ବି କାଟିଲା। କାଟିଲାରୁ ମୁଁ ଟିକେ ହଲିଗଲି।

ସେଇ ହଲିବା ମୋର ଶେଷ ଥିଲା ।

ତା ପରେ ମୁଁ ଅନେକ ହାଲୁକା ହୋଇଯାଇଥିଲି ହଠାତ୍ ଆଉ ଅତି ଉଚ୍ଚରୁ ଦେଖୁଥିଲି ଯେ ମୋରି ହାଡମାଂସର ଫଟା ଦେହରେ ଲହୁ ସରସର ହେଇ ଧୂଳି ଚାଟୁଛି । ବିଚରା।

ଆଉ ତାକୁ ଘେରିରହି ଚିଲଉଛନ୍ତି ଦଳଦଳ ଦି ଗୋଡିଆ " ବାଘ" ।



Rate this content
Log in

Similar oriya story from Action