Nityananda Nandi

Classics Inspirational

4  

Nityananda Nandi

Classics Inspirational

ସୁକାନ୍ତି ରୁ ସୁଖ

ସୁକାନ୍ତି ରୁ ସୁଖ

6 mins
134



ବଡ଼'ମା, ସୁଖ ବୋଲି ଡାକନ୍ତି ସୁକାନ୍ତି କୁ... ଆଦରରେ


ସୁକାନ୍ତି ରୁ ସୁଖ , ସମୟର ଗୋଟାଏ ବିନ୍ଦୁରୁ ଆଉ ଗୋଟାଏ ବିନ୍ଦୁ ପର୍ଯ୍ୟନ୍ତ। ବହୁତ ଲମ୍ବା ବ୍ୟବଧାନ !

  

ସୁଖ ଉପରେ, ସ୍ନେହ ଶ୍ରଦ୍ଧାର ପରସ୍ତେ ଆବରଣ ଜମି ଯାଇଛି, ବଡ଼ମା'ର । ପ୍ରଥମେ ପ୍ରଥମେ ଭାରି ନାକ ଟେକୁଥିଲା ସୁଖ। ତେଢା ଆଖିରେ ଦେଖୁଥିଲା ବଡ଼ମା କୁ। 

"ମୋ ନାଆଁ ସୁକାନ୍ତି, ସୁଖ କାହିଁକି ଡାକିବେ ସେ ?"


ସମୟର ଉଷ୍ମତାରେ ମନ ଓ ହୃଦୟର ରୂପ ବଦଳିଯାଏ । ଅତ୍ୟନ୍ତ ବଳବାନ ଏଇ ସମୟ ର ହାତ ଧରି ଚାଲିଲେ ଜୀବନଟା ସହଜ ଲାଗେ.. ଝୁଣ୍ଟିବାକୁ ଆଉ ହୁଏନି ଜୀବନର ଏଇ ଚଲା ପଥରେ।


ଧୀରେ ଧୀରେ ସବୁ ବଦଳି ଗଲା। ସୁଖର ଆକର୍ଷଣ ବଢ଼ି ଚାଲିଲା ବଡ଼ମା ଆଡ଼କୁ। ସୁଖ ବୁଝିଲା, ତା ପୃଥିବୀ, ମାନେ ହିଁ ବଡ଼ମା । ନା ଆଗରେ କିଏ, ନା ପଛରେ। ବଡ଼ମା ହିଁ ସବୁ କିଛି ତା ପାଇଁ...


ଦୁଇ ରାତି ଜଗି ରହିଲା ସୁଖ, ବଡ଼ମା ର ଶବ ପାଖରେ । ପ୍ରଭାତ ଭାଇଙ୍କ ନିର୍ଦ୍ଦେଶ, ଫ୍ରିଜ ଭିତରୁ ବରଫ ଆଣି ମା ଦେହରେ ଲଗାଉ ଥିବୁ। 

ଦୀର୍ଘ ଦଶ ବର୍ଷର ସମ୍ପର୍କ। କିଛି ମନେ ନ ଥିବା ବୟସରୁ ଆସି ଆଜି ଏମିତି ମୁହୂର୍ତ୍ତରେ ପହଞ୍ଚିଛି ସୁଖ, କିଛି ଭୁଲି ପାରୁନି। ବହୁତ ଲମ୍ବା ରାସ୍ତା, ସୁକାନ୍ତି ରୁ ସୁଖ ପର୍ଯ୍ୟନ୍ତ। ଅନେକ ସଂଘର୍ଷ ପରେ ଏତେ ସ୍ନେହ ଭରା ନାଁ ଟେ ପାଇଛି ସେ। ଗାଆଁରୁ କିଏ, କେବେ ଆସି ତାକୁ ଏଇଠି ଛାଡ଼ିଦେଇ ଯାଇଛି ମନେ ରଖିନି । ବାପା କିଏ, ମା କିଏ, ବଞ୍ଚିଛନ୍ତି କି ନାହିଁ ତା ବି ଜାଣିନି ସୁଖ। 


ଘର ଭିତରେ ଏକା ଜଗି ରହିଥିଲା ବଡ଼ମା କୁ। ନିଜ ମନଭିତରେ ଗଢି ତୋଳିଥିବା ଅତି ପ୍ରିୟ ମଣିଷ ଦେହରେ ବରଫ ଘଷିବା ଅତି କଷ୍ଟଦାୟକ ଥିଲା ସୁଖ ପାଇଁ। ବରଫ କି ଥଣ୍ତା ! କେତେ କଷ୍ଟ ହେଉଥିବ ବଡ଼ମା କୁ। କଲିଜା ଫାଟି ଯାଉଥିଲା ସୁଖ ର। କେତେ ସ୍ନେହ ଶ୍ରଦ୍ଧା ସେ ସାଉଁଟୁଥିଲା ବଡ଼ମା ପାଖରୁ। ଭୟରେ ନା କାନ୍ଦି ପାରୁଛି, ନା କାହାକୁ ଡାକି ପାରୁଛି। ଏମିତି ଏଇ ସହରରେ ସୁଖ ବା କାହାକୁ ଚିହ୍ନିଛି !! ଚିହ୍ନିଲେ ବି କଣ ହୋଇଥାନ୍ତା ଯେ !!! ଏଠି ଜୀବନ ନାହିଁ, କଂକ୍ରିଟ ଜଙ୍ଗଲ। କେହି କାହାକୁ ଚିହ୍ନନ୍ତିନି । ସମ୍ପର୍କରେ ଏଠି ଅଭିନୟ ବେଶି, ବାସ୍ତବତା କମ୍।


ନିଃଶ୍ୱାସ ପ୍ରଶ୍ୱାସ ନ ଚାଲିଲେ ତାକୁ ମୃତ୍ୟୁ କୁହାଯାଏ, ସୁଖ ଜାଣି ନ ଥିଲା। ଫୋନ ରେ ପ୍ରଭାତ ଭାଇ କହିଲେ ନାକରେ ହାତ ଦେଇ ଦେଖିଲୁ। ଧଙ୍କି ଧଙ୍କି କାନ୍ଦିଲା ସୁଖ। ପ୍ରଭାତ ଭାଇ ଫୋନ କାଟି ଦେଲେ।

***

ବଡ଼ମା ମରିବା ପରେ ଆଜି ପନ୍ଦର ଦିନ। ପ୍ରଭାତ ଭାଇ କହିଲେ ସୁଖ ! ଅାମେ ଯୋଧପୁର ରେ ଚାକିରୀ କରୁ। ତୋତେ ନେଇ ଯିବା କଣ ସମ୍ଭବ ! ପଡୋଶୀ ଘରେ ରାଜି ହୋଇଛନ୍ତି ତୋତେ ରଖିବା ପାଇଁ। ତାଙ୍କର ବି କାମବାଲି ଦରକାର। ତୁ ତୋର ବେଗ ପତ୍ର ଗୋଛେଇ ନେ। କାଲି ସକାଳ ଛ ଟାରେ ଆମ ଟ୍ରେନ। ତୋତେ ତାଙ୍କ ଘରେ ଛାଡ଼ି ଅାମେ ଚାବି ପକେଇ ଚାଲି ଯିବୁ ସବୁଦିନ ପାଇଁ।


ବଜ୍ର ପଡ଼ିଲା ସୁଖ ଉପରେ.. ସୁଖରୁ ପୁଣିଥରେ କାମବାଲି, ଯାହା କେବେ ବି ଅନୁଭବ କରିନି ସେ ଏଇ ଦଶ ବର୍ଷ ଭିତରେ। ସ୍ନେହ , ଶ୍ରଦ୍ଧା ର ସଉଦା ବାର ବାର ହୁଏନି ଜୀବନ ରେ। କାହା ପାଖରୁ ସ୍ନେହ ନେଇ ଅନ୍ୟ କାହାପ୍ରତି ସମବେଦନା, ସମ୍ଭବ ହୁଏନି। ବୋଝ ଉପରେ ନଳିତା ବିଡା। ବଡ଼ମା କୁ ଭୁଲିନି, ଇଚ୍ଛା ବିରୁଦ୍ଧରେ ଆଉ କାହା ଘରେ ନିଯୁକ୍ତି ମନକୁ ଆହୁରି ଆର୍ଦ୍ର କଲା। ସୁଖ ଆହୁରି ଭାଙ୍ଗି ପଡ଼ିଲା ଦୁଃଖରେ..


ଭାଉଜଙ୍କୁ ନେଇ ଶୋଇବା ଘରକୁ ଚାଲିଗଲେ ପ୍ରଭାତ ଭାଇ। 

ସୁଖ କହିବ କହିବ ବୋଲି ଭାବୁଥିଲା, ପ୍ରଭାତ ଭାଇ ! ବଡ଼ମା କହିଥିଲେ ମୋ ବାହାଘର କରେଇଦେବେ। ବାହାଘର ପରେ ଆମେ ତମ ଘର ଜଗିବୁ ।  

ସ୍ୱାଭିମାନ ମଣିଷର ଅଳଙ୍କାର। ଏକ ଅସାଧାରଣ ବ୍ୟକ୍ତିତ୍ଵର ପରିଚୟ ଆରମ୍ଭ ହୁଏ ସ୍ୱାଭିମାନ ରୁ। ସ୍ୱାଭିମାନର ଅଦୃଶ୍ୟ ବନ୍ଧ ଡେଇଁ କିଛି କହିବା ପାଇଁ ଚାହିଁଲାନି ସୁଖ।


ଦଶ ବର୍ଷରୁ ଅଧିକ ହେବ, ବଡ଼ମା ଘରେ, ବଡ଼ ମା ପାଖରେ ହିଁ ସେ ଶୋଇ ଆସିଛି। 

ଆଜି ଶେଷ ରାତି ବଡ଼ମା ର ଏଇ କୋଠରୀ ଭିତରେ। ଆଖି ଆଗରେ ବଡ଼ମା ଜଳି ଗଲା । ମନ ଭିତରେ କିନ୍ତୁ, କେହି କଣ ଜଳିପାରେ। ମନ ଭିତରେ ବଞ୍ଚିଥିବା ସ୍ନେହର ଅବଶେଷ, ଜୀବାଶ୍ମ ପାଲଟି ଯାଉଥିଲା ପ୍ରତି ମୁହୂର୍ତ୍ତରେ। 

ବଡ଼ମା ର ଖଟିଆ ଉପରେ ବସି ମେଁଚାଏ ସ୍ମୃତି କୁ ସାଉଁଟିବା ଛଡ଼ା କିଛି ବି ବଞ୍ଚି ନ ଥିଲା ସୁଖ ପାଖରେ।


ମୁଁ ତାଙ୍କୁ ବଡ଼ମା ବୋଲି କେବେ ଡାକିଲି, କାହିଁକି ଡାକିଲି, କିଛି ମନେ ନାହିଁ। ଖାଲି ଏତିକି ମନେ ଅଛି, ମୁଁ ପିନ୍ଧିଥିବା ଛିଣ୍ଡା ଫ୍ରକ୍ ଟି ଉତାରି ନେଲେ। କହିଲେ ପାଗଳୀ ! ଆମ ଘରେ କେହି କଣ ଛିଣ୍ଡା ଲୁଗା ପିନ୍ଧେ। ଗରମ ପାଣିରେ ଗାଧୋଇ ଦେଇ ନୂଆ ଫ୍ରକଟିଏ ପିନ୍ଧାଇ ଦେଲେ ସେ। ଟିକି ଛାତି ତଳେ ମୋ ଟିକି ହୃଦୟଟି ଦୋହୋଲି ଗଲା ସେଇଦିନ। କପାଳରେ କଳା ଟିପା ଲଗେଇ ଦେଇ କହିଲେ ପାଗଳୀ ! ତୁ ଆଜିଠୁ ମୋ ଝିଅ। ଅସାଧାରଣ ସ୍ନେହ ଶ୍ରଦ୍ଧା ପାଇଲି ତାଙ୍କ ପାଖରୁ। ଯୌବନ କେତେ ବେଳେ ଆସି ଛୁଇଁ ଗଲା କିଛି ମନେ ନାହିଁ। ଯୌବନ ଅତିକ୍ରମ କରି ଏତେ ରାସ୍ତା ଚାଲି ବି ଆସିଲି, ଜାଣି ପାରିନି। ଗେଟ ବାହାରକୁ ଯିବା ପାଇଁ ଆକଟ କଲେ ବଡ଼ମା। ବୁଝିଲି ମୋ ଭିତରେ ଲୋଭନୀୟ ଶରୀରଟେ ଗଢି ଉଠିଛି , ମୋ ଅଜାଣତରେ। ବାହାରଟା ଆଦୌ ନିରାପଦ ନୁହେଁ ବୋଧେ ମୋ ପାଇଁ। ପଡୋଶୀ ଘର ଭାଇନା ମୋତେ ଆଖି ମାରିଲେ, କହିଲେ ବୁଢ଼ୀ ଶୋଇ ଯାଇଛି ତ ଆସୁନୁ ଆମ ଘର ଆଡେ..। 

ବଡ଼ମା ମଥା ରୁ ଉକୁଣି ମାରୁଥାଏ, ସାହାସ କରି ପାଖ ଘର ଭାଇନା କଥା କହିଲି , 

ଅଳ୍ପ ଆୟୁଷିଆ, ପୋକପଡ଼ା, ପୋଡ଼ାମୁହାଁ..ଆଉଥରେ ଆମ ଝିଅକୁ ଦେଖ୍, ତୋ ଆଖି ଖୋଳି ଆଣିବି..ଘର ପଛ ପଟ ବାରଣ୍ଡାରେ ଯାଇ ଗର୍ଜନ ତର୍ଜନ କଲେ ମୋ ବଡ଼ମା। ମୁଁ ଥରୁ ଥାଏ, କାହିଁକି କହିଲି...?

ଭରସା ବଢ଼ିଗଲା ବଡମା ଉପରେ। ନିଜ ମାଆ କୁ ଜାଣିନି। ବଡ଼ ମା, ମାଆ ଠାରୁ ବଳି ଏକ ସାଙ୍କେତିକ ପ୍ରତିମୂର୍ତ୍ତି ବୋଲି ବୁଝିଲି ସେଇଦିନ।


ଭରସା , ଉର୍ବର ମାଟିରୁ ଜନମୁଥିବା ଫୁଲ ଚାରା ପରି। ଯେତେ ବଢେ, ସେତେ ବାସେ..


ପାଖ ଗୁମୁଟିରୁ ଡାଲି ଚାଉଳ ଆଣିବାର ଥିଲେ ବି ମୋତେ ଏକୁଟିଆ ଛାଡ଼ୁ ନ ଥିଲେ ମୋ ବଡ଼ମା। ତାର କାରଣ ମୁଁ ଖୋଜି ପାଇନି, ଆଜି ବି ..

ସତର ପୁରି ଅଠର ହେଲାଣି। ବଡ଼ମା ଥରି ଥରି ମୋ ସାଥିରେ ଦୋକାନ ପର୍ଯ୍ୟନ୍ତ ଯିବା ଭିତରେ ଗୋଟାଏ ମାନସ୍ତାତ୍ଵିକ ଖୁମ୍ବଟିଏ ଗଢି ଉଠୁଥିଲା ମୋ ଭିତରେ। ଜୀବନଟା କେତେ ବିଚିତ୍ର, କେହି ଜଣେ ହାତ ଧରି ଚାଲିଲେ ଶତ ସିଂହର ବଳ ଆସି ଜମା ହୁଏ ମନ ଭିତରେ। ବଡ଼ମା ର ଥରୁଥିବା କ୍ଷଣିକ ହାତ ସ୍ପର୍ଶ, ମୋ ମାଂସପେଶୀରେ ଉଷ୍ମତା ଭରି ଦେଲା। ଲାଗୁଥିଲା, ସାରା ପୃଥିବୀ ଟା ଆମ ଦୁହିଙ୍କ ହାତ ମୁଠାରେ !!!


ବଡ଼ ମା ଓ ପ୍ରଭାତ ଭାଇ ଙ୍କ ମାନସିକତା ଭିତରେ ବିଶାଳ ପ୍ରଭେଦ ! 


ରାତି ତିନିଟା, କୋଠରୀ ଭିତରୁ ବାହାରି ଆସି ଛିଡା ହେଲା ସୁଖ, ପ୍ରଭାତ ଭାଇଙ୍କ ରୁମ୍ ଭିତରୁ ଭୁଟଭାଟ ଶବ୍ଦ ଆସୁଥାଏ। ସୁଖ ନାଁ ଧରି ପ୍ରଭାତ ଭାଇ କିଛି କହୁଥିଲେ ଭାଉଜଙ୍କୁ। ଡରି ଯାଇ ନିଜ କୋଠରୀ ଭିତରକୁ ପଶି ଆସିଲା ସୁଖ । 

ବଡ଼ମା'ର ବାତ୍ସଲ୍ୟ ଭରା ମୁହଁ ନାଚି ଉଠିଲା ସୁଖ ଆଗରେ। ଗୋଟାଏ ଛୋଟ ଜୀବନ୍ତ ପୃଥିବୀ ଭିତରେ ଦୁଇ ପ୍ରାଣୀ, ସୁଖ ଆଉ ବଡ଼ମା। ପୁଅ ବହୁ ଥାଇ ବି ନ ଥିଲା ପରି, କାଁ ଭାଁ କେତେବେଳେ କେମିତି ଆସନ୍ତି ଏଇ ଛୋଟିଆ ସହରକୁ। ସୁଖ ହିଁ ଥିଲା ବଡ଼ମା ର ଆଶା ଓ ଭରସା। ବଡ଼ମା ନିଜ ହାତରେ ସୁଖର ମଥା କୁଣ୍ଡେଇ ଦେଇ କୁହନ୍ତି "ବାୟାଣୀ ! ଆର ବର୍ଷ କୁ ତୋ ବାହାଘର କରେଇ ଦେବି ଗୋଟାଏ ଆଦିବାସୀ ଟୋକା ସହିତ। ମୁଁ ଆଉ କେତେଦିନ ବଞ୍ଚିବି, ନା ପୁଅ ବହୁ ଆସି ଘର ଜଗିବେ। ତୁ ତୋ ବର ସହିତ ଏଇଠି ରହି ଆମ ଘର ଜଗିବୁ।" ମେଞ୍ଚାଏ ସ୍ନେହ ବି ବାନ୍ଧି ହୋଇ ଯାଉଥିଲା ହାତବନ୍ଧା ବେଣୀ ସାଥିରେ।


ବଡ଼ମା ର ସବୁ କଥା କଣ ମିଛ ଥିଲା !! ଦୁଇ ଟୋପା ଲୁହ ଝରି ପଡ଼ିଲା ଆଖି ଭିତରୁ।


 ଟିଂ ଟଂ ଶବ୍ଦ ଶୁଣି ଅନେଇଲା ସେ ବଡ଼ ମା ଘରେ ଝୁଲୁଥିବା କାନ୍ଥ ଘଣ୍ଟା କୁ। ପାଞ୍ଚଟା ବାଜିଛି। ଝୁଲା ଭିତରେ ଲୁଗା ପଟା ଭରି ବସି ରହିଲା, ପ୍ରଭାତ ଭାଇ ଆସି କହିବେ, ସୁଖ ଆ.. ତାଙ୍କ ଘରେ ଛାଡ଼ି ଦେବି, ସେଇଠି ରହି କାମ କରିବୁ। ତୋତେ କଣ ଏତେ ଦୂର ନେଇହେବ !! ତୁ ଏଇଠି ଭଲରେ ଥା...

ତା ପରେ ସେଇ କାମୁକ ପୁରୁଷ, ସେ କଣ ମୋତେ ଛାଡ଼ିବ !!! ଗୋଟି ଗୋଟି କରି ହିସାବ ନେବ ବଡ଼ମା ର ସେଇ ଗାଳି ପାଇଁ। ଜିଅନ୍ତା ଖାଇଯିବ। ବଡ଼ମା ର ସ୍ନେହ ଶ୍ରଦ୍ଧାରେ ବଢିଥିବା ଝିଅ ଟି ଜଳି ପୋଡ଼ି ପାଉଁଶ ହୋଇଯିବ ଏକ ନିର୍ଦ୍ଦୟ, ରାକ୍ଷସ ର କାମାଗ୍ନି ରେ। ଆହତ ମନଟା ଆହୁରି କ୍ଷତ ବିକ୍ଷତ ହେବ ସେଇ କାମୁକ ପୁରୁଷର ପଞ୍ଝା ଭିତରେ।  

ସକାଳ ଛ ଟା...

ପ୍ରଭାତ ଭାଇ ପଶି ଆସିଲେ ଘର ଭିତରକୁ...ଏକ ଅସହାୟ ନିର୍ବୋଧ ଶିଶୁ ପରି ଅନେଇ ରହିଲା ସୁଖ, ଭାଇଙ୍କ ଆଡ଼କୁ। କ୍ଷତ ବିକ୍ଷତ ବନ ହରିଣୀ ର ଭଗ୍ନାବଶେଷ , ଯେମିତି ଜଙ୍ଗଲ ଭିତରେ ପଡି ଛଟପଟ ହେଉଛି।

ଆ ..

ମୁଣ୍ଡରେ ତା ଲୁଗା ପୁଟୁଳି ରଖି ଛିଡାହେଲା ସୁଖ। ଥରୁଥିଲା। ନିଜ ଶବ କୁ ନିଜେ ବୋହି ନେବାର ଯନ୍ତ୍ରଣା କ୍ଷତ ବିକ୍ଷତ କଲା ଅତି ନିର୍ମମ ଭାବରେ। 

ପ୍ରଭାତ ଭାଇ ଆଉ ଭାଉଜ ଚାଲିଲେ ଆଗେ ଆଗେ, ପଛେ ପଛେ ସୁଖ। ଟେକ୍ସି ଭିତରେ ବସିବାକୁ କହିଲେ ପ୍ରଭାତ ଭାଇ। ଭାଇ ଭାଉଜ ବି ପଶିଲେ ଟେକ୍ସି ଭିତରକୁ।

ଭାଇ !

ହଁ, ତୁ ପରା ଆମ ସୁନା ଭଉଣୀ, ତୋତେ କଣ ଆଉ କାହା ହାତକୁ ଟେକି ଦେଇ ଅାମେ ଯାଇ ପାରିଥାଆନ୍ତୁ, ତୁ ମୋ ବୋଉକୁ ନିରନ୍ତର ସେବା ଦେଇଛୁ..ତୋତେ କଣ ଅାମେ ଛାଡି ପାରିବୁ। ବୋଉ ତୋତେ କୋଉଠୁ ଆଣିଛି ଅାମେ ଜାଣିନୁ, ତୋ ଗାଆଁ କୋଉଠି, ତୋର କିଏ କିଏ ଅଛନ୍ତି ଅାମେ କିଛି ଜାଣିନୁ। ଛୋଟ ଫ୍ରକ୍ ପିନ୍ଧା ବୟସରୁ ଆସି ଆଜି ତୁ ଆମ ଘରେ ଶାଢ଼ୀ ପିନ୍ଧିଚୁ, କେତେ ସ୍ନେହ ତୋତେ ଦେଇଛି ମୋ ବୋଉ। ରାତି ରାତି ତୁ ଜଗି ବସୁ ବୋଉ ପାଖରେ, ବୋଉ କୁ ଜ୍ଵର ହେଲେ। ପ୍ରତି ଚିଠିରେ ଅଧାରୁ ଅଧିକ ତୋରି ପ୍ରଶଂସା କଥା ଲେଖେ। ସମ୍ପର୍କର ସୁଦୀର୍ଘ ପୋଲଟିଏ, ତୁ ଆଉ ମୋ ବୋଉ ଭିତରେ, ବୋଉ ଆଜି ନାହିଁ। ବୋଉ ର ଜାଗା କଣ ନେଇ ହୁଏ ! ତଥାପି ଚେଷ୍ଟା କରିବୁ, ଆମ ବୋଉ ପରି ତୋତେ ଟିକିଏ ସ୍ନେହ ଦେବାକୁ...

ଭାଉଜ କୁ କୋଳେଇ ଧରିଲା ସୁଖ। ଗାଡ଼ି ଚାଲିଥାଏ ଷ୍ଟେସନ ଅଭିମୁଖେ...

ଯୋଧପୁର ଟ୍ରେନ ଧରିବେ.....








Rate this content
Log in

Similar oriya story from Classics