STORYMIRROR

Santanu Bisoi

Classics

5.0  

Santanu Bisoi

Classics

ଯୌତୁକ ଓ ନାରୀ।

ଯୌତୁକ ଓ ନାରୀ।

4 mins
793


ଶରୀର, ଯଦି କୌଣସି ରୋଗ ବ୍ୟାଧି ଦ୍ୱାରା ଆକ୍ରାନ୍ତ ହୁଏ, ତାକୁ ତୁରନ୍ତ ନିରାକରଣ କରିବା ଆବଶ୍ୟକ। ନଚେତ୍ ଏହା ଆଗକୁ ବଢି ନିଜର କ୍ଷତି ସାଧନ କରାଇବା ସଙ୍ଗେ ସଙ୍ଗେ ପାଖ ଲୋକକୁ, ତା ପରେ ତା ପାଖ ଲୋକକୁ, ପରିବାର, ପଡୋଶୀ, ସାହି, ଗାଁ, ପାଖ ପଡୋଶୀ ଗାଁ ଓ ସହର ଆଦିକୁ ବଢି ଚତୁର୍ଦିଗରେ ପରିବ୍ୟାପ୍ତ କରାଇଦେଵ।


"ଲାଗ ଲାଗ ସାଇ ପଡିସା ଲାଗ।" ଓଡ଼ିଶାରେ ଏହି ପ୍ରବାଦ ଟି ବହୁ ପୁରୁଣା। ଯୌତୁକ ମଧ୍ୟ ଏମିତି ଦେଖାଶିଖା ହୋଇ ଜଣକ ପରେ ଜଣକୁ ସଂକ୍ରମିତ ହୋଇଥାଏ।


ଏଠାରେ କହି ରଖିବାକୁ ଚାହୁଁଛି, ଏହା ଏକ ଗଳ୍ପ, ପ୍ରବନ୍ଧ କିମ୍ବା ଭ୍ରମଣ କାହାଣୀ ନୁହେଁ। ସାମାଜିକ ଚଳଣିରେ ଉପରୋକ୍ତ ବର୍ଣନା ଅନୁଯାୟୀ "ଯୌତୁକ ଏକ ସାମାଜିକ ବ୍ୟାଧି" ଏବିଷୟରେ ଏହା ଏକ ସମ୍ୟେକ୍ ଆଲୋକପାତ ମାତ୍ର।


ପୁରାଣ, ଇତିହାସ ଯୁଗରୁ ଯୌତୁକ ପ୍ରଥା ରହି ଆସିଛି।


ସତେ ଯେମିତି ଯୁଗେ ଯୁଗେ ନାରୀ ନିର୍ଯାତନା ସମାଜର ଏକ ଅବୈଧ କଳଙ୍କିତ ଅଙ୍ଗ ଓ ଚିର ସହଚର।


ରାଜା, ମହାରାଜା, ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ନିଜର ଆଭିଜାତ୍ୟ ପ୍ରତିପତ୍ତି ଓ ବାହ୍ୟ ଆଡମ୍ବର ଦ୍ୱାରା ଜନମାନସରେ ପ୍ରଭାବ ବିସ୍ତାର କରିବା ପାଇଁ କନ୍ୟା ବିଦାଗି ସମୟରେ ଅନେକ ଉପଢୌକନ ଦେଉଥିଲେ।


ନିଜ ନିଜର ସମ୍ବଳ ଉପରେ ଥିବା ମିଥ୍ୟା ଅହଂକାର, ମିଥ୍ୟା ବଡିମାରେ କବଳିତ ହୋଇଥିବା, ଯୌତୁକ ପ୍ରଥା ଧୀରେ ଧୀରେ ନିମ୍ନସ୍ଥ କର୍ମଚାରୀଙ୍କୁ ଆକ୍ରାନ୍ତ ହୋଇ ଏକ ବ୍ୟାଧି ଭଳି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ସମୟ କ୍ରମେ ଏହି ଡାଉରୀ ବା ଯୌତୁକ ଦେବା ନେବା ପାଇଁ ବାଧ୍ୟ ବାଧ୍ୟକତାରେ ରୂପାନ୍ତରିତ ହୋଇଥିଲା। କନ୍ୟା ପକ୍ଷ ଉପରେ ଯୌତୁକ ବୋଝକୁ ଜୋର ଜବରଦସ୍ତ ଲଦି ଦିଆଗଲା।


ପୁରୁଷ ପ୍ରଧାନ ଦେଶରେ ନାରୀ ଉପରେ ହେଉଥିବା ନିର୍ଯ୍ୟାତନାର ଅଧିକାଂଶ ଭାଗ କେବଳ ଯୌତୁକ ଜନିତ।

ଘର ପରିବାର ଠାରୁ ଦୂରେଇ, ଅଚିହ୍ନା ଅପରିଚିତ ଲୋକକଙ୍କୁ ଆପଣାର କରିବା ପାଇଁ ଆସିଥିବା ନବ ବଧୁର ଦୋଷ କଣ ଥାଏ?


 ଦେଖା ଦେଖି, ଚିହ୍ନା ଜଣା, ପଚାର ଉଚୁରା, ଦେବା ନେବା ର ସବୁ ପର୍ବ ସାରି ଝିଅଟିଏ ଯେତେବେଳେ ବରଘରର ଏରୁଣ୍ଡି ବନ୍ଧ ମାଡିଥାଏ, ସେ ଆଖିରେ ଆଖିଏ ସ୍ୱପ୍ନ ନେଇ ନିଜର ସୁନେଲି ଭବିଷ୍ୟତକୁ ହାତ ପାଆନ୍ତାରେ ଦେଖିଲା ଭଳି ଅନୁଭବ କରି ସାରିଥାଏ। ଯୌତୁକ ଲୋଭି ସମାଜ ତା ସେବା,ତ୍ୟାଗ, ବଳିଦାନ ର ପ୍ରତିବଦଳରେ ତାକୁ ଦେଇଥାଏ କଣ?


ନିର୍ଯ୍ୟାତନା, ବଧୂ ହତ୍ୟା, ପାସବିକ ଅତ୍ୟାଚାର


ଯୌତୁକ ଜନିତ ହତ୍ୟା, ନିର୍ଯ୍ୟାତନା, ଛାଡପତ୍ର ଭଳି ଖବର, ଦୈନିକ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। ଏହାର କାରଣ କଣ ହୋଇପାରେ?


କଥାରେ ଅଛି "ଦେଖା ଶିଖା, ଗଉଡ଼ ବିଭା"।


ନିଜ ପରିସ୍ଥିକୁ ନ ଦେଖି, ପାଖ ପଡ଼ୋଶୀଙ୍କ ହାବଭାଵରେ ଅନୁପ୍ରାଣିତ ହୋଇ ହଠାତ ବିବାହ ଭଳି କାର୍ଯ୍ୟ ପାଇଁ ନିଷ୍ପତ୍ତି ଗ୍ରହଣ କରୁଥିବା ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତଲୋକ ଯୌତୁକ ରୂପୀ ବ୍ୟାଧିର ସୁ-ପରିବାହି ଅଟନ୍ତି।

ଏଧରଣର ଲୋକମାନେ ଦେଖାଶିଖା ହୋଇ ବିବାହ କରିବା ଓ କରାଇବା ପରେ ଯୌତୁକ ବି ପ୍ରତିଯୋଗିତା ମୂଳକ ଭାବେ ଆଣିଥାନ୍ତି। ରାମ ପୁଅ ଏତିକି ଟଙ୍କା ଯୌତୁକ ଆଣିଛି, ଦାମ ଓ ଶ୍ୟାମ ପୁଅ ଯୌତୁକ ଆଣି ଘର ଭର୍ତ୍ତି କରିଦେଲେଣି। ଆମ ପୁଅର କେଉଁଠି ଉଣା ଅଛି? ଘର ଦ୍ୱାର, କର୍ମସଂସ୍ଥାନ? ତେବେ ଆମେ ତା ଠାରୁ କାହିଁକି କମ୍ ଯୌତୁକ ଆଣିବୁ? ଏଭଳି ମନ୍ତବ୍ୟ ରଖି ଲୋକଙ୍କ ମନକୁ ଯୌତୁକ ଆଡକୁ ଆକର୍ଷିତ କରାଇ ଥାଆନ୍ତି।


କିଛି କନ୍ୟା ପକ୍ଷ ମଧ୍ୟ ପ୍ରତିଯୋଗିତା ମୂଳଜ ଭାବେ ଡାଉରୀ ଟଙ୍କା ଦେଇଥାନ୍ତି, ଯାହାର କୁ ପ୍ରଭାବ ସିଧାସଳଖ ତଳଶ୍ରେଣୀର ଲୋକଙ୍କ ଉପରେ ପଡିଥାଏ।


ଅଶିକ୍ଷିତ ବ୍ୟକ୍ତି ବିଶେଷ ବାଲ୍ୟବିବାହକୁ ପ୍ରଶ୍ରୟ ଦେଇଥାନ୍ତି।


ଅପରିଣାମଦର୍ଶୀ ଓ ଚାକଚକ୍ୟ ପ୍ରତି ଆକୃଷ୍ଟ କମ୍ ବୁଦ୍ଧି ସମ୍ପର୍ଣ୍ଣ ବ୍ୟକ୍ତି ସମୁହ ଯୌତୁକ କାରବାରର ଅନୁପାତକୁ ବୃଦ୍ଧି କରାଇ ଥାଆନ

୍ତି ଏସବୁକୁ ବିଚାର କଲେ ଜଣାଯାଏ ଅଶିକ୍ଷା, ଅଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୌତୁକ ରୂପକ ବ୍ୟାଧିକୁ ଅନିୟନ୍ତ୍ରିତ ଭାବେ ବଢ଼ାଇ ଥାଆନ୍ତି।


"ସ୍ୱାର୍ଥପରତା ବା ସଂକୀର୍ଣ୍ଣ ସ୍ୱାର୍ଥ ମଣିଷକୁ ଯୌତୁକ ଲୋଭି କରାଇ ଥାଏ"।


ଦୀର୍ଘଦିନ ପାଇଁ ବନ୍ଧୁତା ଡୋରୀରେ ବାନ୍ଧି ହେବାକୁ ପ୍ରତିଶୃତି ବଦ୍ଧ ଥିବା ଦୁଇ ପରିବାର ଆଗରେ ଅର୍ଥ ହିଁ ସ୍ୱାର୍ଥପରତା ସୃଷ୍ଟି କରାଇ ଏକ ନିଶ୍ଚିତ ବିପଦ ଆଡକୁ ଟାଣିନିଏ।ଏବଂ ଯୌତୁକ ଭଳି ଏକ ମାଗଣା ସମ୍ପତି ଆଡକୁ ମଣିଷକୁ ଚୁମ୍ବକ ଭଳି ଆକର୍ଷିତ ହୋଇଥାଏ। 


ଯୌତୁକ ସମାଜରେ ଶୋଷକ ଓ ଶୋଷିତ ଶ୍ରେଣୀ ସୃଷ୍ଟି କରିଥାଏ। 


ବର ପକ୍ଷର ଆର୍ଥିକ ଦୁର୍ବଳତା, ଅପାରଗତା ଓ ହୀନମାନ୍ୟତା ସେମାନଙ୍କୁ ଅଧିକ କଠୋରରୁ କଠୋର କରାଇ ଯୌତୁକ ମାଗିବା ଭଳି ନିଷ୍ପତି ଗ୍ରହଣ କରିବା ଆଡକୁ ଟାଣି ନିଏ।


"କୃପଣ ପଣିଆ ଯୌତୁକ ବ୍ୟାଧିର ଆଉ ଏକ ଭୁତାଣୁ।" 


ଏହା ଖୁବ ଶୀଘ୍ର ସଂକ୍ରମିତ ହୋଇ ଅନ୍ୟକୁ ଆକ୍ରାନ୍ତ କରାଇଥାଏ। କନ୍ୟା ପକ୍ଷରୁ ମାଗଣ ସମ୍ପତି ଅର୍ଜନ କରୁଥିବା ବ୍ୟୟ କୁଣ୍ଠିତ ବ୍ୟକ୍ତି ନାରୀ ସମ୍ମାନ ଉପରେ ପ୍ରାଧାନ୍ୟ ଦେଇ ନ ଥାଏ।


ଯୌତୁକ ରାକ୍ଷସକୁ ଡରି କିଛି ଜାଗାରେ ବଦଳ କନିଆ ପ୍ରଥା ରହି ଅଛି। ଯୌତୁକର ସମାନତା ଆଣିବା ପାଇଁ କନ୍ୟାର ଭାଇ କନ୍ୟାର ନଣନ୍ଦକୁ ବିବାହ କରିଥାଏ।


ପୂର୍ବ କାଳରେ ଲୋକ ଶଗଡ଼ ଗଣତି କରୁଥିଲେ। ଅମକେଇର ବୋହୁ ପନ୍ଦର ଟା ଶଗଡ଼ ଭର୍ତ୍ତି ଯୌତୁକ ଆଣିଥିଲା କହି ବାହାଦୁରୀ ନେଉଥିଲେ। 

ପ୍ରସ୍ତର ନିର୍ମିତ ଶୀଳ, ଘୋରଣା, ପେସେଣା ଆଦି କନ୍ୟା ଘରୁ ବରଘରକୁ ଦିଆଯାଉଥିଲା। ଯାହା ଏବେ ଗୋଟିଏ ଗ୍ରାଇଣ୍ଡର କରିପାରୁଛି। 

ଧାନ, ଗହମ, ମୁଗ ଭଳି ଶସ୍ୟ ମଧ୍ୟ ପୁରୁଗ ବାନ୍ଧି ବର'ଘରକୁ ଦିଆ ଯାଉଥିଲା। ସାଇକେଲ, ଘଣ୍ଟା, ରେଡ଼ିଓ ମଧ୍ୟ ଯୌତୁକର ଗୋଟିଏ ଗୋଟିଏ ଉପାଦାନ ଥିଲା।


ଗରିବ ଓ ମଧ୍ୟବିତ୍ତ ପରିବାରରେ ଯୌତୁକ ଜନିତ ନିର୍ଯ୍ୟାତନା ସିମୀତ ନୁହେଁ। ସମ୍ଭ୍ରାନ୍ତ ପରିବାରରେ ମଧ୍ୟ ଏହି ପ୍ରକ୍ରିୟାକୁ ନେଇ ମନାନ୍ତର ଘଟିଥାଏ। ଅର୍ଥ ହେଉ ବା ଅନ୍ୟ କିଛି କାରଣ, ଛାଡପତ୍ର,ନିର୍ଯ୍ୟାତନା ବହୁ ବଡ଼ ବଡ଼ ପରିବାରରେ ଦେଖିବାକୁ ମିଳିଥାଏ। ବଂଶ, ଆଭିଜାତ୍ୟ ଓ ପରମ୍ପରାର ଦ୍ୱାହି ଦେଇ କନ୍ୟା ରତ୍ନକୁ ଭାବପ୍ରବଣତାର ବଶବର୍ତ୍ତୀ କରାଇ (emotional blackmail) ଉଭୟ ପରିବାର ତରଫରୁ ଅନେକାଂଶରେ ନବବଧୂକୁ ଚୁପ୍ କରା ଯାଇ ଥାଏ। ନିଜର ଅବ୍ୟକ୍ତ ବେଦନାକୁ ପରିପ୍ରକାଶ କରି ନ ପାରି ବଧୂଟି ମରଣକୁ ହିଁ ଶେଷ ରାସ୍ତା ରୂପେ ବାଛି ନିଏ।


ସମାଜରେ ଯୌତୁକ ଏକ ଏଭଳି ଅସାମାଜିକ ଦଣ୍ଡ ବ୍ୟବସ୍ଥା, ଦଣ୍ଡ ପାଉଥିବା ଜଣେ ବ୍ୟକ୍ତି ବା ପରିବାରକୁ ଦେଖି ଆଖପାଖ ଓ ଦୂରଦୂରାନ୍ତ ପର୍ଯ୍ୟନ୍ତ ଝିଅ ଜନ୍ମଦେଲାବେଳେ ସମସ୍ତେ ଚିନ୍ତାରେ ପଡ଼ି ଯାଆନ୍ତି। ଏହି କାରଣରୁ କନ୍ୟା ଭ୍ରୁଣହତ୍ୟା ଆଜିର ଦିନରେ ବଢି ଯାଇଛି।


ଛୋଟ ଛୁଆ ସମୟରୁ ଗୋଟିଏ ଶିଶୁକନ୍ୟାର ଲାଳନ ପାଳନ, ଶିକ୍ଷା, ସଂସ୍କର ଓ ଅନ୍ୟାନ୍ୟ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବିବାହ ସମୟରେ ବରପାତ୍ରର ଦାବି ଅନୁସାରେ ଯୌତୁକ ଦେବାକୁ କନ୍ୟା ପକ୍ଷ ବାଧ୍ୟ ହୋଇଥାନ୍ତି। ଫଳରେ ଝିଅକୁ ବୋଝ ଭାବି କନ୍ୟା ଭ୍ରୁଣହତ୍ୟା ଭଳି ଅନ୍ୟ ଏକ ସାମାଜିକ ବ୍ୟାଧିର ଉଦ୍ଭବ ହୋଇଥାଏ। ଛୁଆ ବିକ୍ରି ଘଟଣା ଦୃଷ୍ଟିଗୋଚର ହୁଏ।


ଏକ ବେସରକାରୀ ସର୍ଭେ ଅନୁସାରେ ୨୦୧୫ ମସିହାରେ ଯୌତୁଜ ଜନିତ ବଧୂହତ୍ୟା ପ୍ରାୟ ୬୦୮ ଅଟେ। ଏହି ସର୍ଭେକୁ ସମୀକ୍ଷା କଲେ ଜଣାଯାଏ ସରକାରୀ ସ୍ଥାଣୁତା, ଦୋଷୀକୁ ଦଣ୍ଡ ଦେବାରେ ଉଦାର ଭାବ ପୋଷଣ, ଯୌତୁକ ଜନିତ ହଜାର ହଜାର କେସ୍ ବିଚାର ନ ହୋଇ ପଡିରହିବା, ଯୌତୁକ ବ୍ୟାଧିକୁ ସରକାରୀ ପ୍ରୋତ୍ସାହନ ଅଟେ।


ନାରୀ..., ଜାୟା, ଜନନୀ, ଭଗିନୀ। ସୃଷ୍ଟି କାରିଣୀ। ତାକୁ ଯୌତୁକ ଜୁଇରେ ଜାଳି ଦେବା ଯଦି ପୁରୁଷ ପ୍ରଧାନ ସମାଜରେ ସ୍ୱୀକୃତ ତେବେ ମାନବ ସମାଜ ଧ୍ୱଂସ ଆଉ ବହୁତ ଦୂର ନୁହେଁ।


Rate this content
Log in

Similar oriya story from Classics