ଶୀତ
ଶୀତ
ହେ ଭଗବାନ ! ଏ କି ଶୀତ ପଡିଛି ଯେ !! ହାତ ଗୋଡ ଥରି ଥରି ବଙ୍କା ହେଇ ଯାଉଛି ମ ।କାର୍ତ୍ତିକ ମାସର ସେସ ସପ୍ତାହ ରେ ହବିଷିଆଳି ମା ମାନେ କହି କହି ବୁଡ ପକାଉ ଥାନ୍ତି । ତାଙ୍କ ଭିତରେ ଆମ ପ୍ରଭାତୀ ଖୁଡି ବହୁତ ଟାଣୁଆ ଆଉ କହିଲା ବାଲା ଥିଲେ ।ସେ ସମସ୍ତଙ୍କୁ କହୁଥାନ୍ତି ଆରେ ମୁଣ୍ଡ ଟା ବୁଡାଇ ଦିଅ ।ଶୀତ ଛାଡି କି ପଳାଇବ । ଦିନ ହେଇଯିବା ପୂର୍ବରୁ ଆମକୁ ମନ୍ଦିର ଯାଇ ଠାକୁରଙ୍କ ମଙ୍ଗଳ ଆଳତୀ ଦେଖିବାକୁ ପଡିବ । ମୁହଁ ଅନ୍ଧାର ରୁ ଚଉରା ରେ ପାଣି ଦେଇ ଘରେ ଠାକୁର ପୂଜା ସମାପ୍ତ କରି ପୁଣି ବାଲୁକା ପୂଜା ଗାଁ ମୁଣ୍ଡରେ କରିବାକୁ ପଡିବ । ଆସ ରେ ସମସ୍ତେ ଝଅଟି ଝଅଟି ଆସ ।
ବଳିଆ ମା ଧଳା ଲୁଗାଟା ଅଧାଖୋଲା ଦେହରେ ଗୁଡେଇ ହେଉ ହେଉ କହିଲା-
-" ଆଲୋ ହେ ପ୍ରଭାତୀ ? ତୁ କଣ ଏ କାଠୁଆ ଶୀତ ରେ ଦେହରେ ଲୁଣ୍ଡା ଟିକେ ମାରୁନୁ କି ? ଝଅଟି ବୁଡିକି ଉଠି ଯାଉଛୁ ? ଗୋରା ତକତକ ଶରୀର । ସଫା ଯାହା ସଫା ନ ହବା ସେଇଆ ।
ସୁନା ବୋଉ ଦେଠେଇ ବଳିଆ ମା ପାଖକୁ ଘୁଞ୍ଚିଯାଇ ତାଙ୍କ କାନ ପାଖରେ କହିଲେ-
--"ଆଲୋ ହେ ଶୁଣୁ ମ , ତୁ ତାକୁ ପଡିଗଲାପରି କଥା କହନାଲୋ ବଳିଆ ମା । ତା ଦେହରେ ଚାଇଁ କରି ଲାଗିଯିବ ।ସେ ଜଦି ସମ୍ପିବା ଆରମ୍ଭ କରିବ , ଆମର ଏ କାନ ଛିଡି ପଡିବ । କୃଷ୍ଣ ନାମ ବଦଳରେ ଆର ନିଲଠା ଗାଳିରେ କାନ ଫୁଲ ହେଇଯିବ ।
ସୁନୀଲ ମା ଏଡେ ଏଡେ ଆଖିରେ କଣ ସେ ବଳିଆ ମା କୁ ଠାରିକି କହୁଥାନ୍ତି " ପାଟି ବନ୍ଦ କର "।
ପାଣି ଶଡଶଡ ହେଇ ରାଧିକା ଦେଠେଇ ନଦୀ ରୁ ଉଠୁ ଉଠୁ କହିଲେ-
--" ହେ ମୋ ପାଇଁ ଟିକିଏ ରହିବରେ । ମୁଁ ସଅଳ ସଅଳ କିଛି କରି ପାରେ ନାହିଁ । ଏ ଜାଡୁଆ ଶୀତ ରେ ମୋ ହାତ ଗୋଡ ବଙ୍କା ହେଇ ଯାଉଛି ।
ପ୍ରଭାତୀ ଖୁଡି ସଙ୍ଗେସଙ୍ଗେ କହିଲେ-
--" ମୋ ନାଆଁ ରେ କାନରେ କଣ ଟୁପ ଟାପ ହଉଛ କି ? ଭାବୁଛ ମତେ ଶୁଭୁନି । ଶୀତ ଏକା ତୁମମାନଙ୍କୁ ହଉଚି ବୋଧେ !! ମତେ ହଉନୀ । ହଉ ପାଣି ଢାଳ ଧରି ଶିଘ୍ର ଆସ ।
ଗୁଣିଆ ମା ସମସ୍ତିକଂ ଆଗରେ ଯାଇ ନଦୀ ସେ ମୁଣ୍ଡରେ ଥିବା ବନ୍ଧ କଡ ମହାଦେବଙ୍କ ମନ୍ଦିର ପାଖ ଚଉରା ରେ ପାଣି ଦେଇ ହାତରେ ଫୁଲ ଧରି ମନ୍ତ୍ର ବୋଲିଲେଣି-
" ଧ୍ୟାୟାମୀ ତୁଳସୀଂ ଦେବୀ ,
ଶ୍ୟାମାଂ କମଳ ଲୋଚନାଂ।
ପ୍ରସନ୍ନାଂ ପଦ୍ମକହ୍ଲାର ,
ବରାଭୟ ଚତୁର୍ଭୁଜାଂ ।।
କୀରୀଟହାର କେୟୁର ,
କୁଣ୍ଡଳାଦି ବିଭୁଷତାମ୍ ।
ଧବଳାଂ ଶୁକ ସଂଯୁକ୍ତାଂ ,
ପଦ୍ମାଦଶ ଳିଷେଦିନମ୍ ।। "
ଆଖି ବନ୍ଦ କରି ମନ୍ତ୍ର ପଢି ଆହୁରି ମୁଦାଏ ପାଣି ନୋଟାରୁ ଢାଳି ଦେଲେ । ପଛପଟୁ ସମସ୍ତେ ଏକାଠି ରାବ ଦେଲା ପରି କହିଲେ-" ଆଲୋ ହେ ଗୁଣିଆ ମା ସେତିକି ଥାଉ । ଆମକୁ ଯେମିତି ଶୀତ, ତୁଳସୀ ମାଆଙ୍କୁ ବି ସେମିତି ଶୀତ ।ତୁ ଟିକିଏ କମ ପାଣି ଦେ !!
ଆମେ ସମସ୍ତେ ଗୋଟିଏ ଢାଳରେ ସମସ୍ତିକଂ ହାତ ଲଗେଇ ମନ୍ତ୍ର ପଢି ଦେଇଥିଲେ ହେଇ ନଥାନ୍ତା ?ଏବେ ପରା ଶୀତ ରେ ଅଧିକ ପାଣିଦେଲେ ତୁଳସୀ ମାଆଙ୍କ ପତ୍ର ମୋଡା ରୋଗ ହେବ ।
--"ହଉ ହେଲା ଗୋ ସହି ସଙ୍ଗାତ ।କାଲି ଠାରୁ ସେମିତି କରିବା ।ଆଜି ତୁମେ ମାନେ ଏକାଠି ଦେଇଦିଅ ।
ସଙ୍ଗେସଙ୍ଗେ ବଳିଆ ମା କହିଲା ଆଲୋ ହେ ଜାଣିସିଆଣି , ତୁ ଯାଣିଛୁ ଆମକୁ ମନ୍ତ୍ର ଆସେନି ।ମନେ ରଖିନୁ କି ଆଉ ଏ ଗାଡ ଆଖିରେ ଦେଖା ବି ଯାଉନି ବହିରୁ ପଢିବାକୁ । ତୁ ଟିକିଏ ବୋଲି ପକା ଆମେ ଏକାଠି ପାଣି ଢାଲିଦେଉଛୁ । ସତକୁ ସତ ଜଳଦାନ ମନ୍ତ୍ର ଗୁଣିଆ ମା ପଢିଲା ଆଉ ସମସ୍ତେ ଏକାଠି ପାଣି ଢାଳିଲେ ।
ପାଣି ଦବା ପରେ ପୁଣି ନମସ୍କାର ମନ୍ତ୍ର ପଢିଲେ ସମସ୍ତେ ଏକାଠି ।ଯାହାକୁ ଆସୁଥାଏ ସେ ବୋଲୁଥାନ୍ତି ଆଉ ଯାହା କୁ ନ ଆସୁଥାଏ ସେ ଖାଲି ଶୁଣି କି ପାକୁଆ ପାଟିକୁ ପାକୁ ପାକୁ କରୁଥାନ୍ତି ।
--"ନମସ୍ତେ କେଶବ ପ୍ରିୟା
ନମୋ ବୃନ୍ଦାବତୀ ।
ବିଷ୍ଣୁ ଭକ୍ତି ପ୍ରଦାଇନୀ
ଆହେ ସତ୍ୟବତୀ ।।
ସତ୍ୟଯୁଗେ ସତ୍ୟବତୀ
ତ୍ରେତୟା ରେ ମାଳତୀ ।
ଦ୍ବାପରରେ ବୃନ୍ଦାବତୀ
କଳିରେ ତୁଳସୀ ।।
ମହାପାତକ ନାଶିନୀ
ଅଟ ମୁକ୍ତି ଦାତ୍ରୀ ।
ତୁମରି ପୟର ତଳେ
ଭକ୍ତି ରେ ପ୍ରଣତୀ ।।
ସମସ୍ତେ ହବିଷୀଆଳୀ ମାନେ ହୁଳହୁଳି ପକାଇ ମା ବୃନ୍ଦାବତୀ ପୂଜା ସମାପନ କରି ଶିବ ମନ୍ଦିର ରେ ପ୍ରବେଶ କଲେ । ପ୍ରଭାତୀ ଖୁଡି ମନ୍ଦିର ଭିତରେ ପାଦ ପକାଉ ପକାଉ କହିଲେ-
--"ଓଃ ,,,, ଏ ମନ୍ଦିର କୋଠରୀ ଭିତର ଟାଇଲ କେବେ ପଡିଲା ।କି ଥଣ୍ଡା ଲାଗୁଛି ଲୋ ,,,କହିବା ଭିତରେ ସେପଟେ ଧୁମ୍ କରି ଶବ୍ଦ ଗୋଟିଏ ହେଲା ।
ବ୍ରାହ୍ମଣ ସହ ସମସ୍ତେ ପଛ ପଟକୁ ଅନାଇ ଦେଖିଲେ ବଳିଆ ମା ପାଣିଢାଳ ସହ ଧୁମ୍ ପଡିଛି ।ଚେଷ୍ଟା କଲେବି
ଉଠି ପାରୁନି । ସମସ୍ତେ ଦୌଡି ଗଲେ ଉଠାଇ ବାକୁ ।ଦେଖିଲେ ଟାଇଲରେ ଧୁଆ ଧୋଇ ପାଣି ପଡିଛି ।
ସେଇ ପାଣିରେ ଗୋଡଖସି ସେ ମୁହଁ ମାଡି ପଡିଛନ୍ତି ।
ପ୍ରଭାତୀ ଖୁଡି ବଳିଆ ମାକୁ ଉଠାଇ ତାଙ୍କ କୋଳକୁ ଆଉଜାଇ ଦେଲେ ଆଉ ସମସ୍ତେ ମିଳିମିଶି ତାଙ୍କ ମୁହଁ ପୋଛି ଦେଇ ହଲେଇ ହଲେଇ ଡାକିଲେ ।ସେ ଶୁଣୁ ନାହାନ୍ତି । ବ୍ରାହ୍ମଣ ନନା ମନ୍ଦିର ର ସବୁ ଲାଇଟ୍ ଜଳାଇ ଦେଇ ଦେଖିଲେ ତାଙ୍କ କାନ ପାଖରେ ଜୋରେ ମାଡହେଇ ଫାଟି ଯାଇଛି ।କଥା କହୁ ନାହାନ୍ତି ।ଆଖି ବନ୍ଦ । ଖବର ପାଇ ବଳିଆ ଦୌଡି ଦୌଡି ଆସି ବୋଉକୁ ହଲେଇ ହଲେଇ ଡାକିଲା ।ମୁହଁ ରେ ପାଣି ପକାଇ ମୁହଁ କୁ ଆଉଁସି ଦେଲା ।
--"ବୋଉ ଲୋ ମୋ ଜୀବନ ଲୋ !! ଏ ତୋର କଣ ହେଲା ! ମୁଁ ମନା କରୁଥିଲି ଏ ଶୀତ ଆଉ ଅନ୍ଧାର ରାତି ରେ ତୁ ନଦୀ କି ଗାଧେଇ ବାକୁ ଯାନା । ତୁ ମୋ କଥା କଣ ଶୁଣିଲୁ !! ସମସ୍ତେ ଯାଉଛନ୍ତି ମୁଁ ଯିବି କହିଲୁ ।ଏବେ ଦେଖେ ତୋ ପାଇଁ ତୋ ପୁଅ କିପରି ଛଟପଟ ହେଉଛି ।ବାପା ଛୋଟରୁ ଚାଲି ଯାଇଥିଲେ ।ତୁ ବାପା କଂ ପେନସନ ରେ ମତେ ପାଠ ପଢାଉ ଥିଲୁ ।ଏବେ ମୁଁ କଣ କରିବି ଲୋ ବୋଉ । ହେ ବୋଉ !!
ବସନ୍ତ ସାର୍ ସେଠିକାର ଜଣାଶୁଣା ଡକ୍ଟର ।ଆସି ଦେଖିଲେ ।କହିଲେ ଆଉ ତାଙ୍କର ନାହାନ୍ତି । ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ।ଟିକିଏ ପଡିଗଲେ କଣ କିଏ ମରିଯାଏ ? ?
ପ୍ରଭାତୀ ଖୁଡି କହିଲେ-
--" କିଏ ଜାଣେ ଏ ହଟିଆ ହଟକେଶ୍ବର ମହାଦେବ ଙ୍କର ଏ କି କଥା !! ଏ ବଳିଆ ମା ବିଷ୍ଣୁ ବ୍ରତ କରିଥିଲା।ହବିଷଖାଉଥିଲା । ଦେଖ ଆଜି ଏତେ ଶୀତ ରେ ନଦୀ ର ନିର୍ମଳ ଜଳରେ ସ୍ନାନ କରିଥିଲା ।ତା ଦେହ ମନ ସବୁ ପବିତ୍ର ଥିଲା । ହଟକେଶ୍ବର ମହାଦେବ ତାକୁ ବୈକୁଣ୍ଠ ପୁରକୁ ନେଇଗଲେ ।
ସୂର୍ଯ୍ୟ ଦେବତା ନରମ ଖରା ବିଛାଡି ଦେଲେ । ଗାଁ ର ସବୁ ଲୋକ ଏ କାର୍ତ୍ତିକ ମାସର ଛାତି ଥରା ଶୀତ ରେ ଏକାଠି ହେଇ ବଳିଆ ମାକୁ ନଦୀ ପଠାକୁ ନେଇଗଲେ ଝାଞ୍ଜ ମୃଦଙ୍ଗ ବଜାଇ ବଜାଇ । ବଳିଆ କାଠୁଆ ଶୀତ ରେ ଗାମୁଛା ଖଣ୍ଡେ ପିନ୍ଧି ଆଉ ଖଣ୍ଡେ କାନ୍ଧରେ ପକାଇ ଶିକାରେ ହାଣ୍ଡି ଟିଏ ଧରି ମା ସାଙ୍ଗ ରେ ମଶାଣି କୁ ଚାଲିଛି । ଆଖିରେ ଆଖିଏ ଲୁହ କାନ୍ଧ ଗାମୁଛା ଭିଜୁଛି । ସମସ୍ତେ ମିଳିମିଶି ବଳିଆ ମାର ଶେଷକୃତ୍ଯ ସେସ କରି ନଦୀ ର ଥଣ୍ଡା ଥଣ୍ଡା ପାଣିରେ ବୁଡ ପକାଇଲେ । ଶୀତ ରେ ଥରି ଥରି ଘରକୁ ଫେରିଲେ ।