ସ୍ବାଧୀନତ୍ତୋର ଭରତର ଗ୍ରାମ୍ୟ ଜୀବନ
ସ୍ବାଧୀନତ୍ତୋର ଭରତର ଗ୍ରାମ୍ୟ ଜୀବନ


ଭାରତୀୟଙ୍କ ପ୍ରାଣ ଗ୍ରାମରେ ହିଁ ସଂରକ୍ଷିତ । ଏଣୁ ଆଜି ଜଣେ ଭାରତୀୟ ତା’ ଗାଁ ଠାରୁ ସେ ଯେତେ ଦୂରରେ ରହିଥିଲେ ମଧ୍ୟ ସମୟ ଓ ସୁଯୋଗ ଉଣ୍ଡି ନିଜ ଗାଁକୁ ବୁଲିଯିବାକୁ , ଫେରିବାକୁ ଇଛାକରୁଛି । ତା ସମର୍କିତ କେହି ରହୁଥିଲେ ତାଙ୍କ ଠାରୁ ଗାଁର ତଥ୍ୟ ସଂଗ୍ରହକରି ତାର ମଙ୍ଗଳ କାମନା କରୁଛି । ସେ କିମ୍ବା ତା ସମ୍ପର୍କୀୟ ଜନ୍ମ ନେଇଥିବା ଛୋଟରୁ ବଡ ହୋଇଥିବା ମାଟିର ମମତାରେ ବାନ୍ଧିହୋଇ ରହୁଛି । ଆବଶ୍ୟକ ଅନୁଯାୟୀ ତାକୁ ଗାଁ ଛାଡିବାକୁ ପଡିଛି ସତ, ହେଲେ ସମ୍ପର୍କ ଆଦୌ ଛିଣ୍ଡାଉନାହିଁ । ଅବିକଳ ଅବସ୍ଥା ଏହିଦେଶର ବଡ ବଡ ସହରରେ ବାସ କରୁଥିବା ପରିବାରରେ ବି ଦେଖିବାକୁ ମିଳେ । କେତେକ ସ୍ଥଳରେ ପରିବାର ଗାଁକୁ ଫେରିବାକୁ ଆଦୌ ଇଛା ନକଲେ ବି ସେପରିବାର ମୁଖ୍ୟ କିନ୍ତୁ ନ ଛୋଡବନ୍ଧା । ନିଜ ମରଶରୀରକୁ ଗାଁ ମଶାଣିରେ ଜାଳିବାକୁ ଇଛାରଖେ । ଏହାତ ବନ୍ଧନ । ଏଣୁ ଗାଁର ଲମ୍ବ ଓସାର ଘର ବାରିକୁ ବିକ୍ରି ନ କରି ଅସଜଡା ରଖେ ଫେରିବା ଆଶାରେ । ହେଲେ ଷାଠିଏ ମହଣ ଘିଅ ହେବ ନା ରାଧା ନାଚିବ ?
ଅନ୍ୟପଟେ ଗାଁ ମାଟି , ପାଣି, ପବନ, ସବୁଜ କ୍ଷେତ , ମନ୍ଦିରର ଆଳତି, ସନ୍ଧ୍ୟା କିର୍ତ୍ତନ , ଆଖଡାର ମେଳ, ପିଲାସାଙ୍ଗ ଖେଳ ,ପଶୁପଲ, ପାଳଗଦାରୁ ଛତୁ ତୋଳା, ନାଳର ମାଛଧରା , ତୋଟାର ଯତ୍ନ , ଫଳ ଚୋରା , ଗାଁ ସ୍କୁଲର ପାଠପଢା,ପାହାଡ ଚଢା , କଣ୍ଟେଇ କରନ୍ଦା କୋଳି ତୋଳା ସାଙ୍ଗକୁ ପୋଖରୀର ପହଁରା ପ୍ରଭୁତି ଜୀବନକୁ ବଳିଷ୍ଠ ସ୍ଵାବଲମ୍ବନ କରୁଛି ସତ କିନ୍ତୁ ଏଥିରେ ଅଳ୍ପ କିଛି ସନ୍ତୁଷ୍ଟ ହୋଇ ଏଠାରେ ରହୁଛନ୍ତି ଆଉ କେତକ ଅନ୍ୟତ୍ର ଗମନ କରି ଏହାଠୁ ଅଧିକା ଉପାର୍ଜନ କରିବା ଏବଂ ଖୁସି ପାଇବା ଆଶା କରୁଛନ୍ତି । ଜଣେ ଯେଉଁଠାକୁ ଫେରିବା ଆଶା ରଖେ ସେହିଠାରୁ ଜଣେ ବାହାରକୁ ଯିବାକୁ ଇଛା କରେ । ଏଭଳି ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳେ ଆଜିର ଗ୍ରାମ୍ୟ ଜୀବନରେ ।
ଗ୍ରାମ୍ୟ ସଭ୍ୟତା ଓ ଏହାର ସଂସ୍କୃତି, ପରମ୍ପରା , ବିଦ୍ୟା , କ୍ରୀଡାକୌଶଳ , ବିଶ୍ବାସ, ଏକତା , ସଚୋଟତା, ସାହସ, ସ୍ଵଛତା , ସୁସ୍ଥତା ପ୍ରଭୃତି ଆମ ଦେଶ ଭାରତର ମୂଳ ସମ୍ପତ୍ତି ଅଟେ । ଏହାର ପ୍ରତିଟି ଉତ୍ସ ଆମ ଦେଶର ମୁଖ୍ୟ ସମ୍ବଳ । ଏକଦା ରାଜା ମହାରାଜା ,ଜମିଦାରୀ ଏବଂ ବିଦେଶୀ ଗ୍ରାମ୍ୟ ସୌନ୍ଦର୍ଯ୍ୟକୁ ନଷ୍ଟ କରି ନିଜର ରାଜୁତି ଚଳାଇଥିଲା । ତାହାକୁ ପ୍ରତିହତ ନ କରିପାରିଲେ ସେମାନେ କୌଣସିମତେ ଆଗକୁ ବଢିପାରିବେ ନାହିଁ କି ତିଷ୍ଠି ରହିପାରିବେ ନାହିଁ, ଏହା ଜାଣି ଗ୍ରାମ୍ୟ ଚିତ୍ରକୁ ଅସଜଡା ଓ ଗୋଟିଏ ପଟେ ନଷ୍ଟ କରିଦେଇଥିଲେ ବୋଲି କହିଲେ ମିଛ ହେବନାହିଁ । ଏହି କଥାକୁ ଜାଣିପାରି ଯେପରି ଭାବେ ସ୍ଵାଧୀନତା ଆନ୍ଦୋଳନ ଆରମ୍ଭ ଓ ତୀବ୍ର ହେଲା , ପରେ ସ୍ଵାଧୀନତା ପ୍ରାପ୍ତ ହେଲା ଏହା ଆମେ ସମସ୍ତେ ନିଶ୍ଚୟ ଜାଣିପାରୁଥିବା । କାରଣ ଏହି ଆନ୍ଦୋଳନ ଆଉ କାହାର ନ ଥିଲା ଆମର ନିଜର ଥିଲା । ଆଜି ସ୍ଵାଧୀନ ଭାରତର ଗ୍ରାମ ଓ ଏହାର ନାଗରିକ ସେସବୁ ହକ୍ ଠାରୁ ଦୂରେଇ ରହିବା କଅଣ ଠିକ ହେବ ?
ଅଧୁନା ସ୍ଵାଧୀନ ଭାରତରେ ଗ୍ରାମର ଉନ୍ନତି ସକାଶେ ଗଣତନ୍ତ୍ର , ସ୍ୱାୟତ ଶାସନ ବ୍ୟବସ୍ଥା ସାଙ୍ଗକୁ ପଞ୍ଚଶୀଳ ନୀତି ଯୋଜନା ପ୍ରଣୟନ କରିବା ସହିତ ଗାଁ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ , ଆୟ, ଖୁସି ଓ ମଙ୍ଗଳ ପାଇଁ ଆବଶ୍ୟକ ଅନୁଯାୟୀ ଅନେକ ଯୋଜନା ପ୍ରଣୟନ ହୋଇ ତାହା ସବୁ କାର୍ଯ୍ୟକାରୀ ହେଉଛି । ଆଜି ଗାଁ ରେ ଯୋଜନା ଭରପୁର । ସେ ସବୁକୁ ଜାଣି , ବୁଝି ହାତେଇ ତାହାର ସଦୁପଯୋଗ କରି ପାରିଲେ ଯାହାର ବି ଜୀବନ ପୁରିଲା ପୁରିଲା ଲାଗିବ । ସଭିଏଁ ଉନ୍ନତିକରି ରଷ୍ଟ୍ରର ବିକାଶରେ ସାଥୀଟିଏ ହୋଇପାରିବା । ହେଲେ ବିଡମ୍ବନାର ବିଷୟ ଏବେ ବି ସ୍ଵାଧୀନ ଭାରତର ଗ୍ରାମ୍ୟ ଜୀବନରେ ସାହୁକାରୀଗିରି ଦେଖିବାକୁ ମିଳୁଛି । ଲୋକେ ଶତପ୍ରତିଶତ ଶିକ୍ଷିତ ହୋଇପାରି ନାହାନ୍ତି । ଗ୍ରାମ୍ୟ ଜୀବନରେ ଅଳସୁଆମୀ ଜନ୍ମ ନେଇଛି । ହୀନ ରାଜନୀତିରେ ବଞ୍ଚି ରହୁଛନ୍ତି । ସ୍ଵପ୍ନଦେଖିବା ଛାଡିବା ଓ ପ୍ରଗତିର ପଥ ହୁଡୁଥିବା ଦେଖିବାକୁ ମିଳୁଛି । ଯୋଜନା ହଡପ ଏବଂ ସ୍ୱଳ୍ପ ଲାଭ ମିଳୁଥିବାର ଚିତ୍ର ଦେଖିବାକୁ ମିଳୁଛି । ଫଳରେ ରାଜା ମହାରାଜାଙ୍କ ଶାସନ କାଳରେ , ବିଦେଶୀ କବଳର ଥିଲାବେଳେ ଗ୍ରାମର ଅବସ୍ଥା ଯାହାଥିଲା ,ସେହି ଅବସ୍ଥାକୁ ଫେରୁଥିବା ପୁଣି ଲକ୍ଷ୍ୟ କରାଯାଉଅଛି । ଆଜି ଏଇଠି ବିଦେଶୀ ନାହାନ୍ତି କିନ୍ତୁ ସେହି ମନୋବୃତ୍ତି ଆମକୁ ଧ୍ଵଂସ ଆଡକୁ ଟାଣି ନେଉଛି । ଆମେ ନିଜ ଗୋଡରେ ନିଜେ କୁରାଢି ମାରୁଥିଲା ଭଳି ମନେହେଉଛି । ଜାତୀୟ ଦିବସରେ ଧ୍ଵଜାତଳେ ଦଣ୍ଡାୟମାନ ହୋଇ ଆମେ ଯେଉଁ ଭାଷଣ ରାଷ୍ଟ୍ର ଓ ନିଜ ଲୋକଙ୍କ ହିତ ଉଦ୍ଧେଶ୍ୟରେ ରଖୁ ତାହାକୁ ଦୀର୍ଘାୟୁ ଚିରସ୍ଥାୟୀ ଆଦୌ କରୁନାହୁଁ । ଆମ ଦେଶ ଏକ, ଆମେ ସମସ୍ତେ ଏକ । ଏପରି କହିବା ଏକ ବାହୁଲ୍ୟ ମାତ୍ର । ଆମ ପୃଥିବୀରେ ଥିବା ବିକାଶଶୀଳ ଦେଶ ମାନଙ୍କୁ ନିରୀକ୍ଷଣକଲେ ନିଶ୍ଚୟ କିଛି ଶିକ୍ଷା ପାଇପାରିବା । ପୁଣି ସେହି ସବୁ ଶିକ୍ଷା ସେମାନେ ଆମଦେଶରୁ ,ଆମ ଅରଣ୍ୟ ସଭ୍ୟତାର ତରୁଛାୟା ତଳ ଆଶ୍ରମର ମୁନି ଋଷିଙ୍କ ବାଣୀକୁ ଗ୍ରହଣ କରିନେଇଛନ୍ତି । ଆମେ ସେହି ମାଟିର ଦାୟାଦ ହୋଇ ତାହାଠୁ ଦୁରେଇଯିବା କେତେଦୂର ଯଥାର୍ଥ ?
ଆମଦେଶ ଭାରତ ଗ୍ରାମ ବହୁଳ ରାଷ୍ଟ୍ର । ସରଳ ଜୀବନ, ଅମାପ ସୁଖ, ଶାନ୍ତି ସୌନ୍ଦର୍ଯ୍ୟ ଓ ଉତ୍ସର ଗନ୍ତାଘର । ସ୍ଵାଧୀନତାପରେ ସେ ସମସ୍ତ ଗ୍ରାମରେ ସରକାରଙ୍କ ଦୃଷ୍ଟି ପଡିଛି । ପୂର୍ବ ଦୁଃଖ ନାହିଁ କହିଲେ ଚଳେ । ସ୍ଥାନେ ସ୍ଥାନେ ପ୍ରାକୃତିକ ବ୍ୟବସ୍ଥାରେ ସୁଧାର ଆଣିବାରେ କିଛି ବିଳମ୍ବ ହେଉଛି । କିନ୍ତୁ ସେଥିରେ ଜୟ ଲାଭ କରିବା ଆମପକ୍ଷେ କଷ୍ଟ ନୁହଁ । ସାଧାରଣରେ ନିଜେ ସଚେତନ ଶିକ୍ଷିତ ହୋଇ , ପରସ୍ପରକୁ ଭଲପାଇ, ଥିବା ସମ୍ବଳର ଯତ୍ନ ଓ ସଦୁପଯୋଗ କରି , ବ୍ୟବସ୍ଥା ଉପରେ ବିଶ୍ବାସ ରଖି, ନିଜେ ବଢି ଅନ୍ୟକୁ ବଢାଇବାରେ ସହାୟ ହେଲେ ଆମ ଗାଁ ପରି ଭାରତର ସମସ୍ତ ଗାଁ ହସି ଉଠିବ । ଗାଁ ର ବ୍ୟବସ୍ଥା ଓ ନୀତି ଆଦର୍ଶ କିଛି କମ ନୁହଁ । ସେ ଆଜିର ଶାସନକଳକୁ ପ୍ରଭାବିତ କରୁଛି । ଅତଃ କୌଣସି ପରିସ୍ଥିତିରେ ଗ୍ରାମ୍ୟ ଜୀବନ କଳୁଷିତ ହେବାକୁଦେବା ଉଚିତ ନୁହଁ । ଗାଁ ହସିଲେ ଦେଶ ହସିବ । ଦେଶ ହସିଲେ ଆମ ଜୀବନ ହସିବ । *ସ୍ବାଧୀନତ୍ତୋର ଭାରତର ଗ୍ରାମ୍ୟ ଜୀବନରେ ଉନ୍ନତି ଏବଂ ବର୍ତ୍ତମାନର ଅବସ୍ଥାକୁ ସମସ୍ତେ ନିଜ ଉପରକୁ ନେବାକୁ ପଡିବ* ।