Sanuja Meghamala

Drama Romance

3  

Sanuja Meghamala

Drama Romance

ଉଜୁଡ଼ା ସଂସାର

ଉଜୁଡ଼ା ସଂସାର

6 mins
202



ଝିଅଟାର ବ୍ୟବହାର କଥାବାର୍ତ୍ତା ଭାରି ଆପଣା ଆପଣା ଲାଗେ ବନାନୀକୁ।  ଦୁଇ ତିନି ବର୍ଷର ଦେଖା ଚାହାଁ ବା ଅଳ୍ପ କିଛି ମିଳା ମିଶା ତା ସହିତ। ବନାନୀ ଭାବେ ଯେମିତି କେଉଁ ଯୁଗ ଯୁଗରୁ ସମ୍ପର୍କ ଅଛି ସଞ୍ଜନା ସହିତ । ମାସେ ଦୁଇ ମାସରେ ଫୁରୁସତ ମିଳିଲେ ଚାଲି ଯାଏ ତା ପାର୍ଲରକୁ ବନାନୀ। ଏତେ ଆତ୍ମୀୟତା ବିଶ୍ୱାସ କରିହୁଏ ନାହିଁ। ଟିକେ ଭିଡ କମିଗଲେ କେତେ ଭଲ ମନ୍ଦ ସୁଖ ଦୁଃଖ କଥା ପଚାରି ପକେଇବ ନିଜ ଭଉଣୀଟିଏ ପରି। ବନାନୀ କେବେ ତର ତର ହେଲେ ଆସିବାକୁ ସେ ଅଟକେଇ ଦେବ କହିବ ଟିକେ କଥା ହୁଅନ୍ତୁ ଭାଉଜ ଆପଣଙ୍କ ସହିତ କଥା ହେଲେ ମୋତେ ଭଲ ଲାଗେ।ମନଟା ହାଲ୍କା ହେଇ ଯାଏ। କାମ କରିବାର ଆଗ୍ରହ ବଢିଯାଏ। 

   ବର୍ଷା ଶୀତ ଖରା ସବୁ ଦିନ ପାର୍ଲର ଖୋଲାରୁହେ ଜମା ବନ୍ଦ ହୁଏନି ।  ଏବେ ପ୍ରଥମ ଥର ପାଇଁ ତା ପାର୍ଲର ବନ୍ଦ ଥିଲା। ଦୁଇ ତିନି ଦିନ ନୁହେଁ ଏକାଥରେ ସାତ ଦିନ ହେଲାଣି। ବଡ଼ ଅଥୟ ଲଗିଲା  ବନାନୀକୁ। ବ୍ୟସ୍ତ ହୋଇ ବାରମ୍ବାର ଫୋନ କଲେ ବି ସଞ୍ଜନା ଫୋନ ଉଠାଉନି।

ତା ପରଦିନ ପୁଣି ଫୋନ କଲା ବନାନୀ। ଭାଗ୍ୟକୁ ଫୋନ ଧରିଲା ସଞ୍ଜନା । ଭାଉଜ ହଠାତ୍ ଗୋଟେ ଜରୁରୀ କାମ ପଡ଼ିଗଲା ମୁଁ ସମ୍ବଲପୁର ଆସିଛି ।ଆଜି ଫେରିବି। କାଲି ସମୟ ଓ ସୁବିଧା ଦେଖି ଆପଣ ନିଶ୍ଚୟ ଆସିବେ। ମୁଁ ଅନେକ ଦିନରୁ ଆପଣଙ୍କୁ  ମୋ ଜୀବନର କଳଙ୍କିତ ଅଧ୍ୟାୟର କିଛି କଥା କହିବାକୁ ଚାହୁଁଥିଲି । ଏବେ ସେ ସମୟ ଆସି ଯାଇଛି। ମୋର ଆପଣଙ୍କ ଠାରୁ କିଛି ପରାମର୍ଶ ମଧ୍ୟ ନେବାର ଅଛି। ଫୋନରଖିଦେଲା ସଞ୍ଜନା ।ବନାନୀ କିନ୍ତୁ ଅନ୍ଧାରରେ ବାଡ଼ି ବୁଲାଉଥିଲା କଣ ଅସୁବିଧା ହେଲା ତାର। କିଛି ତ ସମସ୍ୟା ତାର ଆସି ପହଞ୍ଚି ଛି ଯାହା ଫଳରେ ସେ ମୋ ଠାରୁ ପରାମର୍ଶ ଆଶା କରୁଛି ।ସାଧାରଣ ଗୃହିଣୀଟେ ମୁଁ  ତାକୁ କି ପରାମର୍ଶ ଦେଇପାରିବି।। ୟାକୁ ହିଁ କହନ୍ତି ଶୀର ନାସ୍ତି ଶୀର ପୀଡ଼ା।କିଛି ନ ଜାଣି ବି ମନ ଟା ବ୍ୟସ୍ତ ହେଉଥିଲା ଆଶା ଆଶଙ୍କାରେ।

 ପରଦିନ ନିର୍ଦ୍ଧିଷ୍ଟ ସମୟରେ ବନାନୀ ଯାଇ ସଞ୍ଜନା ପାଖରେ ପହଞ୍ଚିଲା। ଝିଅଟାର ମୁହଁ ଶୁଖି କଳା କାଠ ଖଣ୍ଡେ ପରି ହେଇଚି। ତା କପାଳରକୁଞ୍ଚିତରେଖା ଜଣେଇ ଦେଉଥିଲା କିଛି ସମସ୍ୟାରେ ପଡ଼ିଛି। ବନାନୀକୁ ଦେଖି ଅଳ୍ପ ହସି କହିଲା ଭାଉଜ ମୁଁ ଆପଣଙ୍କ ଅପେକ୍ଷାରେ ଅଛି.ମୋତେ ଗୋଟେ ବାଟ ଦେଖାନ୍ତୁ। ବନାନୀ ତା ଗାଲକୁ ସ୍ନେହରେ ଟିକେ ଚିପି ଦେଇ କହିଲାକୁହ ସଞ୍ଜନା। ତମେ ସମ୍ପୁର୍ଣ୍ଣ କଥା ଉପରୁ ପରଦା ନ ହଟେଇଲେ ମୁଁ କଣ ବୁଝିବିକୁହ। ବନାନୀ ଅନୁଭବ କରୁଥିଲା ସଞ୍ଜନା ସାହାସ ଜୁଟେଇ ପାରୁନି। ତାକୁ ଟିକେ ଆଦରରେ ଭିଡ଼ି ଆଣି ପାଖରେ ବସେଇ ଦେଲା। ତା କାନ୍ଧ ଉପରେ ନିଜ ହାତଟା ଥୋଇ ଦେଇ କହିଲା ଠିକ୍ ଅଛି ଏଥରକୁହ ।

ସଞ୍ଜନା ଭରସା ପାଇ କହି ଚାଲିଲା। ଭାଉଜ ମୋର ଗୋଟେ ଅତୀତ ଅଛି ଯାହା ଅତି ଭୟଙ୍କର । ମୁଁ ତାକୁ ଦୁଃସ୍ୱପ୍ନ ଭାବି ଯେତେ ଭୁଲି ବାକୁ ଚାହୁଁଛି ତାର କଳା ଛାଇ ମୋ ଆଡ଼କୁ ସେତିକି ମାଡ଼ି ଆସୁଛି। ମୁଁ ମାତ୍ର ୧୮ ବର୍ଷରେ ପ୍ରେମ ବିବାହ କରିଥିଲି। ମୋ ବଡ଼ ଭଉଣୀ ବାହାଘରରେ ତାର ସମ୍ପର୍କୀୟ ଦିଅର ଆଲୋକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ସେତେବେଳେ ସେ କେମେଷ୍ଟ୍ରୀରେ ଗୋଲ୍ଡ ମେଡାଲ ପାଇଥାନ୍ତି କିନ୍ତୁ ଚାକିରୀ କରି ନ ଥାଆନ୍ତି। ଭଉଣୀ ଭିଣୋଇଙ୍କ ବାରଣ ସତ୍ବେ ମୁଁ ଆଲୋକଙ୍କ ସହିତ ସମ୍ପର୍କରଖିଲି। ସମସ୍ତଙ୍କ ଆକଟ କଟକଣାର କିଛି ପ୍ରଭାବ ମୋ ଉପରେ ପଡ଼ିଲା ନାହିଁ।  ପ୍ରେମରେ ଅନ୍ଧ ହୋଇ କାହା କଥା ମାନିଲି ନାହିଁ।। ମୁଁ ପ୍ରେମର ପ୍ରକୃତ ଅର୍ଥ ନ ବୁଝି କାମନାର ଶିକାର ହେଲି। ଆମ ଭିତରେ ଅନୈତିକ ସମ୍ପର୍କ ଗଢ଼ି ଉଠିଲା। ମୁଁ ଗର୍ଭବତୀ ହେଲି।  ଘରର ସାନଝିଅ ଥିଲି। ବାବା ମାଆ ଅନ୍ୟ ଉପାୟ ନ ପାଇ ଲୋକଲଜ୍ୟାକୁ ଡରି ମୋର ବାହାଘର କରିଦେଲେ ଆଲୋକଙ୍କ ସହିତ। ମୁଁ ଖୁସି ହେଇଗଲି ମୋ ପ୍ରିୟ ପୁରୁଷଙ୍କୁ ପାଇ। ସେତେବେଳେ ମୋର ଏତେ ସବୁ ବୁଝିବା ବୟସ ଆସି ନ ଥାଏ। ପ୍ରକୃତରେ ଭଲ ପାଇବା ନୁହେଁ ମୋ ବାବାଙ୍କ ସମ୍ପତ୍ତି ଉପରେ ହିଁ ଶାଶୁ ଘର ଲୋକ ମାନଙ୍କର ନଜର ଥିଲା। ସେଥିପାଇଁ ସେମାନେ ଆମକୁ ମିଳାମିଶା କରିବାର ସୁଯୋଗ ଦେଉଥିଲେ। ମୁଁ ବିବାହ ପୂର୍ବରୁ ସେମାନଙ୍କ ଘରେ ଅନେକ ଦିନ ଯାଇରହୁଥିଲି। ତେଣୁ ସେତେ ବେଳେ ମୋ ବାବା ମାଆ ଭାଇ ଭଉଣୀ ମୋତେ ଶତ୍ରୁ ପରି ଦେଖା ଯାଉଥିଲେ ଆଉ ଆଲୋକଙ୍କ ବାପା ମା ଭାଇ ଭଉଣୀ ଅତି ଆପଣାର ଲାଗୁଥିଲେ। ଛଳନାର ମୁଖା ତଳେ ଥିବା ସେମାନଙ୍କର ଅସଲ ଚେହେରାକୁ ଚିହ୍ନି ପାରିଲି ନାହିଁ।  ବାହାଘରର କିଛି ଦିନ ପରେ ଆରମ୍ଭ ହୋଇଗଲା ମୋ ଉପରେ ନିର୍ଯାତନା। ପ୍ରତି କଥାରେ ମାଡ଼ ଗାଳି ଓ ଖାଇବା ବନ୍ଦ କରିଦିଆ ଯାଏ। ସବୁ ସହିଲି। ମୁଁ ଯେଉଁକୁ କର୍ମ କରିଥିଲି ସେଥି ପାଇଁ ମୋ ନିଜ ପରିବାର ପାଖରେ ମୋର ସମ୍ମାନ ହରେଇ ସାରିଥିଲି। ସବୁ ଲାଞ୍ଛନା ଯନ୍ତ୍ରଣା ଆଖିବୁଜି ସହିଲି ବିନା ଅଭିଯୋଗରେ। ଭାବିଥିଲି ସେମାନଙ୍କ ମନ କିଛି ଦିନ ପରେ ପରିବର୍ତ୍ତିତ ହୋଇଯିବ। ମୁଁ  ଜିଦ୍ରେ ଥିଲି ।ଆଉ ବାବାଙ୍କ ଘରକୁ କେବେ ଫେରି ବିନି କି ସେମାନେ ଡିମାଣ୍ଡ କରୁଥିବା ଟଙ୍କା ବା ଯୌତୁକ ସାମଗ୍ରୀ ବିଷୟରେ ବାବାଙ୍କୁ କହିବିନି। ବାବା ତାଙ୍କ ସ୍ୱଚ୍ଛ ଯାହା ଦେଇଛନ୍ତି । ଆଉ ନୁହେଁ । ସେଠି ପଡ଼ିରହି ନିଜ ଭୁଲ୍ର ପ୍ରାୟଶ୍ଚିତ କରି ଚାଲି ଲି। ମୋର ଆଉ ମୁହଁ ନ ଥିଲା ବାବାଙ୍କ ଘରକୁ ଫେରିଯିବା ପାଇଁ। ସ୍ଥିର କରିନେଲି ଏମିତି ମାଡ଼ ଗାଳି ଖାଇ ଖାଇ କେଉଁ ଦିନ ମରିଯିବି ପଛେ ନିଜର ଏ ଦୟନୀୟ ଜୀବନକୁ ନେଇ କାହା ଉପରେ ବୋଝ ହେବି ନାହିଁ। କିମ୍ବା କାହା କଟାକ୍ଷ ସହ୍ୟ କରି ପାରିବିନି। ନା ସେମିତି କିଛି ହେଲାନି, ଖବର ବାବାଙ୍କ ପାଖରେ ପହଞ୍ଚିଲା। ଯେତେରାଗ ଅଭିମାନ ଥିଲେ ବି ବାପା ମା କଣ ଝିଅର କଷ୍ଟ ସହି ପାରନ୍ତି? ବାବା ଆସିଲେ ଏବଂ ମୋ ଖୁସି ପାଇଁ ସେମାନଙ୍କର ସବୁ ଡିମାଣ୍ଡ ପୂରଣ କଲେ। ଯିଏ ଲୋଭୀ ତାଙ୍କର ମନ ଭରିବ କିପରି? ସେମାନଙ୍କର ଲିଷ୍ଟ ଦିନକୁ ଦିନ ବଢ଼ି ବଢ଼ି ଚାଲିଲା। ବାବା ଦେଇ ଚାଲିଲେ। ସନ୍ତୁଷ୍ଟ ହେଇ ଥାନ୍ତେ ! ନା ସେମିତି କିଛି ହେଲାନି ବରଂ ମୋ ଉପରେ ଅତ୍ୟାଚାର ସୀମା ଲଂଘି ଗଲା।  ଆଲୋକ ଜଡ ଟିଏ ପରି ସବୁ ଦେଖି ନୀରବ ରହୁଥିଲେ।। ତାଙ୍କ ହାତରେ ଚାକିରୀ ନ ଥିଲା। ସମ୍ବଳ ନ ଥିବାରୁ ମୋତେ ସେ ନର୍କରୁ ସେ ବାହାର କରି ପାରୁନାହାନ୍ତି ବୋଲି ବାରମ୍ବାର ନିଜର ଅସହାୟତା ପ୍ରକାଶ କରୁଥିଲେ। ଭୋକ ଉପାସ ତା ଉପରେ ନିର୍ଯାତନା ସହି ସହି ମୁଁ ଦୁର୍ବଳ ହୋଇଗଲି ଦିନେ ଆଲୋକ ହିଁ ମୋତେ କହିଲେ ତମେ ଏ ଘରୁ ଚାଲି ଯାଅ ଜିନି। ତମକୁ ଭଲରେ ରଖିବାକୁ ଦେଇଥିବା କଥା ମୁଁ ରଖି ପାରୁନି। ଚାକିରୀ କଲା ପରେ ତମକୁ ନେଇ ଆସିବି।  ଆଲୋକଙ୍କ ସହିତ ଥିବା ସବୁ ବନ୍ଧନକୁ  ତ୍ୟାଗ କରି ଅଭିମାନରେ ବାବାଙ୍କ ସହିତ ଚାଲି ଆସିଲି ।ମୋର ତାଙ୍କ ପ୍ରତି ଆଗର ସେ ଭଲ ପାଇବା ଆଉ ନ ଥିଲା।  ସେ ଚାହିଁଥିଲେ ବହୁତ୍ କିଛି କରି ପାରିଥାନ୍ତେ। ମୋତେ ଅଲଗାରଖି ପାରି ଥାଆନ୍ତେ। ପରିବାର ସାମନାରେ ମୋ ପାଇଁ ମୁହଁ ଖୋଲି ଥାନ୍ତେ। କିଛି ବି କରି ଥାନ୍ତେ। କିନ୍ତୁ ତାଙ୍କ ନୀରବତା ମୋତେ ଅସହ୍ୟ ଲାଗିଲା।

 ଏହା ପରଠାରୁ ମୁଁ ଆଲୋକଙ୍କୁ ଖାଲି ଘୃଣା ହିଁ କରିଛି। ବିଶ୍ୱାସ କରନ୍ତୁ ଭାଉଜ ମୁଁ ପ୍ରତି ମୁହୂର୍ତ୍ତରେ ମରି ପୁଣି ଛୁଆଟା ପାଇଁ ବଞ୍ଚିଛି। ବାର ଲୋକଙ୍କ ବାର କଥା ଶୁଣି ହଜମ କରିଛି। କେତେ ଅପମାନ, ଲାଞ୍ଛନା ଲୋକ ଲଜ୍ୟାକୁ ଚନ୍ଦନ ପରି ବୋଲି ହୋଇଛି। ଆଖିରୁ ଲୁହ ସରିଯାଇଛି ମୋର।। ଆଲୋକଙ୍କ ସମୟ ବଦଳିଗଲା ସେ ଚାକିରୀ କଲେ। ପୁଅ ଜନ୍ମ ପରେ ପୁଅକୁ ଓ ମୋତେ ସାଙ୍ଗରେ ନେଇଯିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମୋର କେବଳ ଗୋଟିଏ ଉତ୍ତର ଥିଲା। ଯେତେବେଳେ ତମର ଆବଶ୍ୟକତା ଥିଲା ସେତେବେଳେ ତମେ ହାତ ଘୁଂଚେଇ ନେଲ ।  ଏବେ ମୁଁ ତୁମ ବିନା ବଞ୍ଚିବା ଶିଖି ଯାଇଛି। ତମର ଆଉ ମୋ ଜୀବନରେ ସ୍ଥାନ ନାହିଁ। ଆବଶ୍ୟକତା ନାହିଁ ।ମୁଁ ଆଜି ପର୍ଯ୍ୟନ୍ତ ମୋ ଜିଦିରେ ସ୍ଥିରରହିଛି।

 ବେଶୀ ପଢି ନ ଥିଲି।  କାହା ଉପରେ ବୋଝ ନ ହୋଇ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚେଷ୍ଟା କରି ପାର୍ଲର କୋର୍ସ କଲି। ଏବଂ ନିଜେ ସ୍ୱଳ୍ପ ସମ୍ବଳରେ ପାର୍ଲରଟେ ଖୋଲି ସ୍ଵାଧୀନ ଭାବରେ ବଞ୍ଚି ପାରିଲି।ପୁରୁଣା ସହର ଓ ପୁରୁଣା ପରିଚୟ ଛାଡ଼ି ଏଠି ଏକ ପ୍ରକାର ଆତ୍ମ ଗୋପନ କରି ନୂଆ ପରିଚୟରେ ବଞ୍ଚିଛି। ଭଲରେ ଅଛି। ଲୋକଙ୍କ ପ୍ରଶ୍ନଭରା ଆଖି ମୋ ଚାରିପଟେ ଘୂରି ମୋତେ ଆଘାତ ଦେଉନି।

 ଆମ ଭିତରେ ଆଇନି ଅନୁଯାୟୀ ବିଚ୍ଛେଦ ଘଟି ନାହିଁ। ତାଙ୍କ କଥା ମୁଁ କହିପାରିବିନି କିନ୍ତୁ ତାଙ୍କ ପ୍ରତି ମୋ ମନରେ ଆବେଗ ନାହିଁ ।ଭଲ ପାଇବା ଅଛି କି ନାହିଁ କେବେ ମାପିନି। ଆମର ସଂପର୍କ ବଡ଼ ଅଦ୍ଭୁତ ଆମେ ଦୁଇ ଜଣ ଯାକ ଦ୍ଵିତୀୟ ବିବାହ ମଧ୍ୟ କରି ନାହୁଁ। ମୁଁ ଆଜି ବି ତାଙ୍କ ନାଆଁରେ ମଥାରେ ସିନ୍ଦୂର ପିନ୍ଧୁଚି। ସେ ପୁଅକୁ ଦେଖିବାକୁ ଆସନ୍ତି..।କେବେ କେବେ ବୁଲେଇବାକୁ ନିଅନ୍ତି ତା ସହିତ ଖୁବ୍ ମସ୍ତି କରନ୍ତି। ମୁଁ ରାତିଟେ ପାଇଁ ମଧ୍ୟ ତାଙ୍କୁ ଅଟକି ଯିବାକୁ କହି ନାହିଁ। ସେ ନିଜ ଇଚ୍ଛାରେ ଅଟକି ଯାଇ ନାହାନ୍ତି।

 ଏବେ ଆଲୋକଙ୍କ ଦେହ ଖରାପ୍ ଥିଲା । ହସ୍ପିଟାଲ୍ ରେ ଆଡମିଟ୍  ହୋଇ ଚିକିତ୍ସିତ ହେଲେ।ଖବର ପାଇ ପୁଅ ଜିଦ୍ ଧରିଲା ଯିବ ତା ବାପାଙ୍କ ପାଖକୁ।। ମନା କରିନି ମୁଁ ବାଧ୍ୟ ହୋଇ ତା ସହିତ ଗଲି। ପୁଅ ବଡ ହେଲାଣି। ଏ ବର୍ଷ କଲେଜ ଗଲା। ସେ ଚାହୁଁଚି ଗୋଟେ ନର୍ମାଲ ଫେମିଲି। ବାପା ମା ଓ ସେ ଏକାଠି ରହିବେ। ସେ ମୋତେ ପ୍ରଶ୍ନ କରୁଛି ତୁମର ଓ ପାପାଙ୍କର ଝଗଡ଼ା ନାହିଁ କିନ୍ତୁ ଆନ୍ତରିକତା ନାହିଁ ।

ପାପା ଆସନ୍ତି ତୁମେ ମନା କରନା। ତୁମେ କଥା ହୁଅନା ତଥାପି ପାପା ଆସନ୍ତି। । କେବେ ବୁଝିବାକୁ ଚେଷ୍ଟା କରିଛ ମାମା ମୁଁ କଣ ଚାହେଁ। ମୁଁ ବି ମୋ ମାମା ପାପାଙ୍କ ଲାଡ ଲା ହେବି ଏକାଠି ବସି ସେମାନଙ୍କ ସହିତ ହସ ଖୁସି ବାଣ୍ଟି ବି। ପାପା ଏ ଘରେ ଅତିଥି ନୁହେଁ ଗୋଟେ ପର୍ମାନେଣ୍ଟ ମେମ୍ବର ହୋଇରହିବେ। ମୋ ମାମା ପାପା ଦୁଇଜଣ ମୋ ଦୁଇ କଡରେ ଥିବେ ବାସ୍ ଆଉ କିଛି ତମକୁ ମାଗିବିନି ମାମା।  ମୁଁ ଫେରି ଆସିଛି ପ୍ରଥମ ଥର ପାଇଁ ସେ ତା ବାପଙ୍କ ପାଖରେ ରହିଛି। ତାର ଯେଉଁ ଜିଦ୍ ଏକାଠି ରହିବାକୁ ମୁଁ କିଛି ସିଦ୍ଧାନ୍ତରେ ପହଞ୍ଚି ପାରୁନି।  ଏବେ କୁହନ୍ତୁ ଭାଉଜ ମୋର କଣ କରିବା ଉଚିତ୍। ମୁଁ ବଡ଼ ସମସ୍ୟା ଭିତରେ ପଡିଛି। ଥଳ କୂଳ ପାଉନି ଉଚିତ୍ ଅନୁଚିତ୍ର ଭଉଁରୀ ଭିତରେ ମୁଁ ଘୂରି ବୁଲୁଛି।

 ବନାନୀ କଣ କହିବ, କେମିତି ବୁଝେଇବ ଜାଣି ପାରୁ ନ ଥିଲା। ତଥାପି ଭାବି  ଭାବି ବହୁ ଚିନ୍ତା କରି କହିଲା  ତୁମ ବ୍ୟକ୍ତିଗତ ଜୀବନ ଉପରେ ମୋର ପ୍ରକୃତରେ କିଛି କହିବା ଅନୁଚିତ୍। ମୋତେ ବର୍ତ୍ତମାନ କାହାଣୀ ପରି ଲାଗୁଛି କିନ୍ତୁ ଏହା ତୁମର ଅଙ୍ଗେ  ନିଭା ଘଟଣା ଯାହାକୁ ତୁମେ ପ୍ରତି ମୁହୂର୍ତ୍ତରେ କେତେ ବ୍ୟଥା ଯନ୍ତ୍ରଣା ପାଇ ସହିଛ। ଆଗକୁ ବଢ଼ିବାକୁ ପ୍ରୟାସ ଜାରିରଖିଛ।। କିନ୍ତୁ ପୁଅର ଇଚ୍ଛା ଓ ଭବିଷ୍ୟତକୁ ଦୃଷ୍ଟିରେରଖି କିଛି ସର୍ତ୍ତ ସହିତ ମତକୁ ଯଦି ବଦଳେଇ ଦେଇ ପାରିବ ତେବେ ନିଶ୍ଚୟ ଭଲ ହେବ। ମୋତେ ଯେତେବେଳେ ପଚାରିଛ ମୁଁ କହିବି  ପୁଅ ଛୋଟ ହେଲେ ବି ଠିକ୍ କଥା କହୁଛି। ତମେ ନିଶ୍ଚୟ ଗୋଟେ ସୁଯୋଗ ଆଲୋକଙ୍କୁ ଦେବା ଉଚିତ୍। ଭଗବାନଙ୍କ ଆଶୀର୍ବାଦରୁ ତମ ସଂସାର ପୁଣି ହସି ଉଠିବ। ଅତୀତକୁ ଭୁଲି ଯାଇ ଆଗକୁ ପାଦ ବଢ଼େଇ ନିଅ ଜାଣିପାରିବ ଯେ ତମକୁ କେତେ ଖୁସି ଅପେକ୍ଷା କରିଛି। ପୁଅର ଖୁସି ପାଇଁ ନିଜ ଅଭିମାନର ପାଚେରୀ ଟା ଭାଙ୍ଗି ଦିଅ ତୁମକୁ ଆଲୋକ ଙ୍କ ଭଲ ପାଇବା ସଫା ଦେଖାଯିବ। ସମସ୍ତଙ୍କ ଜୀବନରେ ଦ୍ଵିତୀୟ ଥର ସୁଯୋଗ ଆସେ ନାହିଁ । ସୁଯୋଗକୁ ହାତ ଛଡା କରନି। ଏବେ ତ ତମେ ସ୍ବାବଲମ୍ବୀ। ଏକୁଟିଆ ବଞ୍ଚିବା ଶିଖି ଯାଇଛ..।ଗୋଟେ ଚାନସ୍ ନେବା ଉଚିତ୍। ଅସୁବିଧା ହେଲେ ସହଜରେ ଫେରି ଆସି ପାରିବ। ତୁମ ପୁଅ ପାଖେ ପାଖେରହିବ।  କାହା ଚାପ ବା କଥାରେ ନୁହେଁ ଥରେ ଆଖିବନ୍ଦ କରି ନୀରବରେ ତୁମ ହୃଦୟର ଆହ୍ୱାନ ଶୁଣି ନିଅ ତମେ ସଠିକ୍ ରାସ୍ତା ପାଇଯିବ ବୋଲି ବିଶ୍ୱାସ।

 ବିଦାୟ ନେଇ ଫେରି ଆସିଲା ବେଳେ ବନାନୀ ଅନୁଭବ କରି ପାରୁଥିଲା ସଞ୍ଜନାରେ ମୁହଁରେ ଆଶାର କିରଣ ସ୍ୱରୂପ ଛୋଟ ହସର ଝଲକ। ମନେ ମନେ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ପ୍ରାର୍ଥନା କଲା ବନାନୀ ପ୍ରଭୁ ସେମାନେଙ୍କର ଉଜୁଡ଼ା ସଂସାରରେ ପୁଣି ଥରେ ହସ ଖୁସି ସୁଖ ଶାନ୍ତି ଭରିଦିଅ।





 



Rate this content
Log in

Similar oriya story from Drama