Henarani Senapati

Classics Inspirational Others

4.0  

Henarani Senapati

Classics Inspirational Others

ସ୍ଥାନ

ସ୍ଥାନ

6 mins
416


    ଡଲି ଦୌଡ଼ି ଦୌଡ଼ି ଆସି ମାମାକୁ ମାଡିବସି ଗେହ୍ଲା କରି କହିଲା ମାମା ଆମେ କୋଉଠିକୁ ପିକ୍ ନିକ୍ ଯିବା ! ବାପା କହିଲେ ଯିବା ପାଇଁ । ଲୁନି ଡଲିର ଗାଲ ଚିପିଦେଇ କହିଲା ଆରେ ମା ତୁମେ ଯୁଆଡେ କହିବ ଆମେ ସେଇଆଡେ ଯିବା କିନ୍ତୁ ଧାର୍ମିକ ସ୍ଥାନକୁ ଯିବା । ହେଲା ମା ? ଯାଅ ପାଠ ଶେଷ କର । ପୁଣି ଡଲି ପଚାରିଲା, ମାମା ପୁରୀ ଶ୍ରୀମନ୍ଦିର ଯିବା ପାଇଁ ବାପା କହୁଛନ୍ତି । ହଁ ହଁ ଆମେ ପୁରୀ ଯିବା ଜେଜେ ମାଆଙ୍କ ସାଙ୍ଗରେ ବୋଲି ଲୁନି କହି କି ରୋଷେଇ ଘରକୁ ଯିବା ପାଇଁ ବାହାରିଛନ୍ତି ପୁଣି ଡଲି ପଚାରିଲା,

କେବେ ଯିବା ?

-ବାପା ଯେବେ କହିବେ ସେବେ ଯିବା ।

ଆମର ତ ଏଇ ଶନିବାରରୁ ଛୁଟି ଅଛି । ବାପାଙ୍କୁ କୁହ ଯିବା । ପାଞ୍ଚ ଦିନ ସ୍କୁଲ ଛୁଟି ଅଛି ।

- ହଁ ହଁ ମୁଁ ବାପାଙ୍କୁ କହିବି ଏଇ ଶନିବାର ଦିନ ଯିବା ।

ଏବେ ମୁଁ ଆଉ କିଛି ଶୁଣିବି ନାହିଁ । ଯାଅ ଆଗେ ପାଠ ସାର । ଏହା କହି ଲୁନି ଶାଶୁ ମାଆଙ୍କ ପାଖକୁ ଗଲା ।

ଲୁନି ବାହାର ଅଗଣାରେ ବଶିଥିବା ଶାଶୁମାଙ୍କ ପାଖକୁ ଯାଇ ପଚାରିଲା,

  - ମା ଚା ଆଣିବି ପିଇବ ? 

  - ହଁ ଟିକିଏ ଆଣୁନୁ । ଔଷଧ ପରି ଟୋପାଏ ଆଣିବୁ । ଏ ନିଆଁ ଲଗା ପେଟରେ ଆଉ କିଛି ଯାଉନି ଲୋ ମା । ନ ପିଇଲେ ଏ ବଦମାସ ମୁଣ୍ଡଟା ପରା ଖାଲି କିଟ୍ କିଟ୍ ହେଇ ବିନ୍ଧୁଚି । ହଉ ଆଣୁଛି କହି ଲୁନି ପୁଣି ପଚାରିଲା -

 - ହଁ ମା ଆମେ ସମସ୍ତେ ପରଦିନ ପୁରୀ ଶ୍ରୀ ମନ୍ଦିର ଜିବାପାଇଁ ବାହାରିଛୁ , ତୁମେ ଆମ ସାଙ୍ଗରେ ଯିବ ଟି ? ତୁମ ପୁଅ ଭଲ ଗାଡି କରିବେ ଆମେ ଯିବା ।

 - ନା ଲୋ ଲୁନି ମୁଁ ଆଉ ଜଗାକୁ ଦେଖିବାକୁ ଯାଇ ପାରିବି ନାହିଁ । ଆର ଜନ୍ମରେ ମୁଁ ଜଗାର ଦାସୀ ହେଇ ଜନ୍ମ ହେବି । ଏ ଜନ୍ମେ କି ପାପ କରିଛି କେଜାଣି ତୋ ଶଶୁର ବହୁତ ଥର ଯାଇଛନ୍ତି ପୁରୀ ତାଙ୍କ ଅଫିସ୍ ଷ୍ଟାଫ୍ ଙ୍କ ସହ । ହେଲେ ମତେ ନେବେ ନେବେ କହି ନ ନେଇ ଉପରକୁ ଚାଲି ଗଲେ । ଆଉ ପୁଅର ତ ଅଫିସ୍ ର ଏତେ କାମ ଯେ ସେ ଶୋଇବାକୁ ସମୟ ପାଉନି । ମତେ କିପରି ନବ । ପ୍ରାଇଭେଟ କାର୍ଯ୍ୟାଳୟରେ ଚାକିରି ତାର । ଏତେ ଦିନ ଛୁଟି ନେଲେ ତାର ଦରମା ବନ୍ଦ ହେବ ବୋଲି ମୁଁ ତାକୁ କେତେ ବାଧ୍ୟ କରିନି । ମନ କହୁଚି ଜଗାକୁ ଆଖି ପୁରାଇ ଦେଖିବାକୁ କିନ୍ତୁ ଶରୀର ଅସୁସ୍ଥ କହି ସାଥ ଦଉନି । ତୁମେ ଯାଅ ମୋ ପାଇଁ ମୋ ଜଗାକୁ କହି ସ୍ବର୍ଗଦ୍ବାରରୁ ଗୋଟିଏ ସ୍ଥାନରୁ ହାତେ ଯାଗା ମୋ ନାଆଁରେ ଲେଖିଦେଇ ଆସିବ ! ମୁଁ ବହୁତ ଶିଘ୍ର ଜଗା ବଡଦାଣ୍ଡେ ମୁକ୍ତି ରଥରେ ବିଜେ କରି ସ୍ବର୍ଗଦ୍ବାର ଯିବି । ସେଇ ଜଗା ବଡଦାଣ୍ଡେ ଜଗାକୁ ଦର୍ଶନ କରି ତା ସ୍ବର୍ଗଦ୍ବାରରେ ଭଷ୍ମହେଇ ତା ଶଶୁର ଗର୍ଭରେ ଲିନ ହେବି ଲୋ ଲୁନି!!

 - ନା ମ ମାଆ ଏମିତି କାଳ କଥା ତୁଣ୍ଡେ ଧରନି !

 ତୁମେ ଆମ ସାଙ୍ଗରେ ଯିବ ।

    ଶାଶୁ ମୁହଁରେ କଷ୍ଟ ଭିତରେ ଟିକିଏ ହସରେଖା ଟାଣିଦେଲେ । ଆଉ କହିଲେ ହଁ ମୁଁ ସେହି ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ତୁମ ସାଙ୍ଗରେ ସେ ଧର୍ମ ସ୍ଥାନକୁ ମତେ ଯୋଉ ଉପାୟରେ ସେ ନଉ। ସେଇ ଜଗା ଯାହା କରିବ !!ପ୍ରବଳ ଇଛା ଦେଖିବାକୁ । ଲୁନି କହିଲା ହଁ ମା ଖାଲି ତୁମରି ପାଇଁ ତୁମ ପୁଅ ଏତେ ଦିନେ ଛୁଟି ଆଣିଛନ୍ତି ଆଉ ଭଲ ବଡ ଗାଡିରେ ତୁମକୁ ପୁରୀ ନେବେ ବୋଲି ଭାବିଛନ୍ତି । ବହୁତ ଦିନର ମନୋ ବାଞ୍ଛା ତୁମର ପୂର୍ଣ୍ଣ କରିବେ । ସେ ତୁମକୁ ପୁରୀ ନେବେ ବୋଲି ବହୁତ ଖୁସି ଅଛନ୍ତି ।

    ଶନିବାର ଦିନ ସକାଳୁ ସକାଳୁ ଡଲି ଆଉ ମିଲି ସୁନ୍ଦର ଫ୍ୟାନ୍ସି ଡ୍ରେସ୍ ପିନ୍ଧି ବାହାରି ପଢିଛନ୍ତି ଆଉ କହୁଛନ୍ତି ମାମା ଆମେ ଶିଘ୍ର ଯିବା । ଗଲେ ଠାକୁର ଦେଖି ସମୁଦ୍ରରେ ବୁଡିବା । ସବୁ ଦେଖିବା । କେତେ କଣ କିଣିବା । ମିଲି କହୁଛି ହଁ କିଣିବା ବହୁତ ଜିନିଷ। ଆମେ ଏଇ ସମ୍ବଲପୁରରେ ରହି କେବେ ଠାରୁ ପୁରୀ ଯିବା ଯିବା ହେଇ ଯାଇନେ । ଜେଜେ ମା ମନ କରିଛନ୍ତି ବୋଲି ଆମେ ଆଜି ଯାଉଛେ । ଯାହା ହେଉ ବାପା ଏଥର ଜେଜେ ମା କୁ ନେଇ କି ଯିବା ପ୍ଲାନଟା ବହୁତ ଭଲ କଲେ । ସମସ୍ତେ ଶ୍ରୀ ଜଗନ୍ନାଥ ସ୍ଥାନ ଦେଖିବା ବଡ ଠାକୁରଙ୍କୁ ଦର୍ଶନ କରିବା ।

    ତେଣେ ଲୁନି ଶାଶୁ ମାଆଙ୍କୁ ଗରମ ପାଣିରେ ଗାଧେଇ ଦେଇ ଭଲ ମଠା କସ୍ତା ପିନ୍ଧାଇ ଦେଇ ନିଜେ ସମ୍ବଲପୁରୀ ଶାଢୀ ପିନ୍ଧି ସାରିଲାଣି । ସ୍ବାମୀ ନୀଳାମ୍ବର ଗାଡିକି ଫୋନ୍ କରୁଛନ୍ତି ଶିଘ୍ର ଆସିବା ପାଇଁ । ଲୁନି କହିଲେ ହେଇ ଶୁଣୁଛ ? 

 - ନିଳାମ୍ବର କଣ ହେଲା ?

 - ମା କହୁଛନ୍ତି ଧଳା ଶାଢି ପିନ୍ଧିବେ । ମଠାଶାଢି ମଳି ଜଣା ପଡିବନି ବୋଲି ପିନ୍ଧାଇ ଥିଲି ।

 - ରୁହ ମୁଁ ବୁଝୁଚି କହି ନିଳାମ୍ବର ଯାଇ ପଚାରିଲେ, 

 - ହେ ବୋଉ ଧଳା ଲୁଗା କାହିଁକି ପିନ୍ଧିବୁ କହୁଛୁ ?  ଡେରି ହେଲାଣି । ଗାଡି ଆସି ଯିବ । ଗାଡିରେ ବସିବାକୁ ତତେ ଘଣ୍ଟାଏ ସମୟ ଲାଗିବ ।

 - ଆରେ ନିଳ ମତେ ବାଧ୍ୟ କରି ଏ ଲୁଗା ପିନ୍ଧାଇ ଦେଲା । ହଉ ଗୋଟିଏ କି ଦୁଇଟି ଧଳାଲୁଗା ନେଇକି ଚାଲ ମୁଁ ସମୁଦ୍ରରେ ଲହରୀ ଭାଙ୍ଗି ପିନ୍ଧିବି ।

 - ଏଁ, ତୁ ସମୁଦ୍ର ଲହରୀ ଭାଙ୍ଗିବୁ ? 

- ହଁ ରେ ନିଳ ମୁଁ ତ ଆର ଜନ୍ମ ଅଛି କି ନାହିଁ ଯାଣିନି ।   ତେଣୁ ଏଇ ଜନ୍ମରେ ସବୁ ମନସ୍କାମନା ପୂର୍ଣ୍ଣ କରିବି ନା ନାହିଁ ? ଭାରି ଇଛା ସମୁଦ୍ରରେ ବୁଡ ପକାଇବାକୁ । ଆରେ, ସମସ୍ତେ ଖଣ୍ଡେ ଦୁଇ ଖଣ୍ଡ ନେଇକି ଚାଲ । ମିଶିକି ବୁଡିବା ।ତୋର ବଡ ଗାମୁଛା ଦୁଇଟା ନେଇଥା ।

 - ହଁ ମା ମୁଁ ସମସ୍ତିଙ୍କର ଅଧିକ ଡ୍ରେସ୍ ନେଇଛି । ଚାଲ ଗାଡି ଆସିଲାଣି ବସିକି ଯିବା କହି ଲୁନି ଶାଶୁ ମାଆ ଙ୍କ ହାତ ଧରି ଗାଡି ପାଖକୁ ଗଲା । 

   ପିଲା ଦୁହେଁ ଆଗରୁ ଯାଇ ଗାଡିରେ ବସି ପଡି ଭଲ ମନ ପସନ୍ଦର ଗୀତ ଲଗାଇ ବାକୁ ଡ୍ରାଇଭର୍ ଅଙ୍କଲଙ୍କୁ କହୁଛନ୍ତି । ସମସ୍ତେ ଗାଡିରେ ବସିଲେ । ଲୁନି ନିଳାମ୍ବର ଉଦେଶ୍ଯରେ କହିଲେ ହେ ଶୁଭୁଚି... ନିଳାମ୍ବର କଣ ହେଲା ବୋଲି କହିବାରୁ ଲୁନି କହିଲେ ଆରେ ବାସୁଦେବକୁ କହିଛ ତ ଘରେ ଆସି ଘେରାଏ ଘେରାଏ ବୁଲି ଯିବ । ହଁ ମ, ମା ମୁଁ ଆପଣଙ୍କ ପଛରେ ଠିଆ ହେଇଛି ପରା । ଆପଣ ମାନେ ଆସିବା ପର୍ଯ୍ୟନ୍ତ ମୁଁ ଏଇଠି ରହିବି, ଆପଣ ନିଶ୍ଚିତରେ ଯାନ୍ତୁ ବୋଲି ବାସୁଦେବ ପଛପଟୁ ଲୁନି ଉଦେଶ୍ଯରେ କହିଲା । ଓଃ ତୁମେ ଅଛ !! ହସି ଦେଲା ଲୁନି ।

    ଗାଡି ଗଡିଚାଲିଚି ପୁରୀ ।ମଝିରେ ମଝିରେ ଶାଶୁ ମାକୁ ପାଣି ଢୋକେ ଢୋକେ ଦଉଛି ଲୁନି ।ପିଲା କଣ ସବୁ କୁରୁକୁରେ , ଆଳୁ ଭୁଜିଆ , ମୁଗ ମିକଶ୍ଚର , ଖାଉଛନ୍ତି । ଗାଡି ଚାଲିଛି । ଲୁନି ସମସ୍ତଙ୍କୁ ଆଣିଥିବା ପରଟା ଆଳୁକଷା ବିନା ପିଆଜ ରଶୁଣର ଖାଇ ବାକୁ ଦେଲା । ଶାଶୁ ମା ମନା କଲେ କହିଲେ ମୁଁ ଜଗାକୁ ଦେଖି ସାରି ଖାଇବି ।ଯିଏ ଯେତେ ବୁଝାଇଲେ ସେ କିଛି ଶୁଣିଲେ ନାହିଁ । ସମସ୍ତଙ୍କୁ ସେଇ ଗୋଟିଏ କଥା, ଜଗାକୁ ଆଖି ପୁରାଇ ଦେଖି ସାରିଲେ ଯାହା ଖାଇବି । ଲୁନି ଭାରି ବ୍ୟସ୍ତ ହେଉଥିଲା । ନୀଳାମ୍ବର ବ୍ୟସ୍ତ ହୁଅନାହିଁ କହି ମା କୁ ତାଙ୍କ କୋଳକୁ ଆଉଜାଇ ଆଉଁସି ଦେଉଥାନ୍ତି ।

   ଗାଡି ଚାଲି ବାର ସମାପ୍ତି ଘଟିଛି । ପୁରୀ ବଡଦାଣ୍ଡ ହେଇଗଲା ।ସମସ୍ତେ ଗାଡିରୁ ଓହ୍ଲାଇ ବଡ ଦାଣ୍ଡରେ ଚାଲିଲେ । ପିଲା ଦୁହେଁ ବଡ ଦାଣ୍ଡରେ ବଡ ବଡ ପାହୁଣ୍ଡ ପକାଇ ଅତି ଖୁସିରେ ନାଚୁଥାନ୍ତି । ନୀଳାମ୍ବର ବୋଉର ଗୋଟିଏ ହାତ ଆଉ ଲୁନି ଗୋଟିଏ ହାତ ଶାଶୁମାଆଙ୍କର ଧରି ଆସ୍ତେ ଆସ୍ତେ ଶ୍ରୀ ମନ୍ଦିର ଅଭିମୁଖେ ଚାଲିଛନ୍ତି । ମଝିରେ ମଝିରେ ଲୁନି ଆଉ ନିଳାମ୍ବର ମାଆଙ୍କୁ ପଚାରୁ ଥାନ୍ତି ଗୋଡ କଣ କାଟୁଛି କି ? ଟିକିଏ ବସି ଯିବା ? ନା ନା ମୁଁ ଠିକ୍ ଅଛି ଆଗକୁ ଚାଲ ମାଆ କହୁଥାନ୍ତି । ହେଇ ଦେଖ ମା ଗରୁଡ ସ୍ତମ୍ଭ ଦେଖା ଗଲାଣି ବୋଲି ଲୁନି କହିଲା । ସଙ୍ଗେସଙ୍ଗେ ଶାଶୁ ମାଆ କହିଲେ ଆଲୋ ଓଲି ଇଏ ହେଉଛି ଅରୁଣ ସ୍ତମ୍ଭ । ଗରୁଡ ସ୍ତମ୍ଭ ଭିତରେ ଅଛି ।ଠିକ୍ ଜଗନ୍ନାଥ ପ୍ରଭୁଙ୍କ ସାମ୍ନାରେ । 

     ଯେତେ ଯେତେ ମନ୍ଦିର ପାଖ ହେଉଥାଏ ସେତେ ସେତେ ବୋଉ ଚଞ୍ଚଳ ହେବାର ନୀଳାମ୍ବର ଲକ୍ଷ୍ୟ କରୁଥିଲେ । ଅରୁଣ ସ୍ତମ୍ଭ ହେଇଗଲା । ବୋଉ ହାତ ଛାଡି ଦେଇ ଚଞ୍ଚଳ ଚଞ୍ଚଳ ଆଗକୁ ଆଗକୁ ବହୁତ ଆଗକୁ ଚାଲି ଚାଲି ଅରୁଣ ସ୍ତମ୍ଭ ପାଖରେ ପହଞ୍ଚି ସେଠି ପାଣିରେ ହାତ ପାଦ ପଖାଳି ଯାଇ ଅରୁଣ ସ୍ତମ୍ଭ ସ୍ପର୍ଶକଲା । ଆମେ ସମସ୍ତେ ହାତ ଗୋଡ ଧୋଇ ସେମିତି କଲୁ । ବୋଉ କୁଣ୍ଢେଇ କି ଧରିଚି ଅରୁଣ ସ୍ତମ୍ଭକୁ ।କଣ କଣ ସବୁ ବଡ ପାଟି କରିକି ବୋଲୁଛି କିନ୍ତୁ ଆଁ ଟି ଦିଶୁଛି କିନ୍ତୁ ତା ଶବ୍ଦ ପବନରେ ମିଳେଇ ଯାଉଛି । ଆସେ ଠାକୁର ଦେଖିବା ଭିତରେ ନୀଳାମ୍ବର କହିଲେ । ରହ ଆଉ ଟିକିଏ ମୁଁ ଏ ପାପ ବିନାଶକ ସ୍ତମ୍ଭ ସ୍ପର୍ଶ କରି କୁଣ୍ଢେଇ ପକାଏଁ । କହି ଦୁଇ ହାତରେ ସ୍ତମ୍ଭ କୁଣ୍ଢେଇ ପକେଇଲେ ମାଆ । ଆଖିରୁ ଲୁହ ବୋହି ଆସିଲା, ପାଟିରୁ କ୍ଷୀଣ ଶବ୍ଦ, ହେ ଜଗନ୍ନାଥ, ମୁଁ ତତେ ଦେଖି ପାରୁଛି । ମତେ ତୋ ଶ୍ରୀ ଚରଣେ ସ୍ଥାନ ଦେ, 

ସ୍ଥାନ ଦେ,  ସ୍ଥାନ ଦେ....

   ନୀଳାମ୍ବର , ଲୁନି ଯାଇ ବୋଉ ବୋଉ କହି ହଲାଇ ଦେଲେ । ଅରୁଣ ସ୍ତମ୍ଭରେ ଜାବ ପଡିଯାଉଛି ।

ଆଖି ଖୋଲା । ପ୍ରାଣ ନାହିଁ । କାନ୍ଦି କାନ୍ଦି ମୁଣ୍ଡ ପିଟୁଥାନ୍ତି ସ୍ବାମୀ ସ୍ତ୍ରୀ ଦୁଇଜଣ ଯାକ ବଡଦାଣ୍ଡେ । ଲୁନି କାନ୍ଦି କାନ୍ଦି କହୁଥାନ୍ତି ମାଆ ଜାଣିଥିଲେ ତାଙ୍କର ଏଠି ଶେଷ ନିଶ୍ବାସ ତ୍ୟାଗ ହବ ବୋଲି , ସେଥିପାଇଁ ସେ ଧଳା ଲୁଗା ପିନ୍ଧିବେ କହୁଥିଲେ ଆଉ ଗାମୁଛା ତୁମ ପାଇଁ ଦୁଇଖଣ୍ଡ ଆଣିବାକୁ କହୁଥିଲେ । 

ଶେଷରେ ଆମ ମାଆ ବଡଦାଣ୍ଡେ ସ୍ଥାନ ପାଇଲେ ।



Rate this content
Log in

Similar oriya story from Classics