ସୁନାବୋହୁ
ସୁନାବୋହୁ
ମଧୁପୁର ଗାଁରେ ପାଖାପାଖି ଦୁଇ ଶହ ପରିବାର। ସେମାନଙ୍କ ଭିତରେ ବେଣୁ ଓ କେତକୀଙ୍କ କଥା ନିଆରା।ଭାରି ଶାନ୍ତ ସୁଧାର ମଣିଷ ଦୁଇ ଜଣ।ମାଣେ ସରିକି ବିଲ। ଘରବାଡ଼ି,ଘେରା ଜମିକୁ ଲଗାଇ ଦେଢ଼ ଏକରରୁ ଅଧିକ ହେବ ନାହିଁ।ମୁଲ ମଜୁରୀ କରି ବେଣୁ ଚଳିଯାଏ। ଗୋଟିଏ ବୋଲି ପୁଅ। ବାହାଘରର ଢେର୍ ବର୍ଷ ପରେ ସେଇ ପୁଅ ବକଟ କ ପାଇଁ କେତକୀ କମ୍ ଦିଅଁ ଦେବତା ପୂଜା କରି ନାହିଁ। ଗାଁ ମହାଦେବଙ୍କୁ କେତେ ନେହୁରା ହୋଇଛି। ଯାହା ହେଉ,କେତକୀକୁ ଚାଳିଶ ବର୍ଷ ହେଲା ବେଳକୁ ପୁଅ ସିଦ୍ଧୁ ଜନ୍ମ ହେଲା। ସେତେବେଳକୁ ବେଣୁର ପଇଁଚାଳିଶ ବର୍ଷ। ପୁଅକୁ ନେଇ ସୁଖଦୁଃଖର ସଂସାର ଭିତରେ କେତେ ଆଶାର ବୈତରଣୀ।
ଜମି ବାଡ଼ି ନଥିଲା ବୋଲି ବେଣୁ କେବେ ମନଦୁଃଖ କରି ନାହିଁ।ପୁଅ ପାଠ ପଢ଼ି ମଣିଷ ହେବ,ସେଇ ଚିନ୍ତାରେ ତାଙ୍କ ଦୁହିଁଙ୍କର ଦିନ ରାତି କଟେ।ସିଦ୍ଧୁ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା।ବାପ ମା ଙ୍କର ଗୋଡ଼ ତଳେ ଲାଗୁ ନଥାଏ। କୌଣସି ପ୍ରକାରେ ପୁଅ କଲେଜରେ ପାଠ ପଢିବ, ବହୁତ ବହୁତ ପଢି ରୋଜଗାର କରିବ, ଚାଳଘର ଭାଙ୍ଗି ପକ୍କା ଘର ହେବ, ଏହିଭଳି ସ୍ଵପ୍ନ ବିଭୋର ହୋଇ ବେଣୁର ମନ ଭାରାକ୍ରାନ୍ତ ହୋଇ ପଡୁଥାଏ। ସିଦ୍ଧାର୍ଥ ଓରଫ୍ ସିଦ୍ଧୁ କଲେଜରେ ମନ ଦେଇ ପଢିଲା ନାହିଁ।ସେ କେବଳ ଖର୍ଚ୍ଚ କେମିତି ହେବ, ସେତିକି ବ୍ୟତୀତ ଆଉ କିଛି ଶିଖିଲା ନାହିଁ। ପରୀକ୍ଷାରେ ପ୍ରଥମ ଥରରେ କୃତକାର୍ଯ୍ୟ ହୋଇ ନପାରିବାରୁ ଦ୍ଵିତୀୟ ଥର ପରୀକ୍ଷା ଦେଲା। ସେଥିରେ ବି ସେ ବିଫଳ ହେଲା।
କିଛି ଦିନ ପାଇଁ ଜଣେ ସାଙ୍ଗ ସାଙ୍ଗରେ ବେଙ୍ଗାଲୁରୁ ଯାଇଥିଲା। ସେଠିକାର କାମରେ ଦିନେ ଗଲେ ତିନି ଦିନ ଯାଏ ନାହିଁ।ଯାହା ରୋଜଗାର କରେ ନିଅଣ୍ଟ ହୁଏ। ଘରକୁ ପଳାଇ ଆସିଲା। ଯାହା କରଜ କରିଥିଲା,ବେଣୁ ଧାର କରଜ କରି ଶୁଝିଲା। ଗାଁର କେତେଜଣ ପିଲା ପାଖ ସହରରେ ଥିବା ପ୍ରାଇଭେଟ୍ ଆଇ.ଟି.ଆଇ. ରେ ପଢି ଚାକିରି କଲେଣି।କ'ଣ ମନକୁ ଆସିଲା କେଜାଣି,ସିଦ୍ଧୁ ଆଇ.ଟି.ଆଇ.ରେ ନାଁ ଲେଖାଇବା ପାଇଁ ଜିଦ୍ ଧରିଲା। ଜମିରୁ କିଛି ବିକି ବେଣୁ ତାକୁ ଆଇ.ଟି.ଆଇ. ପଢିବା ପାଇଁ ଦେଲେ। କିଛି ଦିନ ପଢି ସିଦ୍ଧୁ ଆଉ ଗଲା ନାହିଁ। କେବଳ ସାଙ୍ଗ ମେଳରେ ବୁଲି ବୁଲି ଖର୍ଚ୍ଚ କଲା। ଦିନକୁ ଦିନ ବେଣୁର ଆର୍ଥିକ ଅବସ୍ଥା ଖରାପ ହୋଇ ଯାଉଥିଲା। ଗୋଟିଏ ବୋଲି ପୁଅ ତ। କହିଲେ ପୁଣି ରାଗିଯାଇ କେଉଁ ସହରକୁ ଯାଇ ପୁଣି କିଛି ଦେଣ କରଜ କରିଦେବ। ବେଣୁ ଙ୍କର ନିଜସ୍ୱ ସମ୍ବଳ କିଛି ନାହିଁ।ଆଗରୁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା। ଏବର୍ଷ କେତକୀକୁ ଭତ୍ତା ମିଳିଛି। ଜମିରେ ଚାଷ କରିବା ପାଇଁ ସମ୍ବଳ ନାହିଁ କି ସାମର୍ଥ୍ୟ ନାହିଁ।
ସିଦ୍ଧୁର ଜନ୍ମଦିନ ପାଖେଇ ଆସିଲା। ସକାଳୁ ସକାଳୁ ଉଠି ପଡି ସେ କହିଲା,ବାପା! ଆଜି ତୁମେ ସହରକୁ ଯାଇ ମୋ ଜନ୍ମଦିନ ପାଇଁ ଗୋଟେ ବାର୍ଥ ଡେ କେକ୍ ଆଣିବ।ଆଉ କିଛି ପିଜା, ବର୍ଗର ଆଣିବ। ମୋର ଦଶ ଜଣ ସାଙ୍ଗଙ୍କୁ ମୁଁ ନିମନ୍ତ୍ରଣ କରିଛି। ସେମାନଙ୍କ ଜନ୍ମଦିନରେ ମୁଁ ସବୁବର୍ଷ ଯାଉଛି, ସେମାନେ ଯେମିତି କେକ୍ ଖାଇବେ,ସେ ବ୍ୟବସ୍ଥା କର। ଏହା କହି ସିଦ୍ଧୁ ବାହାରିଗଲା।
ବାପ ମା ଦୁହିଁଙ୍କ ମୁଣ୍ଡରେ ଚିନ୍ତା ପଶିଲା। ପାଖରେ ଅଳ୍ପ କେତୋଟି ଟଙ୍କା, ସେଥିରେ ଏତେ ଆୟୋଜନ କରି ହେବନାହିଁ।କେତକୀଙ୍କ ମନକୁ ଆସିଲା, ଯଦି ଭଲ ପୋଡ ପିଠା କରି ପାରନ୍ତା, ତେବେ କିଛି ସମାଧାନ ହୋଇ ପାରନ୍ତା।ବେଣୁଙ୍କ ବାଡ଼ିରେ ଅଳ୍ପ କେତୋଟି ନଡିଆ ଗଛ।ପାକଳ ନଡ଼ିଆ ସହିତ ଛାଞ୍ଚ ପଡ଼ିଥିବା ପଇଡ କିଛି ଘରେ ଥିଲା। କେତକୀ ଚୁନା କୁଟିଲେ। ଗୁଡ଼ ଦେଇ ନଡିଆ ପାଗ କଲେ। ପଇଡ଼ରୁ ଛାଞ୍ଚ ବାହାର କରିବାକୁ ବେଣୁଙ୍କୁ କହିଲେ। ଏତିକି ପରେ ବେଣୁଙ୍କୁ କହିଲେ,ପାଖ ତେଜରାତି ଦୋକାନରୁ କାଜୁ, କିସମିସ କିଛି ଆଣିଲେ ପୋଡ଼ ପିଠା ଟିକିଏ ଭଲ ହୁଅନ୍ତା। ବେଣୁ ସଙ୍ଗେ ସଙ୍ଗେ ବାହାରିଲେ। ବହୁତ କଷ୍ଟରେ ସଞ୍ଚୟ କରି ରଖିଥିବା ଟଙ୍କା କେତୋଟି ବଢ଼େଇ ଦେଇ କେତକୀ କହିଲେ,ଯାଉଛ ତ, ଚାରି ପାଞ୍ଚଟି ଭଲ ପାଉଁରୁଟି ଦେଖି ଆଣନ୍ତ!
କେତକୀଙ୍କ କଥା ଅନୁସାରେ ବେଣୁ କାଜୁ, କିସମିସ, ପାଉଁରୁଟି ଓ କିଛି ଗୁଡ଼ ଆଣି ଘରେ ପହଞ୍ଚିଲେ। କେତକୀ ଚୁନା, ଗୁଡ଼, ନଡ଼ିଆ, କାଜୁ,କିସମିସ ଭାଗ ମାପରେ ମିଶାଇ ଦୋସିଝା ପୋଡ଼ ପିଠା ତିଆରି କଲେ। ପାଉଁରୁଟକୁ ମଝିରେ କାଟି ତାକୁ ଭଲଭାବେ ସେକିଲେ। ଆଗରୁ ଘରେ ଥିବା ଲହୁଣୀ କିଛି ପୋଡ଼ ପିଠା ଉପରେ ଦେଇ ତା ଉପରେ ପାଗଦିଆ ନଡିଆ ସମାନ କରି ରଖିଲେ।
ସନ୍ଧ୍ୟା ପୂର୍ବରୁ ସେହି ଗାଁରେ ଇଲେକ୍ଟ୍ରିକ କାମ କରୁଥିବା ଜଣେ ପିଲାକୁ ଡକାଇ ଘର ସବୁ ବିଭିନ୍ନ ରଙ୍ଗର ଆଲୋକରେ ଆଲୋକିତ କଲେ। ସନ୍ଧ୍ୟା ହେଲା।ସିଦ୍ଧୁ ତା'ର ସାଙ୍ଗ ମାନଙ୍କୁ ଧରି ଘରେ ପହଞ୍ଚି ଆଲୋକମାଳା ଦେଖି ଭାରି ଖୁସି ହେଲା। ସାଙ୍ଗମାନେ ବସିଲେ।ଘର ଭିତରକୁ ପଶି ଯାଇ ମା'ଙ୍କୁ କେକ୍ ଆଣିବାକୁ କହିଲା।
କେତକୀ ଗୋଟିଏ ବଡ଼ କଂସା ଗହିରିଆ ଥାଳିରେ ପୋଡ଼ ପିଠା ନେଇ ପିଲା ମାନଙ୍କ ଆଗରେ ପଡିଥିବା ଏକ ଟେବୁଲରେ ରଖିଲେ।ଏକ ଧାରୁଆ ଛୁରୀ ଥାଳି ପାଖରେ ଥିଲା।ସିଦ୍ଧୁ ସେହି ପିଠାକୁ ଛୁରୀରେ କାଟିଲା ବେଳେ ସମସ୍ତେ ହେପି ବାର୍ଥ ଡେ ଟୁ ୟୁ ବୋଲି କହି ତାଳି ମାରିଲେ। ସିଦ୍ଧୁର ମା ସମସ୍ତଙ୍କୁ ସେହି କଟା ହୋଇଥିବା ପିଠା ସହିତ ସେକା ଯାଇଥିବା ପାଉଁରୁଟିରେ ଲହୁଣୀ ଲଗାଇ ପରଶିଲେ। ସବୁ ସାଙ୍ଗ ମାନେ ଖୁସି ହୋଇ ସିଦ୍ଧୁକୁ ପ୍ରଶଂସା କରି କହିଲେ, ଆମେ ଏତେ ସୁଆଦିଆ କେକ୍ କେବେ ଖାଇ ନଥିଲୁ। ସମସ୍ତେ ନିଜ ନିଜ ଘରକୁ ଗଲା ପରେ ସିଦ୍ଧୁ ଓରଫ ସିଦ୍ଧାର୍ଥର ମନରେ ଏକ ଭାବାନ୍ତର ସୃଷ୍ଟି ହେଲା।ସେ ଭାବିଲା, ଯଦି ମୁଁ ସବୁଦିନ ଏହିଭଳି ସୁଆଦିଆ ଖାଦ୍ୟ କିଛି ସନ୍ଧ୍ୟା ବେଳେ ପାଖ ସହରରେ ବିକ୍ରି କରନ୍ତି, ତେବେ ଆମ ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇଯାନ୍ତା। ସତକୁ ସତ ସେ ସେହି ଭାବନାକୁ କାର୍ଯ୍ୟରେ ଲଗାଇଲା।ପାଖ ସହରରେ ମା,ପୁଅ କିଛି ଦିନ ରହି ପୋଡ଼ ପିଠା ଓ ଲହୁଣୀ ପାଉଁରୁଟି ବିକି ବେଶ୍ ଦି ପଇସା ରୋଜଗାର କରିବା ସହିତ ସୁନାମ ଅର୍ଜନ କଲେ। ସେମାନଙ୍କ ପରିବାରର ସ୍ୱଚ୍ଛଳ ସ୍ଥିତି ସହିତ ସିଦ୍ଧୁକୁ ରୋଜଗାର ପନ୍ଥା ମିଳିଗଲା।ସେ କିଛି ଦିନ ପରେ ଗୋଟିଏ ବଡ଼ ଦୋକାନ କରି ଓଡ଼ିଆ ଖାଦ୍ୟ ବିକ୍ରି କରି ବେଶ ଲାଭବାନ ହେଲା। ତା'ର ଅନ୍ୟ ସାଙ୍ଗମାନେ ସିଦ୍ଧୁକୁ ଆଦର୍ଶ ଭାବରେ ଗ୍ରହଣ କରି ଆତ୍ମ ନିର୍ଭରଶୀଳ ହେଲେ।
ସେଦିନ କିନ୍ତୁ କେତକୀ ପଡିଗଲେ। ଆଉ ପୋଡ଼ ପିଠା ତିଆରି କରିପାରିଲେ ନାହିଁ। ସିଦ୍ଧାର୍ଥ ମାଆ କେତକୀ ଙ୍କୁ ନେଇ ହସ୍ପିଟାଲ ଏକ୍ସ -ରେ କରିବାକୁ ଧାଡ଼ିରେ ଠିଆ ହୋଇଥାଏ। ଏହି ସମୟରେ ଜଣେ ଟ୍ରଲିବାଲା ଜବରଦସ୍ତି ପଶି ଧାଡିର ପ୍ରଥମ ଵ୍ୟକ୍ତି ହିସାବରେ ଠିଆ ହେବାକୁ ଚାହିଁ କେତକୀଙ୍କୁ ଠେଲାପେଲା କରୁଥିବା ଦେଖି ସିଦ୍ଧାର୍ଥ ତାଙ୍କ ସହ ଗଣ୍ଡଗୋଳ କରିବାକୁ ବାହାରିଲାରୁ ମାଆ କେତକୀ କହିଥିଲେ କୁକୁର ମିଣିଷଙ୍କୁ କାମୁଡିବ ବୋଲି ମଣିଷ କଣ କୁକୁରଙ୍କୁ କାମୁଡିବ!ସେତେବେଳକୁ ସେହି ଟ୍ରଲିବାଲା କହୁଥାନ୍ତି ସେଦିନ ମଦ ଟୋପେ ପିଇ ଦେଇଥିଲି ବୋଲି ନଚେତ ମତେ ଦେଖିଲେ ଭୂତ ପ୍ରେତ ମଧ୍ୟ ଆଡେଇ ଯାଆନ୍ତି।ମଦ ମତେ ଟାଣି ନେଇ ପକେଇଦେଲାରୁ ଆଜି ଏମିତି ଅବସ୍ଥାରେ ଠିଆ ହୋଇ ରହିବାକୁ ପଡୁଛି।କେତକୀ ପଛକୁ ଘୁଞ୍ଚି ଯାଇ ଟ୍ରଲିବାଲାଙ୍କୁ ଆଗରେ ଯିବାକୁ ଛାଡିଦେଲେ।ସିଦ୍ଧାର୍ଥ ର ହୃଦବୋଧ ହେଲା ମାଆ ଆଜି ତାକୁ ପୁଣି ଥରେ ଶିକ୍ଷା ଦେଇଥିଲେ ଯେମିତି। ପ୍ରଥମରୁ ସାଙ୍ଗ ସାଥି ମେଳରେ ସମୟ ଓ ପଇସା ବାରବାଦ ନକରି ଉପଯୁକ୍ତ ଭାବେ ପାଠ ଶାଠ ପଢିଥିଲେ ଆଜି ମାଆ ଏପରି କଷ୍ଟ ପାଉନଥାନ୍ତେ।ମାଆ କିନ୍ତୁ ସେଦିନ ବୁଝିସାରିଥିଲେ କି ସିଦ୍ଧାର୍ଥ ଆଖିର ଅନୁତାପ ତାକୁ ଏଣିକି ଭଲ ତ ଭଲ ଖୁବ ଭଲ ବାଟକୁ ଆଣିପାରିବ।ମାଆ ଭଲ ହୋଇଗଲାପରେ ଖୋଜି ଖୋଜି ପୁଅ ସିଦ୍ଧାର୍ଥ ପାଇଁ ବୋହୁ ଆଣିଥିଲେ।ପୁଅ ପାଇଁ ବୋହୁ ଉପଯୁକ୍ତ ଥିଲା କି ନାହିଁ କେଜାଣି କିନ୍ତୁ ଶାଶୁ ମାଆ କେତକୀ ଙ୍କ ସଙ୍ଗେ ମିଶି ଖୁବ ସ୍ୱାଦିଷ୍ଟ ପୋଡପିଠା କଲାବେଳେ କେତକୀ କହୁଥିଲେ ମୋ ପୁଅର ଉପଯୁକ୍ତ ପଥପଦର୍ଶକ ହୋଇପାରିଲେ ତୁ ମୋର ସୁନାବୋହୁ ହୋଇପାରିବୁ।ମନଟା ପୁରା ଖୋଲା ଥିବା ସୁନାବୋହୁ କହୁଥିଲା ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ ମାଆ।ସେ ଦାଇତ୍ୱ ମୋର।ଅଧା ବଦଳି ଥିବା ପୁଅ ସିଦ୍ଧାର୍ଥ ସତକୁ ସତ ପୁରା ବଦଳି ଗଲାବେଳେ ଶାଶୁ କେତକୀ କହୁଥିଲେ କେତେ ଚାଉଳ ଚୁନାକୁ କେତେ ଚିନି, ନଡ଼ିଆ, ଗୁଜୁରାତି ଇତ୍ୟାଦି ଦରକାର ତାହା ମୋ ସୁନାବୋହୁକୁ ଠିକ ଠିକ ଜଣା।
