Satyabati Swain

Classics

3.9  

Satyabati Swain

Classics

ସତ୍ୟପାଠ

ସତ୍ୟପାଠ

4 mins
230



ଲିଲି ଅପା ; 

      ଏଇ ନିର୍ବୋଧ ହୃଦୟଟି ଗୋଟେ କାରାଗାର। ଅନେକ ହୃଦ ବନ୍ଦୀ ଆଜୀବନ ସେଇ ଜେଲରେ ରୁହନ୍ତି। ବେହୋସ୍ ବୟସ ବଢିଚାଲେ।ଧୂଳି ଜମିଯାଏ ଆଖି କ୍ୟାମେରା ଓ ମନ ଦର୍ପଣରେ କିଛି ମୁହଁ ଉପରେ।କୌଣସି କାରଣରୁ ଧୂଳି ପୋଛି ହୋଇଗଲେ ସେଇ ମୁହଁ ମାନେ ଜଳ ଜଳ ଦିଶନ୍ତି।ମୁଦା ଆଖିରେ ସେମାନେ ମିଠା ମିଠା ଯନ୍ତ୍ରଣା ଦେଇ ବେଳେବେଳେ ଅସୁସ୍ଥ କରି ପକାନ୍ତି। ସେଇ ହୃଦ ବନ୍ଦୀ ମୁହଁ ମାନଙ୍କ ଭିତରୁ ତୁମେ ଅନନ୍ୟ 

       

ତୁମେ ; ନା ଦୂର ନା କୌଣସି ନିକଟର ଆପଣା ଚିହ୍ନା ମଣିଷ ଥିଲ।ଏକବାରେ ଅଚିହ୍ନା।ହଠାତ୍ ମୋତେ ଚମକେଇ ହଷ୍ଟେଲ ଆସିଥିଲ ତୁମ ବାପା କୃପାସିନ୍ଧୁ ସ୍ବାଇଁଙ୍କ ସହ,ଯେ ଜବ୍ କରୁଥିଲେ କଟକରେ; ମୋ ଗେଷ୍ଟ୍ ହୋଇ ପ୍ରାଇଭେଟ ବି ଏ ପରୀକ୍ଷା ରେଭେନ୍ସା ରେ ଦେବା ପାଇଁ ।ମୁଁ ତ ତୁମମାନଙ୍କୁ ଚିହ୍ନି ନଥିଲି।ଅଥଚ ମୋ ଗେଷ୍ଟ ତୁମେ କେମିତି ହେବ? ଏ ପ୍ରଶ୍ନ ସେତେବେଳେ ମୋତେ ଦ୍ବନ୍ଦ୍ୱ ରେ ପକାଇ ଥିଲା। କାରଣ ଗେଷ୍ଟ୍ ମାନେ ବେଡ୍ , ଚେୟାର ଟେବୁଲ, ଆଲଣା ସବୁ ସେୟାର କରନ୍ତି ହଷ୍ଟେଲ ଆଡ୍ମିସନ ପିଲାର।ଆଡ୍ମିସନ ପିଲା ନାଁ ରେ ମିଲ୍ ବି ଖାଆନ୍ତି।କିନ୍ତୁ ମାସ ଶେଷରେ ବିଲ୍ ପେମେଂଟ ନ କରି ମାରନ୍ତି ଛୁ।ଏ ତିକ୍ତ ଅନୁଭୂତି ମୋତେ ତୁମକୁ ଗେଷ୍ଟ୍ କରିବି କି ନାହିଁ ଭାବିବାକୁ ବାଧ୍ୟ କରିଥିଲା।


ଜାଣେନି ତୁମ ଭିତରେ କି ଚୁମ୍ବକୀୟ ଶକ୍ତି ଥିଲା କେଜାଣିମନା କରି ପାରି ନଥିଲି" ନା ତୁମେ ମୋ ଗେଷ୍ଟ୍ ହେବନି ବୋଲି"।

ଜାଣିଛ ଲିଲିଅପା! ତୁମ କଥାରେ କିନ୍ତୁ କୁହୁକ ଥିଲା।ତୁମେ ମୋ ପିଠି ଥାପୁଡି ଦେଇ କହିଲ, ମୁଁ ତୁମ ଗାଁ ପାଖ ପିଲା । ତୁମ ସହ ରହି ପରୀକ୍ଷାଟି ଦେବାକୁ ଚାହେଁ।ରଖିବ ତୁମ ଗେଷ୍ଟ କରି !

ହଷ୍ଟେଲ ଆଗରେ ମୋ ପାଖରେ ଠିଆ ହୋଇଥିଲ ତୁମେ।ଡାହାଣ ହାତରେ ଘଣ୍ଟା।ଶାଢ଼ୀ ପରିହିତା ଜଣେ ସୁଇଟି କଲର୍ ଝିଅ।ବାଁ ଆଖି ସାମାନ୍ୟ ଛୋଟ।ବିଶ୍ୱାସ କରନ୍ତୁ ହସ ତୁମର ଅତି ମାରାତ୍ମକ ଥିଲା।ମୁଁ ଅଚିହ୍ନା ହେଲେ ବି ପଡ଼ିଗଲି ତୁମ ପ୍ରେମରେ।ବାସ୍ ତୁମେ ପାଖାପାଖି ଦୁଇମାସ ମୋର ଗେଷ୍ଟ ରହିଲ।

ପରୀକ୍ଷା ନଥିବା ଦିନ ଚାରିଟା ବେଳେ ତୁମେ ମୋତେ ନେଇ ଜୋବ୍ରା ତୁମ ବାପାଙ୍କ ପାଖକୁ ଯାଉଥିଲ।ସେଇଟି ଗୋଟେ ଚାକିରିଆ ପୁଅ ପିଲାଙ୍କ ଛୋଟ କାଟିଆ ମେସ୍ ଥିଲା କି କଣ।ସେଠି ଟୁଙ୍ଗା ଭାଇ ରହୁଥିଲେ।ଟୁଙ୍ଗା ଭାଇଙ୍କୁ ଦେଖିଲେ, ତୁମେ ଗୋଟେ ଅଦ୍ଭୁତ ପ୍ରକାର ଲାଜ ଲାଜ ହସ ହସୁଥିଲ।ପାଟି ଅପେକ୍ଷା ତୁମ ଆଖି ବେଶୀ କଥା କହୁଥିଲା।ଟୁଙ୍ଗା ଭାଇ ତୁମକୁ ଦେଖୁ ଦେଖୁ ଅତି ପ୍ରସନ୍ନ ଲାଗୁଥିଲେ।

ଷ୍ଟୁଡିଓ ରେ ଫୋଟୋ ଉଠାଇବା ସଉକ ବି ତୁମର ଖୁବ୍ ଥିଲା।ସେ ସମୟକୁ ଚାହିଁ ତୁମେ ନିଶ୍ଚିତ ଅନିନ୍ଦ୍ୟ ସୁନ୍ଦରୀ ଥିଲ ଓ ଷ୍ଟାଇଲ ବାଲି ଥିଲ ମୋ ଆଖିରେ।


ପରୀକ୍ଷା ଦେଇ ତୁମେ ତୁମ ଗାଁ କଟରା ଚାଲିଗଲ।ସାଙ୍ଗରେ ନେଇଗଲ ମୋ ମନ।କିଛି ଦିନ ନିଶବ୍ଦେ ଝୁରି ହେଲି ତୁମ ସଙ୍ଗ।ଛୁଟିରେ ଗଲେ ତୁମକୁ ଦେଖିବାକୁ ତୁମ ଘରକୁ ପଳାଉଥିଲି କିଛି ବାହାନା କରି।ତୁମେ ନାଳ ବନ୍ଧ ରାସ୍ତା ଉପରେ ପୋଲ ଯାଏ ଆସୁଥିଲ।ହଁ ଗୋଟେ ଚିଠି ବି ମୋତେ ଦେଇଥିଲ ମୋ ନାଁ ରେ।ସେତେବେଳେ ଚିଠିଟିଏ କେହି ସେ ଯଦି ତୁମ ପରି ସୁନ୍ଦର ଝିଅ ପୁଣି ବଡ଼ ଅପା ହୋଇଥିବେ କେମିତି ଲାଗେ ଜାଣିଛ! ! ସେ ସ୍ୱାଦ ଆସ୍ଵାଦନ ତୁମେ କରି ନଥିବ।


ତୁମ ଚିଠି ଲେଖା ଶୈଳୀ ଝକାସ୍।ପଢି ଦେଲେ ମନ ଖୁସିରେ ଝୁମିବା ଥୟ।ତୁମ ଚିଠିର ଉତ୍ତର ମୁଁ ବି ଗୋଟେ ଦେଇଦେଲି।ଏମିତି ଚିଠିରେ ଚିଠିରେ ମୁଁ ତୁମ ସହ ବନ୍ଧା ପଡ଼ିଗଲି।


ତୁମ ଅଞ୍ଚଳ ଲୋକେ କହୁଥିଲେ ତୁମେ କୁଆଡେ କାହାକୁ ଭଲ ପାଅ!! ଜୀବନର "ସତ୍ୟ ପାଠ" କରୁଛି ଲିଲି ଅପା।ସେହି ସମୟରେ ଭଲ ପାଉଥିବା ଝିଅ ପୁଅଙ୍କୁ ସମାଜ ଭଲ ଆଖିରେ ଦେଖେନି।ଏଣୁ ମୋତେ ବାରଣ କରାଯାଇଥିଲା ତୁମ ସହ ନ ମିଶୁବାକୁ। ଜାଣିଛ ଯେଉଁଠି ବାରଣ ସେଠି ବେଶୀ ଜିଦ୍, ଝୁଙ୍କ୍।ଅନ୍ୟ ମାନଙ୍କ ବାରଣ ମୋତେ ତୁମର ଆହୁରି ନିକଟ କରି ଦେଇଥିଲା।କେହି ତୁମ ବିରୁଦ୍ଧରେ ପଦେ କହିଲେ ଭାରି କାଟୁଥିଲା।ଲାଗେ ସମସ୍ତେ ତୁମ ନାଁ ରେ ମିଛ କହୁଛନ୍ତି।ମୋର ବିଶ୍ୱାସ ଥିଲା ମୋ ଲିଲି ଅପା କେବେ ଖରାପ କାମ କରି ପାରିବେ ନାହିଁ।


ଏବେ ନିଜକୁ ପଚାରେ ; ମୁଁ ତୁମକୁ ନା ତୁମେ ମୋତେ କିଏ କାହା ପ୍ରେମରେ ଥିଲେ!!ମୁଁ ଜାଣି ନଥିଲି ପ୍ରେମ କଣ।ଏ ଶବ୍ଦଟି ଗୋଟେ ଅପରାଧୀ ଶବ୍ଦ ଥିଲା ସମାଜ ପାଇଁ ସେବେ।ସେହେତୁ ମୋର ପ୍ରେମ କରୁଥିବା ପୁଅ ଝିଅଙ୍କ ପ୍ରତି ଗୋଟେ ନକାରାତ୍ମକ ଭାଵ ସହ ଡର ବି ଥିଲା । ହେଲେ ତୁମ ବେଳକୁ ଏ ଭାଵ ଓ ଡର କୁଆଡେ ଯାଇଥିଲେ ମୋର!! ତୁମ କଥା,ଚାଲି,ଷ୍ଟାଇଲ ,ଶାଢ଼ୀ ପିନ୍ଧା,ବେଣୀ ସବୁ ମୋତେ ଭଲ ଲାଗୁଥିଲା କାହିଁକି!!।ସୁତରାଂ ପ୍ରେମ ସତରେ ଅନ୍ଧ।ଏ ବୟସ,ଲିଙ୍ଗ ,ଜାତି, ଶିକ୍ଷା ଦୀକ୍ଷା କିଛି ଦେଖେନି।କାହାକୁ କେତେବେଳେ ବି ପ୍ରେମ ହୋଇ ପାରେ।ଯେହେତୁ ଅପ୍ରେମେ ଜୀବନ କାହିଁ?


ସମସ୍ତଙ୍କ କଥା ସତ ଓ ମୋ ବିଶ୍ୱାସକୁ ଭୁଲ୍ ପ୍ରମାଣିତ କରି ମୁଁ ପ୍ଲସ ଥ୍ରୀ ପଢୁଥିଲା ବେଳେ ଶୁଣିଲି ତୁମେ ଟୁଙ୍ଗା ଭାଇଙ୍କୁ ଲବ୍ ମ୍ୟାରେଜ୍ କରିଛ। ଓହୋ ସେଇପାଇଁ ମୋତେ ନେଇ ସେ ମେସ୍ କୁ ଗଲା ବେଳେ ସେମିତି ଦୁଇ ଜଣ ଯାକ ଆଖିରେ ପୁଣି ଲାଜୁଆ ଲାଜୁଆ କଥା ହେଉଥିଲ !!


ତାପରଠାରୁ ତୁମ ସହ ମୋର ଆଉ କୌଣସି ସମ୍ପର୍କ ନଥିଲା।ହେଲେ ଲିଲି ଅପା ମୁଁ ସିନା ଜାଣି ନଥିଲି ତୁମେ କେଉଁଠି ରହିଲ, କଣ କଲ୍, କିନ୍ତୁ ମୋ ମନ ତୁମ ଚିଠିକୁ ବହୁ ବାର ଅପେକ୍ଷା ରଖେ।କେତେ ସୁନ୍ଦର ତୁମେ ଚିଠି ଲେଖ।ତୁମ ଶକ୍ତ ଶବ୍ଦର ଯାଦୁ ଜଞ୍ଜିରରେ ବାନ୍ଧି ଦିଏ ।ସେ ଜଞ୍ଜିର ଭିତରୁ ନିଜକୁ ମୁକ୍ତ କରିବା ମୁସ୍କିଲ ଲିଲି ଅପା।


ଲିଲି ଅପା ସେମିତି ଆଜି ଖଣ୍ଡେ ଚିଠି ଲେଖନ୍ତ ନି !!ଯେଉଁ ଚିଠି ମୋତେ ପ୍ରୋତ୍ସାହିତ କରୁଛି କଲମ ଧରିବା ପାଇଁ !!


ମୁଁ ବି ଆସ୍ତେ ଆସ୍ତେ ତୁମକୁ ଭୁଲି ଗଲି।


ଅନେକ ଦିନ ପରେ ପାଖା ପାଖି ଆକସ୍ମିକ ପରିଚୟ ପରି ଦିନେ ଏହି ମୁହଁ ବହିରେ ତୁମେ ମୋତେ ଆବିଷ୍କାର କଲ।କେତେ କଣ ପଚାରି ବୁଝିଲ ମୁଁ ସେଇ କି ନୁହେଁ।ଜମାରୁ ସମର୍ଥ ହେବିନି ତୁମ ସହ ଏଇ ମୁହଁ ବହିର ପୁଣି ଏକ ହେବାର ମୁହୂର୍ତ୍ତ କୁ।


ତୁମେ ମୋର ଲେଖା ପଢ଼ ଓ ଉତ୍ସାହିତ କର ରୀତିମତ।ତୁମ ଠାରୁ ମୋର ପ୍ରକୃତ ଲେଖା ଆରମ୍ଭ।ତୁମର ସେଇ କୁଆରୀ ବୟସରୁ ଆଉ ସହ ତୁମ ଦେଖା ହୋଇନି।ଏବେ ବି ସେଇ ବାକ୍ଳ କଲର୍ ଛିଟ ଶାଢ଼ୀ ପିନ୍ଧି ତୁମେ ମୋ ଭିତରେ ଝିଅ ରୂପରେ ରହିଛ । ତୁମକୁ ଦେଖିବାକୁ ପ୍ରବଳ ଇଚ୍ଛା ।ଆଜି କମେଣ୍ଟ୍ ବକ୍ସ ରେ ଲେଖିଲ, କିଛି ତୁମର ମନେ ନାହିଁ !! କେମିତି ସମ୍ଭବ !! ମନେ ପକାଇ ଦେବା ପାଇଁ ଆଜିର ଏ ସତ୍ୟ ପାଠ କଲି ;ତୁମ ପ୍ରତି ଥିବା ଫିଲିଙ୍ଗସ୍ କୁ ସେୟାର କରି।


ପାରିବ ଯଦି ମୋତେ ଥରେ ଦେଖା କରିବ ।ଅପେକ୍ଷାରେ ....




  


Rate this content
Log in

Similar oriya story from Classics