Ranjan Kumar Brahma

Classics

5.0  

Ranjan Kumar Brahma

Classics

* ଗାଁ ଦଶହରା *

* ଗାଁ ଦଶହରା *

4 mins
695


      ସଂସ୍କୃତି ସମ୍ପନ୍ନ ଆମ ଦେଶ ଭାରତ । ଏହି ଦେଶର ପ୍ରତିଟି ଗାଁ ରେ ନିଜସ୍ୱ ସାହିତ୍ୟ ଓ ଐତିହ ଭରି ରହିଛି । ଅନୁସନ୍ଧାନ କଲେ କଳା ଖଜୁରା ପଣସ ଦେହରୁ ସ୍ଵାଦିଷ୍ଟ ଖୋଷାପରି ପଦାକୁ ଆସିଥାଏ ଏହାର ଲୋକ ସଂସ୍କୃତି, ଲୋକ ନୃତ୍ୟ, ଲୋକ କଥା ପ୍ରଭୃତି । ଏପରି ଏକ ଗ୍ରାମୀଣ ସଂସ୍କୃତି, ପରମ୍ପରା କୋଉ କାଳରୁ ଚଳି ଆସୁଅଛି ଆମ ଅଞ୍ଚଳର ଟିକି ଗାଁ ରେ । ଯାହା ଆମ ପାଇଁ , ଆମ ନୂଆ ଯୁବ ପିଢ଼ି ପାଇଁ ସମ୍ପୂର୍ଣ ନୂଆ । ଏକତ୍ର ବାସ କରିବା, ଶାନ୍ତି ଓ ଖୁସିରେ ବଞ୍ଚିବା, ନିଜସ୍ୱ ଶୈଳୀରେ ଜୀବନ ଜିଇଁବା , ପରମ୍ପରାକୁ ସମ୍ମାନଦେବା, ସଂହତିକୁ ସଙ୍ଗରେ ନେଇ ଆଗକୁ ବଢିବା , ପରିଶ୍ରମ ଜୀବନରୁ କିଛିଟା ସମୟ ବାହାର କରି ସହଦୋରଙ୍କୁ ନେଇ ଆତ୍ମହରାହେବା , ଏପରି ଅନେକ ବାର୍ତ୍ତା ପ୍ରଦାନ କରି ଚିକିଟୀ ଅନ୍ତର୍ଗତ ଡାଳ ପଲଙ୍କ ଗ୍ରାମର ଗ୍ରାମବାସୀ ପାଳନ କରନ୍ତି 'ଗାଁ ଦଶହରା' ।


    ଡାଳ ପଲଙ୍କ ଗୋଟିଏ ଛୋଟିଆ ଗାଁ । ଏହାର ଅଧିକାଂଶ ଲୋକ ଜାତିରେ ଗୋଲା । ଗାଁ ରେ ପ୍ରାୟ ଆଠଶହରୁ ଅଧିକା ଲୋକ ବାସକରନ୍ତି । ଗାଁ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର , ପୋଖରୀ, ଗ୍ରାମଦେବତୀ ଙ୍କ ପୀଠ , ଶିଵ ଦେଉଳ, ମକର ଚାଂଚଡା ପ୍ରଭୃତି ରହିଛି । ଗାଁ ର ଅନତି ଦୂରରେ ଛୋଟିଆ ପାହାଡ଼ । ତା' ରି ଉପରେ 'ମାଁ ସଙ୍କଟ ତାରିଣୀ' ବିଜେ କରିଛନ୍ତି । ଗାଁ ଟି ସବୁଜ ଶ୍ୟାମଳ ଶସ୍ୟକ୍ଷେତ ଘେରରେ ରହିଥିଲେ ମଧ୍ୟ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଗେ ଗମନା ଗମନର ସୁବିଧା ରହିଛି । ଗାଁ ରେ ଖୁବ୍ ଅଳ୍ପ ଲୋକ ଚାକିରୀଆ । ଅଧିକାଂଶ ଲୋକେ ଚାଷ ବାସ, ଛେଳି, ମେଣ୍ଢା, ଗାଇ ପରି କେତକ ପଶୁ ପାଳନ ଏବଂ ଦିନ ମଜୁରୀ ଲାଗିବା ସହ ବାହାର ରାଜ୍ୟକୁ ଯାଇ କାମ କରି ଚଳନ୍ତି । ଗାଁ ରେ ଗୋଲା ନାଚର ପୁଞ୍ଜା ରହିଛି। ବାହାରକୁ ଯାଇ ନାଚ ଖେଳି ଅନେକ ପ୍ରସଂଶା ଧରି ଫେରିବା ନଜିର ରହିଛି । ନାଚରେ ବାପା, ବଡ଼ ଭାଇ ମାନଙ୍କୁ ଗାଁର ଛୋଟ ପିଲାଏ ଅନୁକରଣ ଏବଂ ଅନୁସରଣ କରୁଥିବାର ଦେଖିବାକୁ ମିଳୁଛି । ଏଠାରେ ଅଳ୍ପ ନାଇକ ପରିବାର ରହନ୍ତି । ସେମାନଙ୍କ ଘରେ 'କୋଠି ଶାଳ' ରହିଛି । ସେଠାରେ ' ମାଁ ମଙ୍ଗଳା 'ଙ୍କୁ ପୁଜା କରନ୍ତି । ସେମାନଙ୍କ କିଛି ପିଲା 'ଓଷା କୋଠି ' ନାଚ ଵି ଜାଣନ୍ତି । ଏପରି ଗୋଟିଏ ଛୋଟିଆ ଗାଁ ର ନାମ, ତା' ର କାହାଣୀ ଏଯାବତ କୋଣସି ଭୂଗୋଳ ପୋଥିପତର ରେ ନ ଥିଲେ ମଧ୍ୟ ଏଇନେ ତା ନିଜସ୍ୱ ଐତିହ , ସଂସ୍କୃତି କୁ ନେଇ ଏହି ପୋଥିର ପୃଷ୍ଠା ମଣ୍ଡନ କରିବାକୁ ଯାଉଛି ।


     ଶରତ ୠତୁର ଆଶ୍ୱିନ ମାସ ଖୁବ୍ ସୁଂଦର । ପ୍ରତି ପରିବାରରେ ଖୁସି । ବିଶ୍ୱାସ, ପିତୃଲୋକ ସ୍ୱର୍ଗାଲୋକରୁ ଅବତରି ଆମ ସହ ଏକତ୍ର ବାସ କରିଥାନ୍ତି । ଆମ ଘର ପୁରିଲା ପୁରିଲା ପରି ମନେ ହୁଏ । ସେପରି ଗାଁ ଚାରିପାଖର ଶସ୍ୟକ୍ଷେତ ସବୁଜ ଶ୍ୟାମଳ ରଙ୍ଗରେ , ପୁଣି ଧାନ ଗଛ ଗୁଡ଼ିକ ଯୁବକ ସୁଲଭ ଠାଣିରେ କୁରୁଳି ଉଠନ୍ତି । ପବନର ତାଳେ ତାଳେ ବଗ ଓ ଗେଣ୍ଡାଳିଆଙ୍କ ଖେଳ କାଶତଣ୍ଡିର ମତୁଆଲା ବେଶ୍ ମନଛୁଁଆ । ଏ ପ୍ରରିପେକ୍ଷିରେ ଗାଁ ଲୋକେ ଏକତ୍ର ଦଶହରା ପାଳନ କରନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ମଞ୍ଜିବାର, ଵନ୍ଧ୍ୟାମିଶା ପରି କୃଷି ଭିତ୍ତିକ କାର୍ଯ୍ୟ ସଠିକ ଭାବେ ସମ୍ପାଦନା ହେବା ପଛରେ ଗ୍ରାମଦେବତୀଙ୍କ ଆଶିଷ ରହିଛି । ଏଣୁ ପ୍ରତିଟି କାର୍ଯ୍ୟ ଆରମ୍ଭରେ ଏବଂ ଶେଷରେ ଗ୍ରାମ ଦେବତୀଙ୍କୁ ପୂଜି ସନ୍ତୁଷ୍ଟ କରିବାର ନିଆରା ପରମ୍ପରା ଡାଳ ପଲଙ୍କ ଗ୍ରାମରେ ଦେଖିବାକୁ ମିଳୁଛି । ଏହି ସମୟରେ ଗାଁ ଠୁଁ ଯେତେ ଦୂୁରରେ ଥିଲେ ମଧ୍ୟ ଏହାର ଅଧିବାସୀ ଟାଣି ହୋଇ ଆସନ୍ତି ଗାଁ ଦଶହରା ଏକତ୍ର ପାଳନ କରିବାକୁ ।


     ଆଶ୍ୱିନ ଅମାବାସ୍ୟା ପରେ ତା ୦୧, ୦୩, ୦୫, ୦୭ କିମ୍ବା ୦୯ ରିଖରେ ଯେଉଁ ରବିବାର ପଡେ ସେହି ଦିନ ଗାଁ ଦଶହରା ପାଳନ କରଯିବା ଚୂଡ଼ାନ୍ତ ହୁଏ ଗାଁ କୋଠରେ । ଯଦି ଦୈବତ୍ ଏହି ସବୁ ତାରିଖରେ ରବିବାର ନ ଆସେ ତେବେ ପଡୁଥିବା ମଙ୍ଗଳ ବାରରେ ପାଳନ କରିବାକୁ ଦିବସ ଓ ଲଗ୍ନ ଧାର୍ଯ୍ୟ ହୁଏ । ଏଥି ପାଇଁ କୌଣସି ବ୍ରାହ୍ମଣ ବା ପୁରୋହିତଙ୍କ ସହାୟତା ଆବଶ୍ୟକ ପଡେ ନାହିଁ । ଗାଁ ପରିବେଶକୁ , ନିଜକୁ ସଫାସୁତର ରଖି ନବ ବସ୍ତ୍ର ପରିଧାନ କରି ଏକତ୍ର ସମାବେଶ ସକାଶେ ସ୍ଥିର ହୁଏ ।


    ଏହାକୁ ପାଳନ କରିବା ନିମନ୍ତେ ପ୍ରତି ପରିବାରରୁ ଚାନ୍ଦା ଆଦାୟ କରାଯାଏ । ଆବଶ୍ୟକ ପଡ଼ିଲେ ଗାଁ କୋଠରୁ କିଛି ମିଶାଯାଏ । ଗାଁ କୋଠର ସମସ୍ତ ସଦସ୍ୟ ମାଁ ଗ୍ରାମଦେବତୀଙ୍କ ପାଇଁ ତାଙ୍କର ପ୍ରିୟ ମୁଖବୀଣା ବାଇଦ, ବୋଦା ପାଇଁ ଛେଳି, ପୂଜା ସଜ୍ଜ ଏବଂ କୀର୍ତ୍ତନ ପ୍ରଭୃତି ବ୍ୟବସ୍ଥା କରନ୍ତି । ଉକ୍ତ ଦିନ ସନ୍ଧ୍ୟାରେ ପ୍ରତି ପରିବାର ପାଞ୍ଚଟି ଲେଖାଏଁ ମାଟି ଦୀପାଳି ସହ ପୁଜା ଚାଂଗୁଡି ଧରି ବାଜା ବାଜାଣା ସହିତ ଗ୍ରାମ ଦେବତୀଙ୍କ ନିକଟକୁ ବାହାରି ପଡ଼ନ୍ତି । ରାସ୍ତାରେ ଗ୍ରାମର ପୁର୍ବ ଭାଗରେ ବିଜେ ଥିବା 'କାଳୀମୁଖୀ' ନିକଟରେ ଦୁଇଟି ଦୀପ ଜଳାଇ ଫୁଲ, ଧୂପ ଏବଂ ଭୋଗ ସମର୍ପଣ କରନ୍ତି । ଆଉ ତିନୋଟି ଦିପାଳି ଭୋଗସଜ୍ଜ ନେଇ ଏକତ୍ରିତ ହୁଅନ୍ତି ଗ୍ରାମ ଦେବତୀଙ୍କ ପୀଠରେ । ପୀଠରେ ପୂଜାରୀ ପୁର୍ବ ସୂଚନା ପ୍ରକାରେ ଉପସ୍ଥିତ ରୁହନ୍ତି । ଗାଁ ଲୋକଙ୍କ ମନକଥାକୁ ମାଁ ଙ୍କୁ ଜାଣନ୍ତି । ଦୀପ , ଧୂପ , ଫୁଲର ହାର ଓ ସିନ୍ଦୂର ମାଁ ଙ୍କୁ ଚଢାନ୍ତି । ସେ ସଭିଙ୍କ ନିମନ୍ତେ ଖୁସି, ଏକତା, ଶସ୍ୟ କ୍ଷେତର ସୁରକ୍ଷା, ଭଲ ଫସଲ, ଗୃହପାଳିତ ପଶୁଙ୍କ ସୁରକ୍ଷା, ଯୁବକ ଯୁବତୀଙ୍କ ପାଇଁ ଭଲ ଘର ଓ ବର , ସୁନ୍ଦର ସ୍ବାସ୍ଥ୍ୟ ପ୍ରଭୃତି କାମନା କରନ୍ତି । ପୁଜା ଶେଷରେ ବଳି ପ୍ରଥା । ସମସ୍ତ ଗ୍ରାମ ବାସୀ ମାଁ ଙ୍କ ନିକଟରେ ନତ ମସ୍ତକ ହୋଇ ସୁଂଦର ଜୀବନ କାମନା କରନ୍ତି । ସେଠୁଁ ନିଜ ନିଜ ଘରକୁ ଫେରନ୍ତି ।


    ତା' ଠିକ୍ ପର ଦିନ ସିନ୍ଦୁରା ଫାଟିଲା ବେଳକୁ ବୋଦା ପଡିଥିବା ମାଂସ ଭାଗ ହୋଇ ପ୍ରତି ଘରକୁ ସୁଷମ ବଣ୍ଟନ ହୁଏ । ସେହି ଦିନ ଘରେ ଘରେ ପିଠା ପଣା ସାଙ୍ଗକୁ ମାଂସ ତରକାରୀ । ନିଜନିଜ ର ପରିବାର ସଦସ୍ୟ ସହ ପ୍ରିୟ ପରିଜନଙ୍କୁ ନେଇ ଧୁମ୍ ଖିଆ ପିଆ ହୁଏ । ସାରାଦିନ ହସ ଖୁସିରେ ବିତେ । 

       ଏହା ଗୋଟିଏ ସୁଂଦର କୃଷି ଭିତ୍ତିକ ପର୍ଵ । ସୁଂଦର ସବୁଜ ଯୁବା ଶସ୍ୟ କ୍ଷେତର ଯତ୍ନ ନେବା ପାଇଁ ମାଁ ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରନ୍ତି ଗ୍ରାମବାସୀ । ଏଯାବତ ଏହାକୁ ଆଧୁନିକ ସାମାଜିକ ଆଡ଼ମ୍ବର ଆଦୋୖ ପ୍ରଭାବିତ କରିପାରିନାହିଁ । ଖୁବ୍ ଶୃଙ୍ଖଳାର ସହିତ ସଭିଏଁ ଏକତ୍ର ଏହାକୁ ପାଳନ କରିଥାନ୍ତି । ଆଜିର ସମୟରେ ପାଳନ ହେଉଥିବା ଦଶହରା ; ଜୋର ଜବରଦସ୍ତ ଆଦାୟ କରାଯାଉଥିବା ଚାନ୍ଦା, ଚୋରା ବିଦ୍ୟୁତ୍ ରେ ଆଖି ଝଲସି ଯାଉଥିବା ଆଲୋକ ମାଳା, କାନ ଫାଟି ପଡୁଥିବା ଛାତି ଥରି ଯାଉଥିବା ଶବ୍ଦ ଯନ୍ତ୍ରର ଧ୍ଵନି , ଆତଶବାଜି ସାଙ୍ଗକୁ ଡ଼ି ଜେ ର ତାଳେ ତାଳେ ମତୁଆଲାଙ୍କ ନାଚ , ମୁଖ୍ୟ ରାସ୍ତାକୁ ଅବରୋଧ କରି ଗଢି ଉଠିଥିବା ସୁଉଚ୍ଚ ତୋରଣ , ଦୀର୍ଘ ଦିନ ଧରି ପାଳନ ହେଉଥିବା ଆମ ଦଶହରା ଯେଉଁ ମହତ ସାମାଜିକ ଉଦ୍ଦେଶ୍ୟ କୁ ସାଧନ କରି ପାରେନାହିଁ , ତା ଠାରୁ ଏହି ଗାଁ ଦଶହରା ଉର୍ଦ୍ଧ ରେ ଥିବା ମନେ ହୁଏ ନାହିଁ କି ? ସାରା ଅଞ୍ଚଳ ଆଲୋକ ମାଳାରେ ସଜେଇ ହୋଇ ପୂଜା ମଣ୍ଡପର ତୋରଣ ଗୁଡ଼ିକ ମୁଣ୍ଡ ଟେକିଲା ବେଳକୁ ଏମାନଙ୍କ ଦଶହରା ସରି ଯାଇଥାଏ । ଏହାତ ଏହାର ବୈଶିଷ୍ଟ୍ୟ ।


Rate this content
Log in

Similar oriya story from Classics