Soumya Shubhadarshinee

Thriller Others

3  

Soumya Shubhadarshinee

Thriller Others

ସୁଲଗ୍ନା ସହ ପୁଣି ଥରେ

ସୁଲଗ୍ନା ସହ ପୁଣି ଥରେ

7 mins
406


 

 ଛାତି ତଳେ କବର ନେଇଥିବା ଅତୀତ ଯଦି କେବେ ପୁଣି ଥରେ ଚାଲିଆସେ ଆଖି ସାମ୍ନା କୁ !

 

  ସେ ଅନୁଭବ କେବଳ ଅନୁଭବି ହିଁ ବଖାଣି ପାରେ । 


★★★★★


  ଡେରି ହେଇଗଲା ବହୁତ ସତରେ । ପୁଣି ଥରେ  ଘଂଟା ଦେଖିନେଲା ସୁଲଗ୍ନା । ଓଃ ! ମୁଣ୍ଡ କ'ଣ ହେଇଯାଉଛି । ଅଫିସର ପ୍ରଥମ ଦିନରେ ଡେରି । କେଡେ ଖରାପ ଇଂପ୍ରେସନ ତିଆରି ହେବ । ତା' ବ୍ୟାଙ୍କ ମ୍ୟାନେଜର କୁଆଡେ ଭାରି ଷ୍ଟ୍ରିକ୍ଟ୍ । ଲୋକଟା ଖୁବ୍ ସିନ୍ସିୟର୍ ଆଉ ଟାଇମ୍ ବାଉଣ୍ଡ । 


ପ୍ରଥମ ଚାକିରୀ ନୂଆ ସହର ଆଉ ଅଜଣା ପୃଥିବୀ । ହେ ପ୍ରଭୁ ମଲା ମଣିଷ ଆଜି । କହୁଥିଲା ବୋଉ ନେଇଯା କାର । ବସ୍ ଉପରେ ଭରଷା ନାହିଁ । ସେ କିନ୍ତୁ ଶୁଣିଲା ନାହିଁ । ଧେତ୍ ଏବେ କିଏ ପିଠିରେ ପଡିବ ଆଉ ?


 ବସ୍ ଟା ଯନ୍ତ୍ର , ସେଇଟା କି ଆଉ ବୁଝାସୁଝା ମଣିଷ ହେଇଚି । ଖରାପ ହେଇଗଲା ମଝି ରାସ୍ତାରେ ବାସ୍ । ଆଉ ଗୋଟେ ବସ୍ ମିଳିଲା ବେଳକୁ ଘଂଟା ତା' ବାଟରେ । ଡେରି ହେବନି ତ ଆଉ କ'ଣ ?


 ତରତର ହେଇ ଗଲା ବେଳକୁ ଶାଢ଼ୀ ଟା ଲାଗିଗଲା ବସ୍ ର ଗୋଟେ ଖୁଞ୍ଚା ଦେହରେ । ଯା , ଚିରିଗଲା ଏତେ ଖଣ୍ଡେ । ଆହୁରି ମନ ଦୁଃଖ ହେଲା । ନୂଆ ଶାଢୀ , ଇଟାଲିଆନ୍ ସିଫନ୍ ଅଂଶୁ ସହ ଯାଇ ରିଲାଏନ୍ସ ଟ୍ରେଣ୍ଡରୁ କିଣିଥିଲା । ଆଃ ! ପ୍ରେମିକର ଗିଫ୍ଟ ଟା ଶହୀଦ ହେଇଗଲା। ଅଂଶୁ ଜାଣିଲେ ଭାରି ମନ ଖରାପ କରିବ । ଧେତ୍ , ସେ ଗୋଟେ ବେକାର ଝିଅ ସବୁବେଳେ ତା' ସହ ଏମିତି ଦୁର୍ଘଟଣା ଘଟେ । ଦୁର୍ଭାଗ୍ୟ ଛଡା ଆଉ କିଛି ନୁହେଁ । 

  

---------------


  ଅଫିସ ଭିତରେ ପଶି ଅବଶ୍ୟ ଟିକେ ଅଶ୍ୱସ୍ତ ଲାଗିଲା । ନା' ମ୍ୟାନେଜର ଆସିନାହାନ୍ତି । ଲୋକ ବାକ ବି କାଁ ଭାଁ ଦିଶୁଛନ୍ତି । ତା' ପରିଚିତ ମିଲୁ ଅପା ତାକୁ ଦେଖିକି ବଡ଼ ସ୍ମାଇଲ୍ ଟେ ଦେଲା । ମନ ଖୁସି ହେଇଗଲା ଦେଖିକି । ଯା ହଉ ଆଜି ଦିନଟି ଭଲରେ କଟିବ । ମିଲୁ ଅପା ଏକମାତ୍ର ପରିଚିତ ଏଇ ନୂଆ ସହରରେ ।


 ସୁଲଗ୍ନା କୁ ତା' ସିଟ ଦେଖେଇ ଦେଲା ମିଲୁ ଅପା । ତା ଦାୟିତ୍ୱ ଇନକ୍ୱାରି କାଉଣ୍ଟରରେ । ଅବଶ୍ୟ ଭଲ , ଲୋକକଙ୍କ ସମସ୍ୟା ସମାଧାନ କରିବାକୁ ଭଲ ଲାଗେ ତାକୁ ।


 ପ୍ରଥମ କଷ୍ଟମର୍ ଆସୁଥିବାର ଦେଖି ସେ ନିଜକୁ ସଜାଡି ବସିଲା । ଟିକେ ବ୍ୟସ୍ତତା ଥିଲା ଭିତରେ ; କ'ଣ ପଚାରିବ ଲୋକଟା , କେମିତି ଉତ୍ତର ରଖିବ ସେ , ବୁଝିବ କି ନାହିଁ ଲୋକଟା ଠିକ ଭାବେ , ସନ୍ତୁଷ୍ଟ ହେବ ଟି ନା ନାହିଁ ?.........


  ଭଦ୍ରବ୍ୟକ୍ତି ଜଣକ ବୟସ୍କ , କିନ୍ତୁ ବେଶ ସୁନ୍ଦର । ମାନେ ଭଲ ଲାଗୁଛନ୍ତି ଆଖିକୁ । ଏମିତି ଟିକେ ନିରିଖେଇ ଦେଖିନେଲା ସୁଲଗ୍ନା । ସେ ପାଖକୁ ଆସି ଠିଆ ହେଲେ ଘଡ଼ିଏ । ଗୋଟେ ଅଜବ ଦୃଷ୍ଟିରେ ଅନେଇଲେ ସୁଲଗ୍ନାକୁ । ଓଃ ! କେମିତି ଗୋଟେ ଭିନ୍ନ ଦୃଷ୍ଟି । ଭାରି ବିକଳ , ନା' ଭାରି ଅଶ୍ଳୀଳ , ନା' ଭାରି ଅସହାୟ କିଛି ବୁଝି ହେଉନଥିଲା । କିନ୍ତୁ ସେ ଅନେଇ ଥିଲେ , ଅନେକ ସମୟ ଧରି । କୌଣସି ଶବ୍ଦ ନଥିଲା ତାଙ୍କ ଓଠରେ । କୌଣସି ଜିଜ୍ଞାସା ନଥିଲା ଆଖିରେ । କେବଳ ନିବିଷ୍ଟ ଦୃଷ୍ଟି ଖେଳେଇ ଦେଖୁଥିଲେ ସୁଲଗ୍ନା କୁ । ଏବେ ତାଙ୍କ ପଛରେ ଆଉ କିଛି ଲୋକ ଧାଡି କରି ସାରିଥିଲେ । ଅଳ୍ପ ହୋ ହା ଆରମ୍ଭ ହେଇସାରିଥିଲା । କିନ୍ତୁ ସେ ସେମିତି ହିଁ ଠିଆ ହେଇଥିଲେ କାଉଣ୍ଟର ପାଖରେ । ସୁଲଗ୍ନା ପଚାରିଲା , 

-- '' କୁହନ୍ତୁ ମୁଁ ଆପଣଙ୍କୁ କିଭଳି ସାହାଯ୍ୟ କରିପାରିବି ?''


 ସେ କିନ୍ତୁ କୌଣସି ଉତ୍ତର ନଦେଇ କେବଳ ଅନେଇ ରହିଲେ ସୁଲଗ୍ନା କୁ । ଓଃ ! କି ବିଚିତ୍ର ଲୋକଟା ମଁ । କିଛି କହିବାର ନାହିଁ ଯଦି ଏଠି କ'ଣ ଟାଇମ ପାସ କରିବାକୁ ଆସିଛି।

 ଏଥର ରାଗିଗଲା ସୁଲଗ୍ନା ଆଉ ଟିକେ ଚଢା ଗଳାରେ କହିଲା , '' କିଛି କାମ ନାହିଁ ଯଦି ଯାଆନ୍ତୁ ଏଠୁ , ଆହୁରି ଲୋକ ଅପେକ୍ଷା କରିଛନ୍ତି , ପ୍ଲିଜ !"

-- '' କେ .ୱାଇ .ସି ଫର୍ମ ଗୋଟେ ଦିଅନ୍ତୁ ।''

 ଅଜବ ଉଦାସ ସ୍ୱରରେ କହିଲେ ଭଦ୍ରବ୍ୟକ୍ତି । କେମିତି ଗୋଟେ ଅଦ୍ଭୁତ ଶିହରଣ ଥିଲା ସେ ସ୍ୱରରେ । ଆଃ ! ଯେମିତି ବଡ଼ ପରିଚିତ ସେ ସ୍ୱର ସୁଲଗ୍ନାର । ସୁଲଗ୍ନା ବୁଝି ପାରିଲା ନାହିଁ । ଲୋକ ଟାକୁ କ'ଣ ସେ ଜାଣେ ?


 ସେ ପୁଣି ଦୋହରେଇଲେ ତାଙ୍କ କଥା ଆଉ ସୁଲଗ୍ନା ଫେରିଲା ନିଜ ବାସ୍ତବତା କୁ । ଫର୍ମଟେ ବଢ଼େଇ ଦେଲା ସୁଲଗ୍ନା ଆଉ ସେ ସେଠୁ ଚାଲିଗଲେ । ତା' ପରେ ଅନେକ ଗୁଡିଏ ଲୋକ ନିଜ ନିଜର ଅନୁସନ୍ଧାନ ପାଇଁ ଧାଡି ଲଗେଇଲେ । ସୁଲଗ୍ନା ବେଶ କିଛି ଲୋକଙ୍କ ଚର୍ଚ୍ଚା କଲା । ସରିଗଲା ଏମିତିଏମିତି ତା' ପ୍ରଥମ ଦିନ । କିନ୍ତୁ ସାରା ଦିନ ସେଇ ବୟସ୍କ ଭଦ୍ରବ୍ୟକ୍ତିଙ୍କ ସ୍ୱର ବାରମ୍ବାର ପ୍ରତିଧ୍ବନିତ ହେଉଥିଲା କାନରେ । ଆଉ ଗୋଟେ ତୀବ୍ର ଅନୁଭବ ଦେଉଥିଲା , '' ସେ ଲୋକ ତା'ର ପରିଚିତ , ହଁ ଶୁଣିଚି ସେ ତାଙ୍କୁ । କିନ୍ତୁ କେଉଁଠି ??......


-----------------  


 ସୁଲଗ୍ନାକୁ ଅଜବ ସୁଖରେ ବୁଡ଼େଇ ସେଇ ଭଦ୍ରବ୍ୟକ୍ତି ପୁଣି ମିଳିଲେ ତା' ପର ଦିନ । ଠିକ ସେମିତି ପ୍ରଥମ କଷ୍ଟମର୍ ଭାବରେ । ଆଜି ଥିଲା ଭିନ୍ନ କାମ ; ଫର୍ମ ଦାଖଲ । ଅବଶ୍ୟ ଏଇଟା ଚିରାଚରିତ ରୁଟିନ୍ । କିନ୍ତୁ ଆଜିବି ସେ ଘଡ଼ିଏ ନିରିଖେଇ ଦେଖିଲେ ତାକୁ । ଆଉ ଆଜିବି ସେ ଅପ୍ରତିଭ ହେଇଗଲା ଠିକ କାଲି ଭଳି ।


 ଏଇ କାର୍ଯ୍ୟକ୍ରମ ଏବେ ନିଜର କାୟା ବିସ୍ତାର କରୁଥିଲା । ସେ ରୋଜ ଅସୁଥଲେ ବିଭିନ୍ନ କାମ ଆଳରେ । କେବେ ତାଙ୍କୁ ପାସବୁକ ଅପଡେଟ କରିବାକୁ ଥିଲା ତ କେବେ ତାଙ୍କୁ ଲୋନ୍ ନେବାର ଥିଲା ।କେବେ ତାଙ୍କ ଫୋନ୍ କୁ ମେସେଜ ଅସୁନଥିବାର ଅଭିଯୋଗ ଥିଲା ତ କେବେ ଇଣ୍ଟରେଷ୍ଟ ରେଟ ବୁଝିବାର ଥିଲା । କେବେକେବେ ପୁଣି ସେ କେବଳ ଟଙ୍କା ଡିପୋଜିଟ୍ କରିବାକୁ ଆସୁଥିଲେ ଦିନେ ଛାଡି ଦିନେ । ବେଳେବେଳେ ସେ ଖାଲି ଏମିତି ଆସିଥିଲେ କେବଳ ସୁଲଗ୍ନାକୁ ଦେଖିବାକୁ । 


 ଓଃ ! ଲୋକଟା କ'ଣ ପାଗଳ ନା' ଏମିତିହିଁ ? ବୁଝି ପାରୁନଥିଲା ସୁଲଗ୍ନା । ଏବେ ପୂରା ବ୍ୟାଙ୍କ ଜାଣୁଥିଲା ଏଇ ଘଟଣା । ମିଲୁ ଅପା ତ ତାକୁ ଚିଡ଼େଇକି କହୁଥିଲେ ,

 " ଦେଖ ଦେଖ ଆସିଲେ ତୋ କଷ୍ଟମର୍ । ''

 ରାଗ ଲାଗୁଥିଲା ମନେ ମନେ । ବେଳବେଳେ ସେ ଏମିତି ଇଚ୍ଛା କରୁଥିଲା , 

 '' ପ୍ରଭୁ ଏ ବଦମାସ କବଳରୁ ମୁକ୍ତ କର । ''

 

 କିନ୍ତୁ କୌଣସି ପ୍ରଭାବ ନଥିଲା ତା' ଡାକର । ପ୍ରଭୁ ଟିକିଏ ବି ଶୁଣୁ ନଥିଲେ । ସେ ଭଦ୍ରବ୍ୟକ୍ତି ଆଉ ଭଦ୍ରବ୍ୟକ୍ତି ପଦବାଚ୍ୟ ନଥିଲେ । ଏବେ ସୁଲଗ୍ନା ପାଇଁ ସେ ଅଭଦ୍ର ଲୋକ ହେବାକୁ ଆରମ୍ଭ କରିଥିଲେ । 


 ସେଦିନ ସେ ମମିକୁ ବି କହିଲା -

--'' ମମି ସେ ଲୋକଟା ରୋଜ ଆସୁଛି ଆଉ ଆଜେବାଜେ ଇନକ୍ୱାରି କରୁଛି । ସତ କହିବାକୁ ଗଲେ ଡିଷ୍ଟର୍ବ କରୁଛି ମୋତେ ।''

 ମମି ସବୁ ଶୁଣିଲା ଆଉ କହିଲା ଧର୍ଯ୍ୟ ଧରିବାକୁ । କାରଣ ଲୋକଟା ବୟସ୍କ ଆଉ ନିଜ ସୀମା ଭିତରେ ରହିଛି । ବ୍ୟାଙ୍କକୁ ଆସୁଥିବା କଷ୍ଟମରକୁ ଆମେ ଏମିତି ଭାବିବା ଉଚିତ ନୁହେଁ । ବୟସ ବେଶି ହେଲେ କିଛି କିଛି ମସ୍ତିଷ୍କ ବିକୃତି ହୁଏ । ହୁଏତ ଏକୁଟିଆ ଥିବ ଲୋକଟା ତେଣୁ ଚାଲିଆସୁଛି । ସେ ତ କୌଣସି ଖରାପ ବ୍ୟବହାର କରୁନି । ତା' ହେଲେ ଅସୁବିଧା କେଉଁଠି ? 


  ଅଂଶୁ କୁ ମଧ୍ୟ କହିଲା ସୁଲଗ୍ନା ଏଇ ଅଜବ କଷ୍ଟମର ବିଷୟରେ । କିନ୍ତୁ ଅଂଶୁ ମମି ଠୁ ଦୁଇ ପାଦ ଆଗୁଆ । ତା' ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଓଲଟା ଆକ୍ଷେପ କଲା , '' କିଏ ସେ ମୋ ପ୍ରତିଦ୍ୱନ୍ଦୀ ବାବାରେ ମୋତେ ଡର ଲାଗିଲାଣି ?''


 ଧେତ୍ ସେ କେତେ ଟେନ୍ସନରେ କିନ୍ତୁ ଅଂଶୁକୁ ମଜାକ ସୁଝୁଛି । ନା ' କେହି ବୁଝି ପାରୁନାହାନ୍ତି । ସେ ବୟସ୍କ ଲୋକ ଟା କିଛି ଭିନ୍ନ ଉଦ୍ଦେଶ୍ୟ ରେ ଅଛି । କିଛି କରିବାକୁ ଯାଉଛି ବୋଧେ ?........


 ଆଜିକାଲି ସୁଲଗ୍ନାକୁ ବଡ଼ ବ୍ୟସ୍ତ ଲାଗୁଥିଲା ସେଇ ବୟସ୍କ ଲୋକଙ୍କ ପ୍ରସଙ୍ଗ । ସେ ଖୁବ୍ ଭଦ୍ର , ମାର୍ଜିତ ଭାବରେ ରୋଜ ଆସୁଥିଲେ ଆଉ ଗୁଡ଼େ ବେକାର ଇନକ୍ୱାରି କରୁଥିଲେ । ସଭିଏଁ ସୁଲଗ୍ନାକୁ ଚିଡ଼ଉଥିଲେ ଆଉ ତା' ମନ ଖରାପ ହେଉଥିଲା । କିନ୍ତୁ ସେ କେବେ ତାଙ୍କୁ ଏତାଦୃଶ କାମ ପାଇଁ କିଛି କହିପାରୁ ନଥିଲା । ବିରକ୍ତ ହେଉନଥିଲା ତାଙ୍କ ଉପରେ । କହି ପାରୁନଥିଲା ,

 '' ଦେଖନ୍ତୁ ଆଉ ଆସିବେ ନାହିଁ ଏଠିକୁ । ବିରକ୍ତ ଲାଗିଲାଣି ମୋତେ । ହଇରାଣ କରୁଛନ୍ତି ଆପଣ । ପ୍ଲିଜ ବନ୍ଦ କରନ୍ତୁ ଏ ପ୍ରହସନ । ''

 ରୋଜ ଭାବୁଥିଲା ସେ ,ଆଜି କହିବ ନିଶ୍ଚିତ କହିବ । ମୁକ୍ତି ଦରକାର ମୋର ଆପଣଙ୍କ ଠାରୁ । ଏସବୁ ଫାର୍ଶ ବନ୍ଦ କରନ୍ତୁ । 

 କିନ୍ତୁ କାହିଁକି କେଜାଣି ତାଙ୍କ ନିରୀହ ଆଖି ଯୋଡିକ ଦେଖିଲା କ୍ଷଣି କିଛି କହି ପାରେନା ସୁଲଗ୍ନା । କେହି ଯେମିତି ଗଳାରୋଧ କରିଦିଏ । ଚୁପ ହେଇଯାଏ ସେ ଆପେ ଆପେ । 


 ----------------


 ମିଲୁ ଅପା କିନ୍ତୁ କେଜାଣି କାହିଁକି ସେଦିନ ପଚାରିଦେଲେ , '' ଆପଣ ରୋଜ ସୁଲଗ୍ନାକୁ ହଇରାଣ କରୁଛନ୍ତି କାହିଁକି ?''


 ସେ ଉଦାସ ହେଇଗଲେ । ଲାଗିଲା ଯେମିତି ଏବେ କାନ୍ଦି ପକେଇବେ । ବହୁତ ବିକଳ ଦିଶିଲେ ସେ । ବଡ଼ ଖରାପ ଲାଗିଲା ସୁଲଗ୍ନାକୁ । ସେ ମିଲୁ ଅପା ଉପରେ ରାଗିଲା ମନେ ମନେ କିନ୍ତୁ କିଛି କହିଲା ନାହିଁ । 


 ଭଦ୍ରବ୍ୟକ୍ତି ବଡ଼ ଶୀତଳ ସ୍ୱରରେ କହିଲେ , '' ଆସିବ ଝିଅ ତୁମେ ଦୁହେଁ ମୋ ଘରକୁ ତେବେ ଆଉ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ ।" ବୟସ୍କ ବ୍ୟକ୍ତି ଙ୍କ ଏଇ କଥା ବଡ଼ ରହସ୍ୟମୟ ଥିଲା । ଘରକୁ ଡାକୁଛନ୍ତି କାହିଁକି ?


  ମିଲୁ ଅପା କିନ୍ତୁ ବଡ଼ କ୍ଲିୟର ସବୁଥିରେ । କହିଲା , '' ଚାଲ ଯିବା ବୁଢ଼ାର କେସ୍ ଫଇସଲା କରିଆସିବା ।''

 ସୁଲଗ୍ନା ଟିକେ ହଁ ନାହିଁ ହେଉଥିଲା । କିନ୍ତୁ ସେ ବି କ'ଣ ଜାଣିବାକୁ ଚାହୁଁନି କି ଭଦ୍ରବ୍ୟକ୍ତି ଙ୍କ ସଂକ୍ରାନ୍ତରେ ? 

------------

 ସେଦିନ ଆହୁରି ଭଲ ଲାଗୁଥିଲେ ମିଷ୍ଟ୍ର ଅନିତ୍ୟ ଦାସ । ସୁଲଗ୍ନା ଆଉ ମିଲୁ ଅପାକୁ ସାଥିରେ ନେବା ପାଇଁ ନିଜର ସୁଦୃଶ୍ୟ ଫୋର୍ଡ ଗାଡି ଧରି ଆସିଥିଲେ । ସେ ଦୁହେଁ ହଁ ନାହିଁ ଭିତରେ କେତେବେଳେ ଆସିଗଲେ ତାଙ୍କ ସହ ବୁଝି ପାରିଲେ ନାହିଁ ।


 ଭାରି ସାଜିସୁଜି ଘରଟିଏ ତାଙ୍କର । ଗୁଡ଼େ ସୁନ୍ଦର ଆର୍କିଡ଼ ସମାବେଶ ଘର ସାମ୍ନାରେ ।ଆଉ କିଛି କାକ୍ଟସ୍ ଧ୍ୟାନମଗ୍ନ ବାରଣ୍ଡାରେ ।ଦର୍ଜା ସାମ୍ନାରେ ବିରାଟ ଜଳ ପୂର୍ଣ୍ଣ ପାତ୍ର ଭିତରେ ଗୁଡ଼େ ଲାଲ ଗୋଲାପ । ଏଇଠି ପାଦ ଅଟକି ଗଲା । ଏକଦମ ସମାନ ଦୃଶ୍ୟ ସେ ରୋଜ ଦେଖେ ତା' ଘର ସାମ୍ନାରେ । ମମି ରୋଜ ଏମିତି ପାତ୍ରଟିଏ ରଖେ ଗୋଲାପ ଫୁଲରେ ସଜେଇ । 

 ଏଇ ଦୃଶ୍ୟ ଦେଖି ଟିକେ ଆନମନା ହେଇଗଲା ସେ । କିଛି ଭିନ୍ନ ଭାବନା ଘର କରୁଥିଲା ମନ ଭିତରେ । 


 ସେ ଦୁହେଁ ଘରକୁ ଯାଇ ଦେଖିଲେ ଗୋଟିଏ ମାର୍ଜିତ ପରିବେଶ । ଏକଦମ ସିଷ୍ଟେମ୍ୟାଟିକ୍ କେଉଁଠି ଟିକିଏ ବାରିବାର ନାହିଁ । ଭାରି ଭଲ ଲାଗିଲା ଗୁଡିଏ ପେଣ୍ଟିଂ । ଯାହା ଘରର ଉତ୍ତର ଦିଗର ସମଗ୍ର କାନ୍ଥକୁ ଘୋଡେଇ ରଖିଥିଲା । ଗୁଡିଏ ନାରୀ ଅବୟବ , ଭିନ୍ନ ଭିନ୍ନ ରୂପରେ । କିନ୍ତୁ ସବୁ ଚିତ୍ର ଗୋଟିଏ ନାରୀର କାରଣ ସବୁଠି ଦିଶୁଥିଲା ନାକରେ ସୁନ୍ଦର ଗୁଣା । ଭାରି ସମୃଦ୍ଧ ସୃଜନ ଗୁଡିଏ ।


  ଇତ୍ୟବସରେ ଅନିତ୍ୟ ଅଙ୍କଲ ବଢିଆ କଫି ଆଉ ଗାର୍ଲିକ୍ ବ୍ରେଡ଼ ସହ ହାଜିର ହେଲେ । ସେତେବେଳେ ସେ ଦୁହେଁ ବୁଝିଲେ ଅନିତ୍ୟ ଅଙ୍କଲ ଏକୁଟିଆ । ଓଃ ! ଫ୍ୟାମିଲି କୁଆଡେ ଗଲା ?

 ମିଲୁ ଅପା ପଚାରିଲା , '' ଆଣ୍ଟି କହାଁନ୍ତି ଯେ ?" 

 ହସିଲେ ସେ ବେଶ ନରମ ହସ । ଡାକିଲେ ସେ ଦୁହିଁଙ୍କୁ ବେଡ୍ ରୁମ୍ । ଦୁହେଁ ତାଙ୍କୁ ଅନୁସରଣ କଲେ ଆଶ୍ଚର୍ଯ୍ୟ ହେଇ । ''ବୁଢ଼ୀ ଅସୁସ୍ଥ ବୋଧେ ବେଡ୍ ରିଡିନ୍ '' , ଚୁପି ଚୁପି କହୁଥିଲା ମିଲୁ ଅପା । 


 ବେଡ୍ ରୁମ୍ ର ସୁଦୃଶ୍ୟ ପରିବେଶ ଭାରି ଭଲ ଲାଗୁଥିଲା ସତରେ । ହଲ୍କା ନୀଳାଭ ଅଲୋକ ସଜ୍ଜିତ ରୁମ ଭିତରକୁ ଆସି ଦେଖିଲେ ଦୁହେଁ କିଛି ଅଦ୍ଭୁତ ।ଗୋଟେ ବିଶାଳ ଫୁଲ ସ୍କେପ ଫଟୋ ଥିଲା କାନ୍ଥରେ । ଆଉ ସେଇ ଫଟୋ ଟି ଥିଲା ସୁଲଗ୍ନାର । ଅଜବ ଆଶ୍ଚର୍ଯ୍ୟ ଭିତରେ ବୁଡି ଗଲେ ଦୁହେଁ । କିଛି ଶବ୍ଦ ସ୍ଫୁରୁ ନଥିଲା କାହା ମୁହଁରୁ । 


 ଭଦ୍ରବ୍ୟକ୍ତି କହିଲେ , '' ନିଳିମା ସହ ସମ୍ପର୍କ ତୁଟେଇ ପାରିଲି ନାହିଁ କି ତାକୁ ନିଜର କରି ପାରିଲି ନାହିଁ । ତୁମେ ଠିକ ନିଳିମା ପରି ତେଣୁ ମାୟା ଲାଗେ ଆଉ ରୋଜ ଦେଖିବାକୁ ଆସିଯାଏ । ସରି ଝିଅ ଯଦି ତୁମକୁ କଷ୍ଟ ଦେଇଛି ।'' 

 ମିଲୁ ଅପା ଆଉ ସୁଲଗ୍ନା ମୂର୍ତ୍ତି ଭଳି ଠିଆ ହେଇଥିଲେ କେବଳ । ମମି ସୁଲଗ୍ନାକୁ ଆଜିଯାଏ ଲୁଚେଇ ଥିବା ତା' ପିତାଙ୍କ ରହସ୍ୟ ଉନ୍ମୋଚିତ ହେଇଯାଇଥିଲା ଅପ୍ରତ୍ୟାଶିତ ଭାବରେ । ମମି ନାକର ଗୁଣାଟା ଏକଦମ ସମାନ ଥିଲା ସେଇ ପେଣ୍ଟିଂ ସହ ।


 ସୁଲଗ୍ନା ମନେ ମନେ କହିଲା , 

'' ପାପା " ............



Rate this content
Log in

Similar oriya story from Thriller