The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Santanu Bisoi

Abstract Comedy

4.0  

Santanu Bisoi

Abstract Comedy

ଚିତ୍ତ।

ଚିତ୍ତ।

7 mins
11.4K


ହାଇଦ୍ରାବାଦର ହାଇଟେକ ସିଟି। ବ୍ୟସ୍ତ ବହୁଳ ଯାନ୍ତ୍ରିକ ଉଦ୍ୟୋଗ କେନ୍ଦ୍ର। ବହୁତ ବଡ଼ ବଡ଼ ଅଫିସ ଏବଂ ପାର୍କରେ ପରିପୂର୍ଣ୍ଣ। ଉଦର ଶାନ୍ତି ଉଦ୍ଦେଶ୍ୟରେ ଭାରତୀୟ, ଇଟାଲୀୟ ଏବଂ ବିବିକ୍ୟୁ ସେସ୍ତୋରାଂରେ ପରିପୂର୍ଣ୍ଣ ଏହି ହାଇଟେକ ସିଟି। ମୁଖ୍ୟ ରାସ୍ତାର ପାଶ୍ୱବର୍ତ୍ତି ହୋଇଥିବାରୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅତିବ ସୁଗମ୍ୟ। ବିଭିନ୍ନ ସାମଗ୍ରୀ ଏକ୍ସପୋର୍ଟ ଇମ୍ପୋର୍ଟର ଅନ୍ୟ ଏକ ମୁଖ୍ୟ ପେଣ୍ଠସ୍ଥଳୀ। ସଂଗ୍ରହାଳୟ ସାଙ୍ଗକୁ ଦେଶ ବିଦେଶର ସ୍ଥପତି ମାନଙ୍କ ସୁନ୍ଦର କାରୁକାର୍ଯ୍ୟ ବିମଣ୍ଡିତ ମୂର୍ତ୍ତି ପ୍ରଦର୍ଶନ ଓ କ୍ରୟ ବିକ୍ରୟ ଏହି ସହରର ଅନ୍ଯ ଏକ ସୁନ୍ଦର ବିଶେଷତ୍ୱ। ମନୋରଞ୍ଜନ ଓ ବିଭିନ୍ନ ନୃତ୍ୟ ସଙ୍ଗୀତର ତାଳେ ତାଳେ ଅତ୍ୟାଧୁନିକ ସହରଟା ବେଳେ ବେଳେ ନାଚି ଉଠେ। ସହରର ଚାକଚକ୍ୟ ସଫାସୁତୁରା ଷ୍ଟାଟସ ମେଣ୍ଟେନ ନଦେଖିଲା ଲୋକ ବିଶ୍ୱାସ କରି ପାରିବେ ନାହିଁ। 


ଚିନ୍ମୟ ଆଇଟି ସେକ୍ଟରରେ କାମ କରେ। ନିଜର କାର୍ଯ୍ୟଦକ୍ଷତା, ଓଡ଼ିଆ ଇଂରାଜୀ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ପାରଙ୍ଗମତା ତାକୁ ପ୍ରମୋସନ ଦେବାରେ କେବେ ଅବହେଳା କରି ନାହାନ୍ତି। ଏସ୍ ଡି ସଫଟେକ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଚିନ୍ମୟ ବୃତ୍ତିଗତ ଜୀବନ ନିର୍ମାଣରେ ଏକ ଭିନ୍ନ ସଫଳତାର ମୋଡ଼ ଆଣିଦେଇଥିଲା। 


ଚିନ୍ମୟ ଆଉ ଚିତ୍ତ ଦୁଇ ସାଙ୍ଗ। ଚିତ୍ତ କିନ୍ତୁ ଥିଲା ଓଲଟା ଦିଗରେ ବହିଯାଉଥିବା ଗଙ୍ଗା।

ନା' ପାଠରେ ଭଲ ଥିଲା ନା' ଶାଠରେ?? ଅଦରକାରୀ ଲାଂଛିତ ଜିବନଟା ଜେନ ତେନ ପ୍ରକାରେଣ ଚଳି ଯାଉଥିଲା। ଯଦି କିଏ କେବେ ପଚାରି ଦିଏ, ଆରେ ଚିତ୍ତ ଆଜିକାଲି ଆଉ କଣ କରୁଛୁ?? ସେଇଠି ଚିତ୍ତର ବେକାରି ହୃଦୟ ଓ ମନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ। କଥାକୁ ବୁଲେଇ ବଙ୍କେଇ କହି ସେଠାରୁ ଖସି ଆସେ। ଅନେକ ଥର ମୁହଁ ଲୁଚେଇ ଏକା ଏକା କାନ୍ଦିଛି। ପାଠପଢା ସମୟର ନିଜର ନିର୍ବୋଧତାକୁ ବହୁବାର ଧିକ୍କାର କରିଛି।ଗ୍ରେସ ମାର୍କ ପାଇ ଦଶମ ପାସ।ସେଇଟା ବି ଥାର୍ଡ ଡିଭିଜନରେ। 


ବାପାଙ୍କ ରୋଜଗାରରେ କେତେ ଦିନ ମୁହଁ ଲୁଚେଇବ? ନିଜ ଶିଙ୍ଗରେ ନିଜେ ମାଟି ତାଡିଲେ ଭଲ।ଏମିତିରେ ବି, ସେ ତ ଅପାରଗ ନୁହଁ। ନିକମ୍ମା ନୁହଁ। ତାଙ୍କ ଗାଁ ରାଜମିସ୍ତ୍ରୀର ଲାଙ୍ଗୁଡ଼ ଧରିଲା,ଶ୍ରମିକ ଭାବରେ କାମ କରିବା ପାଇଁ ସହରକୁ ଯିବ। ଚାରିଶ ଟଙ୍କା। କାମ ଭିଡ଼ ନୁହେଁ। ଆଉ ହେଡ ମିସ୍ତ୍ରୀ ରେଫ୍ରାନ୍ସରେ ଯାଉଛି। ସଳଖ ସୁନ୍ଦର ମଝବୁତିଆ ଭେଣ୍ଡାଟାକୁ କିଏ କାହିଁକି ମନା କରିବ?? 


ଭଲ ପ୍ୟାଣ୍ଟ ସାର୍ଟ ହଳେ ପିନ୍ଧି ପକେଇଲା। ଆଉ ହଳେ ଖରାପ ଡ୍ରେସ ଧରିଲା କାମ ସମୟରେ ପିନ୍ଧିବା ପାଇଁ।ମାଆ ଗରମ ଗରମ ରୋଷେଇ କରିଥିଲେ, ପେଟ ପୁରେଇ ଖାଇଲା। ଦିପହରକୁ ଖାଇବା ପାଇଁ ଟିଫିନ ବାକ୍ସରେ ଭାତ ଡାଲି ଭଜା ଧରି ବାହାରି ପଡ଼ିଲା ସହରକୁ। ସାଙ୍ଗରେ ରାଜମିସ୍ତ୍ରୀର। ସବୁ ଶ୍ରମିକ ଠାରୁ ଅଧିକ କାମ କଲା ଚିତ୍ତ। ରାଜମିସ୍ତ୍ରୀ ଖୁସ୍, ନିର୍ମାଣ ମାଲିକ ବି ଖୁସ୍। ବିଲ୍ଡର ଚିତ୍ତର କାମ ଦେଖି ତା ନାଁ, ଗାଁ ଠିକଣା ସବୁ ପଚାରିଲେ। ସାବସି ଦେଲେ। ଆଉ ଅଧିକ ଶହେ ଟଙ୍କା ଅଧିକ ପାରିଶ୍ରମିକ ଦେବାପାଇଁ ଚିତ୍ତକୁ ଅଲଗା କି ଡାକି କହିଛନ୍ତି। ଚିତ୍ତର ଖୁସି କହିଲେ ନ'ସରେ। ସେ ଚିନ୍ତା କରିସାରିଲାଣି ଘରେ ପହଞ୍ଚୁ ପହଞ୍ଚୁ ମାଆକୁ ଏ ଖୁସି ଖବରଟା ଦେବ। କାମ ବନ୍ଦ କରିବାର ସମୟ ଉପନୀତ। 


ସମସ୍ତେ ହାତ ମୁହଁ ଧୋଇ ଡ୍ୟୁଟି ଡ୍ରେସ ଖୋଲି ନିଜ ନିଜର ଭଲ ପୋଷାକ ପିନ୍ଧିବା ଆରମ୍ଭ କଲେଣି। ସାଇକେଲ ଧରି ଅସୁମାରି ଭାବନାରେ ହଜିହଜି ଧୀର ମନ୍ଥର ଗତିରେ ଚାଲିଛି ଚିତ୍ତ। ଆଜି ତାର ରୋଜଗାର ଚାରି ଶହ ଟଙ୍କା। କଷ୍ଟାର୍ଜିତ ସମ୍ପତି। କାଲିଠାରୁ ଆଉ ଶହେ ଅଧିକ, ପାଞ୍ଚ ଶହ।


ଚିତ୍ତ ସାମ୍ନାରେ କିଏ ଜଣେ ମୋଟର ସାଇକେଲ ଆଣି ବ୍ରେକ କସିଲା।

ଚମକି ପଡିଲା ଚିତ୍ତ। ଛାତି ଭିତରର ହୃତ୍'କମ୍ପନ ଟା ଅସ୍ୱାଭାବିକ ଭାବରେ ବଢିଗଲା।ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା।ନିଅର ମିସ୍। ସମ୍ନାରୁ ଠୋ ଠୋ କରି ଉଚ୍ଚ ହାସ୍ୟରେ ଭାସିଆସିଲା ଏକ ସୁ-ଉଚ୍ଚ ଅଟ୍ଟହାସ୍ୟ। ଆରେ ଡରିଗଲୁ, ଏଇ ମଫସଲିଆ ଢଙ୍ଗ ଟିକିଏ ଛାଡ଼। ରଞ୍ଜନର କଥା ଶୁଣି ନିଜକୁ ପ୍ରକୃତିସ୍ଥ କରୁଥଲା ଚିତ୍ତ। ରଞ୍ଜନ। ତା କ୍ଲାସ ମେଟ।ସରକାରୀ ଚାକିରିଖଣ୍ଡିଏ କରିଛି।ଗାଁର ଘର ଦ୍ୱାର ଜମିବାଡ଼ି ସବୁ ବିକି ଭାଙ୍ଗି ଏବେ ସହରରେ। ଦୁଇ ଦୁଇଟି ସୁଉଚ୍ଚ ଅଟ୍ଟାଳିକା। ବେସ ଉପୁରି ଦୁଇ ପଇସା ଘରକୁ ଆସୁଛି। ଦରମା ଓ ଘରଭଡ଼ାରେ ହାତ ଲାଗେ ନାହିଁ। ରଞ୍ଜନ ଏବେ ଗ୍ରାମ୍ୟ ଜୀବନ ପ୍ରତି ପରାଙ୍‌ମୁଖ। କିନ୍ତୁ ଗାଁ ର ସୁହୃଦୁ ଙ୍କୁ ଦେଖିଲେ ସ୍ନେହ ଶ୍ରଦ୍ଧା ଓ ଆତ୍ମୀୟତାରେ ଉଣା କରେନି।ବହୁତ ସମୟ କଥାବାର୍ତ୍ତା ହେଲେ,ଅତୀତ ଓ ବାଲ୍ୟକାଳକୁ ରୋମନ୍ଥନ କରାଗଲା। ସାଇ ପଡୋଶୀ, ଦାମ ଅଜା, ଖାଡ଼ଙ୍ଗା ପିଉସା, ରୁପା ନାନୀ, ଚନ୍ଦର ବୁଢା ଏପରିକି, କୂଅ ପୋଖରୀ ଆମ୍ବ ତୋଟା ପଣସ ତୋଟା ନଡ଼ିଆ ବଗିଚା କେହି ବି ଛାଡ଼ ପାଇଲେନି। ଏସବୁ ବିଚାର ବିମର୍ଷ ଥଟ୍ଟା ପରିହାସରେ ଚିତ୍ତ ସାମିଲ ଥିଲେ ମଧ୍ୟ ତା ଗଳାରେ ମାଛ କଣ୍ଟା ଭଳି ଅଟକି ଯାଇଥିଲା ଗୋଟିଏ କଥା ବସ୍ତୁ, ରଞ୍ଜନ ପଚାରି ଦେବନି ତ, ତୁ କୁଆଡେ ଯାଇଥିଲୁ?? କଣ କାମ ଥିଲା? ଆଜିକାଲି ଆଉ କଣ କରୁଛୁ?? ଇତ୍ୟାଦି ଇତ୍ୟାଦି..

କେମିତି, କୋଉ ଭାଷାରେ ଚିତ୍ତ ନିଜର ସାଙ୍ଗକୁ କହିବ ମୁଁ ଶ୍ରମିକ ଭାବେ ମୁଲଲାଗି ଆସିଥିଲି ବୋଲି? ଏଇ କଥା ଭାବି ଚିତ୍ତ ହସ ନ ଆଉଥିଲେ ବି କିଏ ଜବରଦସ୍ତ କୁତୁକୁତୁ କଲା ଭଳି ହସୁଥାଏ, ଏବଂ ଅଜ୍ଞାନ୍ତ ବାଧ୍ୟବାଧ୍ୟକତାରେ କଥାବାର୍ତ୍ତା କରୁଥାଏ। ଥରେ ବିଜୁ ତାକୁ କଳେଇ ଶଗଡରେ ଓ ବୁଦ୍ଧିଆ ମୁଗ ବୁଣି ହଳକରି ଫେରୁଥିବା ସମୟରେ ଦେଖି ଦେଇଥିଲା ବୋଲି ଚିତ୍ତ ସେଦିନୁ ଚାଷ କାମ ଛାଡି ଦେଇଥିଲା। ଅବଶ୍ୟ ବାପା ବୋଉ କହିଲଥିଲେ ତୁ ସିନା ଦେଖିନୁ, ବିଜୁ, ବୁଦ୍ଧିଆ ବି ନିଜ ଘର କାମ କରନ୍ତି। ତୁ ତୋ ନିଜ କୁଟୁମ୍ବ କେମିତି ପୋଷିବୁ ସେ ରାସ୍ତା ତୁ ନିଜେ ହିଁ ଖୋଜି ବାହାର କର। ନଚେତ୍ ସମସ୍ତେ ଆଗରେ ଓ ପଛରେ କର୍ମ କୋଢିଆ ବୋଲି କହିବେ। ଆମ ହାତ ଗୋଡ଼ ଚଳୁଥିଲା ପର୍ଯ୍ୟନ୍ତ ଆମେ ନିଜେ ପୋଷି ହୋଇ ପାରିବୁ ଆଉ ତୋତେ ବି ପୋଷିପାରିବୁ। ଆଗକୁ ଭଗବାନ ଭରସା। ହସ ମଉଜ ଥଟ୍ଟା ପରିହାସ ଭିତରୁ ରଞ୍ଜନ, ଚିତ୍ତର ମାନସିକ ଅନୁପସ୍ଥିତିକୁ ପଢି ପାରିଲା। ସଞ୍ଜ ନଇଁ ଆସୁଥିଲା, ସହରର ବତୀଖୁଣ୍ଟ ଗୁଡ଼ିକ ସନ୍ଧ୍ୟା ତାରାର ପକ୍ଷଭୁକ୍ତ ହୋଇ ତା ସହିତ ମିଶି ଆଲୋକ ବିଛୁରିତ କରିବାକୁ ଲାଗିଲେଣି।ମନ୍ଦିରରେ ଘଣ୍ଟ ଘଣ୍ଟା ବାଜିଲାଣି, ଅନତି ଦୂରରୁ ମସଜିଦରୁ ଆଲ୍ଲା ହୋ ଆକବର ଶବ୍ଦ ଛୁଟି ଆସୁଥିଲା। କଥୋପକଥନକୁ ଅଧିକ ନ ବଢ଼େଇ ଚିତ୍ତକୁ ଶୁଭ ବିଦାୟ ଦେଉ ଦେଉ କହିଲା, ଆଉ କେବେ ଆସିଲେ ଘରଆଡ଼େ ନିଶ୍ଚୟ ଆସିବୁ।


ତା'ପରଦିନ ଠାରୁ ରାଜମିସ୍ତ୍ରୀ ଅନେକ ଥର ଚିତ୍ତକୁ ଡାକିଛନ୍ତି, ଅନେକ ପ୍ରଲୋଭନ ଦେଖାଇଛନ୍ତି କିନ୍ତୁ ଚିତ୍ତ ଆଉ କାମ କରିବାକୁ ଯାଇନାହିଁ।


ଚିନ୍ମୟ ଗାଁ କୁ ଆସିଛି।


ଚିତ୍ତ ନିଜର ଚିନ୍ତାଧାରା ବଦଳେଇ ଦେଇଛି। ଚିନ୍ମୟକୁ କେମିତି ବି କହିପୋଛି, ନେହୁରା ପାହୁରା ହୋଇ ତା ସଙ୍ଗରେ ହାଇଦ୍ରାବାଦ ଯିବ। ସେଠାରେ କିଛି କାମ ଧନ୍ଦା ଯୋଗାଡ଼ କରିବ। ପିଅନ କିମ୍ବା ସିକ୍ୟୁରିଟି ଗାର୍ଡ ହେଲେ ବି ଚଳିବ। ତା'ର ଶିକ୍ଷାଗତ ଯୋଗ୍ୟତା ଅବା କଣ? କିଏ ତାଙ୍କ ଗାଁ ରୁ ଯାଇ ସେଇଠି ଦେଖୁଛି, ଚିତ୍ତ କଣ କରୁଛି କଣ ନାଇଁ?? ଶେଷରେ ସେଇୟା ହିଁ ହେଲା।ଏସ୍ ଡି ସଫଟେକ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନିରେ, ଚିନ୍ମୟ ରେଫ୍ରାନ୍ସରେ ଅର୍ଦ୍ଧଳି ଭାବେ ଜଏନ କରିଛି ଚିତ୍ତ। ଚିନ୍ମୟ ସାର୍ ଙ୍କ ଲୋକ ବୋଲି କେହି କେବେ ଚିତ୍ତକୁ ସେମିତି ନାଲି ଆଖି ଦେଖେଇ କଥା କହି ନାହାନ୍ତି। ଚିତ୍ତ ବି କାହା କାମରେ କେବେ ଅବହେଳା କରିନାହିଁ। ଯଥାର୍ଥ ହେଉ କିମ୍ବା ଅଯଥାରେ କେବେବି ଚିନ୍ମୟ ନାଁ ର ଅପବ୍ୟବହାର କରିନାହିଁ।


ଏମିତି ଦୁଇବର୍ଷ ବିତିଗଲାଣି।ଚିତ୍ତ ଅଫିସରେ ପୁରୁଣା ହେଲାଣି, ଅନେକ ସ୍ନେହ ସମ୍ପର୍କ ଅର୍ଜନ କଲାଣି, ସମସ୍ତଙ୍କ ପ୍ରିୟପାତ୍ର ହେଲାଣି। ଅନେକ ଟଙ୍କା ଦେଖିଲାଣି, ସହରି ସଭ୍ୟତାରେ ଅଭ୍ୟସ୍ତ ହେଲାଣି। ମଝିରେ ମଝିରେ ଗାଁ କୁ ଆସିଲେ ସାଙ୍ଗ ସାଥି ମେଳରେ ତାର ଖାତିରିଦାରି ବି ବଢ଼ିଲାଣି। କହିବାକୁ ଗଲେ ଜୀବନଶୈଳୀ ଚାଲିଚଳନରେ ଢେର ପରିବର୍ତ୍ତନ ଆସି ଯାଇଛି।


ସବୁ ଭଲ, ଆନନ୍ଦ, ଖୁସି, ସୁଖ ସ୍ୱାଚ୍ଛନ୍ଦ ଭିତରେ କେବଳ ଗୋଟାଏ କଥା ଅବୁଝା ରହିଯାଇଛି, ଚିନ୍ମୟର ଏତେ ଭଲ,ପରୋପକାରୀ, ଦୟାଳୁ ଓ ମହାନୁଭବତା ଗୁଣ ଥିବାବେଳେ ଅଫିସ ସାମ୍ନାରେ ଠିଆହୋଇ ଭିକ ମାଗୁଥିବା ସେଇ ଅନାମଧେୟ ଭିକ୍ଷୁକ ପ୍ରତି ଏତେ ଅମାନୁଷିକତା କଠୋର ନିର୍ମମ ଓ ବର୍ବରତାଭାବ ପୋଷଣ କରୁଛି କାହିଁକି?? ଖାଲି ଅଫିସ ସାମ୍ନାରେ ନୁହେଁ, ଦୁଇ ଚାରିଥର ମଲ ଆଗରେ.. ଆଉ ଦୁଇ ଚାରିଥର ହୋଟେଲ ସାମ୍ନାରେ ଏମିତି ବହୁବାର ତାକୁ ତୀବ୍ର ଅପମାନିତ କରିବାର ଚିତ୍ତ ଦେଖିଛି। ଟଙ୍କା ପଇସା ନଦେଵ ନାହିଁ, କିନ୍ତୁ ଏଭଳି କଠୋର ବ୍ୟବହାର କୋଉଥି ପାଇଁ??

ଚିତ୍ତ ଥରେ ଦୁଇଥର ପାଂଚିଲାଣି, ଚିନ୍ମୟକୁ ଏହାର କାରଣ ପଚାରିବ। ଭିକାରୀ ବି ମଣିଷ।ପେଟ ପାଟଣା କଥା। ତା ହାତକୁ ତାର ଭୋକିଲା କୁଟୁମ୍ବ ଅପେକ୍ଷା କରିଥିବେ। କିଛି ଖାଦ୍ୟ ସରଞ୍ଜାମ ନେଲେ ତା ଘରର ଚୁଲି ଜଳିବ। ଭୋକିଲା ପେଟର ଚିତ୍କାର ନିଶବ୍ଦରେ ବହୁଦୂରକୁ ଶୁଣାଯାଏ, ଭଗବାନଙ୍କ ପର୍ଯ୍ୟନ୍ତ। କୋଉ ଅସହାୟ ଅବସ୍ଥାରେ ସେ ଭିକ ମାଗୁଛି କିଏ ଜାଣେ?? ଅନ୍ୟର ପେଟ ଚିହ୍ନିବାଟା ସବୁଠାରୁ ବଡ଼ କଥା। ଭିକାରୀ କିଛି ଅଜଣା ଦୁସ୍ଥରରେ ପୀଡିତ ଥିବ..!!


ଆଜିର ଏଇ ବୁର୍ଜୁଆ ସମନ୍ତବାଦୀ ଗୋଷ୍ଠି କେବଳ ଅନ୍ୟକୁ ଦଳିମକଚି, ଅନ୍ୟ କାନ୍ଧ ଉପରେ ଠିଆହୋଇ ବଡ଼ରୁ ଅଧିକ ବଡଲୋକ ହେବାରେ ବ୍ୟସ୍ତ। ସମାଜ ତଳସ୍ତରର ଲୋକଙ୍କ ପାଇଁ କିଛି କରିବାକୁ ହେଲେ, ସତେ ଯେମିତି ସେମାନଙ୍କ ମୁଣ୍ଡ ଉପରେ ପାହାଡ଼ ଛିଣ୍ଡିପଡ଼େ। ତେବେ ରୋଜଗାର ନ ପାଇ ଆମ ଦେଶରେ ଭିକାରୀ ସୃଷ୍ଟି ହେବେ ନାହିଁ ତ ଆଉ କଣ ଦେଶ ସେବୀ ଉତ୍ପନ୍ନ ହେବେ??


କର୍ମମୟ ଜୀବନରେ ଜଣେ ପଥାଚାରି,ଚାକିରିଆ କିମ୍ବା ଜଣେ ବ୍ୟବସାୟୀ କାହିଁକି ଗୋଟିଏ ଅପାଙ୍'କ୍ତେୟ ଭିକାରୀର ଭିକ୍ଷା ମାଗିବା ପଛର କାହାଣୀ ଖୋଜିବାକୁ ଯିବ?? କାହିଁକି ବିଶ୍ଳେଷଣ କରିବାକୁ ବସିବ ଜଣେ ଭିକାରୀ ଭିକ୍ଷୁକ ହେବା ପଛର ଅମିମାଂଶିତ ହୃଦଥରା ବା କୌତୁହଳ ପୂର୍ଣ୍ଣ ଘଟଣାବଳୀକୁ..?? ଅଭିମାନ ଅବା ସ୍ୱାଭିମାନ ଭରା ସୁପ୍ତଭାବରେ ବିତିଯାଇଥିବା ଅତୀତକୁ..?? ହଁ, ଭିକାରୀର ଅଭିମାନ ଓ ସ୍ୱାଭିମାନକୁ ନେଇ ଯଦି କିଏ ସନ୍ଦିହାନ, ତେବେ ସେହି ମହାନ ଦାନବୀରକୁ ପଚାର ଯିଏ ପୁଣ୍ୟ ଅର୍ଜନ ଆଶାରେ ଟଙ୍କାଟିଏ ଦାନଦେଇ ନିଜକୁ ମହାଦାନୀ ଭାବିଲା ବେଳକୁ ଭିକାରି ପୁନଶ୍ଚ ସେହି ଟଙ୍କାଟି ତାଙ୍କରି ମୁହଁକୁ ଫିଙ୍ଗି ଦେଇଛି। ତେବେ ଯାଇ ସନ୍ଦେହ ମୋଚନ ହେବ। ଆମ ସମାଜରେ ଏମିତି ବି ଦାନୀଙ୍କ ସଂଖ୍ୟା କମ୍ ନୁହେଁ, ଯୋଉମାନେ କି ଟଙ୍କାଏ ଦି'ଟଙ୍କା ଓ ପାଞ୍ଚ ଟଙ୍କା ଦେଇ ସିଧା ସ୍ୱର୍ଗପ୍ରାପ୍ତିର ଆଶା ରଖିଥାଆନ୍ତି।


ଯଦିଓ ଚିତ୍ତ ଦୁଇ ତିନିଥର ଭିକାରି ପ୍ରତି ଦୁର୍ବ୍ୟବହାର ପ୍ରସଙ୍ଗ ଚିନ୍ମୟ ଆଗରେ ଉଠେଇଛି, କିନ୍ତୁ କୌଣସି ମତେ କଥାକୁ ଫାଙ୍କିଦେବାରେ ଚିନ୍ମୟ ସଫଳ ହୋଇପାରିଛି। ଚିତ୍ତ ଆଜି ନିଷ୍ପତ୍ତି କରିଛି ଏହାର ଉତ୍ତର ପାଇ ହିଁ ଚିନ୍ମୟକୁ ଛାଡିବ।


ଅଫିସ ଛୁଟି ପରେ ଚିତ୍ତ ସିଧାସଳଖ ଚାଲିଲା Block No-5A 4Th Floor Room No-411 ଏହି ରୁମ ରେ ଚିନ୍ମୟ ରହେ। ଉଭୟେ ଦୀର୍ଘ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହେଲେ, ଛିଟି ଠାରୁ ଆରମ୍ଭ କରି ଡିୟୁଟି ପର୍ଯ୍ୟନ୍ତ ଏବଂ ଗାଁ ଠାରୁ ଆରମ୍ଭ କରି ହାଇଦ୍ରାବାଦ ପର୍ଯ୍ୟନ୍ତ, ଆମୂଳଚୂଳ ସବୁ ଆଲୋଚନା ହେଲା। କଥାକୁ ବୁଲେଇ ବାଙ୍କେଇ ଆଣି ଚିତ୍ତ ପୁଣି ଅଟକିଗଲା ପ୍ରତିଦିନ ଅଫିସ ଫାଟକ ପାଖରେ ଦେଖୁଥିବା ସେଇ ଭିକାରି ପାଖରେ। ବଖାଣି ଚାଲିଲା ସେଇ ଭିକାରୀର ଅସହାୟ ଦୟନୀୟ ଅବସ୍ଥା ଓ ତା'ପ୍ରତି କରାଯାଉଥିବା କିଛି କର୍ମଚାରୀଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ। ଭିକାରି ପ୍ରସଙ୍ଗ ଶୁଣି ଚିନ୍ମୟ ଆଲୋଚନାକୁ ସଂକ୍ଷିପ୍ତ କରିଦେଲା। 

କାଲି ରବିବାର, ସନ୍ଧ୍ୟାରେ ଆସିବୁ ଇଟାଲୀୟାନ ରେସ୍ତୋରାଁରେ ରାତ୍ରୀ ଭୋଜନ ସାରି ଫେରିବା କହି ଚିତ୍ତକୁ ଶୁଭ ବିଦାୟ ଜଣାଇଲା ଚିନ୍ମୟ।


Block 5Bରେ ଚିତ୍ତର ରୁମ। ଫେରୁ ଫେରୁ ଚିନ୍ତା କଲା କାଲି ଯେମିତି ହେଲେ କଥା ଆଦାୟ କରିବି।


ରବିବାର ସନ୍ଧ୍ୟା। ଚିତ୍ତ ଓ ଚିନ୍ମୟ ଉଭୟେ ଚିନ୍ମୟର XUV ରେ ବାହାରି ପଡିଲେ ସେଇ ହାଇଟେକ ସିଟିର ପୂର୍ବ ପରିଚିତ ଇଟାଲୀୟାନ ରେସ୍ତୋରାଁକୁ। ଆଜି ନୂଆ ନୁହେଁ, ଏଇ ଦୁଇ ଅଢେ଼ଇ ବର୍ଷ ଭିତରେ ସେମାନେ ଅନେକଥର ଏଠାକୁ ଆସିଲେଣି। ସେପ, ସର୍ଭିସ ବୟ, ମ୍ୟାନେଜର ପ୍ରାୟ ସମସ୍ତେ ଏକପ୍ରକାର ଚିହ୍ନା ହୋଇ ଗଲେଣି। ମାଲିକ ବେଳେବେଳେ ଆସନ୍ତି। ଆମେରିକାରେ ତାଙ୍କର ବହୁତ ବଡ଼ ବ୍ୟବସାୟ ଚାଲିଛି।ମାଲିକଙ୍କ ଛୋଟ ଭାଇ ଇଟାଲୀରେ ଏଷ୍ଟାବ୍ଲିସ୍ କରିଗଲେଣି।

ମେନୁ କାର୍ଡ ଦେଖି ଉଭୟେ ନିଜ ନିଜ ପସନ୍ଦ ମୁତାବକ ଖାଦ୍ୟ ଖାଇଲେ। ପାଖ ମୂର୍ତ୍ତି ସଂଗ୍ରହାଳୟ ଆଡେ ବୁଲି ଗାଡି ନେଇ ଜନଗହଳିର ଶେଷ ସରନ୍ତିଆ ଆଡକୁ ଗଲେ।ଷ୍ଟ୍ରିଟ୍ ଲାଇଟ ର ଆଲୋକ ଚତୁର୍ଦିଗକୁ ବିଛୁରିତ ହୋଇ ପଡିଛି ଆଗରେ ଦୁଇଟି ଚତୁଃତଳ ପ୍ରାସାଦ।ବେଶ ଅତ୍ୟାଧୁନିକ। ଅଭ୍ର ଆଲୋକରେ ପ୍ରାଶାଦର ମୁଖଶାଳା ଝଲସି ଉଠୁଥିଲା। ମୁଖ୍ୟ ଫାଟକରେ ଦରୁଆନ। ଚିନ୍ମୟ ବୁଝାଇ ଦେଉଥିଲା, ପ୍ରାସାଦର ନିର୍ମାଣ ଶୈଳୀ ଏବଂ ଅଟକଳ ମୂଲ୍ୟ ବିଷୟରେ। ଜଣେ ବୃଦ୍ଧ ସେହି ଚତୁଃତଳ ପ୍ରାସାଦର ଫାଟକ ଆଡକୁ ଆସୁଥିଲେ।ଆଖିରେ ନେନ୍ଧୁଆ, ପକ୍ଵ ସ୍ମଶୃ, ଅସଜଡ଼ା କେଶ, ମଇଳା, ଫଟା ବୋତାମ ନଥିବା ସାର୍ଟ ପରିହିତ କରିଛନ୍ତି। ପିନ୍ଧିଥିବା ପ୍ୟାଣ୍ଟ ର ଗୋଟିଏ ପାର୍ଶ୍ୱ ଛୋଟ, ଆଣ୍ଠୁର ଅଳ୍ପ ତଳକୁ ଲମ୍ବିଛି, ଅନ୍ୟ ପଟଟି ଠିକ୍ ଅଛି।ସାଙ୍ଗରେ ଗୋଟାଏ ମଇଳା ଝୁଲାମୁଣି।


ଉଭୟେ ଆଉ ଟିକିଏ ପାଖକୁ ଯାଇ ଦେଖିଲେ, ଚିତ୍ତ, ଚିନ୍ମୟକୁ ଧୀର ଚପାସ୍ବରରେ କହିଲା, ଚିନ୍ମୟ, ଏଇ ତ ସେହି ଭିକାରି.. ଯିଏ ଆମ ଅଫିସ ଆଗରେ ଦୈନିକ ଭିକ୍ଷାବୃତି କରେ। ଖାଲି ଆମ ଅଫିସ ନୁହେଁ ତ ଆଖପାଖ ସବୁ ମଲ, ଆଇଏନଏକ୍ସ ଓ ବଡ ବଡ ଅଫିସ ଆଗରେ ଭିକ ମାଗେ। ଇଏ କଣ ଦିନରେ ଭିକ୍ଷୁକ ଆଉ ରାତ୍ରିରେ ଚୌର୍ଯ୍ୟ ବୃତି ଅବଲମ୍ବନ କରେ???

ଚିନ୍ମୟ ସ୍ମିତହାସ୍ୟ ହସି ଉତ୍ତର ଦେଲା, ତୋର ସବୁଠାରୁ ବଡ଼ ପ୍ରଶ୍ନ ଥିଲା ନା' ମୁଁ ଏଇ ଭିକ୍ଷୁକକୁ କାହିଁକି ଦୁର୍ବ୍ୟବହାର କରେ..?? ଏବେ ତୁ ତୋ ଉତ୍ତର ଖୋଜି ପାଇବାକୁ ଚେଷ୍ଟା କର୍। ଏହି ବହୁତଳ ବିଶିଷ୍ଟ ପ୍ରାସାଦଟି ହେଉଛି ଏଇ ଭିକାରୀର। ଆମେ ଭୋଜନ ସାରି ଆସିଥିବା ଇଟାଲୀୟାନ ରେସ୍ତୋରାଁଟି ୟା ପୁଅର। ରେସ୍ତୋରାଁ ବ୍ୟତୀତ ଭିଜାରୀର ଦୁଇ ପୁଅଙ୍କର ଆମେରିକାରେ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ଅଛି। ଏହା ବ୍ୟତିରେକ ଭଡାକୁ ଦେଇଥିବା ଘରର, ଘରଭଡା ଟଙ୍କା ଫି ମାସରେ ଭିକାରି ବୁଢା ପାଖରେ ଜମା ହୁଏ।

ଏକ ଆଶ୍ଚର୍ଯ୍ୟ ଚକିତ ନୟନରେ ଚିତ୍ତ ଭିକ୍ଷୁକ ଆଡକୁ ଚାହିଁ ରହିଥିଲା। ଫାଟକ ପରେ ଫାଟକ ପାର ହୋଇ ଅଭ୍ର ଆଲୋକ ଭେଦ କରି ଭିକାରି ବୁଢା ଗ୍ରାଉଣ୍ଡ ଫ୍ଲୋର ଦେଇ ସୁସଜ୍ଜିତ ଘରର ଭିତରଆଡେ ଅଦୃଶ୍ୟ ହୋଇଗଲା।


Rate this content
Log in

More oriya story from Santanu Bisoi

Similar oriya story from Abstract