ବୈଦ୍ୟେଶ୍ଵର।(ଭିଟାମାଟି)
ବୈଦ୍ୟେଶ୍ଵର।(ଭିଟାମାଟି)
ଶ୍ରୀରାମ, ଲକ୍ଷ୍ମଣ, ସୀତା ଦେବୀଙ୍କ ପଦସ୍ପର୍ଶ ପାଇ ନିଜକୁ କୃତ୍ୟ କୃତ୍ୟ ମଣୁଥିବା ପୁରାଣ ପୃଷ୍ଠାର କେଉଁ ଏକ ନିଭୃତ ପୃଷ୍ଠା ମଣ୍ଡନକରିଥିବା ପୁତ ପବିତ୍ର ମନୋରମପୂର୍ଣ୍ଣ ଶାନ୍ତ ସରଳ ଗାଁ ହେଉଛି କଟକ ଜିଲ୍ଲାର ବୈଦ୍ୟେଶ୍ୱର। ଅନବରତ ଯାହାର ପଦଧୌତ କରି ଚାଲିଛି ପୁଣ୍ୟ ପାବନୀ ମହାନଦୀ।
ଶସ୍ୟ ଶ୍ୟାମଳରେ ପୁଷ୍ଟ କରି ପୁଣ୍ୟତୋୟା ମହାନଦୀର ଜଳ ଉନ୍ନତ ସମୃଦ୍ଧ କରିଛି ବୈଦେଶ୍ୱରର ବକ୍ଷ ଦେଶକୁ। ସୁଉଚ୍ଚ ସବୁଜ ବଟ ବୃକ୍ଷର ପରିବେଷ୍ଟନୀ ଅଧିକରୁ ଅଧିକ ଶୀତଳ ଓ ସୌମ୍ୟକାନ୍ତ କରିଛି ମହାନଦୀର ତଟଦେଶରେ ଅବସ୍ଥିତ ଏହି ବୈଦ୍ୟେଶ୍ଵର ଗ୍ରାମକୁ ।
ମହାଦେବ ବୈଦେଶ୍ୱର ଏହି ଗାଁର ସର୍ବମାନ୍ୟ ଇଷ୍ଟ।ଜନଶ୍ରୁତି ଅନୁଯାୟୀ ପ୍ରଭୁ ବୈଦେଶ୍ୱରଙ୍କ ନାମାନୁସାରେ ଗାଁ ଟିର ନାମ ନାମିତ କରାଯାଇଛି "ବୈଦ୍ୟେଶ୍ଵର"।
ରାମାୟଣ ଯୁଗର କଥା।ରାମ, ଲକ୍ଷ୍ମଣ,ସୀତା ଯେତେବେଳେ ବନବାସରେ କାଳାତିପାତ କରୁଥିଲେ ସେତେବେଳେ ଅଧୁନା ବୈଦେଶ୍ୱର ଓ ପବିତ୍ର ମହାନଦୀର ତଟଦେଶରେ ଥିବା ହାତିଆ ପାହାଡରେ କିଛିଦିନ ଅତିବାହିତ କରିଥିଲେ। ପିତୃଶ୍ରାଦ୍ଧ ସମୟ ଉପନୀତ ହେବାରୁ ଉତ୍କଳ ପାବନି ସ୍ଵର୍ଣଗର୍ଭା ମହାନଦୀ ପ୍ରାନ୍ତ ବାଲୁକା ପ୍ରାଙ୍ଗଣରେ ପିତୃଶ୍ରାଦ୍ଧ ଦେଇଥିଲେ ମାତା ବୈଦେହୀ।ଜଗତ୍ ମାତା ବୈଦେହୀ ସ୍ନାନାଦି ନିତ୍ୟକର୍ମ ସାରି ହାତିଆ ପାହାଡର ପାଦ ଦେଶରେ ଲିଙ୍ଗ ରୂପୀ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଏହି ଶିବ ଲିଙ୍ଗ ସ୍ୱୟଂ ସମ୍ଭୂତ ବା ଫୁଟାଲିଙ୍ଗ ଅଟେ।ବୈଦେହୀ ଏହି ସ୍ୱୟଂସମ୍ଭୂତ ଲିଙ୍ଗଙ୍କୁ ଉପାସନା କରୁଥିବାରୁ ତାଙ୍କ ନାମାନୁସାରେ ବୈଦେହୀ ପୂଜିତ ଈଶ୍ୱର ବା "ବୈଦେଶ୍ୱର" ନାମରେ ନାମିତ ହୋଇଅଛି।
ଏହା ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ସୌମିତ୍ରୀ ମଧ୍ୟ ବନବାସ କାଳରେ ମହାଦେବଙ୍କୁ ଆରାଧନା କରୁଥିଲେ। ରାମଚନ୍ଦ୍ରଙ୍କ ଆରାଧ୍ୟ ମହାଦେବଙ୍କୁ "ରାମନାଥ" ଏବଂ ସୌମିତ୍ରୀ ପୂଜିତ ମହାଦେବ "ଶିଙ୍ଘନାଥ" ନାମରେ ବିଖ୍ୟାତ।ଏକ କିଲୋମିଟର ବ୍ୟବଧାନରେ ସମକୋଣି ତ୍ରିଭୁଜାକାରରେ ବା
ଗଣିତର ଅତଏବ ଚିହ୍ନ ଭଳି ତିନି ମହାଦେବ ଅବସ୍ଥାନ କରୁଥିବାରୁ ଏହି ପୀଠକୁ "ତ୍ରିକୋଟ ଧାମ" ମଧ୍ୟ କୁହାଯାଏ। ଏହି "ତ୍ରିକୋଟ ଧାମ" ବିଷୟରେ ରାମାୟଣରେ ବର୍ଣ୍ଣିତ ଅଛି। ଶିଙ୍ଘନାଥ ମହାଦେବଙ୍କ ମକର ମେଳା ସେ ଅଞ୍ଚଳର ଏକ ସୁପ୍ରସିଦ୍ଧ ଯାତ୍ରା।
ହାତିଆ ପାହାଡ଼ ଉପରେ ଲକ୍ଷ୍ମୀ ପାଦ ଚିହ୍ନିତ ପ୍ରସ୍ତର ଖଣ୍ଡ ଥିବା ବେଳେ ପାଦଦେଶରେ ବୈଦ୍ୟେଶ୍ଵର ମନ୍ଦିର ଅବସ୍ଥିତ।
ଆଶ୍ଚର୍ଯ୍ୟ ବିସ୍ମୟ ବିଜଡିତ ଏହି ମନ୍ଦିରରେ ଶୋଭାପାଉଛନ୍ତି ବିଶ୍ୱନାଥ ଶିବଙ୍କ ସହ ଶ୍ରୀରାମ, ଲକ୍ଷ୍ମଣ ଏବଂ ମହିଷାମର୍ଦ୍ଦିନୀ ଦୁର୍ଗା।ବୈଦେହୀଙ୍କର କୌଣସି ପ୍ରତିମା ଏଠାରେ ସ୍ଥାନିତ ହୋଇ ନାହିଁ।ବୈଦେହୀଙ୍କ ଜାଗାରେ ମର୍ଯ୍ୟାଦା ପୁରୁଷ ଶ୍ରୀରମ,ଲକ୍ଷ୍ମଣଙ୍କ ସହ ଦୁର୍ଗା ପ୍ରତିମା ରହିବା ପୁରାଣ ଓ ଇତିହାସ ବିରଳ ଅଟେ।
ଅନ୍ୟ ଏକ ଆଶ୍ଚର୍ଯ୍ୟ ଚକିତ କଥା ହେଲା ଭାରତବର୍ଷ ତଥା ସମଗ୍ର ଓଡିଶା ପ୍ରଦେଶର ସମସ୍ତ ଶୈବ ପୀଠରେ ଗୋଟିଏ ବାସୁଆ ବଳଦ ଶିବଙ୍କ ଆଡକୁ ମୁହଁ କରି ରହୁଥିବା ସ୍ଥଳେ ଏଠାରେ ତିନୋଟି ବାସୁଆ ବଳଦ ବୈଦେଶ୍ୱରଙ୍କ ଆଡକୁ ମୁହଁ କରି ଠିଆ ହୋଇଅଛନ୍ତି।ପଶ୍ଚିମ ଓଡିଶା, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ ଜିଲ୍ଲାର ମୁଖ୍ୟ ପ୍ରଧାନ ଏବଂ ପ୍ରସିଦ୍ଧ ଯାତ୍ରା ଚୈତ୍ର ପର୍ବ "ଦଣ୍ଡଯାତ୍ରା" ହୋଇଥିବା ବେଳେ କଟକ ଜିଲ୍ଲାରେ ଦଣ୍ଡଯାତ୍ରା ବିରଳ ପ୍ରାୟ। କିନ୍ତୁ ବୈଦେଶ୍ୱର ମହାଦେବଙ୍କର ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ବିପଦପୂର୍ଣ୍ଣ, ଦୁଃଶାହସିକତାର ପ୍ରଥା "ଝାମୁଯାତ୍ରା" ଏଠାରେ ଅନୁଷ୍ଠିତ ହୋଇଥାଏ। ସାତ ହାତ, ଚଉଦ ହାତ ଏବଂ ଏକୋଇଶ ହାତ ନିଆଁ ଗାଢରେ ଚାଲିବାର ଦୁଃଶାହାସ ବୈଦେଶ୍ୱରଙ୍କ ଦଣ୍ଡୁଆ ଭକ୍ତ ମାନେ କରଥାନ୍ତି। ଶୀତଳ ଷଷ୍ଠୀ/ଶିବ ବିବାହ ପର୍ବ ଏହି ଶୈବ ପୀଠର ଅନ୍ୟତମ ବୈଶିଷ୍ଟ୍ୟ ଅଟେ।ନିମନ୍ତ୍ରିତ ଅତିଥି ଭାବରେ ଶିଙ୍ଘନାଥ ମହାଦେବ ଏବଂ ରାମନାଥ ମହାଦେବ ବୈଦ୍ୟେଶ୍ଵର ମହାଦେବଙ୍କ ପାଖକୁ ଆସନ୍ତି। କିନ୍ତୁ ବୈଦ୍ୟେଶ୍ଵର ମହାଦେବ କାହାର ଆତିଥ୍ୟ ସ୍ୱୀକାର କରି କୌଣସି ଦେବଦେବୀ ପୀଠକୁ ଯାଆନ୍ତି ନାହିଁ।
ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ବିରାଟ କେଶରୀଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଛି ବୋଲି ଅନୁମାନ କରାଯାଏ।ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ଏକ ସୁନ୍ଦର ବାମ୍ଫି ନିର୍ମିତ ହୋଇଅଛି।
ଏହି ଐତିହାସିକ, ପୌରାଣିକ ଏବଂ କିମ୍ବଦନ୍ତୀ ସମୃଦ୍ଧ ବୈଦ୍ୟେଶ୍ଵର ମନ୍ଦିର ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇସାରିଛି।କିନ୍ତୁ ମନ୍ଦିରର ସେଭଳି କିଛି ଆଖିଦୃଷ୍ଟିଆ ଉନ୍ନତି ସାଧନ ହୋଇ ନାହିଁ।
ବୈଦ୍ୟେଶ୍ଵର କେବଳ ପୁରାଣ ଓ କିମ୍ବଦନ୍ତୀ ପୃଷ୍ଠାକୁ ସମୃଦ୍ଧ କରି ନିରବି ଯାଇ ନାହିଁ।ଦେବକୀ ସାଜି ଯଶୋଦା ରୂପୀ ଉତ୍କଳ ଜନନୀକୁ ଉପହାର ଦେଇଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଭିତିପ୍ରସ୍ତର ସ୍ଥାପକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ।
ସ୍ବର୍ଣ୍ଣପ୍ରସୂ ଉର୍ବର ମାଆ ମାଟି ବୈଦ୍ୟେଶ୍ଵର ୧୮୬୭ ଡିସେମ୍ବର ୧୪ ତାରିଖରେ ଏକ ଅମୂଲ୍ୟ ରତ୍ନ ପ୍ରତିଭା, ଗୌରବମୟୀ ଓଡ଼ିଶା ଭୂଖଣ୍ଡକୁ ସମର୍ପି ଦେଇଥିଲା। କୁଳିନ ବ୍ରାହ୍ମଣ ପରିବାର ପିତା ଗୌରୀ ଚରଣ ମିଶ୍ର ଏବଂ ମାତା ରୋହିଣୀ ଦେବୀଙ୍କ କୋଳ ମଣ୍ଡନ କରି ଜନ୍ମ ଗ୍ରହଣ କରିଥିଲେ ନୀଳମଣି ମିଶ୍ର(ବିଦ୍ୟାରତ୍ନ)।
ବାଲ୍ୟଶିକ୍ଷା ଗ୍ରହଣ ଓ ପରେ ପରେ ଶିକ୍ଷକତା କରି ବଡମ୍ବା ଗୋପୀନାଥ ପୁର ମଣିଷ ତିଆରି କାରଖାନାରେ ଯୋଗ ଦେଇଥିଲେ କର୍ମବୀର, ଉଚ୍ଚାଭିଳାଷି ନୀଳମଣି। ଓଡ଼ିଆ ଭାଷା ପ୍ରତି ତାଙ୍କର ଥିଲା ଅହେତୁକ ସ୍ନେହ ପ୍ରୀତି ମମତା। ତାଙ୍କରି ଲେଖନୀ ନିର୍ଝରିଣୀରୁ ନିର୍ଗତ ହୋଇଥିଲା ବିଷବୈରୀ,ରାଜନୀତି, ପଶୁ ଚିକିତ୍ସା, ପରିମଳ, ମଣିମଞୁଷା ଭଳି କିଛି ବଳିଷ୍ଠ ପୁସ୍ତିକାବଳୀ।
ପଣ୍ଡିତ ନୀଳମଣି ମିଶ୍ରଙ୍କ ଅଗାଧ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ବଡମ୍ବାର ରାଣୀ ତାଙ୍କୁ "ବିଦ୍ୟାରତ୍ନ" ଉପାଧିରେ ଭୂଷିତ କରିଥିଲେ। ପରେ ବିଧିବଦ୍ଧ ଭାବେ ବାମଣ୍ଡାର ମହାରାଜ ସୁଢ଼ଳଦେବଙ୍କଦ୍ୱାରା ତାଙ୍କୁ ବିଦ୍ୟାରତ୍ନ ଉପାଧିରେ ସମ୍ବର୍ଦ୍ଧନା କରାଗଲା। ତା ପରବର୍ତ୍ତୀ ସମୟ ଠାରୁ ସେ ନୀଳମଣି ମିଶ୍ର ବଦଳରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଭାବରେ ପରିଚିତ ଓ ପ୍ରତିଷ୍ଠିତ ହୋଇଥିଲେ।
ସମସାମୟିକ ବହୁ ଲବ୍ଧ ପ୍ରତିଷ୍ଠ ଲେଖକଙ୍କ ସଂସ୍ପର୍ଶରେ ଆସି ପର୍ଯ୍ୟାୟକ୍ରମେ ଅନେକ ପତ୍ରପତ୍ରିକାର ସମ୍ପାଦନା କରିଥିଲେ। ବାସୁଦେବ ସୁଢ଼ଳଦେବଙ୍କ ପୃଷ୍ଠପୋଷକତାରେ "ସମ୍ବଲପୁର ହୈତେଷୀ",ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ "ପ୍ରଜାବନ୍ଧୁ" ବଡ଼ଖେମୁଣ୍ଡି ରାଜା କୃପାମୟ ଦେବଙ୍କ ପ୍ରକାଶିତ "ଗଞ୍ଜାମ ଗୁଣଦର୍ପଣ"ର ସମ୍ପାଦନା ଭାର ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ତୁଲାଇ ଥିଲେ। ଗୁଣମୁଗ୍ଧ ଗଙ୍ଗାଧର ମେହେର ସମ୍ବଲପୁର ହୈତେଷୀ ପତ୍ରିକାରେ ବାସୁଦେବ ସୁଢ଼ଳଦେବ ଓ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରସଂଶା କରିବାକୁ ଯାଇ ଲେଖିଛନ୍ତି:-
"ହୈତେଷୀଣୀ" ସ୍ୱଚ୍ଛାଲୋକେ ଚୌଦିଗ ଉଜ୍ଜ୍ୱଳ
ହେବାରୁ ଏ ଶୁଭଯୋଗ ଲଭିଲା ଉତ୍କଳ।।
ଧନ୍ୟ ଧନ୍ୟ ବାସୁଦେବ ମହିପାଳମଣି
ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି।।
ଗଙ୍ଗାଧର ମେହେର ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ ସୁହୃଦ ଓ ହିତାକାଂକ୍ଷି ଦର୍ଶାଇ ତାଙ୍କର ଅନ୍ୟତମ ମାନସ ସନ୍ତାନ "କୀଚକ ବଧ" ପ୍ରକାଶନରେ ବିଦ୍ୟାରତ୍ନଙ୍କ ଅହଂ ଭୂମିକା ଅଛି ବୋଲି ନିଜେ ସ୍ୱୀକାର କରିଛନ୍ତି।
ଗଙ୍ଗାଧର ମେହେରଙ୍କ କେତେକ କାବ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଠନ କରାଯାଉ ବୋଲି ତତ୍କାଳୀନ ସ୍କୁଲ ଇନ୍ସପେକ୍ଟର ରାଧାନାଥ ରାୟଙ୍କ ଅନୁମତି ଭିକ୍ଷାକରି ସେଥିରେ ସଫଳ ହୋଇଥିଲେ ବିଦ୍ୟାରତ୍ନ। ଏବଂ ପରବର୍ତ୍ତୀ ସମୟରେ ଗଙ୍ଗାଧର ମେହେରଙ୍କ ଲିଖିତ କାବ୍ୟ କବିତା ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଢ଼ାଯାଇଥିଲା।
ନିଜସ୍ୱ କବିତା କୃତି "ବିଦ୍ୟାରତ୍ନଙ୍କ ହୈତେଷୀଣୀ"ରେ ଗଙ୍ଗାଧର ମେହେର ନୀଳମଣି ବିଦ୍ୟାରତ୍ନଙ୍କୁ ବହୁ ଗୁଣର ଆଧାର ବୋଲି ଦର୍ଶାଇ ଲେଖିଛନ୍ତି-
ନିଲମଣି ବିଦ୍ୟାରତ୍ନ ବହୁଗୁଣାଧାର
ନରେନ୍ଦ୍ର ଆଦେଶେ ନେଲେ ତା ରକ୍ଷଣଭାର।।
ଏତଦ୍'ବ୍ୟତୀତ ନିଜେ "ଉତ୍କଳମଧୁପ" ନାମକ ପତ୍ରିକା ପ୍ରକାଶନ ଓ ସମ୍ପାଦନା କରିବା ସଙ୍ଗେ ସଙ୍ଗେ ଜୀବନର ଶେଷାର୍ଦ୍ଧରେ "ଉତ୍କଳ ଦୀପିକା" ପତ୍ରିକାର ସମ୍ପାଦନ କରିଥିଲେ। ଏହାହିଁ ପ୍ରତିପାଦିତ କରୁଅଛି ସ୍ବର୍ଣ୍ଣପ୍ରସୂ ବୈଦ୍ୟେଶ୍ଵର ଓଡ଼ିଆ ଭାଷା ଓ ଓଡ଼ିଶା ପ୍ରଦେଶ ପ୍ରତି ଅମୂଲ୍ୟ ରତ୍ନ ନୀଳମଣି ବିଦ୍ୟାରତ୍ନଙ୍କୁ ଉପହାର ଦେଇ ନିଜକୁ ଗଭୀରରୁ ଅତି ଗଭୀର ପର୍ଯ୍ୟନ୍ତ ଉର୍ବର କରିପାରିଛି। ଖାଲି ସେତିକି ନୁହେଁ, ବୈଦ୍ୟେଶ୍ଵର ମାଟିକୁ ପୁଷ୍ଟ ପୂର୍ଣ୍ଣାଙ୍ଗ କରି ଜନ୍ମଲାଭ କରିଥିବା ଏହି ମହମାନବ ଖଲ୍ଲିକୋଟ ରାଜଦରବାରରେ କାର୍ଯ୍ୟରତ ଥିବା ସମୟରେ ୧୯୦୨ ମସିହାରେ ରାଜା ହରିହର ମର୍ଦ୍ଧରାଜଙ୍କ ସହଯୋଗ କ୍ରମେ "ଗଞ୍ଜାମ ଓଡ଼ିଆ ସଭା"ର ଆୟୋଜନ କରିଥିଲେ।ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ଦେହୀପିଣ୍ଡି ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାରେ ମୁଖ୍ୟ ଆୟୁଧ ହୋଇଥିଲା।
ବୈଦ୍ୟେଶ୍ଵର ମାଟି ପାଣି ପବନରେ ଏବଂ ପରିମାର୍ଜିତ ଶିକ୍ଷା, ଦୀକ୍ଷାରେ ପ୍ଲାବୀତ ନୀଳମଣି ବିଦ୍ୟାରତ୍ନ ତତ୍କାଳୀନ ଜଣେ ସୁଦକ୍ଷ ସମାଜ ସଂସ୍କାରକ ମଧ୍ୟ ଥିଲେ। ବିଧବା ବିବାହ ପ୍ରଚଳନ ସପକ୍ଷରେ ଯୁକ୍ତି ବାଢି ସେ ପୁରୀ ଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେର ବିଦ୍ୟାରତ୍ନଙ୍କ ଏହି ଚେତନା ମୂଳକ କାର୍ଯ୍ୟରେ ମୁଗ୍ଧ ହୋଇ କହିଛନ୍ତି:-
ବିଧବାର ଦୁଃଖ-ତମେ ଯେ କନ୍ଦର ପୂର୍ଣ୍ଣ,
ନ ଡରିଲା ତହିଁ ପଶି ହେବାପାଇଁ ଚୁର୍ଣ୍ଣ।।
ବିଧବାର ଏକାଦଶୀ କଷ୍ଟ ଅନୁଭବି
ପଶିଗଲା ରଶ୍ମିଜାଳ ହିମରୁପେ ସ୍ରବି।।
ଏବଂ ବାଲ୍ୟବିବାହ ବିପକ୍ଷରେ ସଂଗ୍ରାମ ରତ ବିଦ୍ୟାରତ୍ନଙ୍କୁ ଲକ୍ଷକରି ଲେଖିଛନ୍ତି:-
ଶୈଶବ ବିବାହ ପଥେ ଯେ ଭୀଷଣ ଗ୍ରାମ,
ଜଣାଗଲା ତହିଁ ଗୋଟି ଗୋଟିକର ନାମ।।
ଖାଲି ବୈଦ୍ୟେଶ୍ଵର ନୁହେଁ ବଡମ୍ବା ଓ ବାଙ୍କୀ ଗଡ଼ଜାତର ଅର୍ଥନୈତିକ ମହାମେରୁ ଥିଲେ ଏହି ବୈଦ୍ୟେଶ୍ଵର ମାଟିର ଜମିଦାର ଚୌଧୁରୀ ବଂଶଜ ଦାୟାଦମାନେ। ଯଦିଓ ରାଜବଂଶର ସ୍ୱାଭିମାନ ଉପରେ ଏହି ସତ୍ୟ କୁଠାରଘାତ କରିବ ତଥାପି ତୋଷାମାଦର ଇତିହାସ ଠାରୁ ଦୂରେଇ ରହି କଠୋର ସତ୍ୟ ପ୍ରକାଶ କରିବାକୁ କୁଣ୍ଠାବୋଧ କରିବି ନାହିଁ।ଏହା କାହାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା ଲକ୍ଷ୍ୟ ରଖି ଲେଖାଯାଉ ନାହିଁ।
ସମୟ ସୁଅରେ ଏହି ଅର୍ଥନୈତିକ ଦୁର୍ବଳ ରାଜପରିବାର ଦ୍ୱୟ ଜମିଦାର ଚୌଧୁରୀଙ୍କ ପାଖରେ ରାଜମୁକୁଟ ବନ୍ଧକ ରଖି ଗୁପ୍ତ ଭାବରେ ଅର୍ଥ ଲେଣଦେଣ କରୁଥିଲେ। କୁହାଯାଏ ଏବେବି ଚୌଧୁରୀ ବଂଶଜଙ୍କ ଘରେ ବନ୍ଧକ ପଡିଥିବା ଏକ ରାଜମୁକୁଟ ମହଜୁଦ ଅଛି।
ସୁଉଚ୍ଚ ସୁନ୍ଦର କାରୁକାର୍ଯ୍ୟ ବିମଣ୍ଡିତ ଗୋପୀନାଥ ମନ୍ଦିର ଜମିଦାର ବଂଶର ଅଲିଭା କୀର୍ତ୍ତି। ଅଜସ୍ର ଖଞ୍ଜା ବାଡ଼ି ଯୋଗାଇ ଦେବା ସହିତ ପୂଜକ ଓ ମନ୍ଦିର ରକ୍ଷଣାବେକ୍ଷଣ କାର୍ଯ୍ୟ ସୁଚାରୁ ରୂପେ ଜମିଦାର ପରିବାର ସମ୍ପାଦିତ କରିଅଛନ୍ତି।
ବୈଦେଶ୍ୱର ଜମିଦାର ପରିବାରର ଅନ୍ୟତମ ଉଜ୍ଜ୍ୱଳ ଦୀପ୍ତିମନ୍ତ ନକ୍ଷତ୍ର ହେଉଛନ୍ତି ଉଦୟନାଥ ଚୌଧୁରୀ। ବୈଦ୍ୟେଶ୍ଵରରେ ଶିକ୍ଷାର ଉନ୍ନତି କଳ୍ପେ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସେ ବୈଦ୍ୟେଶ୍ଵର ଜନମାନସରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଜନସାଧାରଣଙ୍କ ସୁବିଧା ପାଇଁ ଗୋଟିଏ ଏବଂ ନିଜ ଅମାପ ସମ୍ପତିର କାର୍ଯ୍ୟ ଦେଖାରଖା ପାଇଁ ଆଉ ଗୋଟିଏ, ସର୍ବ ମୋଟ ଦୁଇଟି "ରାଜସ୍ୱ ନିରୀକ୍ଷକ" କାର୍ଯ୍ୟାଳୟ ନିଜସ୍ୱ ଉଦ୍ୟମରେ ପ୍ରତିଷ୍ଠା କରାଇଛନ୍ତି। ବୁର୍ଜୁଆ, ଜମିଦାରୀ ସାଶନର ଅନ୍ତ ଘଟିଥିଲେ ମଧ୍ୟ ବୈଦ୍ୟେଶ୍ଵର ପ୍ରତି ତାଙ୍କର ଅବଦାନ ଚିର ଅମଳିନ ହୋଇ ରହିବ।
ଖୋର୍ଦ୍ଧା, ବାଘମାରୀ ଠାରୁ କଳାପଥର ଦେଇ ବୈଦ୍ୟେଶ୍ଵର ଯିବାକୁ ସୁନ୍ଦର ସଡକ ପଥ ସଂଯୋଗ କରୁଅଛି। କଟକ, ବାଙ୍କୀ ଦେଇ ବୈଦ୍ୟେଶ୍ଵର ଯିବାପାଇଁ ସଡକ ପଥରେ ବସ୍ ସେବା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ। ୭୬ ପ୍ରତିଶତରୁ ଉର୍ଦ୍ଧ ଶିକ୍ଷା ହାର ରହିତ
ବ୍ରାହ୍ମଣ, କ୍ଷତ୍ରିୟ,ବୈଶ୍ୟ, ଶୁଦ୍ର ସବୁ ବର୍ଣ୍ଣର ଲୋକ ଭାଇଚାରା ସମ୍ପର୍କ ନେଇ ଏହି ଗ୍ରାମରେ ବସତି ସ୍ଥାପନ କରି ଅଛନ୍ତି।