ତିଳୋତ୍ତମା
ତିଳୋତ୍ତମା
ସଞ୍ଜ ବଇଠା ଦେଇ ସାରି ଶେଫାଳୀ ଜଗିଛି ତିଳ ପାଇଁ... କେତେବେଳେ ଆସିବ କେଜାଣି ! ସାନ ଭଉଣୀ ତିଳୋତ୍ତମା ସଙ୍ଗେ ଦେଖା ହେବ ପାଞ୍ଚ ବର୍ଷ ପରେ। ବ୍ୟଗ୍ରତା..ରେ ଛଟ ପଟ ହେଉଛି ଶେଫାଳୀ ! ଭଲରେ ନାହିଁ ବୋଲି ଚିଠି ଲେଖିଥିଲା ତିଳ। ପର୍ସ ଭିତରୁ ଚିଠି ବାହାର କରି ଶେଫାଳୀ ଆଉଥରେ ପଢିଲା, ଝାପସା ଟର୍ଚ୍ଚ ଆଲୁଅରେ। ଆଜି ଆସିବ ବୋଲି ସେ ଲେଖିଥିଲା ତ ! ନିଶ୍ଚିତ ହେବାକୁ ଚାହୁଁଥିଲା ଶେଫାଳୀ, ଆଉଥରେ।
ଦିଦି ! ଭାଇନା ବହୁତ ଭଲ ବୋଲି ଶୁଣିଛି, ତୋତେ ଭାରି ସ୍ନେହ ଆଦର କରନ୍ତି ବୋଲି ବୋଉ କହୁଥିଲା। ତୁ ବହୁତ ଭାଗ୍ୟବାନ ଦିଦି !! ଜାଣିଛୁ ତ, ଅଜୟ କିଛି କାମଦାମ କରନ୍ତି ନାହିଁ। କମ୍ପାନୀ ବନ୍ଦ ହେବା ପରେ ଡମ୍ପର ଛାଡି ଘରେ ବସିଛନ୍ତି ସେ। ଶାଶୁ, ଶ୍ୱଶୁର ଙ୍କୁ ନେଇ ଆମେ ଚାରି ଜଣ। ସବୁବେଳେ ଅଭାବ ଥାଏ। ଚାଷ ଜମିରୁ ଯାହା ଆସେ , ଆପାତତଃ ଆମେ ଚଳିଯାଉ। ପର୍ବ ପର୍ବାଣୀରେ ଧାର ଉଧାର ହୋଇଯାଏ। ବାପା ବୋଉ ଯାହା ଗହଣାପତ୍ର ଦେଇଥିଲେ ପ୍ରାୟ ସବୁ ବିକି ସାରିଲିଣି। ପଇସା ପାଇ ଅଜୟ କାହା ଆଗରେ ଗୋଡ଼ ଭାଙ୍ଗି ଛିଡା ହେଲେ ମୋତେ କଷ୍ଟ ହୁଏ। ସେଇଥିପାଇଁ ମୁଦି, ଝୁଣ୍ଟିଆ, ପାଉଁଜି ଗୋଟେ ଗୋଟେ କରି ବିକି ଚାଲିଛି। ଖାଲି ମଙ୍ଗଳସୂତ୍ର ଟା ବେକରେ ଝୁଲୁଛି, ବାସ୍..
ବାପା ପଶି ଆସିଲେ, ଶେଫାଳୀ ଚିଠିଟି କୁ ମୋଡ଼ି ଲୁଚେଇ ଦେଲା। ଆଖି ଓଦା ହୋଇ ଆସିଥିଲା ଶେଫାଳୀ ର। ଅନ୍ଧାର ଭିତରେ ନିଜକୁ ସମ୍ଭାଳି ନେଲା ଶେଫାଳୀ। କିଟି ମିଟି ଅନ୍ଧାର ଭିତରେ ଦୁଃଖର ମୃତ୍ୟୁ କିନ୍ତୁ ଅବଶ୍ୟମ୍ଭାବୀ..ଲୁହକୁ ଦେଖି ହୁଏନି। ସଡା ଶବ୍ଦ ହୁଏନା..ଲୁହ ବାଷ୍ପୀଭୂତ ହୋଇଯାଏ ଅନ୍ଧାରର ଏକ ଅଦୃଶ୍ୟ ଉଷ୍ମତାରେ।
ଅଟୋ ଶବ୍ଦ ଶୁଣି ଶେଫାଳୀ ଦୌଡ଼ି ଆସିଲା ଗେଟ ପାଖକୁ।
ତିଳ ! ଏତେ ଡେରି ହେଲା କାହିଁକି , କହି କୋଳେଇ ନେଲା ସାନ ଭଉଣୀକୁ।
ତିଳୋତ୍ତମାର ଲୁହକୁ ଅନୁଭବ କରୁଥିଲା ଶେଫାଳୀ। ପିନ୍ଧିଥିବା ଶାଢ଼ୀକୁ ଅତିକ୍ରମ କରି, ଅମାନିଆ ଲୁହ କେତେବେଳେ ଦେହକୁ ସ୍ପର୍ଶ କରିଯାଇ ଉଷ୍ମତା ଭରିଦେଲା, ଶେଫାଳୀ ଜାଣି ପାରିଲାନି। ଆନନ୍ଦାଶ୍ରୁ ପାଞ୍ଚ ବର୍ଷ ପରେ ଅଚାନକ ମିଳନର..
ବାୟାଣୀ, କାନ୍ଦୁଛୁ ! ଆଜି ପରା କୁମାର ପୂର୍ଣ୍ଣିମା ! ଦେଖ୍ ବୋଉ
ଛୁପି ଛୁପି ଦେଖୁଛି ତୋତେ କବାଟ ପାଖରୁ...
ତିଳୋତ୍ତମା ହସିଦେଇ ବାପା ବୋଉଙ୍କ ପାଦ ଛୁଇଁଲା। ଅସହାୟତା ଚୁରମାର ହୋଇଯାଏ, ବାପା ବୋଉଙ୍କ ସ୍ପର୍ଶରେ, ଗୋଟାଏ ଅହେତୁକ ଶକ୍ତି, କୁଆଡୁ କେଜାଣି ବିସ୍ଫୋରିତ ହୁଏ, ଉଷ୍ମ ହୋଇଉଠେ ସମ୍ପୂର୍ଣ୍ଣ ଦେହଟି। ତିଳୋତ୍ତମାର ମନ ଆଜି ଆକାଶ ଛୁଆଁ..
ଏକା ଆସିଲୁ କେମିତି ?
ମାଲକାନାଗିରି ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଅଜୟ ଆସିଥିଲେ ମୋ ସାଥିରେ। ତାଳଚେର ବସରେ ବସେଇ ଦେଇ ସେ ଫେରିଗଲେ ଘରକୁ। ଭାରି ଲାଜକୁଳା, ଡାକିଲି, ବହୁତ ଡାକିଲି, କିନ୍ତୁ ଆସିଲେନି ସେ...ଯା, ଗାଧୋଇ ଆସ। ତୁ ଆସିବୁ ବୋଲି ବୋଉ ପାଣି ଭରି ରଖିଛି ଘର ପଛ ଗାଧୁଆ ଘରେ। କେତେ ପିଠା ପଣା, ବୋଉ ବନେଇଛି ତୋ ପାଇଁ । ଶୀଘ୍ର ଗାଧୋଇ ଆ...
ଏଆର ବେଗ ଭିତରୁ ଶାଢ଼ୀଟିଏ ନେଇ ଗାଧୋଇବା ଘର ଆଡେ ଚାଲିଲା ତିଳ। ନା ପାଦରେ ଝୁଣ୍ଟିଆ ଅଛି, ନା ହାତରେ ମୁଦି, କାନ ଖାଲି ପଡ଼ିଛି।
ଠିକ୍ ପାଞ୍ଚ ବର୍ଷ ହେବ। ଡମ୍ପର ଡ୍ରାଇଭର ରୂପେ ଅଜୟ କାମ କରୁଥିଲା ତାଙ୍କ ଗାଆଁରେ। ପୋଲଟିଏ ତିଆରି ଚାଲିଥିଲା, ଗାଆଁ ପାଖ ଦେଇ ଯାଇଥିବା ଜାତୀୟ ରାଜପଥରେ। ସୁଦୂର ମାଲକାନାଗିରି ରେ ଅଜୟର ଘର। କେଉଁଠି କେମିତି ମିଶିଲେ କେଜାଣି, ହଠାତ୍ ଦିନେ ଦେଖିଲା ବେଳକୁ ତିଳୋତ୍ତମା ମନ ଦେଇ ସାରିଥିଲା ଅଜୟକୁ। ଜିଦ୍ ଧରିଲା ଡଉଲ ଡାଉଲ ଅଜୟ କୁ ବାହା ହେବ ବୋଲି। କିଛି ଉପାୟ ନ ଥିଲା ବାପାଙ୍କ ପାଖରେ। ତିଳୋତ୍ତମା ଅଜୟକୁ ହିଁ ବାହା ହୋଇ ଚାଲିଗଲା ମାଲକାନାଗିରି କୁ ସବୁଦିନ ପାଇଁ।
ସମୟର ଅଛିଣ୍ଡା ଗଣିତ ପାଖରେ ମଣିଷ ହାରିଯାଏ। ବୁଝିଲା ବେଳକୁ ସବୁ ଶେଷ। କ୍ଷଣିକ ଉଦ୍ଦୀପନାର ଶିକାର ହୁଏ ଏଇ ମଣିଷ। ସବୁ ଶେଷରୁ ଆରମ୍ଭ ହୁଏ ନୂଆ ରାସ୍ତାଟିଏ । ଆବିଷ୍କାର କରିବାକୁ ହୁଏ ରାସ୍ତାଟିକୁ। ସେଇ ରାସ୍ତା ସନ୍ଧାନରେ ବାହାରିଛି ବୋଧହୁଏ, ତିଳୋତ୍ତମା ।
ଛିଣ୍ଡା ଏଆର ବେଗରେ ଲାଗିଥିବା ସେଫ୍ଟିପିନ କୁ ଦେଖି ଭାବ ବିହ୍ବଳ ହୋଇ ଉଠିଲେ ବାପା। ଝିଅର ଦହନୀୟ ଅବସ୍ଥା ବାପାଙ୍କ କଲିଜା କୁ ଚିପୁଡି ଦେଲା...
ସ୍ତବ୍ଧ ହୋଇଗଲା ଶେଫାଳୀ କିଛି ସମୟ ପାଇଁ। ସେଫ୍ଟିପିନ ଖୋଲି ଦେଖିବାକୁ ଚେଷ୍ଟା କଲା , ତିଳ କଣ ରଖିଛି ଏଇ ବେଗ ଭିତରେ। ଅଧା କଟା କୋଲଗେଟ୍ ଟିୟୁବ୍ କୁ ଜରି ଭିତରେ ଗୋଡ଼େଇ ରଖିଛି। ଚାରି ପଟରୁ ଦବି ଯାଇଥିବା ପାରାଚ୍ୟୁଟ ନଡ଼ିଆ ତେଲ ବୋତଲଟି ନିଜ ସ୍ଥିତିକୁ ଆଉ ଫେରି ପାରିନି। ଆଉ ଭିତରକୁ ଦେଖିବା ପାଇଁ ସାହାସ ହେଲା ନାହିଁ। ପୂରା ଦାରିଦ୍ର୍ୟ ଭରି ରହିଛି ଏଆର୍ ବେଗ ଭିତରେ..। ବାପାଙ୍କୁ ଆଉ ଅଧିକ କଷ୍ଟ ଦେବନି ବୋଲି ନିଜକୁ ସମ୍ଭାଳି ନେଲା ଶେଫାଳୀ...
ଗାଧୋଇ ସାରି ରାଣୀ ପରି ଦେଖା ଯାଉଥିଲା ତିଳ। ଦାରିଦ୍ର୍ୟ କେବେ କଣ ଚୋରେଇ ପାରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ !! ସୌନ୍ଦର୍ଯ୍ୟ ଅତି ନିଜସ୍ଵ, ଭଗବାନ ପ୍ରଦତ୍ତ। ବାହାଘର ପରେ ପ୍ରଥମ ଥର ଆସିଛି ତିଳୋତ୍ତମା। ଗାଧୋଇ ସାରି ଲମ୍ବା କେଶ ଛାଡି ପଶି ଆସିଲା ଘର ଭିଆରକୁ। ସୁନ୍ଦରୀ ତିଳକୁ ଦେଖି ସମସ୍ତେ ବିଭୋର ହୋଇ ଉଠିଲେ ଖୁସିରେ। ଲାଗୁଥିଲା , ଠିକ୍ ସେମିତି ଅଛି ଯେମିତି ସେ ବାହାଘର ପୂର୍ବରୁ ଥିଲା। କିଛି ବଦ
ଳିନି, ଖାଲି ସମୟ ବଦଳି ଯାଇଛି, ବାସ୍...
ସାଥିରେ ବସି ପିଠା ପଣା ଖାଇଲେ। ବାହାରିଲେ ଗାଆଁ ମେଳାକୁ। କୁମାର ପୂର୍ଣ୍ଣମୀ ମେଳା।
ଦେଖ୍ ତିଳ, ଦୁଇଟି ସମାନ ରଙ୍ଗର ଶାଢ଼ୀ। ବାପା କିଣିଛନ୍ତି। ମନେ ଅଛି ନା ! ଆମେ ଯାଆଁଳା ବୋଲି ବିବାହ ପର୍ଯ୍ୟନ୍ତ ପ୍ରାୟ ଗୋଟାଏ ପ୍ରକାର ପୋଷାକ ପତ୍ର ଆମ ଦୁହିଙ୍କ ପାଇଁ ବାପା କିଣି ଦେଉଥିଲେ। ଆଜି ବି ଆମେ ଦୁହେଁ ସବୁ କିଛି ସମାନ ପିନ୍ଧିବା। ମନେ ପଡ଼ିଯାଉ ଆଉଥରେ ସେଇ ପିଲା ଦିନ କଥା, ବହୁତ ଭଲ ଲାଗିବ .. ନା... ତିଳ !
ଠିକ ଅଛି ଦିଦି !!
ଶେଫାଳୀ ସଜେଇ ଦେଲା ତିଳୋତ୍ତମାକୁ। ନିଜେ ପିନ୍ଧିଥିବା ଚାରି ପଟ ସୁନା ଚୁଡିରୁ ଦୁଇ ପଟ ଚୁଡି ବାହାର କରି ପିନ୍ଧେଇ ଦେଲା ତିଳକୁ। ଦୁଇ ଯୋଡ଼ା ସୁନା କାନଫୁଲ ଥିଲା ଶେଫାଳୀ ପାଖରେ। ଗୋଟାଏ ଯୋଡ଼ା ପିନ୍ଧେଇ ଦେଲା ତିଳ କାନରେ। ପିନ୍ଧିଥିବା ଦୁଇଟି ମୁଦି ଭିତରୁ ଗୋଟାଏ ତିଳୋତ୍ତମାକୁ ପିନ୍ଧେଇ ଦେଲା ଶେଫାଳୀ।
ନାଲି ଧାଡ଼ି ସାଥିରେ ଧଳା ଶାଢ଼ୀ। କଣ୍ଢେଇ ପରି ଦେଖା ଯାଉଥିଲେ ଦୁଇ ଭଉଣୀ। ମୁଣ୍ଡରେ ଦୁଇ ଦୁଇଟା ଗନ୍ଧରାଜ ଫୁଲ ଖୋସି ବାହାରିଲେ , ଗାଆଁ ମେଳା ଦେଖିବା ପାଇଁ। ସାଥିରେ ବାପା ବୋଉ।
*****
ତା ପର ଦିନ ସକାଳ। ଗାଆଁ ଯାତ୍ରା ଦେଖି ଆସି ସମସ୍ତେ ନିଘୋଡ଼ ନିଦରେ ଶୋଇ ଥାଆନ୍ତି। ଉଠିଲା ବେଳକୁ ଶେଫାଳୀ ଘରେ ନାହିଁ। ବାପା ବୋଉ ଆଦୌ ବ୍ୟସ୍ତ ହେଲେ ନାହିଁ। ଆଗରୁ କେତେଥର ଏମିତି କିଛି ନ କହି ଚାଲି ଯାଇଥିଲା ନିଜ ଘରକୁ, ବେଶି ଦୂର ନୁହେଁ, ଅତି ବେଶିରେ ପଚାଶ କିଲୋମିଟର ହେବ, ଏଇଠୁ। ଖଟ ଉପରେ ଚିଠିଟି ଏ ଛାଡି ଫେରି ଯାଇଛି ନିଜ ଗାଁକୁ।
ତିଳ !
ସବୁ ରଙ୍ଗ ହଜିଗଲା ପରେ ଯେମିତି ସିଠା ସିଠା ଲାଗେ ପୃଥିବୀଟା, ତୋତେ ଦେଖିବା ପରେ ଠିକ ସେମିତି ମୁଁ ମୋର ଅସ୍ତିତ୍ବ ହରେଇ ବସିଲି। ସବୁ ନଦୀ ସମୁଦ୍ରରେ ମିଶନ୍ତି, ସବୁ ପକ୍ଷୀ ସଂଜ ହେଲେ ଫେରନ୍ତି ବସାକୁ। ଆମେ ବି ଅନେକ ଦିନ ପରେ ଫେରିଲୁ ଆମ ଘରକୁ, କିନ୍ତୁ ସବୁ ବଦଳିଯିବା ପରେ....
ମୁଁ ଜାଣେ, ତୁ ଭାରି ସ୍ଵାଭିମାନୀ, ଏତେ ଦୁଃଖରେ ରହି ବି ବାପା ବୋଉକୁ କିଛି କହିନୁ। ଭାରି ଭଲ ଲାଗିଲା ତୋର ଏଇ ଗୁଣଟି। ମୁଁ ବି ସେମିତି ଖାସ୍ ଖୁସିରେ ନାହିଁ। ଜାଣିଛୁ ତ ! ଭାଇନା ବସ୍ କଣ୍ଡକ୍ଟର। ଯେମିତି ସେମିତି ଜୀବନ କଟିଯାଏ। ଅତି ନିମ୍ନ ମଧ୍ୟବିତ୍ତ ପରିବାର, କିଛି ଦୁଃଖ ଆଉ କିଛି ଖୁସିର ମିଶ୍ରଣ..
ତିଳ ! କିଛି ଖୁସି ବାସ୍ତବ ଲାଗେ, ଆଉ କିଛି ଖାଲି ଅଭିନୟ, ଜୀବନ ର ଖେଳ ଟି ସେମିତି। ସବୁ କଣ ନିଜ ଇଚ୍ଛାରେ ହୁଏ !!!
ଆମେ ଯାଆଁଳା ବୋଲି କାଲି ଆଉଥରେ ଅନୁଭବ କଲି ତିଳ। ଗତ କାଲି ମେଳାକୁ ଯିବା ଆଗରୁ ବୋଉ ତିନି ଗ୍ଲାସ୍ କ୍ଷୀର ରୋଷେଇ ଘର ଥାକରେ ରଖି ଆସିଥିଲା ଆମ ତିନି ଜଣଙ୍କ ପାଇଁ। ବାପା ରୋଷେଇ ଘର ଭିତରକୁ ପଶିଗଲେ। ଡେରିହେବା ଦେଖି ପଛେ ପଛେ ଯାଇ ମୁଁ ଛିଡା ହେଲି ଦ୍ଵାର ପାଖରେ। ଜାଣିଛୁ, ନିଜେ କ୍ଷୀର ନ ପିଇ ଅଳ୍ପ ଢାଳିଲେ ମୋ ଗ୍ଲାସରେ, ଅଳ୍ପ କ୍ଷୀର ଢାଳିଲେ ତୋ ଗ୍ଲାସ୍ ରେ। ପୂରା ଖାଲି ହୋଇଗଲା ତାଙ୍କ ଗ୍ଲାସ୍ ଟି। ଭାବ ବିହ୍ୱଳ ହୋଇଗଲି। ଚୁପଚାପ୍ ଫେରି ଆସିଲି, ଯେମିତି ସେ ଜାଣି ପାରିବେନି ! ବାହାରି ଆସି କହିଲେ ମୁଁ କ୍ଷୀର ପିଇ ସାରିଛି। ଯାଇ ପିଇ ଆସ। ଆମେ ଦୁହେଁ ଭିତରକୁ ଯାଇ କ୍ଷୀର ପିଇ ଆସିଲୁ। ଲାଗିଲା ଯେମିତି, ବାପାଙ୍କ ଆଖି ଆଗରେ ଆଜି ବି ଆମେ ଦୁହେଁ ସମାନ...ପୃଥିବୀ କେତେ ବଦଳି ଗଲାଣି, କିନ୍ତୁ ବାପା ବୋଉ କଣ ବଦଳିବେ, ନା.. କେବେ ନୁହଁ..କେଉଁ ମାଟିରେ ଗଢା କେଜାଣି ଏଇ ବାପା, ବୋଉ ମାନେ !!!
କିନ୍ତୁ ଭଗବାନ ଏମିତି କଲେ କାହିଁକି !!!
ବିବାହ ପରେ ସବୁ ବଦଳି ଗଲା। କାଲି ତୁ ଅଟୋ ରୁ ଓହ୍ଲାଇବା ପରେ ଲାଗିଲା, ଆମେ ଦୁଇଜଣ ଆଉ ସମାନ ହୋଇ ରହିନାହୁଁ, ଯେମିତି ବାପା ଆମକୁ ଗଢି ତୋଳିଥିଲେ, ପିଲା ଦିନରୁ। ଗୋଟାଏ କଥା କହିବି, ମନା କରିବୁନି !!
ତୋ ଦେହରେ ଯେଉଁ ଗହଣା ମୁଁ ଛାଡି ଆସିଛି ସେଇଟା ତୋର, ଫେରେଇବାକୁ ହେବନି ତିଳ ! ତୋତେ ଛାଡ଼ି ଆସିବା ପାଇଁ ଜମାରୁ ଇଚ୍ଛା ନ ଥିଲା, ଖାଲି ଗହଣା ନେବୁନି ବୋଲି ମୁଁ କାହାକୁ କିଛି ନ କହି ଚାଲି ଆସିଛି। ଆସନ୍ତା ବର୍ଷ କୁମାର ପୂର୍ଣ୍ଣମୀରେ ପୁଣି ଥରେ ଭେଟିବା..ବିବାହ ପରେ ଜୀବନଟା ଯେତେ ସହଜ ଭାବୁଥିଲି, ସେତେ ସହଜ ନୁହେଁ.. ଦେଖ୍, ଗହଣା ନେଇ ବେଶି କିଛି ଚିନ୍ତା କରିବୁନି। ଜାଣେ ତୁ ଭାରି ସ୍ଵାଭିମାନୀ। ସାମ୍ନାରେ ସିଧା କହିଥିଲେ ତୁ କଣ ନେଇ ଥା'ନ୍ତୁ ?? ମନେ ଅଛି ଛୋଟ ବେଳେ ରବର୍ ନାହିଁ ବୋଲି ଶିକ୍ଷକଙ୍କଠୁ ମାଡ଼ ଖାଇଲୁ, ତଥାପି ତୁ ମୋ ପାଖରୁ ମାଗିଲୁ ନାହିଁ। ତୁଳସୀ ଦୁଇ ପତ୍ରରୁ ବାସେ ତିଳ। ତୁ ଏବେ ବି ଠିକ୍ ସେମିତି...
ଏଇ ପରିଣତ ବୟସରେ ବାପା ଯଦି ନିଜେ କ୍ଷୀର ନ ପିଇ ଆମ ଦୁହିଙ୍କ ଗ୍ଲାସରେ ସମାନ ସମାନ ହେବା ପର୍ଯ୍ୟନ୍ତ ଢ଼ାଳି ପାରନ୍ତି, ତେବେ ବଡ଼ ଭଉଣୀ ହିସାବରେ , ବାପାଙ୍କ ଆଖି ଆଗରେ ଆମେ ଦୁଇଜଣ ସମାନ ଦେଖାଯିବା ଉଦ୍ଦେଶ୍ୟରେ ଯାହା ଯାହା ସମ୍ଭବ ଚେଷ୍ଟା କରିବି, କରିବା ପାଇଁ ..ଯେତେଦିନ ପାରିବି । ବାପାଙ୍କର ପୂର୍ବ ପରି କଣ କ୍ଷମତା ଅଛି ଯେ ତୋ ପାଇଁ ଗହଣା କିଣି ପାରିଥାଆନ୍ତେ। ଭଲରେ ଥା...ଚିଠି ଲେଖିବୁ !!
ଇତି, ତୋ ଦିଦି ଶେଫାଳୀ
ତିଳୋତ୍ତମା ସମ୍ପୂର୍ଣ୍ଣ ଭିଜି ସାରିଥିଲା ଲୁହରେ। ବାପା ବୋଉ ବୁଝି ପାରୁଥିଲେ କିଛି ଗୋଟାଏ ଘଟିଛି ନିଶ୍ଚୟ। ତିଳୋତ୍ତମା ଆଉଜି ପଡିଲା ବୋଉ ଉପରକୁ, ବାପା ବସି ପଡ଼ିଲେ ବାରଣ୍ଡାରେ ପଡ଼ିଥିବା ଖଟ ଉପରେ...।