Santanu Bisoi

Abstract Classics Others

3  

Santanu Bisoi

Abstract Classics Others

ଗିରିପୂଜା

ଗିରିପୂଜା

6 mins
136


ଭାରତୀୟ ଧର୍ମୀୟ ସଂସ୍କୃତି ଏବଂ ଉତ୍କଳୀୟ ସଂସ୍କୃତିରେ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ "ଗିରିପୂଜା" ପ୍ରଚଳିତ ଅଛି।ଏହା ଏକ ସର୍ବପ୍ରାଚୀନ ଧର୍ମବିଶ୍ୱାସ ଓ ପରମ୍ପରା ଅଟେ। 


ଆଷାଢ଼, ଶ୍ରାବଣ କିମ୍ବା ଭାଦ୍ରବ ମାସ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ବୃଷ୍ଟିପାତ ନହେଲେ ଏହି ସବୁ ମାସରେ ଗିରିପୂଜା ଆରମ୍ଭ କରାଯାଇଥାଏ। "ଗୋବର୍ଦ୍ଧନ ପୂଜା"ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଗୋବର୍ଦ୍ଧନ ପୂଜା ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ।ଭାଗବତ ଗାଦି, ଭାଗବତ ଟୁଙ୍ଗି, ରାଧାକୃଷ୍ଣ ମନ୍ଦିର ତଥା ଅନେକ ମଠ ରେ ଗୋବର୍ଦ୍ଧନ ପୂଜା ହୋଇଥାଏ କିନ୍ତୁ ଗିରିପୂଜା ବା ଗିରିଗୋବର୍ଦ୍ଧନ ପୂଜାର କୌଣସି ନିର୍ଦ୍ଦିଷ୍ଟ ତିଥି ନଥାଏ।


ଗିରି ପୂଜାରେ ହୋମ ଯଜ୍ଞ, ନାମଯଜ୍ଞ ଏବଂ ଅନ୍ନ ଯଜ୍ଞର ପ୍ରଥା ପରମ୍ପରା ରହି ଆସିଛି। ନିକଟସ୍ଥ ପାହାଡର ଶୀର୍ଷ ଦେଶରେ ପଥର ଚଟ୍ଟାଣ / ଗୁମ୍ଫାର ଦ୍ୱାରଦେଶରେ ପୂଜାର୍ଚ୍ଚନା ଆୟୋଜନ କରାଯାଇଥାଏ। ଗିରିପୂଜା କରିବା ଦ୍ୱାରା ତତ୍କ୍ଷଣାତ ଏକ ବଡ଼ ଭୂଖଣ୍ଡରେ ବର୍ଷାପାତ୍ ହୋଇଥାଏ। ଏହା ଭଗବାନଙ୍କ ପ୍ରତି ବିଶ୍ୱାସ ଓ ଏକାଗ୍ରତାର ଫଳ ଅଟେ। ଦାର୍ଶନିକ/ତର୍କଶାସ୍ତ୍ରୀ ମାନେ ଏହି ଧର୍ମ ବିଶ୍ଵାସକୁ କାକତାଳିୟ ଦୋଷ ବୋଲି ଅଭିହିତ କରିପାରନ୍ତି । ବିଜ୍ଞାନ ଯୁଗରେ ଏହାକୁ ରୁଢିବାଦ କିମ୍ବା ଅନ୍ଧ ବିଶ୍ୱାସ କହି ପାରେ। କିନ୍ତୁ ପୌରାଣିକ ମତବାଦରେ ଏହା ଭକ୍ତି ନିଷ୍ଠ, ପ୍ରଖର ଆତ୍ମବିଶ୍ବାସ ଏବଂ ଭଗବାନଙ୍କ ପ୍ରତି ଏକାଗ୍ରତାର ଶ୍ରେଷ୍ଠ ପୁରସ୍କାର ଅଟେ।


ଲୋକମାନଙ୍କ ମନରେ ଦୃଢ଼ ବିଶ୍ୱାସ ଥାଏ ଯେ, ଗିରିପୂଜା କରିଲା ମାତ୍ରେ ନିଶ୍ଚୟ ବର୍ଷା ହେବ।ତେଣୁ ଗିରିପୂଜା ପାଇଁ ଇଛୁକ ଥିବା ଗ୍ରାମର ଏକ ବିରାଟ ଗୋଷ୍ଠି ପାହାଡ଼ ଅଭିମୁଖେ ଯାତ୍ରା କରିଥାନ୍ତି। କିନ୍ତୁ ପ୍ରଥା ପରମ୍ପରା ଅନୁଯାୟୀ ଛତା, ଝାମ୍ପି/ତଲାରୀ କିମ୍ବା ବର୍ଷାତି ପୋଷାକ ନେଇ ଗିରିପୂଜାକୁ ଯିବା ନିଷିଧ କରାଯାଇଛି। ଉକ୍ତ ପୂଜାରେ ଦିନରେ ହୋମ ଯଜ୍ଞ, ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ସାରି ଏକ ପଥର, ପାହାଡର ଶୀର୍ଷଦେଶରୁ ନିମ୍ନକୁ ଗଡାଇ ଦିଆ ଯାଇ ଥାଏ। ଏହା ଏକ ପରମ୍ପରା ମାତ୍ର। ଏତଦ୍'ବ୍ୟତୀତ ରାମାୟଣ ଆଦ୍ୟକାଣ୍ଡର ରୁଷ୍ୟଶୃଙ୍ଗ ଋଷିଙ୍କୁ ଜରତା ବେଶ୍ୟା ଦ୍ୱରା ଲୋମପାଦ ଅଙ୍ଗ ଦେଶକୁ ଅଣାଇବାର ଅଧ୍ୟାୟଟି ପାଠ କରାଯାଇଥାଏ। ଗୁମ୍ଫା ବା ପଥର ଚଟାଣରେ ରାତ୍ରି ଯାପନ କରି ପରଦିନ ଶ୍ରଦ୍ଧାଳୁମାନେ ସ୍ବସ୍ବଗ୍ରାମକୁ ଫେରିଥାଆନ୍ତି। ବିଶେଷତଃ ଅନାବୃଷ୍ଟି ମରୁଡି ଦେଖାଦେଲେ ଜଳ ବୃଷ୍ଟିର ଆଶା ନେଇ ଏହି ଗିରିପୂଜା କରାଯାଇଥାଏ।

ତ୍ରେତୟା ଯୁଗର କଥା। ଅଙ୍ଗ ଦେଶର ରାଜା ଲୋମପାଦ । ଭାରି ଧର୍ମପରାୟଣ । ଦାନ ଧର୍ମ ଓ ସୁଶାସନ କରି ପ୍ରଜାନୁରଞ୍ଜକ ଭାବରେ ବେସ୍ ଖ୍ୟାତି ଅର୍ଜନ କରିଥାନ୍ତି। ଏକଦା ଜଣେ ବ୍ରାହ୍ମଣର ଗାଈ ହଜି ଯାଇଥିଲା । ଗାଈ ହଜିଲେ ଗୋଠରେ।ଗାଈଟି ରାଜା ଲୋମପାଦଙ୍କ ଗୋଗୋଷ୍ଠ ସହିତ ମିଶି ରାଜାଙ୍କ କୁଆଁରରେ ରହିବାକୁ ଲାଗିଲା। ଏଣେ ବ୍ରାହ୍ମଣ ନିଜ ଗାଈ ଖୋଜି ଖୋଜି ବ୍ୟତିବ୍ୟସ୍ତ ଓ ନିରାଶ ହୋଇ କ୍ରୋଧ ଏବଂ ମନଦୁଃଖରେ ଥାଏ । 


ଦିନେ ଦେଖିଲା ଅନ୍ୟଜଣେ ବ୍ରାହ୍ମଣ ତା'ର ଗାଈଟିକୁ ଅଡାଇ ନେଉଛି। ଉକ୍ତ ବ୍ରାହ୍ମଣଙ୍କୁ ଚୋର ସମ୍ବୋଧନ କରି ଗାଈ ଫେରେଇ ଦେବାପାଇଁ ବ୍ରାହ୍ମଣ ଜଣକ କହିଲେ, କିନ୍ତୁ ଗାଈ ନେଇ ଯାଉଥିବା ବ୍ରାହ୍ମଣ ଗାଈ ଫେରେଇବା ପାଇଁ ନାରାଜ। ଏ ଗାଈ ସେ ଅଙ୍ଗାଧିପ ଲୋମପାଦଙ୍କ ଠାରୁ ଦାନ ସୂତ୍ରରେ ଗ୍ରହଣ କରିଛନ୍ତି ତେଣୁ ଗାଈଟି ତାଙ୍କର, ସେ ଗାଈ ଫେରାଇବେ ନାହିଁ। 

ଉକ୍ତ ଗଣ୍ଡଗୋଳର କୌଣସି ନିଷ୍କର୍ଷ ନବାହାରିବାରୁ ଉଭୟେ ପୁଣି ନ୍ୟାୟ ପାଇଁ ରାଜଦରବାର ପ୍ରତ୍ୟାଗମାନ କଲେ। ଲୋମପାଦ ସମସ୍ତ ଦୋଷ ନିଜ ମୁଣ୍ଡ ଉପରକୁ ନେଇ ଗାଈ ହରାଇଥିବା ବ୍ରାହ୍ମଣଙ୍କୁ କ୍ଷମାପ୍ରାର୍ଥନା କଲେ। ବିନାୟତାର ସହ କହିଲେ, ହେ! ବ୍ରାହ୍ମଣ।ଅଜ୍ଞାନ୍ତସାରରେ ମୋ ଦ୍ୱାରା ହୋଇଥିବା ଭୁଲକୁ ମାର୍ଜନା କରିବା ହେବେ।ବର୍ତ୍ତମାନ ମୁଁ ଏହି ଗାଭିଟି ଦାନସୂତ୍ରରେ ଦେଇ ସାରିଛି।ତେଣୁ ତାହା ପୁଣି ଫେରେଇ ଆଣିବା ସମ୍ଭବପର ନୁହେଁ। ଆପଣଙ୍କ ଗୋଟିଏ ଗାଭି ବିନିମୟରେ ମୁଁ ଦଶ ଗୋଟି ଗାଈ ଦେବାପାଇଁ ପ୍ରସ୍ତୁତ ଅଛି। ଆପଣ ଗ୍ରହଣ କରିପାରନ୍ତି। କ୍ରୋଧି ବ୍ରାହ୍ମଣ ରାଜାଙ୍କ ଆଡକୁ ଲକ୍ଷ୍ୟକରି କହିଲେ ମୋର ଦଶଗୋଟି କଣ' ଶହେ ଗାଭିରେ ପ୍ରୟୋଜନ ନାହିଁ।ହେ ରାଜନ୍! ମୁଁ ତୁମ୍ଭକୁ ଅଭିଶାପ ଦେଉଛି, ତୁମ୍ଭ ରାଜ୍ୟରେ ବାର ବର୍ଷ ପର୍ଯ୍ୟନ୍ତ ଅନାବୃଷ୍ଟି ହେଉ।


ବାର ବର୍ଷ ପର୍ଯ୍ୟନ୍ତ ଅଙ୍ଗ ଦେଶରେ ଦୁର୍ଭିକ୍ଷ ଓ ଅନାବୃଷ୍ଟି ଦେଖାଦେଲା। ବାର ବର୍ଷ ପରେ ମଧ୍ୟ ଅନାବୃଷ୍ଟି ହେବାରୁ ଦୁଃଖ ସଂତପ୍ତ ରାଜା ଲୋମପାଦଙ୍କ ମନରେ ଭାଲେଣି ପଡିଲା। ତାଙ୍କର ବିଜ୍ଞ ମନ୍ତ୍ରୀ କହିଲେ, ହେ ରାଜନ୍! ନିଘଞ୍ଚ ଜଙ୍ଗଲ ମଧ୍ୟରେ ବିଭାଣ୍ଡକ ଋଷିଙ୍କ ପୁତ୍ର ରୁଷ୍ୟଶୃଙ୍ଗ ଅଛନ୍ତି।ସେ ଯଦି ଅଙ୍ଗ ଦେଶ ଆସି ଉପରକୁ ଚାହିଁ କହିଦେବେ ବର୍ଷା ହେଉ ତେବେ ଯାଇ ଆମ ରାଜ୍ୟରେ ବୃଷ୍ଟିପାତ ହେବ।

ଲୋମପାଦ କହିଲେ, ହେ ମନ୍ତ୍ରୀ ଏହା କେମିତି ସମ୍ଭବ? ରୁଷ୍ୟଶୃଙ୍ଗ କହିଦେଲେ ବୃଷ୍ଟି ହେବ, ଏହା ମୋ ମନକୁ ଆସୁନାହିଁ।

ମନ୍ତ୍ରୀ କହିଲେ, ହେ ରାଜନ୍! ତେବେ ବିସ୍ତୃତ ଭାବରେ ଶୁଣନ୍ତୁ।

ଦିନେ ବିଭାଣ୍ଡକ ଋଷି ଘୋର ତପରେ ମଗ୍ନ ଥିଲେ। ଇନ୍ଦ୍ରଙ୍କ ଇନ୍ଦ୍ରପଦ ଚାଲିଯିବା ଭୟରେ ତପଭଗ୍ନ ପାଇଁ ଉର୍ବଶୀଙ୍କୁ ପଠାଇଲେ। ଉର୍ବଶୀଙ୍କ ରୂପ ଲବଣ୍ୟରେ ଆକୃଷ୍ଟ ଓ କାମନା ବାସନାରେ ପୀଡିତ ହୋଇ ବିଭାଣ୍ଡକ ଋଷିଙ୍କର ବୀର୍ଯ୍ୟ ସ୍ଖଳିତ ହେଲା। ଅକ୍ଷର ବୀର୍ଯ୍ୟ ଭୂମିରେ ପତିତ ହେଲେ ମାତୃହରଣ ଦୋଷ ଲାଗିବ।ତେଣୁ ସେ ଉକ୍ତ ବୀର୍ଯ୍ୟକୁ ନଦୀ ଜଳରେ ବିସର୍ଜନ କଲେ।

ହରିଣୀଟିଏ ନଦୀରୁ ଜଳପାନ କରୁଥିବା ବେଳେ ଉକ୍ତ ଅକ୍ଷର ବୀର୍ଯ୍ୟ ତା'ର ଗର୍ଭସ୍ଥ ହେଲା।ସମୟ କ୍ରମେ ହରିଣୀ ଏକ କିମ୍ଭୁତ କିମାକାର ପୁତ୍ର ସନ୍ତାନ ପ୍ରସବ କଲା। ଶରୀର ଓ ମୁହଁ ମନୁଷ୍ୟାକୃତି ହୋଇଥିବା ବେଳେ ମସ୍ତକ ଉପରେ ଦୁଇଟି ଶିଙ୍ଗ ଥିଲା।ସମ୍ପୂର୍ଣ୍ଣ ଶରୀର ଲୋମବହୁଳ ଥିଲା। ଏହି ମାନବ ବୟଃକ୍ରମେ ହରିଣୀକୁ ଶିକାର କରି ଖାଇବ, ଏହା ଚିନ୍ତାକରି ଜନ୍ମଦାତ୍ରୀ ହରିଣୀ ନବଜାତ ଶିଶୁପୁତ୍ରକୁ ସେହିଠାରେ ଛାଡି ସ୍ଥାନ ପରିତ୍ୟାଗ କଲା। ସଂଯୋଗ କ୍ରମେ ସେହି ରାସ୍ତା ଦେଇ ବିଭାଣ୍ଡକ ଋଷି ତପ କାର୍ଯ୍ୟ ଶେଷ କରି ଫେରୁଥିଲେ। ନବଜାତ ଶିଶୁ ପୁତ୍ର ଦେଖି ଆଶ୍ରମକୁ ନେଲେ। ମସ୍ତକରେ ଦୁଇଟି ଶିଙ୍ଗ ଥିବାରୁ ପୁତ୍ରର ନାମ ରୁଷ୍ୟଶୃଙ୍ଗ ବୋଲି ନାମିତ କଲେ। ଆଶ୍ରମର ଦେଖାଶୁଣା କରୁଥିବା ମହିଳାଙ୍କ ଦ୍ୱାରା ସେବା ଯତ୍ନ କରାଇ ଉତ୍ତମ ଶିଷ୍ୟଟିଏ କରି ଗଢି ତୋଳିଲେ।

ରୁଷ୍ୟଶୃଙ୍ଗ କ୍ରମେ ବେଦାନ୍ତୀ ହୋଇ କଠୋର ତପ ସାଧନା କଲେ। ଇନ୍ଦ୍ରଙ୍କ ଆସନ ଟଳମଳ ହେବାକୁ ଲାଗିଲା। ଇନ୍ଦ୍ରାସନ ଚାଲିଯିବା ଭୟରେ ସେ ଆସି ରୁଷ୍ୟଶୃଙ୍ଗଙ୍କୁ ଅମର ବର ଦେଲେ ଏବଂ ଇଚ୍ଛାମତେ ଅନ୍ୟ ବର ମାଗିବାକୁ କହିଲେ। ଖୁସି ହୋଇ ରୁଷ୍ୟଶୃଙ୍ଗ କହିଲେ ହେ ଦେବ! ବର୍ଷା ଦେଖିଲେ ମୋ ମନ ପୁଲ୍ଲକିତ ହୋଇ ଉଠେ। ଦେହରେ ଶିହରଣ ସୃଷ୍ଟି ହୁଏ।ତେଣୁ ବର୍ଷା ହିଁ ମୋର ପ୍ରିୟ ଅଟେ।ଉପରକୁ ଚାହିଁ ବର୍ଷା କରାଅ କହିଦେଲେ ତୁରନ୍ତ ବର୍ଷା ହେଉ। ଇନ୍ଦ୍ର ତଥାସ୍ତୁ କହି ଚାଲିଗଲେ।

ହେ ଅଙ୍ଗାଧିପ ! ଏହା ସତ୍ୟ ଅଟେ।ଏଣୁ ଆପଣ ରୁଷ୍ୟଶୃଙ୍ଗଙ୍କୁ ଆମ୍ଭ ରାଜ୍ୟକୁ ଅଣାଇବାର ବନ୍ଦୋବସ୍ତ କରନ୍ତୁ।


ଲୋମପାଦ କହିଲେ, ସୈନ୍ୟ ସାମନ୍ତ ନେଇ ଋଷିଙ୍କ ପାଖକୁ ଗଲେ ଭୟ ବା କ୍ରୋଧରେ ଋଷି ଅଭିଶାପ ଦେଇ ପାରନ୍ତି। ହେ ଚତୁର ମନ୍ତ୍ରୀ! ଋଷିଙ୍କୁ ଅଙ୍ଗ ରାଜ୍ୟକୁ ଅଣାଇବାର ରାସ୍ତା ବତାଅ।

ମନ୍ତ୍ରୀ କହିଲେ ରାଜନ୍, ମୁଁ ଏହାର ବନ୍ଦୋବସ୍ତ କରୁଅଛି।

ପରଦିନ ରାଜକୋଷରୁ ହୀରା ଲୀଳା ମୋତି ମାଣିକ୍ୟ ଭର୍ତ୍ତି ଏକ ଥାଳ ନେଇ ଉଦ୍ଘୋଷକ ରାଜ୍ୟରେ ଘୋଷଣା କଲେ ଯେ ଯେଉଁ ବ୍ୟକ୍ତି ବା ବ୍ୟକ୍ତିନୀ ସନ୍ତୁଷ୍ଟ ସହକାରେ ରୁଷ୍ୟଶୃଙ୍ଗ ଋଷିଙ୍କୁ ଅଙ୍ଗ ରାଜ୍ୟକୁ ଆଣି ପାରିବ ତାଙ୍କୁ ଏହି ଅମୂଲ୍ୟ ରତ୍ନ ଭରା ଥାଳଟି ପ୍ରଦାନ କରାଯିବ। 

ଏହା ଶୁଣି ପ୍ରୌଢ ଜରତା ବେଶ୍ୟା ଏହି କାର୍ଯ୍ୟ ପାଇଁ ସେ ନିଜେ ସମର୍ଥ ବୋଲି ସର୍ତ୍ତମୂଳକ ଭାବେ ଜଣାଇଲା। ଏଥିନିମନ୍ତେ ପାଞ୍ଚଟି ନୌକା, ଯେଉଁଥିରେ ସବୁପ୍ରକାରର ସୁବିଧା ସୁଯୋଗ ଥିବ, ତାହା ରାଜନ୍ ତାକୁ ଯୋଗାଇ ଦେବେ।

ତାହାହିଁ ହେଲା।ପାଞ୍ଚ ଦିନ ପରେ ଲୋମପାଦ ଜରତା ବେଶ୍ୟାକୁ ପାଞ୍ଚଟି ନୌକା ଯୋଗାଇ ଦେଲେ। ନୃତ୍ୟ ବିଶାରଦା, ସଙ୍ଗୀତ ବିଶାରଦା ଏବଂ ଭିନ୍ନ ଭିନ୍ନ ବାଦ୍ୟ ଯନ୍ତ୍ରରେ ନିପୁଣା ଆଉ କିଛି ପୂର୍ଣ୍ଣଯୌବନା ବେଶ୍ୟାଙ୍କୁ ସାଙ୍ଗରେ ନେଇ ନର୍ମଦା ନଦୀରେ ନୌବିହାର କରି ରୁଷ୍ୟଶୃଙ୍ଗ ଙ୍କୁ ଅଙ୍ଗ ରାଜ୍ୟକୁ ପାଛୋଟି ଆଣିବା ପାଇଁ ବାହାରି ପଡିଲେ ଜରତା ବେଶ୍ୟା। ନିଜ ଚାଟୁକାରିତା, ମଧୁର ସଙ୍ଗୀତ, ନୃତ୍ୟ ଦ୍ୱାରା ଅଭିଭୂତ କରାଇ ଓ ଶିବଙ୍କର ପରମ ଭକ୍ତ ବୋଲି ନିଜକୁ ପ୍ରତିପାଦିତ କରି ଏବଂ ସେମାନେ ଶିବଙ୍କୁ ଧାରଣ କରିଛନ୍ତି ବୋଲି ପ୍ରଭାବିତ କରାଇ ନୌକାରେ ବସାଇ ଗୁପ୍ତରେ ନବିକକୁ ନୌକା ଚଳାଇବା ପାଇଁ ନିର୍ଦେଶ ଦେଇ ଅଙ୍ଗ ରାଜ୍ୟକୁ ନେଇ ଆସିଲେ।

ଅଙ୍ଗ ରାଜ୍ୟରେ ପହଁଚିବା କ୍ଷଣି ଜରତା ନିଜ ରାଜ୍ୟର ଦୁର୍ଭିକ୍ଷ କଥା ରୁଷ୍ୟଶୃଙ୍ଗଙ୍କୁ ଜଣାଇଲା। ସିଦ୍ଧ ଋଷି ଉପରକୁ ଚାହିଁ ବର୍ଷା କରାଅ କହିବା ମାତ୍ରେ ବର୍ଷା ହେବା ଆରମ୍ଭ ହେଲା।

ବର୍ଷାର ଆଗମନ ଜାଣି ଲୋମପାଦ ବୁଝିପାରିଲେ ଜରତା ବେଶ୍ୟା ରୁଷ୍ୟଶୃଙ୍ଗ ଙ୍କୁ ନେଇ ଆସିଲା।ତତ୍କ୍ଷଣାତ ଲୋମପାଦ ପାତ୍ରମନ୍ତ୍ରୀ ନେଇ ରୁଷ୍ୟଶୃଙ୍ଗଙ୍କୁ ପୂଜା ଅର୍ଚ୍ଚନା ସହ ରାଜଦରବାରକୁ ପାଛୋଟି ଆଣିଲେ। କିଛି ଦିନ ଅନ୍ତେ ରାଜ କୁମାରୀ ଶାନ୍ତା କନ୍ୟା ସହ ରୁଷ୍ୟଶୃଙ୍ଗଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରାଇ ଲୋମପାଦ ତାଙ୍କୁ ରାଜ୍ୟରେ ସ୍ୱତନ୍ତ୍ର ଆତିଥ୍ୟ ସହକାରେ ରଖିଲେ।


ଲୋକାଚାର ଅନୁଯାୟୀ ସେହି ସମୟ ଠାରୁ ଶୃଙ୍ଗ ପୂଜା ପ୍ରଚଳିତ ହୋଇ ଆସିଛି। ତ୍ରେତୟା ଯୁଗରୁ ଗିରି/ଶୃଙ୍ଗ ପୂଜା ପ୍ରଚଳିତ ବୋଲି ଆଜିବି ଗିରି ପୂଜାରେ ରାମାୟଣ ଆଦ୍ୟକାଣ୍ଡର ଜରତା ବେଶ୍ୟା ଦ୍ୱାରା ଅଙ୍ଗ ରାଜ୍ୟକୁ ରୁଷ୍ୟଶୃଙ୍ଗଙ୍କୁ ଅଣାଯିବା ବିଷୟଟି ପଠନ କରାଯାଏ।


ହିନ୍ଦୁ ଧର୍ମର ପୌରାଣିକ ମତବାଦ ଅନୁଯାୟୀ ଦ୍ଵାପର ଯୁଗରେ ମଧ୍ୟ ଗିରିପୂଜା ପ୍ରଚଳନ ଥିଲା। ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରପୁଜା ଛାଡି ଗିରିପୂଜା କରିବା ପାଇଁ ସମଗ୍ର ଗୋପପୁର ବାସୀଙ୍କୁ ଆହ୍ୱାନ କରିଥିଲେ।କାରଣ ଗିରି ଉପରେ ଗୋପପୁରର ସମସ୍ତ ଗୋପାଳ ଓ ଗୋଗୋଷ୍ଠ ନିର୍ଭର କରୁଥିଲେ। ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ଏହାକୁ ସୁନ୍ଦର ଭାବରେ ବିଶ୍ଳେଷଣ କରିଅଛନ୍ତି।


"ବନ ଗହନ ଆମ୍ଭ ଘର,

ଗୋରୁ ଚଉରା ନଦୀ ତୀର।।

ନିର୍ଝର ଜଳ ପାନ କରି

ଆମ୍ଭ ଦେବତା ବନଗିରି।।

ତୁମ୍ଭର ଯଜ୍ଞ ଯେବେ ସତ

କହୁଛି ଶୁଣିବା ତଦନ୍ତ।।

ଗୋରୁ ବ୍ରାହ୍ମଣ ପ୍ରତିପାଳ,

ଯଜ୍ଞ କରିବ ଗିରି ତଳ।।

ପୁଜିବ ଗୋବର୍ଦ୍ଧନ ଶିର,

ଯେ ଇନ୍ଦ୍ର ଯଜ୍ଞର ବେଭାର।।

ଦ୍ଵିଗୁଣ କରି ବଳି ଭୋଜା,

ସୁଖେ କରିବ ଗିରିପୂଜା।।"

ଏଇ ବନଲତା,ପାହାଡ଼, ଗିରିକନ୍ଦର ଆମମାନଙ୍କ ପାଇଁ ସ୍ବ ଗୃହ ସଦୃଶ। ଗୃହରେ ଯେମିତି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସାଇତି ରଖା ଯାଇଥାଏ, ଠିକ୍ ସେମିତି ଏଇ ଗିରିଗୋବର୍ଦ୍ଧନ ଆମ ପାଇଁ ଓ ଆମ ଗାଈ ଗୋରୁ ପଶୁଜନ୍ତୁ ପାଇଁ ସବୁକିଛି ସାଇତି ରଖିଛି।ପାହାଡ଼ରୁ ନିର୍ଗତ ଝରଣାରୁ ପାଣି ପିଇ ଆମମାନଙ୍କ ଶରୀର ପୁଷ୍ଟ। କୌଣସି ଦେବାଦେବୀଙ୍କ ଠାରୁ ଏହି ଗିରିଗୋବର୍ଦ୍ଧନ ଆମପାଇଁ ଉଣା ନୁହେଁ।ତେଣୁ ଏହି ଦେବପ୍ରତିମ ବନଗିରିକୁ ପୂଜାଅର୍ଚ୍ଚନା କର। ଇନ୍ଦ୍ରଙ୍କ ଯଜ୍ଞରେ ଯେଉଁ ଯେଉଁ ପୂଜା ପଦ୍ଧତି ଆପଣେଇ ଥିଲ, ବର୍ତ୍ତମାନ ସେଇ ସମାନ ପୂଜା ପଦ୍ଧତି ଗିରିପୂଜାରେ ପ୍ରୟୋଗ କରି ଗିରିପୂଜା କର।ଦ୍ଵିଗୁଣ ବଳି ଭୋଜା(ନୈବେଦ୍ୟ)ପ୍ରଦାନ କରି ଆନନ୍ଦର ସହିତ ଗିରିପୂଜା କଲେ ନିଶ୍ଚୟ ବୃଷ୍ଟିପାତ ହେବ, ଏବଂ ଧରଣୀ ଶାନ୍ତ ହେବ।

କୃଷ୍ଣଙ୍କ କଥାରେ ନନ୍ଦରାଜା ସମ୍ମତ ହୋଇ ଗିରିପୂଜା କରିଥିଲେ ଏବଂ ବୃଷ୍ଟିପାତ ଅଭାବ ଜନିତ ଦୁଷ୍କାଳ ଦୁରୀଭୂତ ହୋଇପାରିଥିଲା।


ତ୍ରେତୟା ଯୁଗର ଶୃଙ୍ଗ ପୂଜା ଦ୍ଵାପର ଯୁଗର ଗିରିପୂଜା ସମୟକ୍ରମେ କଳିଯୁଗରେ ମଧ୍ୟ ଗତାନୁଗତିକ ଓ ପାରମ୍ପରିକ ପଦ୍ଧତିରେ ପାଳିତ ହୋଇ ଆସୁଅଛି।ଖଣ୍ଡିତ ବିଶ୍ୱାସ, ବିଜ୍ଞାନର ପ୍ରଖର ଅଗ୍ରଗତି ଧୀରେ ଧୀରେ ଏହି ପ୍ରଥା ପରମ୍ପରା ଏବଂ ଲୋକାଚାର ବା ଲୋକସଂସ୍କୃତି ଠାରୁ ଉତ୍ତର ପିଢୀକୁ ଦୁରେଇ ନେଉଛି।ଅନେକ ଅଞ୍ଚଳରେ ଏହି ଗିରିପୂଜା ବିଲୁପ୍ତ ପ୍ରାୟ।


Rate this content
Log in

Similar oriya story from Abstract