STORYMIRROR

Henarani Senapati

Action Inspirational

4  

Henarani Senapati

Action Inspirational

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

11 mins
758


ସଞ୍ଜ ନଇଁଆସିଲାଣି । ସୂର୍ଯ୍ୟ ନାଲି ରଙ୍ଗର ଓଢଣା ଭିତରେ ବିଶ୍ରାମ ନେବାକୁ ଗଲେଣି । ସହରଟା ସାରା ଆଲୋକ ରଞ୍ଜିତ ହେଇ ଅନ୍ଧକାର ମୟ ସହର ଟିକୁ ଉଜ୍ବଳ ମୟ କରି ସାରିଲାଣି । ଆଦିତ୍ଯ ଗୋଟିଏ ଚେୟାର ଉପରେ ଦାଣ୍ଡ ଦୁଆର ମୁହଁରେ ବସି ଆଖି ପାଇବା ପର୍ଯ୍ୟନ୍ତ ଚାହିଁ ରହିଛନ୍ତି । ଆଖି ଦୁଇଟି ଖାଲି କାହାକୁ ଖୋଜିବାରେ ବ୍ୟସ୍ତ ଅଛି । ଅଫିସ୍ ରୁ ଆସିବା ମାତ୍ରେ ଆରତୀ ଯୋଉଠି ଯାହା କରୁଥାନ୍ତୁ ପଛେ , ସଙ୍ଗେସଙ୍ଗେ ଦୌଡି ଆସି ଆଗେ ଗରମ ପାଣି ବାଲ୍ଟିରେ ବାଲ୍ଟିଏ ବାଥ ରୁମରେ ରଖି ଦେଇ କୁହନ୍ତି ଯାଅ ଆଗେ ଭଲକରି ଧୋଇ ହେଇ ଆସ ।ତା ପରେ ବାଥ ରୁମ ରୁ ବାହାରି ପଡିଲେ ଦେଖେ ଘରପିନ୍ଧା କୁର୍ତ୍ତା ଆଉ ଟାୱେଲ୍ ଧରି ଛିଡା ହେଇ ଥିବେ । ହାତରେ ପିନ୍ଧିବା କପଡା ଧରେଇ ଦେଇ ଚାଲି ଯିବେ ମୋ ମନ ପସନ୍ଦର ଗରମ ପକୁଡି । ନାଇଁ ତ ବରା । କିମ୍ବା ଚୁଡା ଆଳୁ ଭଜା ନାହିଁ ତ ମୁଢି ମସଲା ସହ ଗରମ ଚା କପ୍ ଟିଏ । ତାଙ୍କ ହସ ହସ ମୁହଁ କୁ ଗରମା ଗରମ ନାସ୍ତା , ମତେ ଭାରି ଭଲ ଲାଗେ । ତା ପରେ ରାତ୍ରି ରୋଷେଇରେ ଲାଗି ଯାନ୍ତି । ପାଞ୍ଚ ଥର ମତେ ପଚାରୁ ଥିବେ ତୁମ ମନ ପସନ୍ଦର ଖାଦ୍ୟ କୁହ । ମୁଁ ସଙ୍ଗେସଙ୍ଗେ ବନେଇ ଦେବି । ସତରେ ଯାହା କହିବି ତାହା ବନେଇ ଦେଇ ମତେ ଖୁଆଇ ବାରେ ସେ ବହୁତ ଆନନ୍ଦ ପାନ୍ତି । ସବୁବେଳେ ମୁଁ ସାଙ୍ଗରେ ଖାଇବାକୁ କୁହେ । ସେ କିନ୍ତୁ ଏକା ଜିଦ୍ । ତୁମେ ଖାଇ ସାରିଲେ ତୁମ ଥାଳିରେ ମୁଁ ଖାଲି ଲୁଣ ଭାତ ଖାଇଲେ ବି ଶାନ୍ତି ପାଏ ।କେବେ ମତେ ସେଥିରୁ ବଞ୍ଚିତ କରିବନି ବୋଲି କୁହନ୍ତି ।


ବିଭାଘରର କୋଡିଏ ବର୍ଷ ଭିତରେ ସେ ଏକୁଟିଆ ମତେ ଛାଡି କେବେ ତାଙ୍କ ବାପା ମା ଙ୍କ ପାଖକୁ ବି ଯାଇ ନାହାନ୍ତି । ଜୁଆଡେ ଯିବେ ମତେ ସାଙ୍ଗରେ ନେଲେ ଯିବେ । କେବେ କୋଉ ସାଙ୍ଗ ଘରକୁ ଯାନ୍ତି ନାହିଁ ଏକା ।ମୁଁ କୁହେ ଯିବା ପାଇଁ । ମୁଁ ଅଫିସ୍ ଯିବା ପରେ ତୁମେ ଏକା କଣ କରୁଛ ଯେ ??


ଯାଉନ କାହା ସାଙ୍ଗରେ ଟିକିଏ ବାହାର ବଜାର ବୁଲି ଆସିବ । ମନ ଭଲ ଲାଗିବ !! କହିବେ ମୋ ଘର ଭଲ । ତୁମେ ଭଲ । ମୋ ବାଡି ଫୁଲ ଗଛ ଭଲ । ମୋ ଆକୁଆରିୟମ ଭଲ । ମୋ ଘରଦ୍ବାର ସଫା କରି ଘରର ନୂଆ ଋପ ଆଣି , ଘରକୁ ସଂମ୍ପୂର୍ଣ୍ଣରୂପେ ପରିଷ୍କାର ପରିଚ୍ଛନ୍ନ ଦେଖିଲେ ମତେ ବହୁତ ଭଲ ଲାଗେ ।କାହିଁକି ବାହାରକୁ ଯାଇ କାହା ସାଙ୍ଗରେ ଗପିବି ପୁଣି ଝଗଡ଼ା ଘରକୁ ଆଣିବି !!


ଠିକ୍ ଅଛି ।ତୁମ ଇଛା ଯାହା ତୁମେ ସେଇଆ କର କିନ୍ତୁ ନିଜେ ଟିକିଏ ସଜ୍ଜିତ ହୋଇ ରୁହ । ବାସ୍ ଏହାହିଁ ମୋର ସବୁ ଦିନିଆ କଥା । କେବେ କୌଣସି କାରଣ ରୁ ସେ ମତେ କେବେ କିଛି ଉତ୍ତର ଦେଇ ନାହାନ୍ତି । ମୁଁ ବେଳେ ବେଳେ ରାଗେ ତାଙ୍କ ଉପରେ " ତୁମେ ଏମିତି ସବୁଦିନ ଖାଲି ଘରଦ୍ବାର ସଫା କରି ନିଜର ଦେହ କଣ କଲଣି ।

କିଛି କହିବେନି । ଖାଲି ହସି ଦେବେ । ଝିଅ ଟି ବାହାର କୁ ପାଠ ପଢିବା ପାଇଁ ଯିବା ପରେ ଆରତୀ ସବୁ ସମୟରେ ଖାଲି କାମ । ଆରେ ଏତେ କାମ କାହିଁକି କରୁଛ । କହିବେ ଝିଅ କଥା ମନେ ପଡୁଛି ।ଆଉ କାହାର କାମ କରିବି । ଭଲ ଭଲ ଖାଦ୍ୟ ଖାଇବାପାଇଁ କାହାକୁ ଦେବି ?? ସେଥିପାଇଁ ସବୁ ସମୟରେ କାମରେ ଲାଗିଲେ ମତେ ଭଲ ଲାଗେ ।

ଭୁଲି ଯାଏ ମୋ ଝିଅ ର ସ୍ନେହ କିଛି ସମୟ ପାଇଁ ।


ହଠାତ୍ ଆଜି ଅଫିସ୍ ରୁ ଆସି ଦେଖ ତ ଆରତୀ ଘର ତାଲା ପକାଇ କୁଆଡେ ଯାଇଛନ୍ତି । ସେ ଯାଣିଛନ୍ତି ମୋ ଆସିବା ସମୟ !! ତଥାପି ଆସୁ ନାହାନ୍ତି । ହେ ମତେ କିଛି ଭଲ ଲାଗୁନି । କଣ କରିବି । ସେଇ

ପଡୋଶୀ ଙ୍କ ଘରେ ଥିବା ବିଶ୍ୱସ୍ତ ଚାକରକୁ ଚାବି ଟି ଦେଇଛନ୍ତି । ଆଉ କହିଛନ୍ତି ଆମ ସାର୍ ଆସିଲେ ଦେଇଦବ । ତୁମ ଘରେ କାହାକୁ ଜଣାଇବ ନାହିଁ ମୁଁ କୁଆଡେ ଯାଉଛି ବୋଲି । ସେ ମତେ ଜଗିକି ବସିଥିଲା ବୋଧେ ନା କଣ !! ଆସୁ ଆସୁ ନମସ୍କାର ଟିଏ ପକାଇ ଚାବିଟି ଆଣି ମୋ ହାତକୁ ଦେଇ ଚାଲିଗଲା । ମୋ ଆସିବା ତିନି ଘଣ୍ଟା ହେଲାଣି ।କିନ୍ତୁ ସେ କୁଆଡେ ଗଲେ ।ମତେ କିଛି ଭଲ ଲାଗୁନି । ମିନିମମ ଦଶଥର ଫୋନ୍ କରିବା ପରେ ଯାଣିଲିଜେ ସେ ଫୋନ୍ ଟି ଆମ ବେଡ ରୁମରେ ଛାଡି ଦେଇ ଯାଇଛନ୍ତି । କଣ କରିବି ।ବେଳୁ ବେଳ ରାତ୍ରି ଅଧିକ ହେଉଛି । ଯାଉଛି ଝିଅକୁ ଫୋନ୍ କରିବି ଆଉ ମାମା କୁଆଡେ ଯାଇଛି ପଚାରି ନେବି । କାଲେ ଝିଅକୁ ଖବର ଦେଇଥିବେ ଆରତୀ !!


ହାଲୋ.....

ହଁ ପାପା , କୁହନ୍ତୁ । କଣ ହେଇଛି କି !! ତୁମେ କଣ ଫୋନ୍ କରିଚ । ସବୁବେଳେ ମୋ ମାମା କରନ୍ତି ଆଉ ମୁଁ କୁହେ ବାପା ମତେ ଭଲ ପାଆନ୍ତି ନାହିଁ କି ଫୋନ୍ କରନ୍ତି ନାହିଁ । ଆଜି କଣ ତୁମେ ମତେ ଫୋନ୍ କରିଛ ।

ହା....ହା....ହା ....ମୋ ପାପା ବହୁତ ଭଲ । ମାମା କୁ ଟିକିଏ ଫୋନ୍ ଦିଅ ।


--" ଆରେ ମା ସେଇ ତୋ ମାମା ପାଇଁ ଏତେ କଥା ।

କୁଆଡେ ପଳାଇଛନ୍ତି ମତେ ନ କହିକି । ମୁଁ ଅଫିସ୍ ରୁ ଆସି ଏଠି ପାଣି ଟିକିଏ ମୁହଁରେ ଦେଇନାହିଁ । ଚାହିଁଚି ଆସିଲେ ଖାଇ ବାକୁ ଦେବେ ।ତତେ କିଛି କହି ନାହାନ୍ତି ??


--" ନାମ ବାପା । ମତେ ସକାଳେ ଫୋନ୍ କରିଥିଲେ କିନ୍ତୁ ମୁଁ ଅନଲାଇନ୍ କ୍ଲାସ କରୁଥିଲି ।କଥା ହେଇ ନାହିଁ । ପଚାରିଲି କଣ କାମ ଥିଲା କି ?? ନା କହିଲେ ।ମନଟା କିନ୍ତୁ ବହୁତ ଦୁଃଖ ଥିଲା ।ମୁଁ ଏବେ କରିଥାନ୍ତି ।

ଆଜି ଦିନ ଯାକ ଖାଲି ଅନଲାଇନ୍ କ୍ଲାସ ଯେ ମୁଁ ଠିକ୍ ସେ ଆଜି ଖାଇ ପାରିନାହିଁ ।


--" ଇଏ ଗୋଟିଏ ନୂଆ ଘଟଣା ତୋ ମାଆ ର ।କୁଆଡେ କେବେ ମତେ ଏକା କରି ଯାଇନାହିଁ ।ଆଜି କୁଆଡେ ପଳାଇ ଗଲେ ଯେ ମତେ ଖବର ବି ଦେଲେ ନାହିଁ । କଣ କରିବି । କୁଆଡେ ଖୋଜିବି ।


--" ମାମା ମନ ଦୁଃଖ ଥିଲା । ମୁଁ ସକାଳେ ଯାଣି ଥିଲି ।କିନ୍ତୁ କ୍ଲାସ ପାଇଁ ଫୋନ୍ କରିପାରିଲି ନାହିଁ ବାପା ।

ତୁମକୁ କିଛି ବି ମାମା କହିନାହାନ୍ତି କି ??


--" ନାରେ ମା ।


--" ଝଗଡା କରିଥିଲ କି ମାମା ସାଙ୍ଗରେ ??


--"ଆରେ ତୋ ମାମା ସାଙ୍ଗରେ ଝଗଡା କିଏ କାହିଁକି କିପରି କରିପାରିବରେ !! ସେତ କେବେ ଝଗଡା କରନ୍ତି ନାହିଁ । ଝଗଡାକୁ ବହୁତ ଭୟ କରନ୍ତି ।


--" ତେବେ ମାମା କାହିଁକି କୁଆଡେ ପଳାଇ ଗଲେ !! କିଛି ନ କହି ??


--" ମୁଁ ଯାଣିନାହଁରେ ମିତା ।


--" ସକାଳ କଥା ମନେ ପକାଅ ତ ବାପା !! କିଛି ରାଗିକି କହିଥିଲ କି ମାମା କୁ ??


--" ହଁ ଆଜି ସକାଳେ ସେ ମିଶ୍ର ଅଙ୍କଲ ଆଉ ମୟୁରୀ ଆଣ୍ଟି ଆସିଥିଲେ । ତାଙ୍କ ଝିଅ ର ବିଭାଘର କାର୍ଡ ଆଣିକି । ମୁଁ ଆରତୀ କି କହିଲି " ତୁମେ ଗୋଟିଏ ଭଲ ଶାଢି ପିନ୍ଧି କି ମୁଣ୍ଡ କୁଣ୍ଢେଇକି ଟିକିଏ ସଜ୍ଜିତ ହେଇକି ଚା ଆଣିକି ଆସ।ଏମିତି କାମ ବାଲି ହେଇକି ଆସିବନି !! ଦେଖିଲ ସେ ମୟୁରୀ ଙ୍କୁ !! ତୁମ ସାଙ୍ଗର !! କିନ୍ତୁ କେତେ ସୁନ୍ଦର ଆଉ କେତେ ଭଦ୍ର । ସାଜସଜ୍ଜା କିପରି ଆଧୁନିକା !! ଟିକିଏ ମୁହଁ ଟା କିପରି ଶୁଖେଇ ଦେଲେ ମୋ କଥାରେ ।


ତା ପରେ ସବୁ ନର୍ମାଲ ଥିଲା । ସେମାନଙ୍କୁ ଜଳଖିଆ ଦେଲେ ।ଚା ବି ଦେଲେ । ଖୁସିରେ କଥା ବି ହେଲେ । ସେ ଯିବା ପରେ ମତେ ବି ଖାଇ ବାକୁ ଦେଲେ ମୁଁ ଖାଇକି ସବୁଦିନ ପରି ଅଫିସ୍ ପଳାଇଲି । ଆସି କି ଦେଖେତ ଆରତୀ ଘରେ ନାହାନ୍ତି ।


--" ବାପା !! ତୁମର ଯୋଉ କଥା । ମାମା ତୁମର ଦାଇତ୍ୱ ଆଉ ଘରର ଦାଇତ୍ୱରେ ସେ ତାଙ୍କ ନିଜକୁ ହଜାଇ ଦିଅନ୍ତି । ଏତେ କଲାପରେ ତୁମେ ଜଦି ଏମିତି କହିବ ତେବେ ସେ ଅଭିମାନ କରିବେ ନା ନାହିଁ ?? ତାଙ୍କ ର ତ ପୁଣି " ଅଭିମାନ ବୋଲି କିଛି " ଅଛି ନା ନାହିଁ । କଣ କରିବି ବାପା ।ମୁଁ କାଲି ପହଞ୍ଚିବି ।ତୁମେ ଟିକିଏ ସେଠି ଆଖପାଖରେ ଦେଖ । ନାଇତ ପୋଲିସରେ ଖବର ଦିଅ ।


--" ନା ମ ମିତା । ପୋଲିସରେ କହିବାଟା ଠିକ୍ ହବନି । ତୁ କାଲି ଆସେ ତା ପରେ ଦେଖିବା । ମୁଁ ତୋ ମାମୁଁ ଜ୍ଞାନ ସାଙ୍ଗରେ ଟିକିଏ କଥା ହୁଏ ।


--" ହଁ ହଁ ବାପା । ବଡ ମାମୁଁ ସାଙ୍ଗରେ ଟିକିଏ କଥା ହୁଅ ତ !!

ରହୁଛି ବାପା । କଥା ହେଇ ଦେଖ ମାମା ମାମୁଁ ଘରକୁ ପଳାଇ ନାହିଁ ତ ??


--"ହଁ ମିତା ରହୁଛି । ପରେ କଥା ହେବି ।


--" ହାଲୋ .....

କିଏ କହୁଥିଲେ ??


--" ଆରେ ମୁଁ ତୋ ଭାଇନା କହୁଛି !! ଆଦିତ୍ଯ ।

--" ଓଃ....ଭାଇନା ପ୍ରଣାମ । କଣ ହେଲା । ଏତେ ରାତିରେ ଆଜି ମୋ କଥା ମନେ ପଡିଗଲା ଯେ ? ?


--" ଆରେ ତୋ ନାନୀ କହୁଥିଲା ତୋ କଥା ବହୁତ ମନେ ପଡୁଛି ବୋଲି । ମୁଁ ଯିବା ପାଇଁ କହିକି ଅଫିସ୍ ପଳାଇଲି । ଆରେ ସତରେ ସେ ତୋ ପାଖକୁ ପଳାଇ ଗଲେ ମ !! ମୋର ଆବଶ୍ୟକ ପଡିଲା ନାହିଁ । ଗଲେ ତ ଗଲେ ପୁଣି ଗୋଟିଏ ଫୋନ୍ ବି ନାହିଁ ।ଦେଲୁ ଫୋନ୍ ନାନୀ କି ।


--" ଆରେ ହେ ଏ ନାନୀ ମୋର ପାଗଳୀ ଟା !! ମତେ କହିଲା ଭାଇନା ଙ୍କୁ କହିବୁନି ମୁଁ ଆସିଛି ବୋଲି । ସେପଟେ ତୁମ ଅନୁମତି ବି ଆଣିଛି । ହଉ ହଉ ଭାଇନା ମୁଁ ନାନୀ କି ଦଉଚି ।ଟିକିଏ ରୁହ ।


--" ଆରେ ବାଧାରେ ନିଦ ହେଇଯାଇଥିବ । ଥାଉ । ସକାଳେ କଥା ହେବି । କେତେବେଳେ ପହଞ୍ଚିଲେ ??


--" ତୁମେ ଯିବା ପରେ ମତେ ଫୋନ୍ କଲା ।କହିଲା ଭାଇନା ଙ୍କୁ କହିବୁନି ମୁଁ ତୋ ସାଙ୍ଗରେ ଯାଉଛି ବୋଲି ।

ସେ ବହେ ଖୋଜିବା ପରେ ଆମେ ତାଙ୍କୁ ସତ କହିବା ।


--" ହା.....ହା......ହା......

ଆରେ ଜ୍ଞାନ । ସତରେ ସେ ଆଜି ଅଭିମାନ କରି ପଳାଇ ଛନ୍ତି । କିନ୍ତୁ ତୁ ନାଁ ପାଇଛୁ ଜ୍ଞାନ । ହେଲେ ତୁ ବହୁତ ଅଜ୍ଞାନ । କହିଦେଲୁନା ମତେ । ତୋ ପାଖରେ ନାନୀ ଅଛି ବୋଲି !!


--" ହେ ସତେ ନା କଣ ??

ଦେଖିଲତ ଭାଇନା । ତୁମ ଗଧ ଜ୍ଞାନ କୁ ।

ଆଛା କୁହତ ଭାଇନା । ଦୀର୍ଘ କୋଡିଏ ବର୍ଷ ପରେ ନାନୀ କାହିଁକି ଆଜି ତୁମ ଉପରେ ଅଭିମାନ କଲା ??


--" କହନା ସେ କଥା !! ସେ ମୟୁରୀ ମ୍ୟାଡମ୍ ଆସିଥିଲେ । ତୋ ନାନୀ ଠାରୁ ବୟସରେ ବଡ ହେବେ ।କିନ୍ତୁ ଭାରି ଚିକିଣିଆ । ଜିଏ ଦେଖିବ ସେ କହିବ କୋଡିଏ ବର୍ଷ ହେବ କି କଣ । ଦେଖିଲା ବେଳକୁ ପିଲା ବିଭାଘର କାର୍ଡ ଆଣିକି ଆସିଥିଲେ । ତୋ ନାନୀ କି କହିଲି ତା ପାଖକୁ ଟିକିଏ ଭଲ ଶାଢି ପିନ୍ଧି କି ଆସ । ମୁଣ୍ଡଟା ଟିକିଏ କୁଣ୍ଡାଇ ଦେବ । ଦେଖିଲ ତୁମ ବୟସର ସେ କେତେ ସୁନ୍ଦର ।ଏତିକି କଥା ।

ବାସ୍ !!

" ମନେ ଭରି ଅଭିମାନ

ଗଲା ଛାଡି ମୋ ଜୀବନ "

ସିଧା ତୋ ପାଖରେ ଯାଇ । ମୁଁ ଏ ପର୍ଯ୍ୟନ୍ତ କିଛି ଖାଇ ନାହିଁ । ଭୋକ ଯୋରେ ହଉଚି ।ବୋଉ ପରେ ପରେ ସିଏ ସବୁ ବୁଝନ୍ତି । କେବେ ହାତରେ ପାଣି ପିଇ ନାହିଁ ।

ଆଜି ଉପବାସରେ ଯାଉଛି ଶୋଇବି । ଆଜି ଜଣା ପଡିଗଲା ସେ ମତେ ଆଦ୍ରୋ ଭଲ ପାନ୍ତି ନାହିଁ ।


--" ଓଃ କଥା ତାହାଲେ ଏଠି । ଆରେ ସେଇ ଯୋଉ ମୟୁରୀ ମ୍ୟାଡମ୍ , ତାଙ୍କ ସ୍ବାମୀ ଙ୍କୁ ଚାକର ପରି ରଖିଛନ୍ତି । ଆରେ ଭାଇନା ସେ ମୟୁରୀ ମ୍ୟାଡମ୍ ଙ୍କ ସ୍ବାମୀ ପରା ଆମ ଅଫିସ୍ରେ ଅଛନ୍ତି ।ଏତେ ଟଙ୍କା ଦରମା । ସବୁ ବେଳେ ଗୋଟାଏ ମଳିମୁଲ୍ଖା ହେଇକି ଅଫିସ୍ ଆସିବେ ।କଣ ନା ଆଜି ଘର ଝାଡୁ ଦେଉଥିଲି ।

କାଲି ନାଳ ସଫା କରୁଥିଲି । ମ୍ୟାଡମ୍ ଙ୍କ ଡ୍ରେସ୍ ଧୋଇ କି ଶୁଖଉ ଥିଲି । ଏମିତି ସବୁ ସମୟରେ କାମ କରି କରି ସେ ଗୋଟିଏ ମୂଲିଆ ପରି ଅଫିସ୍ ଆସନ୍ତିମ ।

ତୁମେ ତାଙ୍କ ପରି ହଉନ ମୋ ନାନୀ ଆରତୀ ମ୍ୟାଡମ୍ ହେଇଯିବ ??


--" ଆରେ ଭାଇ କହନାରେ ସେ କଥା !! ଆଜି ଆମ ଅଫିସରେ ଜଣଙ୍କୁ କାର୍ଡ ଦବାର ଥିଲା ସେ ମୟୁରୀ ମ୍ୟାଡମ୍ ଙ୍କର । ମତେ କହିଥିଲେ ସାର୍ ଜିବା ସମୟରେ ଟିକିଏ ଆମ ଘର ଦେଇ ନେଇଯିବେ ସେ କାର୍ଡ ଟା ମହାନ୍ତି ବାବୁଙ୍କୁ ଦେଇ ଦେବେ ।ଆରେ ମୁଁ ତ ଯିବା ସମୟରେ ଚାଲି ଗଲି ଆଉ !! କଣ କରିବି । ଆଇରନ କରୁକରୁ ଶାଢି ଟା ଟିକିଏ ଲାଗି ଯାଇଥିଲା ।


ଭାଇ କି ଗାଳି କିରେ ତାଙ୍କ ସ୍ବାମୀ ଉପରେ । ସେ ନତ ମସ୍ତକରେ ଛିଡା ହେଇ ସବୁ ଶୁଣୁଥିଲେ କିନ୍ତୁ କିଛି ଉତ୍ତର ଦେଉ ନଥିଲେ । ଆରେ ସେ ନାରୀ ନା ଚଣ୍ଡୀ ଟା କେଜାଣି ?? ସବୁ ସୁନ୍ଦରତା ଭିତରେ କିଛି ରହସ୍ୟ ଥାଏ । ଆଜି ଜାଣିଲି । ମୁଁ ଆଉ ତାଙ୍କ ଘରକୁ ନ ଯାଇ ସିଧା ଅଫିସ୍ ଗଲି ଆଉ ତୋ ନାନୀ କଥା ଭାବୁଥିଲି । ସତରେ କେତେ ଭଲ ମୋ ଆରତୀ !! ଦିନେ ବି କେବେ ରାଗି ବାର ମୁଁ ଦେଖିନି । ସତରେ ଜ୍ଞାନ ତୋ ନାନୀ ପାଇଁ ମୁଁ ଗର୍ବିତ ।


--" ହଉ ଭାଇନା ଝିଅକୁ କହିଦିଅ ତା ମାମା ତା ମାମୁଁ ପାଖରେ ଅଛି । ମୁଁ କାଲି ସକାଳେ ନେଇକି ନାନୀ କି ତୁମ ପାଖରେ ଛାଡି ଦେଇ ଆସିବି । ଏବେ କଣ ଟିକିଏ ଖାଇ ଦିଅ । ଆଉ ଶୋଇ ଯାଅ ।


--" ନା ଆଜି କିଛି ଖାଇବି ନାହିଁ । ମୋ ଭୂଲ୍ ପାଇଁ ଆଜି ମୁଁ ନ ଖାଇ ଦଣ୍ଡ ପାଇବି ।ତୁ ଯା ଖାଇବୁ ଆଉ ତୋ ନାନୀ କି ପେଟ ପୁରି ଖାଇବାକୁ ଦେଇ ଶୋଇ ବାକୁ କହିବୁ ।


--" ଭାଇନା ତୁମେ ନ ଖାଇଲେ ନାନୀ ପରା ଖାଏନାହିଁ ?

କିଛି ଖାଇ କି ଫୋନ୍ କର ନାନୀ ଖାଇ ବ ।


--" ନା ମତେ ଭଲ ଲାଗୁନି । ମୋ ଆରତୀ ର ଅଭିମାନ ଭରା ମୁହଁ ଟା ଦେଖା ଯାଉଛି । କହିବୁ ଯଦି ପାରିବେ ମତେ କ୍ଷମା କରିଦେବେ । ମୁଁ କାଲି ଗଲେ ଯାଇ ସେଇଠି ତାଙ୍କ ହାତରୁ ଖାଇବି ।


କେତେବେଳେ ଠାରୁ ଜ୍ଞାନ ପଛ ପଟେ ଆରତୀ ଛିଡା ହେଇ ସବୁ ଶୁଣୁଥିଲେ ।କାନ୍ଦି ପକାଇଲେ ।ଭାଇ ଠାରୁ ଫୋନ୍ ନେଇ କହିଲେ--


--" ଶୁଣ ମତେ କ୍ଷମା କରିଦିଅ ।ମୁଁ ବଡ ଭୁଲ୍ କରିଛି ।ତୁମଙ୍କୁ ଏକୁଟିଆ ଛାଡି ପଳାଇ ଆସିଛି । ରୋଷେଇ କରିକି ରଖିଛି ତୁମ ପାଇଁ । ଖାଇ ଦିଅ । ମୁଁ ସକାଳେ ପହଞ୍ଚି ଯିବି ।

ଶବ୍ଦ ବସି ଯାଉଥିଲା । ଆଖିରେ ଆଖିଏ ଲୁହ ।ଅନୁତାପ ର ଧାରା ଧାରା ଲୁହ ବୋହି ଚାଲିଲା ।


--" ହେ ଆରତୀ ତୁମେ ରୁହ ଟିକିଏ ।ଫୋନ୍ କାଟ ନାହିଁ । ସେମିତି ଲାଇନ୍ରେ ଥାଅ । ଏଇ ଚାରି ଘଣ୍ଟା ତୁମ ବିନା ମତେ ଚାରୋଟି ଯୁଗ ପରି ଲାଗୁଛି ।ସତରେ ଆରତୀ ତୁମେ ବହୁତ ଭଲ । ଆଜି ତୁମେ ମୋ ଠାରୁ ଦୂରେଇ ଯାଇ , ତୁମର ଅନୁପସ୍ଥିତ ର କଷ୍ଟ କଣ ମତେ ଶିଖେଇ ଦେଲ ।

--" ତୁମଂକୁ ମୋ ରାଣ ମନ କଷ୍ଟ କର ନାହିଁ । ଖାଇ ଦିଅ । ରୁଟି ବନ୍ଧାକୋବି ତୁମେ ଭଲପାଅ । କରିଛି । ଗରମ କରିକି ଖାଇବ ।


--" ତୁମେ ଫୋନ୍ ଧରିଥାଅ । ଆଉ ତୁମର ସେଇ ଆସକ୍ତି, ଅନିତ୍ୟ ପ୍ରେମ ସୁଧା କଥା କହୁ ଥାଅ ।ମୁଁ ଶୁଣି ଶୁଣି ଶୋଇ ଯିବି । ନାଇତ ତୁମ ବିନା ମତେ ନିଦ ହେବ ନାହିଁ । ତୁମର ସେ ହାତ ର ମୁର୍ଦୁ ମୁର୍ଦୁ ସ୍ପର୍ଶ ମୋ ପାଦରେ ନ ବାଜି ଲେ ମତେ ନିଦ ହୁଏ ନାହିଁ । ତୁମେ ଭଲକରି ଯାଣିଛ !!

--" କଣ କରିବି । ଏବେ ଯିବି କି ??

ଗୋଟିଏ ଘଣ୍ଟା ଲାଗିବ ।

--"ନା ଆରତୀ । ତୁମେ ଆଜି ସେଇଠି ରୁହ ମୁଁ କାଲି ଯିବି ଆଉ ସାଙ୍ଗହେଇ ଆସିବା ।

ଜ୍ଞାନ ଡାକ ମାରିଲା ନାନୀ ରାତି ଆସି ଦଶଟା ବାଜି ବ ।ଆମେ ସମସ୍ତେ ଖାଇବା ପାଇଁ ବସୁଛୁ ।ତୁ ଆସୁନୁ ଖାଇବୁ ।ତୋ ପାଇଁ ମୋ ସ୍ତ୍ରୀ ଟା ପରା ଉପବାସ ଅଛି । ନାନୀ ଖାଇଲେ ନାନୀ ସାଙ୍ଗରେ ଖାଇବ ବୋଲି କହୁଛି ।


--" ଆରେ ତାକୁ କହ ସେ ଖାଉ । ମୁଁ ଆଜି ଖାଇବି ନାହିଁ ।

--" କାହିଁକି ??

--"ତୋ ଭାଇନା ନ ଖାଇଲେ ମୁଁ ଖାଏ ନାହିଁ ।

--" ଶୁଣ ନାନୀ !! ତୁମେ ନ ଖାଇଲେ ଆମେ ଖାଇବୁନି ।

ଆଉ ସମସ୍ତେ ସାଙ୍ଗ ହେଇ ଖାଇବା ବୋଲି ମୁଁ ସମସ୍ତିକଂ ମନ ପସନ୍ଦର ଖାଦ୍ୟ ବନେଇଚି । କହି କହି

ଭାଉଜ କୁନି ଆରତୀ କୁ ଭିତରକୁ ଭିଡିନେଇ ଖାଇବା ଯାଗା ପାଖରେ ବସାଇ ଦେଲେ ।


ଆରତୀ ଖାଦ୍ୟ ଦେଖିଲେ ସବୁ ଆଦିତ୍ଯ ଙ୍କ ମନ ପସନ୍ଦର ହେଇଛି । ସଙ୍ଗେ ସଙ୍ଗେ ଆଦିତ୍ଯ ଙ୍କ ଶୁଖିଲା ମୁହଁଟା ଦେଖାଗଲା । କାନ୍ଦି ପକାଇ ଲେ ଆରତୀ । ଅଫିସ୍ ରୁ ଆସି କିଛି ଖାଇ ନାହାନ୍ତି । ରାତିରେ ଖାଇବେ କି ନା କେ ଯାଣିଛି ।ତାଙ୍କୁ ନ କହି ଆଉ ନ ଆଣି ଆସିବାଟା କେତେ କଷ୍ଟ ।ତାହା ଏକୁଟିଆ କିଛି ଘଣ୍ଟା ରହିବାଟା ଜଣାଇ ଦଉଛି ।

ସେପଟେ କବାଟଟା ଠକ୍ ଠକ୍ ସାଉଣ୍ଡ ହେଲା .....

ଜ୍ଞାନ କହିଲେ ଏତେ ରାତିରେ କିଏ । ନାନୀ ଦେଖିଲୁ ।

ଆରତୀ କଣ ଅନୁଭବ କଲେ କେଜାଣି ନ ପଚାରି ଖୋଲି ଦେଲେ । ଦେଖି ଆଶ୍ଚର୍ଯ୍ୟ !! ଏ କଣ ।ଘରପିନ୍ଧା କୁର୍ତ୍ତା ।ଆଉ ଫୋନ୍ ର ଇୟର କର୍ଡ କାନରେ ଲାଗିଛି । ଫୋନ୍ ବରମୁଣ୍ଡା ପ୍ୟାଣ୍ଟର ପକେଟ୍ ଭିତରେ ପଶିଛି । ଚୁଟି ଫୁର୍ ଫୁର୍ ।ଆଖିରେ ଆଖିଏ ଲୁହ । ନିସ୍ତବ୍ଧ ସେଇ ମୂହୁର୍ତ୍ତ । ଛିଡା ହେଇ ଆରତୀ ର ମୁହଁ କୁ ଚାହିଁ ଛନ୍ତି ଆଦିତ୍ଯ ଜଳଜଳ କରି । ଆରତୀ ଆଖିରୁ ଅମାନିଆ ଅଶ୍ରୁର ବନ୍ୟା ଯେମିତି ଛୁଟିଲା କି !! ଭାଇ , ଭାଉଜ ଆଗରେ ଲଜ୍ଜା କୁ ବଳିପକାଇ ଚାହିଁ ଥାନ୍ତି ଆଦିତ୍ଯ ଙ୍କ ମୁହଁକୁ । ଯେମିତି ବର୍ଷ ବର୍ଷ ଧରି ଦେଖି ନାହାନ୍ତି ତାଙ୍କ ର ଅତି ଆପଣାର ପ୍ରିୟ ମଣିଷ ଟାକୁ । ଆଉ ଦେଖି ହଉନୀ ମୁହଁ କୁ । ଝାପ୍ସା ଝାପ୍ସା ଦେଖା ଯାଉଛି ଲୁହ ର ବନ୍ୟା ଯୋଗୁ । ଭିଡିହେଇ ଲାଗିଗଲେ ଆଦିତ୍ଯ ଙ୍କ ବିଶାଳ ଛାତିରେ । ଭାଇ ନମସ୍କାର ପକାଇ ସେପଟକୁ ପଳାଇଲେଣି କୁନି କି ଡାକି ନେଇ । ଆଦିତ୍ଯ ଛୋଟ ଛୁଆଙ୍କ ପରି କାନ୍ଦି କାନ୍ଦି ଚାପି ଧରିଛନ୍ତି ଆରତୀ କୁ ଆଉ କହୁଛନ୍ତି " ତୁମ ବିନା ମୁଁ କ୍ଷଣେ ବଞ୍ଚି ପାରିବି ନାହିଁ । ଯାଣିଛ କାହିଁକି ??


ତୁମେ ଏମିତି ମତେ କରିଛି ଯେ ମୁଁ ହାତରେ ପାଣି ଗ୍ଲାସ ଟିଏ ପି ନାହିଁ ତୁମ ବିନା । ଏବେ ଅଧାବୁଢା ହେଲେଣି । ଯୌବନ ଲାଳସା ପାଇଁ ତୁମେ ଲୋଡା ନୁହଁ !! ମୋ ବଞ୍ଚିବାର ରାହା ତୁମେ । ମଣିଷ ଯେତେ ଯେତେ ବୁଢା ବୁଢୀ ହେଉଥିବେ , ତାଙ୍କର ସେତେ ନିବିଡ଼ ସମ୍ପର୍କ ଦୁଇଜଣଙ୍କ ଭିତରେ ରହୁଥିବ।ତାଙ୍କ ଆତ୍ମିୟତା , ଘନିଷ୍ଠତା ମୃତ୍ୟୁ ପର୍ଯ୍ୟନ୍ତ ସ୍ଥିର ରୁହେ ।

ମୁଁ ତୁମ ବିନା ଶୂନ୍ୟରେ ଆରତୀ । କଥା ଦିଅ କେବେ ମତେ ଛାଡି କି ଯିବ ନାହିଁ । ମୋ ଆଖି ଆଗରେ ତୁମେ ହିଁ ତୁମେ ।

ଯାଣିଛି ମୁଁ ତୁମ ସରଳ ପବିତ୍ର ମନରେ ଆଜି ବହୁତ ଦୁଃଖ ଦେଇଛି .....

ଆରତୀ ହାତ ଆଙ୍ଗୁଠିରେ ଆଦିତ୍ଯ ଙ୍କ ମୁହଁରେ ଚାପି ଧରି କହିଲେ --

--" ଯାହା ହେଇଛି ହେଇଛି ...

କିନ୍ତୁ ଜୀବନରେ ଆଉ କେବେ ଏମିତି ହେବ ନାହିଁ । ମୋର " ଅଭିମାନ ବୋଲି କିଛି " ଥିଲା ।କିନ୍ତୁ ତୁମ ପାଖରେ ଆଉ ଜୀବନରେ ଆଉ ଅଭିମାନ କରିବିନି ।

--" ନା ମ ନାନୀ ତୁ ଅଭିମାନ କରିବୁ । ଆମ ପାଇଁ ଭଲ । ତୋ ଅଭିମାନ ପାଇଁ ଆମେ ଆଜି ତୁମ ଦୁହିଁଙ୍କ ଅଖଣ୍ଡ ସ୍ନେହ , ପ୍ରେମ , ଭଲପାଇବା ବିଷୟରେ ଜାଣି ପାରିଲୁ ହ।...ହ।....ହ।.....

ଲୁହ ଭିତରେ ବି ସମସ୍ତେ ଏକାଠି ହସି ଉଠିଲେ ।



Rate this content
Log in

Similar oriya story from Action