ସରପ୍ରାଇଜ ଗିଫ୍ଟ
ସରପ୍ରାଇଜ ଗିଫ୍ଟ
କଳାହାଣ୍ଡିଆ ମେଘଭର୍ତ୍ତି ଆକାଶଟା ପରି ଥମ୍ ଥମ୍ ଦିଶୁଥିଲା ମେଘାର ମୁହଁଟା।ସତେକି ବର୍ଷିଯିବ ଏଇନେ ଝରଝର ହୋଇ ବିଜୁଳି ଘଡଘଡି ସହ।ସକାଳୁ ଉଠି ଚୁପଚାପ ସେ କରି ଯାଉଥିଲା ତାର କାମ କାହା ସହ ବେଶୀ କିଛି କଥା ନ ହୋଇ।
ଅବିନାଶ ପଚାରିଲେ , ଲଞ୍ଚ ରେଡି?
ମେଘାର ଗୁରୁ ଗମ୍ଭୀର ସ୍ୱର..ହଁ...।
- ଜଲଦି ଖାଇବାକୁ ଦିଅ, ଅଫିସ ଲେଟ ହେଉଛି।
ବିନା ବାକ୍ୟବ୍ୟୟରେ ଖାଇବା ଆଣି ଡାଇନିଂ ଟେବୁଲ ଉପରେ ଥୋଇଦେଲା ମେଘା।ତରତରରେ ଖାଇଦେଇ ଅଫିସ ବାହାରି ଗଲେ ଅବିନାଶ।ଆଖି ଟିକେ ଛଳଛଳ ହୋଇଗଲା ମେଘାର ଅଭିମାନରେ।କିନ୍ତୁ କୋହତକ ଢ଼ୋକିଦେଲା ସେ ଚୁପଚାପ।
ଅବିନାଶ ଗଲାପରେ ଶଶୁରଙ୍କ ପାଇଁ ସନ୍ତୁଳା ବନଉ ବନଉ ମେଘା ରୋଷେଇ ଘରେ ଗୁଣୁଗୁଣୁ ହେଉଥିଲା ଏକା ଏକା। " ମୁଁ ଖାଲି ସମସ୍ତଙ୍କ କଥା ମନେ ରଖିବି। ମୁଁ ସମସ୍ତଙ୍କର ଯତ୍ନ ନେବି।କିନ୍ତୁ ମୋ କଥା ବୁଝିବା ପାଇଁ କେହି ନାହିଁ।ନଣନ୍ଦଙ୍କ ଆନିଭର୍ସାରୀ, ଶଶୁରଙ୍କ ଜନ୍ମଦିନ, ସ୍ୱାମୀଙ୍କ ଜନ୍ମଦିନ, ଝିଅର ଜନ୍ମଦିନ, ଝିଅର ସ୍କୁଲ ଫି ଡିପୋଜିଟ ତାରିଖ, ଜେଜେଶାଶୁ ଆଉ ଜେଜେଶଶୁରଙ୍କ ଶ୍ରାଦ୍ଧ ସବୁ ମୁଁ ମନେରଖିବି କ୍ୟାଲେଣ୍ଡରରେ ଚିହ୍ନ ଦେଇ ।ଆଉ ଆଜି ମୋ ଜନ୍ମଦିନ ଯେ କାହାର ବି ମନେନାହିଁ ସେ କଥା।
ସବୁବର୍ଷ ଅବିନାଶ ସପ୍ତାହେ ଆଗରୁ ସାଙ୍ଗରେ ନେଇକି ଶାଢ଼ୀ କି ଗହଣାଟେ କିଣେଇ ଦିଅନ୍ତି। ଓଲଟି ମୁଁ ସବୁବେଳେ କୁହେ ଯେ ମୋତେ ସାଙ୍ଗରେ ନେଇ କିଣିଦେଲେ କି ମଜା। ନିଜ ପସନ୍ଦରେ କିଣିକି ଆଣି ମୋତେ ସିନା ସରପ୍ରାଇଜ ଗିଫ୍ଟ ଦିଅନ୍ତ । ସେ ଯାହା ବି ହଉ ସରପ୍ରାଇଜ ଗିଫ୍ଟର ଚାର୍ମ ଟା ଟିକେ ଅଲଗା ନା । ହସିଦେଇ କଥାକୁ ଏଡେଇ ଯାଆନ୍ତି ଅବିନାଶ।
ଆଉ ଏ ବର୍ଷ ... ଗିଫ୍ଟ ତ ନାହିଁ ଆଉ ସରପ୍ରାଇଜ....।ସକାଳୁ ଆଜି ୱିଶ୍ ବି କଲେନି କେହି ମୋତେ । ହଉ ଛାଡ...ଆଜି ମନେ ପକେଇ ଆଉ କିଛି ଲାଭ ନାହିଁ। ଆଜି କହିଲେ କଥାଟା " ମାଗି କଲ୍ୟାଣ , ଯାଚି ଓଳିକି " ପରି ହୋଇଯିବ।ଆଜି ରାତି ପାହୁ କାଲି ସକାଳେ ଅବିନାଶଙ୍କ ସହ କଥାବାର୍ତ୍ତା।
କାଲି କଣ କଲେ ସମସ୍ତେ ଜାଣି ପାରିବେ ଯେ ସେମାନେ କେତେବଡ ଅନ୍ୟାୟ କରିଛନ୍ତି ମୋ ପ୍ରତି।
_ ହଁ.... କାଲି ଝିଅର ସ୍କୁଲ ଫି ଡିପୋଜିଟର ଲାଷ୍ଟ ଡେଟ।ଟଙ୍କା ଡିପୋଜିଟ କରିବିନି ଆଉ ପଚାରିଲେ କହିବି ଭୁଲିଯାଇଛି।ଫାଇନ୍ ଡେଟ ରେ ଡିପୋଜିଟ କଲେ ଜାଣି ପାରିବେ ମୁଁ କେତେକଥା ମନେ ରଖୁଛି ଘରର।
_ ନା .. ନା .. ଏଇଟା ଠିକ ନୁହେଁ।ଜାଣି ଜାଣି କଣ ପାଇଁ ଫାଇନ୍ ଦେବି ମ ସ୍କୁଲରେ ମୁଁ।ଟଙ୍କା କୋଉଠି ପଡିଛି ନା କ'ଣ।
_ ଶଶୁରଙ୍କର ଏ ମାସ ପନ୍ଦର ତାରିଖରେ ମେଡିକାଲ ଚେକଅପ ଅଛି।କିଛି ମନେ ପକେଇବିନି। ପଚାରିଲେ କହିବି ଭୁଲି ଯାଇଛି ମୁଁ। ସବୁ ଖାଲି ମୁଁ ମନେ ରଖୁଥିବି ନା କ'ଣ।
_ ନା... ନା... ଏଇଟା ବି ଠିକ ନୁହେଁ। ଶଶୁରଙ୍କ ଉପରେ ରାଗ ସୁଝେଇ ଲାଭ କ'ଣ ? ସେମାନେ ବୁଢ଼ାବୁଢ଼ୀ ଲୋକ। ସେମାନେ କ'ଣ ଆଉ ମନେ ରଖିପାରିବେ ସବୁ ? ସେମାନଙ୍କ କାମ ସବୁ
ଆମକୁ ମନେ ପକେଇ ପକେଇ କରିବାକୁ ପଡିବ ଦାୟିତ୍ବର ସହ । ଛିଃ.... ଏମିତି ଚିନ୍ତା ମୋ ମନକୁ ଆସିଲା କେମିତି ? ଧେତ୍...
_ ହଁ ...ବଢିଆ ଆଇଡ଼ିଆ...।ଆର ମାସରେ ଅବିନାଶଙ୍କର ଜନ୍ମଦିନ ।ସେଇଟା ନିହାତି ଭାବରେ ଭୁଲିଯିବି ମୁଁ। ଗିଫ୍ଟ ନା ଚୋପା...ୱିଶ୍ ବି କରିବିନି ମୁଁ।
ଶଶୁରଙ୍କ ଡାକରେ ପ୍ରକୃତିସ୍ଥ ହେଲା ମେଘା। ଏ ମା' .. ଖାଇବା ରେଡି ହେଲା କି ?ଦେଲୁ ଦେଲୁ ଖାଇବା ବାଢ଼ିଲୁ , ଭୋକ ଲାଗିଲାଣି।ଚୁପଚାପ ଖାଇବା ବାଢ଼ିଦେଲା ମେଘା ଶାଶୁ ଶଶୁରଙ୍କ ପାଇଁ।ଖାଇବା ବେଳେ ଶାଶୁ କହିଲେ , "ଆଜି ରାତି ପାଇଁ କିଛି ରୋଷେଇ କରିବୁନି ମା'।ବାପାଙ୍କ ସାଙ୍ଗ ଦାଶ ମଉସାଙ୍କ ନାତି ଜନ୍ମଦିନ ଆଜି।ବାରମ୍ବାର କହିଛନ୍ତି ଯିବା ପାଇଁ । ସମସ୍ତେ ଯିବା ଅବିନାଶ ଅଫିସରୁ ଫେରିଲା ପରେ । ନହେଲେ କଥା ଟା ଖରାପ ହେବ । ଶୁଖିଲା ହଁ ଟେ ମାରିଦେଇ ମେଘା ଚାଲିଗଲା ରୋଷେଇ ଘରକୁ।
ପୁଣି ମେଘାର ଅଭିମାନ ଉଚ୍ଛୁଳି ପଡିଲା।" ଏଗୁଡା ତ ଭଲ ମନେ ରହୁଛି ମା' ଙ୍କର।ନିଜ ପୁଅ ଜନ୍ମଦିନ ବେଳକୁ ତ ପାଞ୍ଚଦିନ ଆଗରୁ ବସେଇ ଉଠେଇ ଦଉ ନାହାନ୍ତି ମୋତେ।ଅର୍ଡର ଉପରେ ଅର୍ଡର। ପାଞ୍ଚଦିନ ଆଗରୁ ଘୋରି ହେଉଥିବେ ସେଇ ସେଇ କଥାକୁ।"ରାତିରୁ ବିରି ଚାଉଳ ବତୁରେଇ ଦବୁ। ସକାଳୁ ଗାଧୋଇ ପାଧୋଇ ଚକୁଳିପିଠା ଦିଟା କରିଦେବୁ ନଡ଼ିଆ ଗୁଡ ପୁର ଦେଇ।ଅନ୍ନପୂର୍ଣ୍ଣା ପତ୍ର ପକେଇ କ୍ଷୀରି ଟିକେ କରିଦେବୁ। ମୁଁ ମୋ ପୁଅ ପାଇଁ ଇଷ୍ଟଦେବୀଙ୍କ ପାଖରେ ଭୋଗ ଲଗେଇବି।"ଆଉ ମୋ ବେଳକୁ.....ଛାଡ ...ଛାଡ....କହିକି ଲାଭ କ'ଣ।
ସନ୍ଧ୍ୟାବେଳେ ସମସ୍ତେ ରେଡି ହୋଇ ବାହାରି ପଡିଲେ ଦାଶ ମଉସାଙ୍କ ନାତି ଜନ୍ମଦିନକୁ। ଅବିନାଶ ଅଫିସରୁ ଫେରିଲା ବେଳକୁ ଗିଫ୍ଟଟେ ଧରି ଚାଲି ଆସିଛନ୍ତି ଏକାବେଳେ।।କାର ଯାଇ ରହିଲା ଗୋଟେ ହୋଟେଲ ଆଗରେ।ମେଘା ଗାଡିରୁ ଓହ୍ଲେଇ ଚାହିଁଲା ଘଡ଼ିଏ।ଏ କ'ଣ.... ଏଠି କ'ଣ "ହାପି ବାର୍ଥ ଡେ ମେଘା " ଲେଖା ହୋଇଛି । ମେଘା ଆଶ୍ଚର୍ଯ୍ୟ ହୋଇ ଚାହିଁଲା ଅବିନାଶର ମୁଁହକୁ । ଅବିନାଶ ଗୋଟିଏ ସୁନ୍ଦର ହସ ସହ ଗିଫ୍ଟଟି ବଢ଼େଇ ଦେଲେ ମେଘା ହାତକୁ " ହାପି ବାର୍ଥ ଡେ ମେଘା " କହିକି।
ସକାଳୁ ଗୁମୁରି ଗୁମୁରି ଥିବା କଳା ହାଣ୍ଡିଆ ମେଘଟା ଆଉ ସମ୍ଭାଳି ହୋଇ ରହି ପାରିଲାନି।ବର୍ଷିଗଲା ଝରଝର ହୋଇ ଗୋଟିଏ ବର୍ଷଣ ମୁଖର ଆକାଶ ଭଳି । ଶାଶୁ କହିଲେ , ଆଲୋ ମା' ଜନ୍ମଦିନରେ କ'ଣ କାନ୍ଦନ୍ତି ?ଆମ ସମସ୍ତଙ୍କର ମନେଥିଲା ତୋ ଜନ୍ମଦିନ କଥା। ତୁ କେମିତି ଭାବିଲୁ ଆମେ ସବୁ ଭୁଲିଯିବୁ ବୋଲି । ଚାଲ ଚାଲ ଭିତରକୁ । ସାଙ୍ଗସାଥି , ବନ୍ଧୁବାନ୍ଧବ ସମସ୍ତେ ଅପେକ୍ଷା କରିଛନ୍ତି ଭିତରେ।
ଘରକୁ ଫେରି ଅବିନାଶ ପଚାରିଲେ କେମିତି ଲାଗିଲା ଏ ଥରର ସରପ୍ରାଇଜ ଗିଫ୍ଟ ଟା ? ସବୁବେଳେ ସରପ୍ରାଇଜ ସରପ୍ରାଇଜ ହେଉଥିଲ ନା , ସେଥିପାଇଁ ଏଥର ବାପା ବୋଉ ଆଉ ମୁଁ ମିଶିକି ଏ ପ୍ଲାନିଂ କରିଥିଲୁ।ମୁଚୁକି ମୁଚୁକି ହସୁଥିଲେ ଶାଶୁ ଶଶୁର।କୃତଜ୍ଞତାରେ ମୁଣ୍ଡ ନଇଁ ଯାଇଥିଲା ମେଘାର।ସକାଳେ ସେ କଣ କଣ ସବୁ ଚିନ୍ତା କରୁଥିଲା ଭାବିକି ଲଜ୍ଜିତ ହେଉଥିଲା ନିଜକୁ ନିଜେ। ଅତ୍ୟନ୍ତ ଆବେଗରେ ଯାଇ କୁଣ୍ଢେଇ ପକେଇଲା ଶାଶୁଙ୍କୁ ମେଘା।ମେଘାର ମୁଁହଟା ଏବେ ଦିଶୁଥିଲା ଠିକ ବର୍ଷାବିଧୌତ ସଦ୍ୟସ୍ନାତା ପୃଥିବୀ ପରି ସତେଜ, ସୁନ୍ଦର ଆଉ ନିର୍ମଳ।