Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Nityananda Nandi

Classics Inspirational

3  

Nityananda Nandi

Classics Inspirational

ଯାଜ୍ଞସେନୀ, ଭିନ୍ନ ଏକ କାହାଣୀ

ଯାଜ୍ଞସେନୀ, ଭିନ୍ନ ଏକ କାହାଣୀ

7 mins
246


 

ନିରବତା ଘୁଣପୋକ ପରି ଭିତରୁ ଭିତରୁ ଖାଇ ଯାଉଥାଏ ଯାଜ୍ଞସେନୀ ଙ୍କୁ। ହାକିମ ବାବୁଙ୍କ ସ୍ତ୍ରୀ ଯାଜ୍ଞସେନୀ। କିଛି ଅଭାବ ନାହିଁ, ମନ କିନ୍ତୁ ବୁଝୁନି। ସବୁ ଥାଇ କି ବି, ନ ଥିଲା ଭାବଟିଏ କାହିଁକି କେଜାଣି ମନ ଭିତରେ ଗୋଳେଇ ଘାଣ୍ଟି ହୁଏ। ହାକିମ ବାବୁଙ୍କ ପାଖରେ ନା ଟିକିଏ ସମୟ ଅଛି ପାଖରେ ବସି ଦୁଃଖ ସୁଖ ହେବାକୁ ନା ଷ୍ଟାଟସ ନାଁ ରେ ପିଅନ, ଚାଟୁକାର, ମାଳୀ, କାମବାଲା, ରୋଷେଇ ବାଲିଙ୍କ ଭିଡ଼ ଭିତରେ ହାକିମ ବାବୁଙ୍କ ପାଇଁ ସେ ନିଜେ କିଛି କରି ପାରନ୍ତି। 

କେତେ ଆଉ ଚୁପଚାପ୍ ବସିବେ.... ଦୂର ପାହାଡ ସୁନ୍ଦର ହିଁ ସୁନ୍ଦର ଓ ଜୀବନଟା ଗୋଟାଏ ପାହାଡ ପରି। ଗୋଟାଏ ପାଖ ସବୁଜ ତ ଅନ୍ୟ ପାଖ ଧୂସର। ବର୍ଷା ରାଣୀ ଚୁମା ଦିଏ ଗୋଟାଏ ପାର୍ଶ୍ଵରେ ତ ଅନ୍ୟ ପାର୍ଶ୍ଵରେ ନିର୍ଜଳ ଆକାଶର ଯାତନା।

 

କାହା ପାଇଁ କିଛି କରିଲେ ସିନା ହୃଦୟ ସହିତ ଯୋଡି ଯିବାକୁ କଷ୍ଟ ହୁଏନି। ଏଠି ତ ଖାଲି ଗନ୍ଧହୀନ ସମ୍ପର୍କ ର ଫାଙ୍କା ଆବାଜ ଟିଏ ଘୁରି ବୁଲୁଛି। ସାମାଜିକ ଅବସ୍ଥିତି ଚାପରେ ସବୁ ଖାଲି ଅଭିନୟ ଲାଗୁଥିଲା ଯାଜ୍ଞସେନୀ ଙ୍କୁ। 


ଏଇ କେତେ ଦିନ ହେଲା ନୂଆ କାମବାଲି ବଉଳ ଆସିଛି ତାଙ୍କ ଘରକୁ। ମନ ଲାଗି ଯାଇଛି ବଉଳ ସାଥିରେ। ଗପନ୍ତି ତା ସହିତ ଘଣ୍ଟା ଘଣ୍ଟା ଧରି। ଗପିବା ପାଇଁ ଲୋକ ଟିଏ ଦରକାର, ସେ ଯେ ହେଉ ନା କାହିଁକି !!! ତେବେ ଯାଇ ଜୀବନର ମର୍ମକୁ ଅନ୍ୟ ଆଖି ଦେଇ ଦେଖି ହୁଏ, ବୁଝି ବି ହୁଏ।

*****

ଆଜି ତୋ ବର କଥା କହ ବଉଳ ! ପଚାରିଲେ ଯାଜ୍ଞସେନୀ ।

ଜିଭ କାମୁଡି ପକେଇଲା, କେମିତି ସେ କହିବ ତା ବର କଥା !!

ଲାଜେଇଗଲା ଲାଜକୋଳି ପତ୍ର ପରି।

କଣ ହେଲା, ଲାଜେଇଗଲୁ ଯେ !! 

ମେମ୍ ଆମ ବାହାଘରକୁ ତିନି ବର୍ଷ ପୂରିଲା ଏଇ କେତେ ଦିନ ତଳେ। ଗୋଟାଏ ନିଃଶ୍ୱାସରେ ଗପିଗଲା ସେ, ମନ-ଗହ୍ଵର ଭିତରେ ଛୁପି ରହିଥିବା ଅନେକ କଥା, ତା ବର ବାବଦରେ। 

ତା ପାଇଁ ଏଇଟା ଥିଲା ସୁବର୍ଣ୍ଣ ସୁଯୋଗ। ସାମାନ୍ୟ କାମବାଲି, ତା ସହିତ ଗପିବା ପାଇଁ କାହା ପାଖରେ ସମୟ ଥାଏ !!!

କହ, କହ... ତୋ ବର କଥା।

ମୁଁ ପ୍ରେମ ବିବାହ କରିଛି ମେମ୍, ପିଲା ଦିନରୁ ଆମେ ଦୁଇଜଣ ସାଙ୍ଗ ଥିଲୁ। ନାଁ ଧରି ଡାକେ । ନାଁ ସୁଶାନ୍ତ। ଜାଣିଛ ! ସୁଶାନ୍ତ କଣ୍ଢେଇ ବିକ୍ରି କରେ ।ମୋତେ, ଭାରି ଭଲ ପାଏ ସେ। କଣ୍ଢେଇ ବିକ୍ରି ଆଉ ଆଗ ପରି ନାହିଁ ମେମ୍। ପଇସା ପତ୍ର ର ଭାରି ଅଭାବ, ସେଇଥିପାଇଁ ବୋଧେ ସେ ମୋତେ କାମ କରିବାକୁ ଛାଡି ଦେଇଛି। 

ଚମ୍ପା ମୋତେ ପଠେଇଛି , ତମ ଘରକୁ ।

କହିଲା "ହାକିମ ଘର। କାମବାଲି ଖୋଜୁଛନ୍ତି, ଯାଇ କାମ କର ! ଧୀରେ ଧୀରେ ମନ ଲାଗିଯିବ।" ତୁମ ବର କଣ ସତରେ ହାକିମ ବାବୁ, ମେମ୍ !!! 

ତୁ ଆଜି ତୋ ଘର କଥା କହ ବଉଳ ! ମୋ ବର ବାବଦରେ କାଲି କହିବି।


ରବିବାର, ଆମ ବିବାହ ବାର୍ଷିକୀ ଥିଲା। ସେ ମୋତେ କଣ୍ଢେଇ ଟିଏ ଉପହାର ଦେଇଛି। ଜାଣିଛ ! ତାକୁ କିଛି ଗୋଟାଏ ଦେବା ପାଇଁ ବହୁତ ଇଛା ଥିଲା ମୋ ମନ ଭିତରେ। ସବୁ ବେଳେ ଶୁଣେଇ ଶୁଣେଇ କହେ ପକେଟ୍ ରେ ମନି ପର୍ସ ରଖିବାକୁ ଭାରି ଇଚ୍ଛା ହେଉଛି ବଉଳ।


ପଇସା ରୋଜଗାର କରେ ସୁଶାନ୍ତ, ମନି ପର୍ସ ଟିଏ କଣ ନିଜେ କିଣି ପାରି ନ ଥାଆନ୍ତା !! ଅତି ନିଜର କେହି ଜଣେ କିଛି ଦେଲେ ସ୍ନେହ, ମମତାର ମହୋତ୍ସବ ପରି ଲାଗେ। ଆନ୍ତରିକତା ର ବାସ୍ନା ଚାରି କାନ୍ଥ ଭିତରେ ଆବଦ୍ଧ ହୋଇଯାଏ, ଧୀରେ ଧୀରେ। ସେଇଥି ପାଇଁ ବୋଧେ ସେ ସବୁବେଳେ ଶୁଣେଇ ଶୁଣେଇ ମନି ପର୍ସ କଥା କହୁଥିଲା।


ବହୁତ ଚେଷ୍ଟା କଲି ଲେଦର ପର୍ସଟିଏ ଦେବି ବୋଲି। ସମ୍ଭବ ହେଲା ନାହିଁ। ରେଟ୍ ବୁଝିଲି, ହଜାରେ ଉପରେ। ସବୁବେଳେ ଟୁକ୍ ଟାକ୍ କିଛି ପଇସା ଥାଏ ମୋ ପାଖରେ, ତା'ରି ପକେଟ୍ ରୁ ଚୋରି କରି ରଖେ, ଜାଣି ପାରେନି। ଖର୍ଚ୍ଚ ବି ହୋଇଯାଏ । ଏକ ସମୟରେ ହଜାରେ ଟଙ୍କା ଆଜି ପର୍ଯ୍ୟନ୍ତ ଦେଖିନି ମେମ୍ । ସୁଶାନ୍ତ ଭାରି ସରଳ। ମୁଁ କହିଲି ଏ ବର୍ଷ ତୋତେ କିଛି ଦେଇ ପାରିଲି ନାହିଁ, ଆସନ୍ତା ବର୍ଷ କୁ ଚେଷ୍ଟା କରିବି ! ସୁଶାନ୍ତ ହସି ଦେଇ ଜାବୁଡ଼ି ଧରିଲା। 

ବେଳେ ବେଳେ କଥା ବି ଏତେ ମିଠା ଲାଗେ ଯେ ଉପହାର ଠୁ ବଳି ଯାଏ।


ମେମ୍ ! ନଡ଼ିଆ ତେଲ, ନା କିଛି ବାସ୍ନା ତେଲ ଅଛି, ଲଗେଇଦେବି ତମ ଚୁଟି ରେ... 

ଆଜି ସେମିତି ଥାଉ, ଖାଲି ମଥା କୁଣ୍ଡେଇ ଦେ, କାଲି ତେଲ ଲଗେଇ ଦେବୁ। 

କହ ,ଭାରି ଭଲ ଲାଗୁଛି ତୋ କଥା ଶୁଣିବା ପାଇଁ..

ତମ ଘରକୁ ଆସିବା ଆଗରୁ ମହାଜନ ସାହିରେ ଜଣଙ୍କ ଘରେ କାମ କରୁଥିଲି, ଦିନେ ତାଙ୍କ ଘର ମେଡମ ପଲାଉ ପଠେଇଲେ ମୋ ବର ପାଇଁ। ସେ କଣ ଖାଇଲା !!! ଗୋଟାଏ ଗୁଣ୍ଡା ମୁହଁ କୁ ନେଇ ଥୁ ଥୁ କରି ଫିଙ୍ଗି ଦେଲା। ମୋତେ ଅନେଇ ବସିଥାଏ, କେତେବେଳେ ଫେରିବି । ଭାତ, ଆଳୁ ସିଝା ବନେଇଦିଏ ତା ପାଇଁ। ପେଟ ଭରି ଖାଏ। କହେ କଣ ଜାଣିଛ ମେମ୍ ! ମୋ ରୋଷେଇ କୁଆଡେ ତାକୁ ଭାରି ଭଲ ଲାଗେ। ମିଠା ଝରେ ବୋଲି କହେ। ତୁ ଥାଉ ଥାଉ ଆଉ କାହା ହାତ ରନ୍ଧା କାହିଁକି ଖାଇବି ?

 

ଥରେ କଣ ହେଲା ଜାଣିଛ, ବାହାଘର ପୂର୍ବରୁ। କାହାକୁ କିଛି ନ କହି ଆମେ ଦୁହେଁ ତୁମର ଏଇ ସହରକୁ ଚାଲି ଆସିଥିଲୁ ସିନେମା ଦେଖିବା ପାଇଁ। ନା ସେ କିଛି ପଢି ପାରେ ନା ମୁଁ। ତରବର ହୋଇ ଟିକେଟ କାଟି ଭିତରେ ପଶିଲା ବେଳକୁ ହିନ୍ଦୀ ସିନେମା ଚାଲିଛି, ଆମେ କଣ ହିନ୍ଦୀ ବୁଝିପାରୁ ! ମଧ୍ୟାନ୍ତର ହେଲା। ହଲ୍ ଭିତରୁ ବାହାରି ସିଧା ଗାଆଁ କୁ ଫେରିଲୁ। ଇଚ୍ଛା ହେଉଥିଲା ତାକୁ ଗାଳି କରିବାକୁ, କିନ୍ତୁ ତା ମନରେ ଦୁଃଖ ହେବ ବୋଲି ଚୁପ୍ ରହିଲି। ଭାରି ବୋକା ସେ, କଣ ଆଉ କରିଥାଆନ୍ତି ଯେ ! ମନକୁ ବୁଝେଇ ଦେଲି।


ଆଉ ଗୋଟାଏ କଥା କହିବି, ରାଗିବନି କୁହ, କହିବାକୁ ଲାଜ ଲାଗୁଛି !!

କହ, କହ

ରାତିରେ କାମ ସାରି ଯିବା ବେଳକୁ ବିଛଣାରେ ଶୋଇ ଘୁଙ୍ଗୁଡ଼ି ମାରୁଥାଏ ସେ.. ଗପିବାକୁ ଭାରି ଇଚ୍ଛା ହୁଏ। ତା ଗାଲ ଧରି ଟଣା ଓଟଣା କରେ, ଜମାରୁ ଉଠେନି, କଡ ଲେଉଟି ଶୋଇଯାଏ। ସକାଳେ ନିଦ ଭାଙ୍ଗେ, ଆଖି ଖୋଲିବା ବେଳକୁ ମୋତେ ଜାବୁଡ଼ି ଧରି ଶୋଇଥାଏ । ସହଜରେ କଣ ଛାଡେ। ସେଆଡେ ଲିପା ପୋଛା ବିଳମ୍ବ ହୋଇଯାଏ, ଡେରି ହୁଏ ଆସିବାକୁ, ତୁମେ ପଚାରିଲେ ଖାଲି ବାସ୍ ମୁଁ ହସି ଦିଏ.. ମୋତେ ଭାରି ଭଲ ଲାଗେ ତୁମେ କେବେ ଗାଳି କରନି !!!!


ମେମ ଙ୍କ ମୁହଁ ରେ ଲାଜ ମିଶା ହସ ଦେଖି ବଉଳ କହିଲା ଗପୁ ଗପୁ ବେଶି ଗପି ଦେଲି.. ନା ମେମ୍।

ହା ହା କରି ହସିଲେ ଯାଜ୍ଞସେନୀ...

ଠିକ୍ ଅଛି, ଆଜି ଏତିକି ଥାଉ, କାଲି ଗପିବା।

କିଚେନ ରୁମରେ ଝାଡୁ ଲଗେଇଦେ, ବାରଣ୍ଡାରେ ଲିପା ପୋଛା କରି ତୁ ଆଜି ଘରକୁ ଯା, ଆଜି ଆଉ ତୋତେ ରୋଷେଇ କରିବାକୁ ହେବନି ବଉଳ ..ମୁଁ ନିଜେ କରିବି।

ତୁମେ ପରା ହାକିମ ବାବୁଙ୍କ ସ୍ତ୍ରୀ ! ରୋଷେଇ ଶିଖିଛ !

ଯାଜ୍ଞସେନୀ ହସିଲେ, କେତେ ନିଷ୍କପଟ ଥିଲା ସେଇ ହସଟି , କେତେ ସରଳତା ଛୁପି ରହିଥିଲା ସେଇ ହସ ଭିତରେ। ବଉଳ ର ଆଖି ଦେଇ ଧୀରେ ଧୀରେ ଜୀବନର ଅର୍ଥ ବୁଝୁଛନ୍ତି ଯାଜ୍ଞସେନୀ।

 

ସଅଳ କାମ ସାରି ହସଟିଏ ଦେଇ ବାହାରି ଗଲା ବଉଳ। ଗେଟ ବାହାରେ ଗୁଣୁ ଗୁ ଣୁ କରି ଗୀତ ଗାଉଥିଲା ସେ, ଅତି ଖୁସିରେ...


ଖୁସି ପାଇଁ ମୁକ୍ତ ଆକାଶ ପରି ମନଟିଏ ଦରକାର। ଅଯଥା ଭିଡ଼ ଭିତରେ ଖୁସି ପାଇ ହୁଏ ସିନା, କିନ୍ତୁ ସାଇତି କରି ରଖିବା ପାଇଁ ବିଶାଳ ମନଟିଏ କାହିଁ। ଶୂନ୍ୟ ମନ ଭିତରେ ଖୁସି କଣ ରହି ପାରେ !!!


ଛୁଟି ଦିନ, ହାକିମ ବାବୁ ଖାଇ ବସିଲେ। ଯାଜ୍ଞସେନୀ ଗରମ ଗରମ ଭାତ ସାଥିରେ ସାଧା ମସୁର ଡାଲି, ଆଳୁ ଚୋଖା ପରଶି ଦେଲେ।

ଆଃ, କେତେ ସ୍ୱାଦକର ଖାଇବା, ମୋତେ ଆଜି ମୋ ବୋଉ କଥା ମନେ ପକେଇ ଦେଲ ଯାଜ୍ଞସେନୀ। ପନିର ମସଲା, ଡାଲ୍ ଫ୍ରାୟ, ଚିକେନ କଷା ଠାରୁ କେତେ ଉତ୍କୃଷ୍ଟ ଏ ଭୋଜନ !!!! ଆଜି କଣ ତମେ ରାନ୍ଧିଛ ? 


ହାକିମ ବାବୁଙ୍କ ଠୁ ପ୍ରଶଂସା ଶୁଣି ମନର ଶୂନ୍ୟତା ଭରି ଯାଉ ଥିଲା, ଲାଗିଲା କେହି ଜଣେ ଆଜି ଅତି ନିଜର ବିଲକୁଲ ପାଖେ ପାଖେ ଅଛନ୍ତି ବୋଲି । 

ଏଇଟା କିନ୍ତୁ ହାକିମ ବାବୁଙ୍କ ଘର।ଏଠି ଭିଡ଼ଭାଡ ଭିତରେ ସ୍ନେହ ମମତା ସବୁ ସ୍ଥାଣୁ ପାଲଟି ଯାନ୍ତି। ବଡ଼ ବଡ଼ ଫ୍ରିଜ ଠାରୁ ଆରମ୍ଭ କରି ମାଇକ୍ରୋ ଓଭନ୍ ପର୍ଯ୍ୟନ୍ତ ସବୁ ରହିଛି। ସ୍ନେହ, ମମତା ଓ ପ୍ରେମ ପାଇଁ କିନ୍ତୁ, ଏ'ଠି ଆଉ ଜାଗା କାହିଁ। ଆକାଶ ସଦୃଶ ସମ୍ପତ୍ତି ପ୍ରଲୋଭନରେ ମନଟା ଏତେ ଭ୍ରଷ୍ଟ ଯେ , ଆଉ କାହା ମନକୁ କିଣିବା ପାଇଁ ଲାଭ କ୍ଷତିର ହିସାବ କରେ ଏ ମନଟା। ହାକିମ ବାବୁ ଖାଲି ପଇସା ପାଇଁ ପାଗଳ ! ସୁତରାଂ ଜୀବନଟା ଶୂନ୍ୟ ଲାଗେ ଯାଜ୍ଞସେନୀ ଙ୍କୁ।


ବଉଳ ଆଜି ମୋ ଆଖି ଖୋଲିଦେଲା..

ପ୍ରତ୍ୟେକ ସ୍ୱାମୀର ଇଚ୍ଛା ଥାଏ, ସ୍ତ୍ରୀ ହାତର ସ୍ପର୍ଶ ଟିକିଏ ପାଇବା ପାଇଁ। ସ୍ତ୍ରୀ ହାତ ରନ୍ଧା ଭାତ ଡାଲି ଖାଇବା ପାଇଁ। ଯେମିତି ସୁଶାନ୍ତ ବଉଳ କୁ ଅନେଇ ବସିଥାଏ ସାଥିରେ ଖାଇବ, ଆଳୁ ସିଝା ଭାତ ହେଉ ପଛକେ... 

ମୁଁ କାହିଁକି ପାରିବି ନାହିଁ ?


ଯାଜ୍ଞସେନୀ ଆଜି ହାକିମ ବାବୁଙ୍କୁ ଶୋଇ ଦେଲେନି, ଯାଜ୍ଞସେନୀ ଙ୍କୁ ନିଜ କୋଳରେ ଭିଡ଼ି ନେବା ପର୍ଯ୍ୟନ୍ତ ନଟ ଖଟ କଲେ ସେ ହାକିମ ବାବୁଙ୍କ ସହିତ । 

ସବୁକୁ ବାଦ୍ ଦେଇ ଜୀବନରେ କିଛି ସୂକ୍ଷ୍ମ ଅନୁଭବ ହାତ ପା'ନ୍ତାରେ ଥାଏ ବୋଲି ବଉଳ ଶିଖେଇଛି ଯାଜ୍ଞସେନୀ ଙ୍କୁ। ହାକିମ ବାବୁଙ୍କ ବ୍ୟସ୍ତ ଜୀବନ ଭିତରେ ବି କିଛି ସମୟ ଗୁପ୍ତ ଭାବେ ଛୁପି ରହିଥାଏ, ତାକୁ ଆବିଷ୍କାର କରିବା ଯାଜ୍ଞସେନୀ ଙ୍କ ଦାୟିତ୍ଵ ବୋଲି ଆଜି ସେ ବୁଝୁଥିଲେ ଧୀରେ, ଧୀରେ।

****

ସକାଳ ହେଲା, ବଉଳ ଆସି କୁଣ୍ଢେଇ ଧରିଲା ଯାଜ୍ଞସେନୀ ଙ୍କୁ। ତୁମେ ମୋ ବେଗ ଭିତରେ ଟିକିଲି, ସେଣ୍ଟ ଆଉ ଗୋଟାଏ ଲେଦର ପର୍ସ ରଖି ଦେଇଥିଲ। କିନ୍ତୁ କାହିଁକି ମେମ୍ !! 

ମୁଁ ତମ ସେଣ୍ଟ ଆଉ ଟିକିଲି କୁ ରଖି ନେଇଛି। ସେଣ୍ଟ ର କି ବାସ୍ନା, ଆଜି ଲଗେଇକି ଆସିଛି।


ଗୋଟାଏ କଥା କହିବି ଦୁଃଖ କରିବନି !! 

ସୁଶାନ୍ତ ଭାରି ଜିଦିଆ, ଲେଦର ପର୍ସଟିକୁ ଫେରେଇଦେଲା। କହିଲା କଣ ଜାଣିଛ, "ଯାହା ମୁଁ କିଣିନି କିମ୍ବା ବଉଳ କିଣି ନାହିଁ , ସେଇଟା ମୋର କେମିତି ? " ଫେରେଇ ଦେ

ମୁଣ୍ଢା ଟିଏ, କିଛି ବୁଝେନି !!! ଝଗଡା କରିବ, ସେଇଥିପାଇଁ ମୁଁ ଜିଦ୍ ବି କଲି ନାହିଁ।


ନା ବଉଳ, କେତେ ଆଉ ଶିଖିବି ତୁମ ଦୁହିଁଙ୍କ ପାଖରୁ। ସେ ଠିକ୍ କହିଛି !!!

ତୁ କହିଲୁ ! ସୁଶାନ୍ତ ସାଥିରେ ଯେତେବେଳେ ତୁ ଗପୁ, ତା ଦେହରୁ କଣ ସରଳତା ଆଉ ସଚ୍ଚୋଟତାର କିଛି ବାସ୍ନା ଆସେନି ?

ବଉଳ ମୁଣ୍ଡ ହଲେଇ କହିଲା ହଁ, ଭାରି ସରଳ ସେ। ଭାବ ବିହ୍ୱଳ ହୋଇଗଲା ବଉଳ।


ଯାଜ୍ଞସେନୀ ଙ୍କ ଆଖି ଭରି ଆସିଲା, ସବୁ ଜିନିଷ ଉପରେ ଆଖି ବୁଲେଇ ଆଣିଲେ, କିଛି ତ ସେ କିଣି ନାହାନ୍ତି, କେହି ନା କେହି ଉପହାର ଦେଇଛନ୍ତି ତାଙ୍କ ହାକିମ ବାବୁଙ୍କୁ। ଟଙ୍କା, ଏଲ୍ ଇ ଡି ଟିଭି, ଫ୍ରୀଜ୍ ଏପରିକି ପିନ୍ଧି ଥିବା ଗହଣା ପର୍ଯ୍ୟନ୍ତ...କିଏ କଣ ବିନା ସ୍ୱାର୍ଥରେ ଦାମି ଦାମି ଉପହାର ଦେଇପାରେ !!! କଣ ନାହିଁ ହାକିମ ବାବୁଙ୍କ ପାଖରେ, ସେ କାହିଁକି ମନା କରି ପାରନ୍ତି ନାହିଁ ଏଇ ଉପହାର ସବୁ କୁ। କିଛି ନୁହଁ, ଖାଲି ସୁଶାନ୍ତ ଭଳି ଇଚ୍ଛା ଟିଏ ଦରକାର, " ଯାହା ମୁଁ କିଣି ନାହିଁ, ସେଇଟା ମୋର କେମିତି"


ସୁଶାନ୍ତ ଭିତରେ ଛୁପି ରହିଥିବା ଏତେ ବଡ଼ ବିଶାଳତା ଆଉ ସ୍ୱାଭିମାନ ଧୀରେ ଧୀରେ ଯାଜ୍ଞସେନୀ ଙ୍କ ମନ ଭିତର ଶୂନ୍ୟତା କୁ ଭରୁଥିଲା। ଭାବୁଥିଲେ, ଏବେ ବି ସମୟ ଅଛି ବଦଳି ଯିବାକୁ, ଆମେ ଯାହା କରୁଛୁ, କିଛି ଠିକ୍ ନୁହେଁ । ଜୀବନକୁ ଉପଭୋଗ କରିବାର ରାସ୍ତା କିନ୍ତୁ ଅଲଗା...ଯେମିତି ବଉଳ ଆଉ ସୁଶାନ୍ତ। ଇଚ୍ଛାର ବିନାଶରେ ଦୁଃଖ ର ବିନାଶ ।


ମନ ଭିତରେ ଉଙ୍କି ମାରୁଥିବା ମହାଭାରତର ଭୟାଭୟ ଯୁଦ୍ଧ କୁ କଣ ଜିତି ହୁଏ ? ଏଇଠି ପାଞ୍ଚ ଖଣ୍ଡ ଗାଆଁ ପାଇଁ ଯୁଦ୍ଧ ନୁହଁ ! ଯୁଦ୍ଧ କିନ୍ତୁ ମନରେ ଶାନ୍ତି ପାଇଁ, ଭ୍ରଷ୍ଟାଚାର ର ସମ୍ପୂର୍ଣ୍ଣ ଅବସାନ ପାଇଁ । ଲାଗୁଥିଲା କେତେ ଭିନ୍ନ ସେ ଆଜି ପୁରାଣ ଗପର ସେଇ ଯାଜ୍ଞସେନୀ ଠାରୁ, ବୁଝି ପାରୁନଥିଲେ ଏଇ ସଂଗ୍ରାମ ର ଆରମ୍ଭ କେଉଁଠି ଓ ଶେଷ କେଉଁଠି...

ଯା ବଉଳ, କାମ ଆରମ୍ଭ କର ! ହାକିମ ବାବୁଙ୍କ ପାଇଁ ରୋଷେଇ କିନ୍ତୁ ମୁଁ କରିବି....ହସିଦେଲା ବଉଳ, ସେ କଣ ଏତେ କଥା ବୁଝି ପାରିବ, ନିଜେ ରାନ୍ଧି ଅତି ଆପଣାର କାହାକୁ ପରଶି ଦେଲେ ହାତ ପା'ନ୍ତା ଆକାଶ ରୁ ସ୍ନେହ , ମମତା ପ୍ରେମ ସବୁ ଓହ୍ଲେଇ ଆସନ୍ତି !!!!!



Rate this content
Log in

More oriya story from Nityananda Nandi

Similar oriya story from Classics