ସୁବର୍ଣ୍ଣ ପ୍ରେମ
ସୁବର୍ଣ୍ଣ ପ୍ରେମ
କିଛି ଦିନ ପୁର୍ବରୁ ଟି ଭି ସମ୍ବାଦରୁ ମହିଳାଙ୍କ ପାଇଁ ହେଉଥିବା ସ୍ୱତ୍ରଂତ ଉପସ୍ଥାପନା କାର୍ଯ୍ୟକ୍ରମକୁ ଉପଭୋଗ କରିସାରିଲା ପରେ ଅବକାଶ ବାବୁ ସ୍ଥିରକଲେ ଆନ୍ତର୍ଜାତିକ ମହିଳା ଦିବସରେ ନିଜ ପତ୍ନୀଙ୍କୁ ସର୍ପ୍ରାଇଜ୍ ଦେବେ । ଏବଂ ପୁରା ଗୋଟିଏ ଦିନ ତାଙ୍କ ପାଇଁ ଉତ୍ସର୍ଗ କରିବେ । ଘରେ ଦୁହେଁ କର୍ମଜିବୀ । ଦୁହିଙ୍କ ବିଭାଗ ଏକ ହେଲେ ମଧ୍ୟ କର୍ମସ୍ଥଳୀ ଭିନ୍ନ ।
ଦେଖୁ ଦେଖୁ ସେହି ଦିବସ ଉପସ୍ଥିତ ହେଲା । ଅବକାଶ ବାବୁ ସକାଳର ସମ୍ବାଦ ପତ୍ର ପଢୁ ପଢୁ ସହଧର୍ମିଣୀଙ୍କ ଯିବା ସମୟ ହୋଇଗଲା । ନିଜର ସମସ୍ତ କାମ ସାରି ବାବୁଙ୍କୁ କିଛି ନ କହି ନ ଚାହିଁ ସାଢେ ସାତରେ ଚାଲିଗଲେ । ଯାହା ହାତଧରିବା ଦିନଠୁଁ ଏପରି କେବେ ଘଟି ନଥିଲା । ବାବୁଙ୍କୁ ଖୁବ୍ କଷ୍ଟ ଦେଲା, ହେଲେ ସେ ବା ଆଉ କଅଣ କରିଥାନ୍ତେ ? ସେ ନିଜେ ନିଜର କାମ ସାରି ବାହାର ଫାଟକରେ ତାଲା ଦେଇ ଅଫିସ ଚାଲିଗଲେ ।
ଅଫିସ କାମରେ ବାବୁଙ୍କ ଆଦୋୖ ମନ ଲାଗିଲା ନାହିଁ । ସେ ସ୍ଥିର କରିଥିଲେ ଆଜିର ଦିନଟିକୁ ପତ୍ନୀଙ୍କ ପାଇଁ ଦେବେ ହେଲେ ହେଲା କ'ଣ ? ସମୟ ଦେଖିଲେ ସାଢେ ବାଆର ବାଜିଗଲା । ପତ୍ନୀ ଏବେ ଆସିଯାଇଥିବେ ଭାବି କାଳ ବିଳମ୍ବ ନ କରି ମଧ୍ୟାହ୍ନର ଉଦ୍ଉଦିଆ ଖରାଟାରେ ଘରକୁ ବାହାରି ପଡ଼ିଲେ । ରାସ୍ତାରୁ କୋନ୍ ଵାଲା ଆଇସକ୍ରିମ୍ କିଣିଲେ ଭାବିଲେ ଏକାଠି ବସିବେ, ଖୁସି ବଣ୍ଟିବେ ।
ଅବକାଶ ବାବୁ ଘରେ ପହଞ୍ଚି ଦେଖିଲେ ଫାଟକରେ ତାଲା ଅଦ୍ୟାବଧି ଝୁଲୁଚି । "ଆଶ୍ଚର୍ଯ୍ୟ, ତାଙ୍କ ପତ୍ନୀ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି । ଭଲ କଥା, ଆଇସକ୍ରିମ୍ ଟିକୁ ଫ୍ରିଡଜ୍ ରେ ରଖିଦେବି ଯେ ସେ ଆସି ଖୋଲିଲା ବେଳକୁ ତାଙ୍କ ପାଇଁ ସର୍ପ୍ରାଇଜ୍ ହେବ" ।
ବାବୁ ପୋଷାକ ଉତାରି ଚୋୖକି ଉପରେ ବସି ଟି ଭି ଖୋଲିଲେ । ଟି ଭି ରେ ମହିଳା ଦିବସୀୟ ଆଲୋଚନା ଚାଲିଥାଏ । ଏପଟେ କାନ୍ଥରେ ଘଣ୍ଟାଟି ଟିକଲ କରି ଟିକ୍ ଟିକ୍ କରୁଥାଏ । ସକାଳର ଖବର କାଗଜ , ଟି ଭି ଘରେ ବାହାରେ ସମାଜରେ ସେମାନେ ତୁଲାଉ ଥିବା ଗୁରୁ ଦାୟୀତ୍ୱ ପ୍ରଭୁତି କୁ ପ୍ରସଂଶା କରୁଥିଲା ବେଳେ ଏଯାବାତ୍ ତାଙ୍କ ପତ୍ନୀଙ୍କ ଦେଖା ନାହିଁ କି ଫୋନ୍ ନାହି ।
କଅଣ ହେଲା ତାଙ୍କର । ଚୋୖକି ଉପରୁ ଉଠିଲେ । ଟି ଭି କୁ ବନ୍ଦ କଲେ । ଘର ସାରା ଖୋଜିବସିଲେ, କାଳେ କୋଉଠି ଲେଖା ଛାଡ଼ି ଯାଇଥିବେ । ଖୋଜୁ ଖୋଜୁ ପାଇଲେ ପ୍ଲାଷ୍ଟିକ ଷ୍ଟାଣ୍ଡରେ ତାଙ୍କ ମୋବାଇଲକୁ ଛାଡ଼ି ଯାଇଛନ୍ତି । ଯାହାକୁ ଦଣ୍ଡେ ଛାଡ଼ି ରହି ପାରନ୍ତି ନାହିଁ , ଆଜି ସେହି ମାନଙ୍କଠୁଁ ଦୂରେଇ ରହିଛନ୍ତି କିପରି ? ଭ
ାଳି ଅଧର୍ଯ୍ୟ ହେଲେ । ସେ ହାତ ଧରିବାର ବାଆର ବର୍ଷ ଭିତରେ କେବେ ଏପରି କରି ନାହାନ୍ତି ।
ଅଲଗୁଣୀର ଶାଢ଼ୀକୁ ଗଣିଲେ । କର୍ମ କ୍ଷେତ୍ରକୁ ପିନ୍ଧି ଯାଇଥିବା ଶାଢ଼ୀରେ ସେ ଫେରି ନାହାନ୍ତି । ବୋଧେ ସେଠାରେ କାମ ବଢ଼ି ଯାଇଛି । ତା ନ ହେଲେ ଏତେ ବିଳମ୍ବ ହୁଅନ୍ତା ନାହିଁ । ତାଙ୍କ ସହକର୍ମୀଙ୍କୁ ଫୋନ୍ କରିବା ଭଲହେବ ଭାବିଲେ । ହେଲେ, କଅଣ ବୋଲି ପଚାରିବେ ? କଥା ଦାଣ୍ଡରେ ପଡ଼ି ହାଟରେ ଗଡିବ ନାହିଁ ତ ? ପତ୍ନୀ ସେଠାରେ ଅଛନ୍ତି ବୋଲି ମାନେ କଣ ? ବେଳ ତିନି ପ୍ରହର ହେଲାଣି । ଏହି ସମୟରେ ନିଶ୍ଚୟ ସମସ୍ତେ ନିଜ ନିଜ ଘରେ ବିଶ୍ରାମ କରୁଥିବେ । ଏପରି ଗୁରୁମୁରୁ ହୋଇ ବାବୁ ନିଜର ରାଗ ବଢ଼ାଇ ଦେଲେ ।
ଏକା ଘରେ ବାବୁଙ୍କୁ ବସାଇ ଉଠାଇ ଦେଲା ନାହିଁ । ହଠାତ୍ ତାଙ୍କ ମନକୁ ଗତ କାଲିର କଥା ମନେ ପଡ଼ିଗଲା । ଦୁହେଁ ହାଲକା ରେ କଥା କଟାକଟି ଏବଂ ମୁହଁ ଫୁଲାଫୁଲି ହୋଇଥିଲେ । ଆଉ ଆଜି ..... । ନା ନା । ଏପରି କିଛି ହୋଇନଥିବ । ରାଗ ମନକୁ ବୁଝାଇ ଅପରାହଣ ଚାରିଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସ୍ଥିର କଲେ ।
ବାବୁଙ୍କ ଅପେକ୍ଷା ସମୟ ଗଡ଼ି ଆଉ ଏକ ଘଣ୍ଟାରୁ ଅଧିକା ହେଲା । ଧର୍ମପତ୍ନୀ ନିଜ ମହିଳା ସାଙ୍ଗଙ୍କ ଗହଣରୁ ପରସ୍ପରକୁ ବାୟ କରି ଘରକୁ ଫେରିଲେ । ବାବୁଙ୍କ ସବୁ ଶଙ୍କା ଦୂର ହେଲା ,ହେଲେ ଦୁହେଁ କଥାବାର୍ତ୍ତା ଆଦୋୖ ହେଲେ ନାହିଁ । ବାବୁ ଚାହା ମାଗିଲେ ନାହିଁ କି ବାହାରକୁ ବୁଲି ଗଲେ ନାହିଁ । ସେମିତି ଚୋୖକି ଉପରେ ବସି ରହିଲେ । ପତ୍ନୀ ଅଗତ୍ୟା
ରାତି ନଅଟା ବାଜିଲା । ବାବୁ ଟି ଭି ରୁ ସମ୍ବାଦ ଖୋଲିଲେ । ପୁଣି ସେହି ଚର୍ଚ୍ଚା । ମହିଳାଙ୍କ ପ୍ରସଂଶାରେ ମୁଖରିତ । ଏପଟେ ବାବୁ ରାଗ ଜର୍ଜରିତ । ଆଜି ସଙ୍ଗେ ସଙ୍ଗେ ବନ୍ଦ କରିଦେଲେ ହେବନି । ଏପରି ନିଜକୁ ବୁଝାଇ ଅନିଚ୍ଛା ସତ୍ୱେ ସମ୍ବାଦ ସରିଲା ପର୍ଯ୍ୟନ୍ତ ମାଡ଼ିମକଚି ବସି ରହିଲେ ।
ସମ୍ବାଦ ସରିଲା ।ଧର୍ମପତ୍ନୀ ସବୁ କାମ ସାରି ଆସି ପଚାରିଲେ , "ଖାଇବା ଆଣିବି " ? ବାବୁ ହୁଁ' କରି ମୁଣ୍ଡ ଟୁଙ୍ଗାରିଲେ । ଟି ଭି ସମ୍ମୁଖରେ ଖାଇବା ପରସା ଗଲା । ପତ୍ନୀଙ୍କ ଏତିକି କଥାରେ ବାବୁଙ୍କ ରାଗ ସହ ଦିନଯାକର ଦୁଃସମୟ କୁଆଡେ ଉଭେଇଗଲା ସତ, ମନଟା ଖାଲି କରଣ ଖୋଜି ଘାଣ୍ଟି ଚକଟି ହେଉଥିଲା । ପତ୍ନୀ ଜଣକ ଖାଇବା ପରେ ଫ୍ରିଡ୍ଜରୁ ନରମ ଆଇସକ୍ରିମ ବାହାରକରି ଆଣିଲେ । ବାବୁ ତାକୁ ହାତରେ ଧରି ଭାବିଲେ, ରାତିର ବତୀ ଲିଭିଲେ ଦୁହେଁ ଦୁହିଁଙ୍କୁ ଭିଡି ଧରି ନୂତନ ସୂର୍ଯୋଦୟର ଅପେକ୍ଷା କରିବେ ନା ଆସନ୍ତା ବାକି ଜୀବନ ଜୀଇଁବା ପାଇଁ ନୂଆ ନାଆଟି ବାଛିବେ ?