ସେଦିନ ଓ ଆଜି
ସେଦିନ ଓ ଆଜି
ପାଣ୍ଡବଙ୍କ ପ୍ରତି ହସ୍ତୀନାପୁର ପ୍ରଜା ମାନଙ୍କର ଅହେତୁକ ପ୍ରେମଭାବ ଦେଖି ମହାମାନୀ ଦୁର୍ଯ୍ୟୋଧନଙ୍କର ମନ ମୀନ ଗଭୀର ଜଳରେ ଡୁବିଗଲା, ମାନଗୋବିନ୍ଦ ଖୁଵ ଚିନ୍ତା ପ୍ରକଟ କଲେ। ନିଜର ଲୋକପ୍ରିୟତା ହାସଲ ପାଇଁ କିଛି ଦିନ ପାଣ୍ଡବ ମାନଙ୍କୁ ହସ୍ତୀନାପୁରରୁ ବାରୁଣାବନ୍ତକୁ ପଠାଇବାକୁ ନିଜ ପିତା ଧୃତରାଷ୍ଟ୍ରଙ୍କୁ ଅନୁମତି ମାଗିଲେ। ନିଜ ପୁତ୍ରର ଅନୁରୋଧ ରକ୍ଷାକରି ଧୃତରାଷ୍ଟ୍ର ସମ୍ମତି ପ୍ରଦାନ କଲେ। କୂଟନୀତି ରାଜନୀତିର ଅଭିନ୍ନ ଅଙ୍ଗ। ପ୍ରକୃତ ରାଜନୈତିକ ଅଭିସନ୍ଧି ଏହା ଥିଲା ଯେ, ହସ୍ତୀନାପୁରର ପ୍ରଜାଙ୍କ ନିକଟରୁ ପ୍ରଜାନୁରଞ୍ଜକ ଯୁଧିଷ୍ଠିରଙ୍କୁ କିଛି ଦିନ ଦୁରେଇ ଦେଇ, ଭଲ କର୍ମକରି ଦୁର୍ଯ୍ୟୋଧନ ପ୍ରଜାଙ୍କ ନିକଟରେ ନିଜର ପ୍ରତିଷ୍ଠା, ପ୍ରତିପତ୍ତି ଓ ମହାନୁଭବତା ଦ୍ୱାରା ନିକଟବର୍ତ୍ତୀ ହୋଇ ସାରି ପ୍ରଜାଙ୍କୁ ନିଜ ପକ୍ଷଭୁକ୍ତ କରାଇ ସରିଲା ପରେ ପୁଣି ପାଣ୍ଡବଙ୍କୁ ଡକାଇ ଅଣାଯିବ।
ଦୁର୍ଯ୍ୟୋଧନ ନିଜର ମନ୍ତ୍ରୀ ପୁରୋଚନ ଦ୍ୱାରା ପାଣ୍ଡବଙ୍କୁ ବାରୁଣାବନ୍ତ ପ୍ରତି ଆକୃଷ୍ଟ କରାଇବାରେ ସମର୍ଥ ହୋଇପାରିଥିଲେ। କୁମନ୍ତ୍ରଣାରେ ଅଭିମନ୍ତ୍ରିତ ପୁରୋଚନ, ପାଣ୍ଡବଙ୍କ ରହିବା ପାଇଁ ବାରୁଣାବନ୍ତରେ ଏକ ଜତୁଗୃହ ନିର୍ମାଣ କରିଥିଲେ। ବିଷୋକୁମ୍ଭ ପୟୋମୁଖ ସମ୍ପନ୍ନ ପୁରୋଚନ ବାରୁଣାବନ୍ତର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଏବଂ ନବନିର୍ମିତ ପ୍ରାଶାଦର ରୂପବର୍ଣ୍ଣନ ବାରମ୍ବାର କରି ପାଣ୍ଡବଙ୍କୁ ମନ୍ତ୍ରମୁଗ୍ଧ କରାଇ ପାରିଥିଲେ। ତାଙ୍କରି ଭାଷା ମଧୁରେ ପ୍ରଭାବିତ ହୋଇ ପାଣ୍ଡବ ମାନେ ବାରୁଣାବନ୍ତ ଯିବାପାଇଁ ସ୍ଥିରକଲେ।
ପଞ୍ଚୁ ପାଣ୍ଡବ ମେଲାଣି ନେବାପାଇଁ କନିଷ୍ଠ ତାତ ବିଦୁରଙ୍କ ପାଖରେ ପହଁଚିଲେ। ବିଦୁର ଜଣେ ବିଚକ୍ଷଣ ପ୍ରତିଭାବାନ, ବିଦ୍ୱାନ, ଦୂରଦୃଷ୍ଟି ସମ୍ପନ୍ନ, ପରିଣାମଦର୍ଶୀ ବିଦୁଷକ ଥିଲେ। ନିଜର ଗୁପ୍ତଚର ଦ୍ୱାରା ରାଜ୍ୟର ସମସ୍ତ ପ୍ରକାରର ଗତିବିଧି କୁ ନିୟନ୍ତ୍ରଣ କରିବାରେ ସେ ସକ୍ଷମ ବ୍ୟକ୍ତି ଥିଲେ। ପାଣ୍ଡବଙ୍କୁ ସେ ଗଭୀର ଭାବରେ ଭଲ ପାଉଥିଲେ। ଦୁର୍ଯ୍ୟୋଧନଙ୍କ କୂଟନୈତିକ ଷଢ଼ଜନ୍ତ୍ର ଏବଂ ପୁରୋଚନଙ୍କ କପଟୀ ମିତ୍ର ସ୍ଵଭାବ ବିଦୁରଙ୍କୁ ଅଛପା ନଥିଲା। ଧୃତରାଷ୍ଟ୍ରଙ୍କ ରାଜଦରବାରେ ଅଧିଷ୍ଠିତ ଥିବାରୁ ସେ ପାଣ୍ଡବଙ୍କୁ ଏହି ଯାତ୍ରାରୁ କ୍ଷାନ୍ତ ରଖିବାକୁ ଅସମର୍ଥ ଥିଲେ।
ଚତୁର, କାର୍ଯ୍ୟଦକ୍ଷ, କୌଶଳୀ,ପାରଦର୍ଶୀ ବା ବୁଦ୍ଧିଜୀବୀ ଲୋକଙ୍କୁ ଏକ ଛୋଟ ସଂକେତ ହିଁ ନିଜ ପରବର୍ତ୍ତୀ ଯାତ୍ରା ବା ସଂଘର୍ଷମୟ ପ୍ରଗତି ପାଇଁ ଯଥେଷ୍ଟ ହୋଇଥାଏ।
କଥୋପକଥନର ବିରାମ ସମୟ ଦେଖି,ବିଦୁର ଯୁଧିଷ୍ଠିରଙ୍କୁ କହିଲେ, ବତ୍ସ! ତୁମେ ଅତ୍ୟନ୍ତ ଧର୍ମପ୍ରାଣ, ବିଚାରବନ୍ତ, ଏବଂ ବୁଦ୍ଧିମାନ ମଧ୍ୟ। କହିପାରିବ? ଯଦି ଜଙ୍ଗଲରେ ଭୀଷଣ ଭାବରେ ପ୍ରଳୟଙ୍କରୀ ଅନିୟନ୍ତ୍ରିତ ନିଆଁ ଲାଗିଯାଏ, ତେବେ କୋଉ ପ୍ରାଣୀ ବଞ୍ଚି ରହି ପାରିବ?
ଯୁଧିଷ୍ଠିର ଉତ୍ତର ଦେଲେ:- ହେ, ତାତ! ଜଙ୍ଗଲରେ ଯଦି ପ୍ରଚଣ୍ଡ ହୁତାଶନ ପ୍ରଜ୍ବଳିତ ହୁଏ, ତେବେ କ୍ଷିପ୍ର ଧାବମାନ ହରିଣ, ଗୟଳ, ଅତି ବଳଶାଳୀ ହସ୍ତୀ, ଜଙ୍ଗଲର ରାଜା ସିଂହ ଏବଂ ହିଂସ୍ର ବ୍ୟାଘ୍ର ଓ ଶାଖାମୃଗ ମାନେ ଜଳି ପୋଡି ପାଉଁଶ ହୋଇଯିବେ। ଗର୍ତ୍ତ ବା ବିଳ ଭିତରେ ଥିବା ଉନ୍ଦୁରୁକ ହିଁ ସୁରକ୍ଷିତ ରହିପାରିବ। ଦାବାନଳ ଶାନ୍ତ ହେଲା ପରେ ସେ ଗହ୍ୱର ଭିତରୁ ବାହାରି ଜୀବନ ନିର୍ବାହ କରିପାରିବ।
ବିଦୁର ନିଜକୁ ଆସ୍ୱସ୍ତି ଅନୁଭବ କଲେ। ଅନ୍ତରର ଖୁସି ଉଦ୍ଦୀପନାକୁ ସଂଯତ କରି କହିଲେ, ବତ୍ସ! ତୁମଠାରୁ ଉଚିତ ଉତ୍ତର ପାଇ ମୁଁ ଆନନ୍ଦିତ। ଯାଅ, ତୁମର ଯାତ୍ରା ଶୁଭଙ୍କର ହେଉ। ଯଶସ୍ୱୀ ହୁଅ।
ପରବର୍ତ୍ତୀ ସମୟରେ ରାତ୍ରିଯାପନ ଉଦ୍ଦେଶ୍ୟରେ ପାଣ୍ଡବ ମାନେ ଜତୁଗୃହ ମଧ୍ୟରେ ଥିବା ବେଳେ କପଟତା ଆଚରଣ କରି ଜତୁଗୃହକୁ ଅଗ୍ନି ସଂଯୋଗ କରି ଦିଆ ଯାଇଥିଲା। କିନ୍ତୁ ଚତୁର ବିଜ୍ଞ ଓ ବୁଦ୍ଧିମତାର ପରିଚୟ ଦେଇ ସୁଡଙ୍ଗ ଖୋଳି ପଞ୍ଚୁ ପାଣ୍ଡବ ନଜି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।
ବେଳେବେଳେ ଅନ୍ୟକୁ ଜ୍ଞାନାଲୋକ ବଣ୍ଟନ କରୁଥିବା ଜ୍ଞାନୀ ମାନୀ ବିଜ୍ଞାନୀ ମାନେ ନିଜ ଉପରେ ପଡିଥିବା ବିପତ୍ତିରେ ତଟସ୍ଥ ହୋଇ ନିଜର ଲବ୍ଧ ବୁଦ୍ଧିମତାକୁ, ପ୍ରାରବ୍ଧ ଜ୍ଞାନକୁ ଉପସ୍ଥିତ ବୁଦ୍ଧିକୁ ଭୁଲି ଯାଇଥାନ୍ତି।
ଜତୁଗୃହ ଘଟଣା ମହାମାନୀ ଦୁର୍ଯ୍ୟୋଧନଙ୍କ ଜ୍ଞାନ୍ତସାରରେ ଅଘୋଷିତ ଅଦୃଶ୍ୟ ଇଙ୍ଗିତରେ ହିଁ ଘଟିଥିଲା। କିନ୍ତୁ ମହାଭାରତ ଯୁଦ୍ଧର ଶେଷ ଭାଗରେ ଯେତେବେଳେ ମାନଗୋବିନ୍ଦ, ନିଜ ଜୀବନ ବଞ୍ଚାଇବା ପାଇଁ ମାନସରୋବରରେ ନିଜ ଧର୍ମର ମାତା ଲକ୍ଷ୍ମୀଙ୍କ ପଣତ ଆଢୁଆଳରେ ଥିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ। ଯୋଉ ପର୍ଯ୍ୟନ୍ତ ସେ ଲକ୍ଷ୍ମୀଙ୍କ ବାରଣ ମାନି ଭୀମସେନର ସାମ୍ନା କରୁନଥିଲେ ସେ ପର୍ଯ୍ୟନ୍ତ ସେ ନିରାପଦ ଥିଲେ। ଯୋଉପର୍ଯ୍ୟନ୍ତ ସେ ସରୋବର ମଧ୍ୟସ୍ଥ ଲକ୍ଷ୍ମୀ ନିବାସରେ ଆବଦ୍ଧ ଥିଲେ ସେ ପର୍ଯ୍ୟନ୍ତ ତାଙ୍କ ଜୀବନ ବିପଦର ପରିସୀମା ବାହାରେ ଥିଲା। ଭୀମସେନଙ୍କ ତିନୋଟି ରଣହୁଙ୍କାର ଶୁଣି ସେ ଘରୁ ବାହାରକୁ ଆସିଥିଲେ ଏବଂ ନିଜ ହାତରେ ନିଜ ଜୀବନ ପ୍ରଦୀପ ଲିଭାଇ ଦେଇଥିଲେ।
ବିଚାର୍ଯ୍ୟ, ପୋଡୁଥିବା ଜଙ୍ଗଲରେ ଉନ୍ଦୁରୁକ ଗର୍ତ୍ତ ବା ବିଳରୁ ନ ବାହାରି ବାରୁ ସୁରକ୍ଷିତ।
ଦୁର୍ଯ୍ୟୋଧନ ମାନସରୋବର ଭିତରୁ ବାହାରି ନ ଆସିଥିଲେ ସୁରକ୍ଷିତ ରହିଥାନ୍ତେ।
ଯେମିତି ଗୋଟିଏ ମୁକ୍ତା ଶାମୁକା ଭିତରେ ଥିଲା ପର୍ଯ୍ୟନ୍ତ ନିଜେ ସୁରକ୍ଷିତ ରହିଥାଏ ।
ଗୋଟିଏ କଛପ ଯୋଉ ପର୍ଯ୍ୟନ୍ତ ନିଜ କଠିନ ଆବରଣକୁ ଛାଡି ବାହାରକୁ ନ ବାହାରିଛି ସେ ପର୍ଯ୍ୟନ୍ତ ସେ ସୁରକ୍ଷିତ।
ଗୋଟିଏ ନାରୀ ଯେଉଁ ପର୍ଯ୍ୟନ୍ତ ଆବୃତ ପୋଷାକରେ ଏବଂ ନିଜ ସୀମା ସରହତ ଭିତରେ ରହିଛି ସେ ପର୍ଯ୍ୟନ୍ତ ସେ ସୁରକ୍ଷିତ।
ଲେଖିବାର ତାତ୍ପର୍ଯ୍ୟ ଏହି ଯେ:-
ଉନ୍ଦୁରୁକ ଓ ପଞ୍ଚୁପାଣ୍ଡଵ ବିବର ମଧ୍ୟରେ ସୁରକ୍ଷିତ ରହିଲା ଭଳି ଏବଂ ମୁକ୍ତା ଓ କଛପ କଠିନ ଆବରଣରେ ଆବୃତ ରହିଲା ଭଳି ରହିଲେ ହିଁ COVID19ଠାରୁ ଆମେ ସୁରକ୍ଷିତ ରହିପାରିବା।
ନୋଭେଲ କରୋନା୧୯ ପ୍ରବାହମାନ ସମୟରେ, ଯେତେବେଳ ପର୍ଯ୍ୟନ୍ତ ଆମେ ଦୁର୍ଯ୍ୟୋଧନଙ୍କ ପରି ଗୃହବନ୍ଦି ରହିବା, ସେତେଦିନ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ରହିବା।
ଉତ୍ସୃଙ୍ଖଳ,ଔଦ୍ଧତ୍ୟ ଓ ଖାମଖିଆଲି ଜୀବନ ନ ବିତେଇ ଆବୃତ ପୋଷାକ ପରିହିତା ରମଣୀ ସଦୃଶ ଯଦି ସରକାରଙ୍କ ନୀତି ନିୟମ ମାନି ସାନେଟାରାଇଜ ବ୍ୟବହାର କରି ସୁସ୍ଥ ଜୀବନ ନିର୍ବାହ କଲେ ହିଁ ଆମେ COVID19କୁ ସହଜରେ ହରେଇ ଦେଇ ପାରିବା ।
ସାମାଜିକ ଦୂରତା,
COVID19କୁ ହରେଇବାର ବାର୍ତ୍ତା ।।
୨୦ସେକେଣ୍ଡ ହାତ ଧୁଅ,
COVID19କୁ ଦୁରେଇ ଦିଅ।"