The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sambit Srikumar

Classics Inspirational Others

4.3  

Sambit Srikumar

Classics Inspirational Others

ଉପେକ୍ଷିତ ଭବିଷ୍ୟତ

ଉପେକ୍ଷିତ ଭବିଷ୍ୟତ

5 mins
157



ରାଜୁ ପଧାନ ଆଜି ହାଟକୁ ବାହାରିଛି ଗାଈଟିକୁ ବିକିବାକୁ। ଏଇ ଗାଈ ତ ନୁହେଁ, ତା ରୋଜଗାରର ଏକ ମାତ୍ର ମାଧ୍ୟମ। ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷିବାର ସାଧନ। କଥା କଣ ନା ସ୍କୁଲରେ ପଢୁଥିବା ଝିଅ ଶାରଦା ପାଇଁ ମୋବାଇଲ୍ ଫୋନ୍ କିଣା ହେବ। ଏବେ ଏଇ ଯୋଉ କରୋନା ମହାମାରୀ ବ୍ଯାପିଛି ସମସ୍ତଙ୍କ ଉପରେ ଦାଉ ସାଧିଛି। ହାତରେ ତ ମାରୁଛି ପୁଣି ଭାତରେ ବି କୋଉ ଛାଡ଼ୁଛି ଯେ? ଯାହା ଜମାପୁଞ୍ଜି ଥିଲା ସବୁ ତ ସାରିଲାଣି ଏଇ କରୋନା କେଇଟା ଦିନ ମଧ୍ୟରେ।

କରୋନାର ଡର ଠାରୁ ଏଇ ସରକାରୀ ଆଇନକାନୁନର ଡର ବଳି ପଡୁଛି। ମେହନତି ଖଟିଖିଆ ମଜୁରିଆ ଲୋକଙ୍କ ଦାନାପାଣି କଥା କିଛି ବି ବିଚାର ନକରି ଅନ୍ଧାଧୁନିଆ ଲାଗୁ କରିଦେଲେ ତାଲାବନ୍ଦ। ଯିଏ ଯେଉଁଠି ଯେପରି ଥିଲେ ସବୁ ସେଇଠି ବନ୍ଦୀ। କାମଦାମ ସବୁ ବନ୍ଦ। ଲୋକେ ଖାଇବେ କଣ? ଚଳିବେ କେମିତି? ସରକାରଙ୍କ ସେଥିପାଇଁ ନିଘା ନାହିଁ। ଗାଁ ଛକରେ ଶୁଣିବାକୁ ମିଳୁଛି ଯେ, ଲୋକଙ୍କ ଘରେ କଣ ଗୁପ୍ତଧନ ଅଛି ତାକୁ ବାହାର କରି ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏଇ ଗୋଟିଏ ଚାଲ୍ ବି ହୋଇପାରେ। ଡୁବି ଡୁବି ଯାଉଥିବା ଅର୍ଥନୀତିର ଜାହାଜକୁ କାଳେ ଏଇ ଗୁପ୍ତଧନ ବଞ୍ଚାଇ ରଖିବ!! ଏଇ ଯେମିତି କିଛି ବର୍ଷ ତଳେ ନୋଟବନ୍ଦୀ କରି ଅର୍ଥନୀତିକୁ ସମ୍ଭାଳୁ ଥିଲେ।

ଆଜିକାଲି ସ୍କୁଲରେ ତ ସଂଗରୋଧ କେନ୍ଦ୍ର ହୋଇଛି। ପିଲା ଯିବାର ନାହିଁ କି ପାଠପଢ଼ା ବି ନାହିଁ। ସରକାର ବାହାଦୁର ଆଦେଶ ଦେଇଛନ୍ତି ଅନଲାଇନ୍ ପାଠପଢ଼ା ହେବ। ପ୍ରତିଟି ଛାତ୍ରଛାତ୍ରୀ ପାଖରେ ସ୍ମାର୍ଟଫୋନ୍ ରହିବା ଅନିବାର୍ଯ୍ୟ। ଅଭିଭାବକ ପଛେ ନିଜକୁ ବିକ୍ରି କରନ୍ତୁ ପିଲା କିନ୍ତୁ ପାଠ ପଢିବେ ଅନଲାଇନ୍ ରେ। ଆଉ କୌଣସି ବିକଳ୍ପ ଉପାୟ କିମ୍ବା ବ୍ଯବସ୍ଥା ନାହିଁ।


ଆଜିର ଦୁନିଆରେ ପିଲାଙ୍କ ପାଠ ପଢ଼ା ଟା ଖୁବ୍ ଜରୁରୀ ବୋଲି ରାଜୁ ମନେ କରେ। ସେଇଥିପାଇଁ ତ ସେ ଯେଉଁ ଭୁଲ୍ କରିଥିଲା ତା ପିଲାଦିନେ ତାକୁ ଆଉ ଦୋହରାଇବାକୁ ଚାହୁଁ ନାହିଁ। ନିଜର ଗୋଟିଏ ବୋଲି ଅଲିଅଳି ଝିଅ ଶାରଦାକୁ ପାରୁ ପର୍ଯ୍ୟନ୍ତ ପାଠ ପଢ଼ାଇବାକୁ ଚାହୁଁଛି ସେ। ଝିଅକୁ ପାଞ୍ଚ ଜଣରେ ଜଣେ ହୋଇ ପରିଚିତି ଲାଭ କରାଇବାକୁ ପଣ କରିଛି ରାଜୁ। ନିଜେ ପଛେ ଭୋକ ଉପାସରେ ରହିଯିବ କିନ୍ତୁ ଝିଅକୁ ତାର ପାଠ ପଢାଇବ। ଏହି ଲକ୍ଷ୍ୟ ନେଇ ଆଜି ଗାଈ ନେଇ ବାହାରିଛି ସେ ହାଟକୁ। ଝିଅକୁ ପାଠ ପଢାଇବା ଯେ ଏତେ ମହଙ୍ଗା ପଡ଼ିବ ତାହା ତାର ସରଳ ମଗଜର ବାହାରେ। କିନ୍ତୁ ମନକୁ ବୁଝାଇ ଦିଏ ଯେ, ସବୁ ଜରୁରୀ ଜିନିଷ ମହଙ୍ଗା ବୋଲି!!

ରାଜୁ ସିନା ପାଠ ପଢି ନାହିଁ। କିନ୍ତୁ ଦେଶ ଦୁନିଆରେ ଘଟୁଥିବା ସବୁ ଘଟଣା ଉପରେ ନଜର ରଖିଥାଏ। ହାଟକୁ ଯିବା ବାଟରେ ଏମିତି କେତେ କଣ କଥା ସେ ଭାବୁଥାଏ। ଏଇ ଗାଈଟି ତାର ଶେଷ ସମ୍ବଳ। ହେଲେ ଏଇ ତାଲାବନ୍ଦରେ କ୍ଷୀର ବିକ୍ରୀ ବି ହେଉନି। ପ୍ରାଇଭେଟ୍ କମ୍ପାନୀ କି ସମବାୟ ସଂସ୍ଥା କେହି ବି ଚାଷୀ ଙ୍କ ଠାରୁ କ୍ଷୀର କିଣୁ ନାହାନ୍ତି ଏଇ ତାଲାବନ୍ଦରେ। ସରକାରଙ୍କର ଆଦେଶ ରହିଛି ଏପରି। କି ଅଜବ ଏଇ ସରକାରୀ ନିୟମ! ଦୁଗ୍ଧ ଚାଷୀ ବଞ୍ଚିବେ କେମିତି? ସେମାନଙ୍କ ପରିବାର ଲୋକେ ଖାଇବେ କଣ?


ଯାହା ବି ହେଉ ହାଟକୁ ଆଣି ଗାଈଟିକୁ ବିକ୍ରି କଲେ ଭଲ ଦି ପଇସା ମିଳିବ। ବେପାରୀ ଗାଁକୁ ଆସି କିଣି ନେଲେ ବିଶେଷ ଲାଭ ମିଳିବ ନାହିଁ। ଏଇ ଗାଈ ବିକା ପଇସାରୁ ଆଗ ଝିଅ ପାଇଁ ଗୋଟେ ସ୍ମାର୍ଟଫୋନ୍ କିଣା ହେବ ଆଉ ଯାହା କିଛି ବଳିବ ସେଥିରେ ଗାଁ ଛକରେ ଅଣ୍ଡା କିମ୍ବା ପରିବା ଦୋକାନ ଟିଏ କଲେ ଚଳି ହେବ। ଗୁଜୁରାଣ ମେଣ୍ଟିଯିବ ଯାହା ଯେମିତି କରି । କିନ୍ତୁ ଝିଅର ପାଠ ପଢ଼ା ବନ୍ଦ ହେବାର ନାହିଁ କସ୍ମିନ କାଳେ।


ରାଜୁ ତାର ଶେଷ ସମ୍ବଳ ଗାଈଟିକୁ ପନ୍ଦର ହଜାର ଟଙ୍କାରେ ବିକ୍ରି କଲା। ନିଃସ୍ଵ ହୋଇଗଲା ପରି ଲାଗୁଥାଏ ତାକୁ। ଗାଈ ଆଉ ରାଜୁ ଦୁହେଁ ଦୁହିଁଙ୍କୁ ଦେଖିଲେ। ଦୁହିଁଙ୍କ ଆଖିରେ ଲୁହ। ହେଲେ ଦୁହେଁ ନିରୁପାୟ, କିଂକର୍ତ୍ତବ୍ଯବିମୁଢ! ଏଇ କରୋନା କି ଦିନ ନ ଦେଖାଇଲା ସତେ! କେତେ ଶ୍ରଦ୍ଧାରେ ଗାଈଟିକୁ ପାଳି ପୋଷି ବଡ କରିଥିଲା। ଏତେ ଦିନର ସ୍ନେହ ମମତା କଣ କ୍ଷଣିକରେ ଭୁଲି ହେବ?? ପରିସ୍ଥିତିରେ ପଡି ବିକୁଛି ସିନା ନହେଲେ ଏମିତି କଣ କିଏ କେବେ କରିପାରେ?

ଏବେ ପାଳି ଝିଅ ପାଇଁ ସ୍ମାର୍ଟଫୋନ୍ କିଣିବାର। ରାଜୁ ହାତରେ ଟଙ୍କା ଧରି ପଶିଗଲା ମୋବାଇଲ୍ ଦୋକାନ ଭିତରକୁ। ଦୋକାନୀ ଦେଖାଇଲା ଭଳିକି ଭଳି ଫୋନ୍। ଅନର୍ଗଳ କହି ଚାଲିଥାଏ ଫୋନଗୁଡିକର ବିଶେଷତା ଏବଂ ଗୁଣବତ୍ତା ବାବଦରେ। ସବୁ ଶୁଣି ରାଜୁ ପଚାରିଲା, " ଏଇ ଫୋନଟିର ଦାମ୍ କେତେ?"


"ଆଜ୍ଞା ସତର ହଜାର ପାଞ୍ଚ ଶହ ଟଙ୍କା!" ଦୋକାନୀ କଅଁଳିଆ କଣ୍ଠରେ କହିଲା। ଏକଥାରେ ରାଜୁର ହୋଶ୍ ଉଡିଗଲା। ଆଗରୁ ଶୁଣିଥିଲା ସାତ ଆଠ ହଜାର ଟଙ୍କାରେ ମୋବାଇଲ ଫୋନ ଯାହାକୁ ଯେତେ ବଜାରରେ ମିଳୁଛି। ଆଉ ସେଇ ମୋବାଇଲ୍ ରେ କେତେ କଣ କରି ହେଉଛି ବୋଲି। ହେଲେ ଏଇ ତ ଅଲଗା ମାମଲା ଏଠି।

: ଆଛା ସବୁଠାରୁ ଶସ୍ତାରେ ହେଲେ କେତେ ପଡିବ?

: ଏଇଟା ଆଜ୍ଞା ସବୁଠାରୁ ଶସ୍ତା ଫୋନ୍। ମାତ୍ର ସତର ହଜାର ପାଞ୍ଚ ଶହ ଟଙ୍କା।

: ଏଥିରୁ କଣ କିଛି କମିବ ନାହିଁ?

: ହଁ, ଆପଣ କହୁଛନ୍ତି ଯେତେବେଳେ ପାଞ୍ଚ ଶହ କାଟି କରି ସତର ହଜାର ଦେବେ ଆଉ!

: ମୁଁ ତ ଶୁଣିବାକୁ ପାଇଲି ସାତ ଆଠ ହଜାରେ ଭଲ ଫୋନ୍ ମିଳୁଛି ବୋଲି...

: ମିଳୁଥିଲା ଆଜ୍ଞା! ପାଞ୍ଚ ହଜାରରେ ବି ମିଳୁଥିଲା। ହେଲେ ଏବେ ଆଉ ନାହିଁ। ରେଟ୍ ବଢିଯାଇଛି।

: ହେଲେ କାହିଁକି? ଏଇ ମାସେ ତଳେ ତ ଆମ ଗାଁର ଗୋବିନ୍ଦ କିଣିକି ନେଇଛି କମ୍ ପଇସାରେ। ମୁଁ କିଣିବା ବେଳକୁ କାହିଁକି ଏତେ ଅଧିକ ଦାମ୍?

: ହଁ, ନେଇଥିବ ଆଜ୍ଞା! ମନା କରୁନି। ଆମେ କରିବୁ କଣ ସରକାରଙ୍କ ନିୟମ। ଆମେ ମାନିବାକୁ ବାଧ୍ୟ।

ଦ୍ବନ୍ଦରେ ପଡିଲା ରାଜୁ ପଧାନ। ଏଇ ମୋବାଇଲ୍ ରେ ପୁଣି ସରକାରୀ ନିୟମ କଣ ହେଲା? ସରକାର କୋଉ ବିକୁଛନ୍ତି ନା କିଣୁଛନ୍ତି ଯେ ଏଇ ଦୋକାନୀ ସରକାରଙ୍କ ଉପରେ ଦୋଷ ଲଦୁଛି?

"ଆଜ୍ଞା କଣ ହେଲା ପ୍ୟାକ୍ କରିବି କି?" ପଚାରିଲା ଦୋକାନୀ। ରାଜୁର ଧ୍ୟାନ ଭଗ୍ନ ହେଲା।

: ସରକାର କଣ ଏମିତି କଲେ ଯେ ମୋବାଇଲ୍ ଫୋନ୍ ର ଦାମ୍ ଆକାଶଛୁଆଁ ହୋଇଗଲା?

: ଆଜ୍ଞା, ଆଗରୁ ଆମେ ଚାଇନା ମାଲ୍ ବିକୁଥିଲୁ ଶସ୍ତାରେ। ଏବେ ସରକାର ବନ୍ଦ କରି ଦେଲେ। ଆମେ ଆଉ କରିବୁ କଣ?

: ଆଉ କଣ କିଛି ବାଟ ନାହିଁ ଶସ୍ତା ଫୋନ୍ ପାଇବାକୁ?

: ଅଛି ନା, ନାହିଁ ବୋଲି କିଏ କହିଲା?

: ତାହେଲେ କହୁ ନାହାଁନ୍ତି...

: ଦି ବର୍ଷ ବ୍ୟବହାର ହୋଇଥିବା ପୁରୁଣା ଫୋନ୍ ଶସ୍ତାରେ ମିଳିଯିବ।

: କେତେ ପଡିବ?

: ଟଙ୍କା ଆଠ ହଜାର। ଭଲ କଣ୍ଡିସନ୍ ରେ ଅଛି। କିଛି ବି ଅସୁବିଧା ହେବ ନାହିଁ। ଆଉ ଯଦି ବି କିଛି ହେଲା ଆଗକୁ ମୋ ପାଖକୁ ଆଣିଲେ ମାଗଣାରେ ସଜାଡ଼ି ଦେବି। କିନ୍ତୁ ପାର୍ଟ୍ସ ପାଇଁ ପଇସା ପଡିବ ଅଲଗା।

: ହଉ ତାହେଲେ। ଦେଖାନ୍ତୁ ଫୋନ୍ ଟା।


ସୁନା ରଙ୍ଗର ଫୋନ୍ ଟେ ଦେଖି ରାଜୁ ପଧାନର ଆଖିରେ ଚମକ ଖେଳି ଗଲା। ଶେଷ ସମ୍ବଳ ବିକି ସ୍ଵପ୍ନ ପୂରଣ କରିବାର ସାଧନ ଏଇ ଫୋନଟି। ସୁନେଲି ସ୍ବପ୍ନ ପାଇଁ ସୁନାର ଫୋନ୍!! କି ଅଦ୍ଭୁତ ସଂଯୋଗ ସତେ!! ମୂଲାମୂଲି ପରେ ସାତ ହଜାରରେ ଛିଡିଲା ଫୋନଟିର ଦାମ୍। ନଗଦ ଟଙ୍କା ଗଣି କରି ପୁରୁଣା ଫୋନ୍ ଟାକୁ ଆଣି ଖୁସି ମନରେ ଘରକୁ ଫେରୁଥାଏ ରାଜୁ। ପାଖରେ ତାର ଆଉ ଆଠ ହଜାର ଟଙ୍କା। ଏଇ ଟଙ୍କାରେ ସେ ଆରମ୍ଭ କରିବ ପୁଣି ତାର ନୂଆ ଜୀବନ।

ଘରକୁ ଆସି ଝିଅ ଶାରଦା ହାତକୁ ବଢାଇ ଦେଲା ଚକଚକିଆ ଫୋନଟିକୁ। ଖୁସିରେ ନାଚି ଉଠିଲା ଶାରଦା। ସଭିଏଁ ଖୁସି ଝିଅର ଖୁସିରେ। କାଲିର ଅନଲାଇନ୍ କ୍ଲାସ୍ ରେ ପାଠ ପଢିବ ଝିଅ। ହେଲେ ଏଇ କଣ ଘର ଭିତରକୁ ତ ମୋବାଇଲ ନେଟୱର୍କ୍ ନାହିଁ। କାହାକୁ ଫୋନ୍ ଲଗାଇଲେ ବି ଯାଉନି କଲ୍। ବାରମ୍ଵାର ଫୋନ୍ କୁ ସୁଇଚ୍ ଅଫ୍ ଅନ୍ କଲେ ବି ସମାନ କଥା। ବଡ଼ ମୁସ୍କିଲରେ ପଡିଲା ମଣିଷ। ଝିଅର ପାଠ ପଢ଼ା ହେବ କେମିତି? ଚିନ୍ତାରେ ପଡି ମଥାରେ ହାତ ଦେଲା ରାଜୁ। ବାପାକୁ ତାର ଏମିତି ଚିନ୍ତିତ ଥିବାର ଦେଖି ଶାରଦା କହିଲା, "କିଛି ଚିନ୍ତା କରିବାର ନାହିଁ ବାପା! ଆମ ଘରେ ସିନା ନେଟୱର୍କ୍ ନାହିଁ, ହେଲେ ଗାଁ ପାଖ ପାହାଡ଼ ଉପରେ ପରା ଆସୁଛି। ସମସ୍ତେ ଯାଉଛନ୍ତି ପଢିବାକୁ ସେଇଠିକି। ମୁଁ ବି ଯିବି।"


ଝିଅର ଆଗ୍ରହ ଭରା କଥାକୁ ଶୁଣି ରାଜୁ ପଧାନ ଭାବୁଥିଲା। ସହରର ପିଲାମାନଙ୍କ ପାଖରେ ସିନା ସବୁ ସୁବିଧା ଅଛି ହେଲେ ଆତ୍ମ ବଳ ନାହିଁ। ବାପାମାଆ କେବଳ ଜୋରଜବରଦସ୍ତି ପଢାଉଛନ୍ତି।ସକାଳୁ ରାତି ଯାଏଁ ଘୋଷା ଯାଉଛି ପାଠ ଶୁଆ ପରି। ସହରୀ ପିଲାଙ୍କର ତ ଇଚ୍ଛା ହିଁ ନାହିଁ। ହେଲେ ଶାରଦା ପରି ପିଲା ପାଠ ପଢିବା ପାଇଁ ଦୁର୍ଗମ ପାହାଡ଼ ଚଢିବାକୁ ବି ପ୍ରସ୍ତୁତ। ଦେଶର ଏଇ କୁନାକୁନି ଭବିଷ୍ୟତମାନଙ୍କ ପାଇଁ ସରକାର କଣ ସତରେ ଚିନ୍ତିତ? ଯଦି ଥାଆନ୍ତେ ହୁଏତଃ ସବୁ ଗାଁରେ ମୋବାଇଲ୍ ଟାୱାର ଥାଆନ୍ତା, ଇଣ୍ଟରନେଟ୍ ସୁବିଧା ବି ଥାଆନ୍ତା। କେବଳ କାଗଜ କଲମରେ ଯୋଜନା ପ୍ରସ୍ତୁତ କରି ବସି ପଡ଼ିଲେ ଭବିଷ୍ୟତ ପୀଢି ଉପେକ୍ଷିତ ହୋଇ ରହିଯିବ। କାରଣ ଗାଁ ପିଲା ହିଁ ଦେଶର ଅସଲି ଭବିଷ୍ୟତ। ସହର ପିଲା ତ ବିଦେଶକୁ ପଳାୟନ କରିବାଟା ବିଧି ନିର୍ଦ୍ଧାରିତ!!



Rate this content
Log in

More oriya story from Sambit Srikumar

Similar oriya story from Classics