STORYMIRROR

Nityananda Nandi

Classics Inspirational

3  

Nityananda Nandi

Classics Inspirational

ଥ୍ରି ବେଡରୁମ୍ ଫ୍ଲାଟ

ଥ୍ରି ବେଡରୁମ୍ ଫ୍ଲାଟ

5 mins
194


କେତେଦିନ ହେଲାଣି, ଝରଣା ଆଉ ବସେଇ ଉଠେଇ ଦେଉ ନାହାନ୍ତି। ଜିଦ୍ କରୁଛନ୍ତି ନୂଆ ଘରଟିଏ ପାଇଁ।ଛୋଟ ବାଇ ଚଢ଼େଇ ବି ସ୍ବପ୍ନ ଦେଖେ। କାଠି, କୁଟା ଗୋଟେଇ ଗୋଟେଇ ବସାଟିଏ ବନାଏ ଅତି ଯତ୍ନରେ, ସଂଜ ହେଲେ କ୍ଳାନ୍ତ ଶ୍ରାନ୍ତ ଶରୀର କୁ ନେଇ ବସା ଭିତରେ ବସି ସାରା ପୃଥିବୀର ଭିଡକୁ ଦେଖେ। ଗୋଟାଏ ରାତିର ବିଶ୍ରାମ ଅନେକ କିଛି ବାଇ ଚଢ଼େଇ ପାଇଁ। ଝରଣାଙ୍କ ସ୍ବପ୍ନ ବି ଠିକ୍ ସେମିତି !! ଅନିଶ୍ଚିତ କାଲି ପୂର୍ବରୁ ଆଜିର ବାସ୍ତବତାକୁ ହାସଲ କରିବାକୁ କିଏ ବା ଇଚ୍ଛା ନ କରେ ?

ବେଳେ ବେଳେ ଭାବେ ସେ ଠିକ୍ କହୁଛନ୍ତି। ଅବସର ପରେ ଗାଆଁ ରେ ରହିବା ଏତେ ସୁବିଧା ଜନକ ହେବନି। କୋଡିଏ ବର୍ଷରୁ ଅଧିକ ହେବ ଆମେ ସହରିଆ ଜାଗାରେ ରହି ଆସିଛୁ। ସହର ଭିତରେ ଖାସ କିଛି ଜୀବନ ନ ଥିଲେ ବି କାହିଁକି କେଜାଣି ମନଟା କୁ ଚୁମ୍ବକ କରି ଟାଣି ରଖେ ଏଠାକାର ଚାକଚକ୍ୟ। ମନଟା ଭାରି ଭୋଲା ଭାଲା। ଆଧୁନିକତାର ଗନ୍ଧ ପାଇଲେ ଚିପକେଇ ଯାଏ। ଗାଆଁ କଥା କିଏ ପଚାରେ ? ସ୍ମୃତି ସବୁ ଝାପ୍ସା ହୋଇଯାଏ ସ୍ୱାର୍ଥପର ମନ ଭିତରେ।


ଗୋଟାଏ ଦଲାଲକୁ ଏମିତି ଅତି ସାଧାରଣ ଭାବେ କହିଥିଲି ତିନି ବେଡ ରୁମ୍ ବାଲା ଛୋଟ ଫ୍ଲାଟଟିଏ ଦରକାର। ମୁଁ ଜାଣି ନ ଥିଲି ସେମାନେ ଏତେ ହଇରାଣ କରନ୍ତି ବୋଲି !! ଦିନରେ ଅତି କମରେ ଦଶ ଥର ଫୋନ କରୁଛି। ଏଇ କେତେଦିନ ଭିତରେ ମୁଁ ପାଗଳ ହୋଇଗଲିଣି।

ଥ୍ରି ବେଡ ରୁମ୍ ତିରିଶ ଲକ୍ଷରୁ କମ୍ ନୁହେଁ। ଟୁ ବେଡ ରୁମ କୋଡିଏ ଭିତରେ ହେଇଯିବ ବୋଲି ଦଲାଲ କହୁଛି। ବୋଉ, ପିଇସୀ ମା ଓ ଆମେ ଦୁହେଁ। ତିନିଟା ଅଲଗା ଅଲଗା କୋଠରୀ ଦରକାର। ଝିଅ କଥା ଆହୁରି ଭାବିବାକୁ ସାହାସ ହୁଏନି। ସପ୍ତମରେ ପଢୁଛି। ବାହାଘର ପରେ କାଆଁ ଭାଆଁ ଆସିବ, ଠାକୁମା ପାଖରେ ଶୋଇଯିବ। ବୋଉ, ପିଇସୀ ମା ଭିତରେ ଖାସ୍ ଏତେ ଆନ୍ତରିକତା ନାହିଁ। ଝଗଡା ଝାଟି ନ ହେଲେ ବି ମନ ଭିତରେ ଏତେ ମେଳ ନାହିଁ। ଟୁ ବେଡ ରୁମ ପାଇଁ କିସ୍ତି ବାବଦକୁ ମାସକୁ କୋଡିଏ ହଜାର, ମୋଟା ମୋଟି ଚଳିଯିବି ଭାବୁଛି। ବ୍ୟାଙ୍କରୁ ଅଠର ଲକ୍ଷ ପାଇବି। ଜମା ପଇସାରୁ ଦୁଇ ଲକ୍ଷ ଦେଲେ ଘରଟା ହେଇଯିବ। ମାତ୍ର ମନ ବୁଝୁନି। ତିନିଟି ଶୋଇବା ଘର ନ ହେଲେ ବୋଉ ଓ ପିଇସୀ ମା ଙ୍କ ଭିତରୁ କାହାକୁ ହେଲେ ଜଣଙ୍କୁ ବୈଠକ ରୁମ୍ ଭିତରେ ଶୋଇବାକୁ ପଡ଼ିବ। ମାତ୍ର କାହାକୁ କହିବି, ଦୁହେଁ ହିଁ ମୋ ଶୁଭାକାଙ୍କ୍ଷି। 

ଅଦ୍ଭୁତ ଏଇ ତ୍ରିଛକ , ଜୀବନଟା କେତେବେଳେ କାହାକୁ କୋଉ ମୋଡରେ ଛିଡା କରି ଦେଇ ଅଦୃଶ୍ୟ ହୋଇଯାଏ ବୁଝି ହୁଏନି। ଜୀବନ ଯୁଦ୍ଧର ଆରମ୍ଭ ମାତ୍ର। ରାଜାକୁ ବଧ କରି ଯୁଦ୍ଧ ଜିତାଯାଏ ଜାଣି ସୁଦ୍ଧା ଅକାରଣରେ ସୈନ୍ୟ ସାମନ୍ତକୁ ମାରି ସମୟ କଟେଇବା ଖାଲି ଗୋଟାଏ ମୂଲ୍ୟହୀନ ବିକଳ୍ପ। ଅଚାନକ ବଡ କିଛି ସିଦ୍ଧାନ୍ତ ନେଇ ହୁଏନି ଏଇ ତ୍ରିଛକରେ... 


ଦଲାଲ କୁ ଫୋନ ଲଗେଇଲି। ଦେଖ ଅତି ବେଶୀରେ ୨୨ ଲକ୍ଷ, ଥ୍ରି ବେଡ ରୁମ ଘର ମିଳିଲେ କହିବ ? ବାସ୍ତୁ, ଦିଗ କିଛି ଦରକାର ନାହିଁ। ପରିସ୍ଥିତି ସହ ବୁଝମଣା କରିପାରିଲେ ଖୁସି ମିଳେ ବୋଲି ବାପା ଶିଖେଇଥିଲେ। 

ମାସେରୁ ଅଧିକ ହେବ ଫୋନ ଫାନ ନାହିଁ ଦଲାଲ ପାଖରୁ। ତାର ବି ଆଗ୍ରହ କମି ଗଲାଣି, ପ୍ରାୟ ଜାଣି ଗଲାଣି ଲୋକଟି କାମକୁ ନୁହେଁ। ଦୁଇ ବେଡ ରୁମ୍ ବାଲା କିଛି ଲୋଭନୀୟ ଘର ଦେଖିଲେ, ଫଟୋ ୱାଟସପ କରି ପଠେଇ ଦିଏ। ସେମାନେ ବି ବେପାରୀ ଲୋକ। ନାରାଜ ହେବା ସ୍ବାଭାବିକ !!! ମୋର କିନ୍ତୁ ତିନି ବେଡ ରୁମ୍ ବିଶିଷ୍ଟ ଫ୍ଲାଟ୍ ଦରକାର , ଅଳ୍ପ ବଜେଟ ଭିତରେ।


ଜୀବନରେ ପ୍ରଥମ ଥର ପାଇଁ ଝରଣାଙ୍କ ସହିତ ଝଗଡା ହେଲା। ତାଙ୍କର ଗୋଟାଏ କଥା ମୋତେ ଆଦୌ ପସନ୍ଦ ହେଲାନି। କହିଲେ କଣ ନା ପିଇସୀ ମାଙ୍କୁ ଆମେ ପୋଷିଛୁ, ସାରା ଜୀବନ ତ ସେ ଆମ ସାଥିରେ ରହିବେ। ଶିଶୁ କାଠରେ ଦିବାନ୍ ବନେଇ ଦେଇ ବୈଠକ ଘରେ ପକେଇ ଦେଲେ ପିଇସୀ ମା ଶୋଇ ପାରିବେ ନା..। ଏତେ ଭାବିଲେ ତମ ସ୍ବାସ୍ଥ୍ୟ ଠିକ୍ ରହିବ ତ !!! 

ଆଉ ଦୁଇ ଚାରିଟା ଗୁଟି ଚଲେଇଥିଲେ ସତରଞ୍ଜ ଖେଳଟା ଜିତି ହେଇଥାନ୍ତା। ଅଚାନକ ଝଡ ତୋଫାନ !! ହାରିଗଲି ଖେଳରେ। 

ସତରଞ୍ଜ ଖେଳର ପୃକୃତି ହିଁ ସେମିତି। ହାତୀ ଘୋଡ଼ା ସବୁ ଜୀବିତ ଥାଇ ବି ହାରି ଯିବାକୁ ହୁଏ। ଏକ ନିଷ୍ଠୁର ଅସହାୟତା ମୋତେ କାବୁ କରିନେଲା ଆଖି ପିଛୁଳାକେ। ପିଇସୀ ମା ଙ୍କୁ ଦେଖିଲେ ଲାଗେ ଯେମିତି ମୋ ବାପା ବଞ୍ଚିଛନ୍ତି। ତାଙ୍କର ପ୍ରତିଟି ସ୍ନେହଭରା କଥା ଭିତରେ ବାପାଙ୍କ ଆଶ୍ଵାସନାକୁ ଖୋଜି ବୁଲେ। ନିଷ୍ଠୁର ବାଲ୍ୟ ବିବାହ ଓ ବୈଧବ୍ୟର ଚକ୍ରବ୍ୟୁହ ଭିତରେ ଫସି ଯାଇଛନ୍ତି ମୋ ପିଇସୀ ମା। ଫେରିବାର ରାସ୍ତା ଜାଣି ସୁଦ୍ଧା ଫେରି ପାରୁନାହାନ୍ତି। ଅଦ୍ଭୁତ ଏଇ ଚକ୍ରବ୍ୟୁହ !!! ବୈଠକ ଘରେ, ଶିଶୁ କାଠର ଦିବାନ୍ ଉପରେ ପିଇସୀ ମା ଶୋଇବେ, ଝରଣା କହୁଛନ୍ତି। ଟିଭି ଶବ୍ଦରେ ସେ ଶୋଇ ପାରନ୍ତିନି ବୋଲି ମୁଁ ଜାଣିଛି। ଭାରି ସରଳ ମୋ ପିଇସୀ। କିଛି ଭାବିବେନି ସତ, ମୋ ମନ କିନ୍ତୁ ବୁଝୁନି।


ତା ପରଦିନ ଆମ ଦୁହିଁକୁ ଏତେ ଚୁପ୍ ଚାପ୍ ଦେଖି ପିଇସୀ ମା ମୋ ବୋଉକୁ ପଚାରିଲା, ଅନୁରାଗ ଏତେ ଚୁପଚାପ୍, ବୋହୂ ବି କଥା ହେଉନି। କିଛି ଅଡ଼ୁଆ ହେଲାକି ???

ବୋଉ ଇଆଡେ ସିଆଡେ ଅନେଇ ତା କାନ ପାଖରେ କହିଲା , କିଛି ପଇସା ପତ୍ର କଥା ବୋଧେ, ଜାଣିଛ ତ ! ସବୁବେଳେ ତାର ଅଭାବ !!!

 

ନିଜକୁ ସମ୍ଭାଳି ନ ପାରି ପିଇସୀ ମା ଆମ ଦୁହିଁଙ୍କୁ ଡାକିଲେ ଠାକୁର ଘର ଭିତରକୁ, ସେଇ ଘରେ ମସିଣା ପାରି ସେ ଶୁଅନ୍ତି ସବୁଦିନ।

ଅନୁ ! ଶୁଣ୍ ! ମୁଁ ତୋ ଘରେ ବୋଝ ଟିଏ ହୋଇ ପଡ଼ି ରହିଛି ନା..। 

ନା ପିଇସୀ ମା ! ଏମିତି କୁହନି। 

ମୁଁ ବାଲ୍ୟ ବିଧବା। ତୋ ବାପା ମୋତେ ଭାରି ଭଲ ପାଉଥିଲେ। ଶ୍ବଶୁର ଘରେ କୁଆଡେ କଷ୍ଟ ପାଇବି ବୋଲି ସେ ମୋତେ ପାଖରେ ରଖିଲେ। ଆଜି ଆଉ ସମ୍ଭବ ନୁହେଁ, ଫେରିଯିବାକୁ ଶାଶୁ ଘରକୁ । ମୋ ଭାଇ ଦେଇଥିବା ଗାଈ, ସାଇକେଲ, ରେଡ଼ିଓ ସେମାନେ ରଖିନେଲେ। ଶାଶୁଙ୍କ ବାକ୍ସରୁ ବାପା ଦେଇଥିବା ପତଳା ସୁନା ହାର ଓ ସୁନା କାନଫୁଲ ନେଇ ଆସିଲି, ବହୁ କଷ୍ଟରେ। 

ଅନୁ ! ଶୁଣ୍ , ପଇସା ପତ୍ର ଅଭାବ ଅଛି ବୋଧେ, ତୋ ବୋଉ କହୁଥିଲା। 

ମୋ ହାର ଆଉ କାନଫୁଲ ନେଇ ବିକି ଦେ ! ମୋର ପାଖରେ ପଡି ରହିଛି, କିଛି କାମରେ ତ ଆସିବ। ଭାବିଥିଲି ତୋ ଝିଅକୁ ଦେବି ବୋଲି ! 

ମୁଁ ପିଇସୀ ମାଙ୍କ ହାତ ଧରି ପକେଇଲି, ଥାଉ। ଦରକାର ହେଲେ କହିବି। ଅନେଇଲି ଝରଣା ଙ୍କୁ। ସାପସିଡି ଖେଳରେ ସାପ ଗିଳିଦେଲେ ଅହଙ୍କାର ଧରାଶାୟୀ ହୋଇଯାଏ। ଝରଣାଙ୍କୁ ଛୁଇଁ ଗଲା ପିଇସୀ ମାଆ ଙ୍କ କଥାଟି ବୋଧେ। ତଳକୁ ମୁହଁ କରି ବସିରହିବା ଛଡା ଆଉ କିଛି ବିକଳ୍ପ ନ ଥିଲା ତାଙ୍କ ପାଖରେ।

ଆମେ ବାହାରି ଆସିଲୁ ଠାକୁର ଘରୁ।


ମୁଁ ଝରଣା ଙ୍କୁ କହିଲି ଆମ ପିଇସୀ ମା ଭାରି ଦରଦୀ ନା ..


ହାର ଓ ସୁନା କାନ ଫୁଲ କୁ ବିକିଲେ କେତେ ଆଉ ହୋଇ ଥାଆନ୍ତା, ଅତି ବେଶୀରେ ଦଶ ହଜାର। କଥା ଦଶ ହଜାର ଭିତରେ ସୀମିତ ନ ଥିଲା, ଏକ ବିଶାଳ ହୃଦୟର ପରିସୀମା ଟପିଗଲେ କଥାଟି ମିଠା ଲାଗେ। ମନକୁ ଖାଲି ଛୁଇଁ ଯାଏନି କଥାଟି, ଶୀତଳତା ଭରିଦିଏ ମନ ଭିତରେ ! ଏକ ଅସହାୟ ବିଧବା ମହିଳାର ଆଶ୍ଵାସନା ଅମୂଲ୍ୟ ! ଦଶ ଲକ୍ଷ ରୁ ଅନେକ ବେଶି।


ସମସ୍ତେ ଶୋଇଗଲେ, ଆମେ ବି ଶୋଇଗଲୁ। ରାତିରେ ନିଦ ହେଲାନାହିଁ। ଅସହାୟ ପିଇସୀ ମା ବାର ବାର ସ୍ୱପ୍ନରେ ଆସୁଥିଲେ, ହାତରେ ଦୁଇ ହଳ ଗହଣା ଧରି, ତାଙ୍କ ଜୀବନର ସର୍ବସ୍ବ। ସକାଳ ହେଲା, ନିଦ ଭାଙ୍ଗୁନି, ବିଛଣାରେ ଏମିତି ଗଡ଼ପଡ ହେଉଥିଲୁ। ଅଚାନକ ଦଲାଲ ର ଫୋନ୍ ଆସିଲା। ସ୍ପିକର ଅନ୍ ଥିଲା। ଅନୁରାଗ ବାବୁ ! ପୁରୁଣା ଥ୍ରୀ ବେଡ ରୁମ ବାଲା ଘରଟିଏ ପାଇଛି, ମାତ୍ର ବାଇଶି ଲକ୍ଷ। ଭୁବନେଶ୍ୱର ରେ ଏମିତି ଘର ପଚାଶ, ଷାଠିଏରୁ କମ୍ ହେବନି। 

ହଁ, ବୁକ୍ କରିଦିଅ। ଝରଣା କହିଲେ। 

ମୁଁ ପଚାରିଲି, ଝରଣା ! ଦୁଇ ଲକ୍ଷ ????

ହଁ, ମୁଁ ଦେବି

କୋଉଠୁ ଆଣିବ ??

ସବୁ ଗହଣା ବିକିଦେବି

ଝରଣା !!

ଶୁଣ ଅନୁରାଗ ! ତିନି ରୁମ୍ ବାଲା ଫ୍ଲାଟ୍ ଏତେ କାମ ଦାମ ରେ ମିଳୁଛି ଯେତେବେଳେ, ଘରଟା କିଣିନେବା। ତା ଛଡା ପିଇସୀ ମା ଙ୍କ ପାଇଁ ଅଲଗା ଶୋଇବା ଘରଟିଏ ଦରକାର ଥିଲା ନା !!! ଯିଏ ନିଜ ଜୀବନର ପ୍ରାୟ ସମସ୍ତ ସମ୍ବଳ ଆମକୁ ଦେବାକୁ ତିଳେ ହେଲେ କୁଣ୍ଠାବୋଧ କଲେ ନାହିଁ, ଏଇଥି ପାଇଁ ଯେ ଆମେ କୁଆଡେ ଅଭାବଗ୍ରସ୍ତ ହୋଇ ଯାଇଛୁ, ତାଙ୍କ ପାଇଁ ଗୋଟାଏ ରୁମ୍ କଣ ଆମେ ଯୋଗାଡ କରି ପାରିବାନି। ସାହାଯ୍ୟ କେବେ ଛୋଟ ନୁହେଁ କି ବଡ ନୁହେଁ। ସାହାଯ୍ୟ କରିବାର ଇଛା ବଡ ହେଲେ ସବୁ ବଡ। ଗୋଟାଏ ଆଦର୍ଶ ମନୋଭାବ ପାଖରେ ମୁଁ ହାରିଗଲି ଅନୁରାଗ। ସମସ୍ତଙ୍କ ସବୁକଥା ମନକୁ ଚ୍ଛୁଏଁନି। ପିଇସୀ ମାଙ୍କ କଥା ଟା ବେଶ୍ ମନକୁ ଛୁଇଁଲା। ଗହଣା ଆଜି ନ ହେଲେ କାଲି କିଣି ହେବ, ଘର କିନ୍ତୁ ବାର ବାର କିଣି ହୁଏନି। ଏଇ ସୁଯୋଗ ହାତ ଛଡ଼ା କରନି ଅନୁରାଗ। 

ମୁଁ ଦଲାଲ କୁ ଫୋନ ଲଗେଇ କହିଲି, ଘରଟା ବୁକ୍ କରିଦିଅ ମୋ ନାଁରେ..

ଖୁସିରେ କୁଣ୍ଢେଇ ଧରିଲି ଝରଣାଙ୍କୁ....ସ୍ବପ୍ନ ସତ ହେଲେ ପୃଥିବୀଟା କେତେ ଅଲଗା ଲାଗେ ! ନିମ୍ନ ମଧ୍ୟବିତ୍ତ ପରିବାରର ସ୍ବପ୍ନ ! ଝରକା ଦେଇ ହେନା ଫୁଲର ବାସ୍ନା ପଶି ଆସୁଥିଲା ଘର ଭିତରକୁ। ଝରଣା ହସୁଥିଲେ, ମୁଁ ବି ବୋକା ପରି ହସୁଥିଲି ତାଙ୍କ ସହିତ ।




Rate this content
Log in

Similar oriya story from Classics