Nityananda Nandi

Classics Inspirational

3  

Nityananda Nandi

Classics Inspirational

ସୁନାହାର @ ୨୧ ଗ୍ରାମ

ସୁନାହାର @ ୨୧ ଗ୍ରାମ

5 mins
202


  


ପନ୍ଦର ଦିନ ମୁଁ ଦେଖା ଚାହାଁ କରେ ବାପାଙ୍କୁ, ବଡ ଭଉଣି ପନ୍ଦର ଦିନ। ତା ଛଡା ସ୍ଥାୟୀ ଭାବେ ଅଛନ୍ତି ଜଣେ ଆୟା ବାପାଙ୍କ ପାଖରେ। ତାଙ୍କ ପାଖରେ ରହି ତାଙ୍କୁ ଉଠା ବସାରେ ସାହାଯ୍ୟ କରେ। ଯେତେ ଯାହା ହେଲେ ବି ସେ ବାହାର ଲୋକ, ଔଷଧ ପତ୍ର ତଥା ଖାଇବା ପିଇବା ଅନେକ କଥା ଅଛି। ମନରେ ଶାନ୍ତି ଆସେ ବାପାଙ୍କ ସେବା ନିଜ ହାତରେ କଲେ, ବାପାଙ୍କୁ ଥରୁଟିଏ ଛୁଇଁଦେଲେ କାହିଁକି କେଜାଣି ଶୀତଳତା ଭରି ଉଠେ ମନ ଭିତରେ।  ବାପାଙ୍କ ହାତ ଆଙ୍ଗୁଳିରେ ଛନ୍ଦି ହୋଇଗଲେ ସବୁ ଭୟର ପରିସମାପ୍ତି ହୁଏ। ବାପା ବୋଧେ ଜୀବନରେ ଥରେ ଆସନ୍ତି, ଭାରି ଇଚ୍ଛା ହୁଏ ତାଙ୍କ ପାଖେ ପାଖେ ରହି ତାଙ୍କୁ ଦେଖିବା ପାଇଁ। ସେଇଥି ପାଇଁ ଆମେ ଦୁଇଜଣ ପାଳି କରି ଆସୁ। ଆମ ଶାଶୁ ଶ୍ଵଶୁର ମାନେ ଅନୁମତି ଦେଇଛନ୍ତି ବୋଲି ଆମେ ଦୁହେଁ ସେମାନଙ୍କ ପାଖରେ କୃତଜ୍ଞ।


ଆଜି ବାପାଙ୍କ ଘରେ ପହଞ୍ଚିଲା ବେଳକୁ ବର୍ଷା ଢାଳୁ ଥାଏ। ବଡ ଭଉଣି ବାର ବାର ଉଠୁଥାଏ, ଯିବ ବୋଲି। ବାପା ହାତ ହଲେଇ ବାରଣ କରୁ ଥାଆନ୍ତି। କଥା ପ୍ରାୟ ହୁଅନ୍ତି ନାହିଁ, ସବୁ ଭୁଲି ଯାଆନ୍ତି ମୁହୂର୍ତ୍ତକ ମଧ୍ୟରେ। ତାଙ୍କ ଠାର ରୁ ଆପାତତଃ ଆମେ ବୁଝିଲୁ ଯେ " ଏତେ ବର୍ଷାରେ ତୁ ଯାଆନା"। 

ଅସ୍ତମିତ ସୂର୍ଯ୍ୟଟି ପାହାଡ ଶୀର୍ଷରେ ଥାଇ ପୃଥିବୀକୁ ମନ ଭରି ଦେଖେ, ଭାବ ପ୍ରବଣ ହୋଇ ଉଠେ, କାଲି କିଏ ଦେଖିଛି ! ସତରେ, ବାପା ଓ ଝିଅ ବୀଣା ର ଦୁଇଟି ତାର ପରି। ଗୋଟାଏ ତାରରୁ ଉତ୍ପନ୍ନ ତରଙ୍ଗ ବେଶ୍ ଅନୁଭୂତ ହୁଏ ଅନ୍ୟ ତାରରେ, ସ୍ୱର ମୁଖରିତ ହୋଇ ଉଠେ ଜୀବନ କବିତାର ପ୍ରତିଟି ଛନ୍ଦ ସେଇ ତାର ଉପରେ, କେତେ ମଧୁର ଏଇ ସମ୍ପର୍କ। ବାପା ଆଉ ଝିଅ ।


ବଡ ଭଉଣି ଗୋଟାଏ ରାତି କଟେଇଲା ମୋ ସାଥିରେ। ଅନେକ ଦିନ ପରେ। ଜଞ୍ଜାଳିଆ କର୍ମ ବ୍ୟସ୍ତ ଜୀବନରେ ସମୟ ଆଉ କୋଉଠି ଯେ, ପାଞ୍ଚ ମିନିଟ୍ ବସି ଗପି ପାରିବୁ।


ବର୍ଷା ନ ହୋଇଥିଲେ ସେ ଏବେ ଲୋକାଲ ଟ୍ରେନରେ ବସି ସାରନ୍ତାଣି। ବଡ ଭଉଣି ରାତିରେ ରହିଲା ମୋ ସାଥିରେ। ରାତିଟା ଦୁହେଁ ମିଶି ବାପାଙ୍କ ସାଥିରେ କଟେଇବୁ ବୋଲି ମନଟା ଭାରି ଖୁସି ଥିଲା। ସମସ୍ତେ ଥିଲେ ଚଢ଼େଇ ବସାଟା ଭରା ଭରା ଲାଗେ, ଜୀବନଟା ଆଉ କଣ କି, କିଛି ଭୁଲ ଅଭୁଲା ମୁହୂର୍ତ୍ତର ମିଶ୍ରଣ ସମ୍ପର୍କର ଏଇ ଗହଳି ଚହଳି ଭିତରେ। ଏମିତି ସୁଯୋଗ ଥରେ ଥରେ ଆସେ, ବାସ୍ ।


ବାପାଙ୍କ ପ୍ରିୟ କଦଳୀ ଭଜା ଓ ଖୁସୁଳା ଶାଗ। ଦୁହେଁ ମିଶି ଖୁଏଇଲୁ ବାପାଙ୍କୁ, ଗୋଟାଏ ରୋଟି ଖାଆନ୍ତି ସେ ରାତିରେ। ଭୋକ ଲାଗି ନ ଥିଲା ବୋଲି ଆମେ ବସି ଗପିଲୁ ବାପାଙ୍କ ସହିତ। ନା ବାପା କିଛି ଭଲ କି ଶୁଣି ପାରନ୍ତି ନା କହି ପାରନ୍ତି। ଏମିତି ଆମ କଥା ଶୁଣି ମଝିରେ ମଝିରେ ହସୁଥିଲେ ସେ। ଯେମିତି ଛୋଟ ପିଲାମାନେ ହସନ୍ତି, କିଛି ଉଦ୍ଦେଶ୍ୟ ନ ଥାଇକି ବି।


ବଡ ଭଉଣିକୁ କହିଲି ଦେଖ୍ ଦିଦି କି ସଂଯୋଗ, ଆଜି ତୁ ସୁନା ହାର ପିନ୍ଧିଛୁ, ମୁଁ ବି ପିନ୍ଧିଛି। ବୋଉ ଦେଇଥିଲା ଆମକୁ ଆମ ବାହା ବେଦୀରେ।  

କେତେ ବଡ ରହସ୍ୟ ଅଛି ଏଇ ଦୁଇଟି ହାର ପଛରେ, ଜାଣିଛୁ ? କଥାଟି ଆମ ବାପାଙ୍କୁ ନେଇ। ବାପା ଜଳ ଜଳ କରି ଅନେଇ ଥାଆନ୍ତି ମୋ ଆଡକୁ। ବୁଝି ପାରିଲେ ବୋଧେ, ମୁଁ କିଛି କହିଲି ବୋଲି। ସ୍ନେହ ଭରା କିଛି କଥାର ସ୍ୱତନ୍ତ୍ରତା ଥାଏ, ମନକୁ ଆନ୍ଦୋଳିତ କରେ। କିଛି ମୁହୂର୍ତ୍ତ ଭାରି ଅନ୍ତରଙ୍ଗ, ସେଇଥି ପାଇଁ ତ ସ୍ୱଳ୍ପ ସମୟ ଭିତରେ ଇନ୍ଦ୍ରଧନୁ ଉଭେଇ ଯାଏ ଆକାଶରୁ। କାହିଁକି କେଜାଣି ବାପା ହସୁଥିଲେ ମୋତେ ଦେଖି, କେତେ କ୍ଷଣସ୍ଥାୟୀ ଏଇ ହସ, ଠିକ୍ ଇନ୍ଦ୍ରଧନୁ ପରି।


ଦିଦି ! ବଡ ବାପାଙ୍କ ମୃତ୍ୟୁ ପରେ ପରେ ବଡ ମା ଦୁନିଆ ଛାଡି ଅଚାନକ ଚାଲି ଯିବାଟା ତୋ ପାଇଁ କେତେ ବଡ ଦୁର୍ଘଟଣା ଥିଲା, ଭାବିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ତୋର ସବୁ ଦାୟିତ୍ଵ ନ୍ୟସ୍ତ ହେଲା ମୋ ବାପା ବୋଉଙ୍କ ଉପରେ । ବାପା ତ ଭୋଳା ମହେଶ୍ୱର। କିଛି ବୁଝୁ ନ ଥିଲେ ସେତେବେଳେ ବି। ଯାହା କହିଲେ ହଁ । ଘରଟା ମୋ ବୋଉର ବୁଦ୍ଧିରେ ଚାଲୁ ଥିଲା। ତୋତେ ମୁଁ ଏତେ ଭଲ ପାଉଥିଲି ଯେ ବୋଉ ଟିକିଏ ପାତର ଅନ୍ତର କଲେ ମନଟା ଭାଙ୍ଗି ପଡେ, କାହିଁକି କେଜାଣି !


ଆମ ଦୁହିଁଙ୍କ ବାହାଘର ଗୋଟାଏ ଦିନରେ ହେଲେ ଖର୍ଚ୍ଚ କମ ହେବ ବୋଲି ବୋଉ ରାଜି ହୋଇଗଲା। ଏଇ ଦୁଇଟି ସୁନା ହାର କିଣିବା ପୂର୍ବ ରାତିରେ ବୋଉ ଚୁପ୍ ଚୁପ୍ କଥା ହେଉଥାଏ ବାପାଙ୍କ ସାଥିରେ। ବାର ବାର ମୁଁ ତାଙ୍କ କଥା ଶୁଣିବାକୁ ଚେଷ୍ଟା କଲା ବେଳକୁ ବୋଉ କଥା ବଦଲେଇ ଦେଉଥିଲା। ଭାରି ଚତୁରୀ ଥିଲା ମୋ ବୋଉ। ମୋ ବୋଉ ବି ଜଣେ ମଣିଷ। ତା ଛଡା ତୁ ମୋ ନିଜ ଭଉଣି ବି ନ ଥିଲୁ। ପାତର ଅନ୍ତର ସ୍ଵାଭାବିକ। ମୁଁ କିନ୍ତୁ ତାହା ଚାହୁଁ ନ ଥିଲି।


ବାପାଙ୍କ କାନ ପାଖରେ ମୋ ମନ କଥା କହିବାକୁ ଯିବାବେଳେ ତୁ ଆସି ଯାଉ ଥିଲୁ ତ କେତେବେଳେ ବୋଉ। ସେମାନେ କଟକ ବାହାରି ଗଲେ। ଯାହା ମୁଁ କହିବାକୁ ଚାହୁଁ ଥିଲି, ମନ ଭିତରେ ରହିଗଲା। ନିଶ୍ଚିତ ହୋଇଗଲି ମନ ଭିତରେ ଯୋଉ ଆଶଙ୍କା ଅଛି, ତାହା ହିଁ ହେବ।


କଟକରୁ ଫେରି ଆମ ଦୁହିଁଙ୍କୁ ଡାକିଲେ ସେମାନେ । ଦୁଇଟି ଯାକ ହାର ଆମକୁ ଦେଖେଇଲେ । ତୋ ହାର ଡିଜାଇନଟା ଏମିତି ଥିଲା ଯେ ଛୋଟ ଲାଗୁଥିଲା। ମନେ ମନେ ଭାରି ବିରକ୍ତ ହେଲି ମୁଁ ମୋ ବୋଉ ଉପରେ। ତୋ ପାଇଁ କମ୍ ଓଜନର ହାର କିଣି ଆଣିଛି।


ଜାଣିଛୁ ଦିଦି ! ରାତିରେ ସେଦିନ ମୁଁ ଶୋଇ ପାରି ନ ଥିଲି। ସକାଳ ହେଲା, ଦୁଇଟି ହାର ନେଇ ମାପିଲି ଆମ ଗାଆଁ ବଣିଆ ଦୋକାନ କୁ ନେଇ । ମୋ ହାରର ଓଜନ ଥିଲା ୨୧ ଗ୍ରାମ, ଆଉ ତୋ ହାରର ଓଜନ ବି ଥିଲା ୨୧ ଗ୍ରାମ। ମୁଁ ଆଚମ୍ବିତ ହୋଇଗଲି। ସତରେ ଦିଦି ମୋ ବୋଉ ସେଦିନ ପାତର ଅନ୍ତର କରି ନ ଥିଲା। କି ଅଦ୍ଭୁତ ଥିଲା ସମନ୍ୱୟ, ଅଦ୍ଭୁତ ଥିଲା ସେଦିନର ସେଇ ସନ୍ତୁଳନ, ଯାହା କି କେବେ ସମ୍ଭବ ହୁଏନି ମଧ୍ୟବିତ୍ତ ପରିବାର ର ଏଇ ଜଞ୍ଜାଳ ଭିତରେ। ଇଛାଶକ୍ତି ବୋଧେ ମାନସିକ ବିକୃତିକୁ ହରେଇଦିଏ। ସୁସ୍ଥ ମାନସିକତାର ପରିଚୟ ଦେଇଥିଲା ମୋ ବୋଉ ସେଦିନ। ମୋ ବୋଉ ଥିଲା ଈର୍ଷା, ପରଶ୍ରୀକାତରତା, କପଟ, ଛଳନା ଠୁ ବହୁ ଉର୍ଦ୍ଧରେ..ଯାହା କେବେ ସମ୍ଭବ ନୁହେଁ, ଯଦି ସମ୍ଭବ ହୁଏ, ଖୁସି ଲାଗେନା ଦିଦି !


ତୁ ତୋ ବୋଉ ପରି ସରଳ। ଆଜି ପର୍ଯ୍ୟନ୍ତ ହାରର ଓଜନ ବାବଦରେ କିଛି ଭାବିନୁ। ମୁଁ କିନ୍ତୁ ମୋ ବୋଉ ପରି ଭାରି ଚତୁରୀ। ସଙ୍ଗେ ସଙ୍ଗେ ବଣିଆ ଦୋକାନକୁ ଯାଇ ଚେକ୍ କଲି, ମୋ ବୋଉ କିଛି ପାତର ଅନ୍ତର କରିନି ତ।  


ଗୋଟେ କଥା ପଚାରିବି ଦିଦି ! ତୁ ତ ମୋ ନିଜ ଭଉଣି ନୁହଁ, ତଥାପି କାହିଁକି ବାପାଙ୍କୁ ଜଗିବାକୁ ଆସୁ ?


ଚୁପ୍ ରହିଲା, ଅନେଇ ରହିଲା ସେ ମୋ ବୋଉଙ୍କ ଫଟୋ ଆଡକୁ। 


ହଁ ବୁଝି ପାରିଲି, ବୋଉ ତାକୁ ତା ମୃତ୍ୟୁ ଶଯ୍ୟାରେ କଣ କହିଥିଲା ମୋର ମନେ ଅଛି। ଦମୟନ୍ତୀ ! ଆମର ପୁଅ ନାହିଁ, ତୁ ହିଁ ଆମ ବଡ ପୁଅ ପରି। ମୋ ମୃତ୍ୟୁ ପରେ ସାନ ଭଉଣୀ ଓ କାକା କଥା ବୁଝିବୁ ତ !


ବୋଉ ର ଫଟୋ କୁ ଅନେଇ କିଛି କହିବାକୁ ଇଚ୍ଛା ହେଲା !

ବୋଉ ! କ୍ଷମା କରି ଦେବୁ, ତୋ ବିରୁଦ୍ଧରେ କେତେ କଥା ଭାବି ନେଇଥିଲି ମୋ ବାହାଘର ଦୁଇ ଦିନ ଆଗରୁ। ତୁ ଥିଲୁ କିନ୍ତୁ ଖାଣ୍ଟି ସୁନା ମୁଣ୍ଡା ଟିଏ। ତୋ ଚତୁର ପଣିଆକୁ ଅନ୍ୟ ଦୃଷ୍ଟିରେ ଦେଖି ମୁଁ ଅନ୍ୟାୟ କରିଛି ଲୋ ବୋଉ। ସ୍ତ୍ରୀ ମାନଙ୍କୁ ଚତୁର ହେବାକୁ ହୁଏ, ତା ନ ହେଲେ ମୋ ବାପାଙ୍କ ପରି ଭୋଳା ଶଙ୍କର ଘରେ ରହିଲେ ଘର କଣ ଚଳିବ ??? ତୋ ହୃଦୟ କିନ୍ତୁ ଭାରି ପତଳା ବୋଉ। ଏଇ ଦୁଇଟି ହାର ଭିତରେ ତୋ ମହାନୁଭବତା ଏବେ ବି ଲୁଚି ରହିଛି। ତୋର ସ୍ନେହ ସବୁ ବୋଳାହୋଇଛି ଆମ ଦୁହିଁଙ୍କ ସୁନା ହାର ଭିତରେ। ହାର ଉପରେ ନେସି ହୋଇଥିବା ତୋ ଭାବ ପ୍ରବଣତାର ସ୍ପର୍ଶ ଏବେ ବି ବାରି ହୁଏ। ଶବ୍ଦ ନ ଥାଇ ବି ବେଳେ ବେଳେ ଅନ୍ତଃସ୍ଵର ଚହଳ ସୃଷ୍ଟି କରେ। ଅନେକ ଅକୁହା କଥାର ମୂଲ୍ୟ ମାପି ହୁଏନି, ଅମୂଲ୍ୟ ଲାଗେ। ଚାହିଁ ଥିଲେ ତୁ ନିଜ ଝିଅ ଭାବି ଟିକିଏ ବଡ ହାରଟିଏ କିଣି ପାରିଥାଆନ୍ତୁ, ମୋ ପାଇଁ। ମନ ଦେଇ କିଛି ସମ୍ପର୍କ ଗଢି ପାରିଲେ ଚଟାଣ ପରି ମଜବୁତ୍ ହୁଏ ସମ୍ପର୍କ ଟା। ତୁ ନ୍ୟାୟ କରିଛୁ ବୋଉ.. କଳା ପଟି ବାନ୍ଧି ଥିବା ଜଣେ ମହିଳାକୁ ତ ଆମେ କୋର୍ଟ କଚେରୀର ଚାରି କାନ୍ଥ ଭିତରେ ଦେଖିଥାଉ। ନୀରବ, ନିଶ୍ଚଳ, ପ୍ରତିମୂର୍ତ୍ତି। ତୋ ଆଖିରେ କିନ୍ତୁ କଳା ପଟି ନାହିଁ। ତୁ ହିଁ ନ୍ୟାୟ ର ଜୀବନ୍ତ ପ୍ରତିମୂର୍ତ୍ତି। ହେ ଭଗବାନ ତୋ ପରି ବୋଉ ସମସ୍ତଙ୍କୁ ମିଳୁ ....

  

ବାପାଙ୍କୁ ଅନେଇଲି, ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଛି, ବୋଉ କଥା ଶୁଣି ସେ ତରଳି ଗଲେ । ଅତି ଅନ୍ତରଙ୍ଗ କାହାର ପ୍ରଶଂସା ଆଖିକୁ ଓଦା କରିଦିଏ ବୋଧେ। ଦିଦିକୁ ଅନେଇଲି, ଲୁଗା କାନିରେ ଆଖି ପୋଛୁଛି। ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି। ଦିଦି, ଦେଖ୍ କେତେ ରାତି ହେଲାନି, ଖାଇବା ଚାଲ୍। ଶୀଘ୍ର ନ ଶୋଇଲେ କାଲି ସକାଳେ ଟ୍ରେନ ଧରିବୁ କେମିତି ?? ବାପାଙ୍କୁ ବିଛଣାରେ ଶୋଏଇ ଦେଇ ଦିଦିର ହାତ ଧରି ଟାଣି ନେଇ ଗଲି ରୋଷେଇ ଘରକୁ । ବର୍ଷା ଛାଡି ଗଲାଣି, ଭିଜା ମାଟିର ମହ ମହ ବାସ୍ନା ଝର୍କା ଦେଇ ପଶି ଆସୁଥିଲା ଆମ ଘର ଭିତରକୁ ।



Rate this content
Log in

Similar oriya story from Classics