Lipi Sahoo

Comedy Inspirational

4.3  

Lipi Sahoo

Comedy Inspirational

ସରପଞ୍ଚ ଙ୍କ ଭାଷଣ

ସରପଞ୍ଚ ଙ୍କ ଭାଷଣ

4 mins
266


ଗେଣ୍ଡୁବାବୁ ଚମ୍ପାପୁର ଗାଁ ର ସଦ୍ୟ ନିର୍ବାଚିତ ସରପଞ୍ଚ । ନିହାତି ଭାବରେ ଗାଁ ର ଜଣେ ମାନ୍ୟଗଣ୍ୟ ପ୍ରତିଷ୍ଠିତ ବ୍ୟକ୍ତି । ଶିକ୍ଷାଗତ ଯୋଗ୍ୟତା ସହ ୟେ ସବୁର କିଛି ବି ସମ୍ପର୍କ ନାହିଁ । ଶିକ୍ଷିତ ବ୍ୟକ୍ତି ହିଁ କେବଳ ମାନ୍ୟଗଣ୍ୟ ହେଇ ପାରିବେ ଏମିତି କ'ଣ କୋଉଠି ଲେଖା ହେଇଛି । ପଦପଦବୀ ର ତ ପୁଣି ଗୋଟେ ମର୍ଯ୍ୟାଦା ଅଛି ନା ନାହିଁ ?? ଗେଣ୍ଡୁବାବୁ ବେଶୀ ପାଠ ପଢି ନଥିଲେ କ'ଣ ହେଲା ??? ସେ ଗାଁ ସରପଞ୍ଚ ଟି ! ଗାଁ ଟା ସାରା ଟଙ୍କା ବିଞ୍ଚାଡି ଦେଇଛନ୍ତି ଟି ଇଲେକ୍ସନ ସମୟରେ । ଖୁବ୍ ପାରିବାର ଲୋକ ।‌ ସରପଞ୍ଚ ହେଲା ପରେ ପୁରା ଗାଁ ଟାକୁ ଭୋଜି ଦେଇଛନ୍ତି ଟି । ଯିଏ ତାଙ୍କୁ ଭୋଟ ଦେଇଥାଉ କି ନ ଦେଇଥାଉ ସମସ୍ତ ଙ୍କି ଡାକିଥିଲେ । ଏଥିରୁ ଜାଣି ପାରିଥିବେ କେତେ ଉଦାର ହୃଦୟର । କ'ଣ ଖେଳଲାଗିଛି ??? ଏଭଳି ବ୍ୟକ୍ତିତ୍ଵ ବିରଳ । ବେଶୀ ନଗି ଲଗେଇ ଦେଲି କି ????


           ସକାଳୁ ଗାଁ ହଇସ୍କୁଲ ହେଡମାଷ୍ଟର ଡେଙ୍ଗୁଧର ଦାସ ଆସି କହିଲେ କାଲି ସକାଳୁ ସ୍କୁଲ ଆଡେ ଟିକେ ଆସିବେ । କାଲି ସ୍କୁଲ ରେ ଉତ୍କଳ ଦିବସ ପାଳନ କରୁଛୁ । ଆପଣ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ । ୟେତିକି ଶୁଣି ଗେଣ୍ଡୁବାବୁଙ୍କ ଛାତି କୁଣ୍ଢେ ମୋଟ ହେଇଗଲା ।

            

            ହଁ ! ଆସିବା , ଆସିବା ନିଶ୍ଚୟ ଆସିବା । ୟେ ତ ବଡ଼ ସୌଭାଗ୍ୟର କଥା । 

            

      ସକାଳେ ଆଠଟା ସୁଦ୍ଧା ପହଞ୍ଚି ଯିବେ ନିଶ୍ଚୟ ।         

ହେଡମାଷ୍ଟ୍ରେ ହାତଯୋଡି ବିଦାୟ ନେଲେ । 


            ଦୁଇ କ୍ଷେପାରେ ଘରେ ପଶି ଆଇନା ଆଗରେ ଠିଆ ହୋଇ ଗଲେ ଗେଣ୍ଡୁବାବୁ । ମୁଣ୍ଡରୁ ତଳିପା ଯାଏଁ ଆଖି ବୁଲେଇ ଆଣିଲେ ଜଙ୍ଗଲ ପରା ଘଞ୍ଚ ନିଶରେ ହାତ ବୁଲେଇ ଆଣିଲେ । ଉପର ଜଙ୍ଗଲ ସଫା ହେଇ ଯାଇଚି ସତ ତଥାପି ଅନାବନା କେରେ ଦିକେରା ବୁଦା ଏବେବି ଅଛି ଚଳିବ ।


         ତା'ପର ଦିନ ସକାଳୁ ଧୋବ ଫରଫର ଧୋତି ପଞ୍ଜାବି ହଳେ ପିନ୍ଧି , ମୁଣ୍ଡ ରେ ବଡ଼ ଚନ୍ଦନ ଟୋପା । ମୁହଁ ରେ ଭଲକିରି ପାଉଡର ମାଖି ତେୟାର । ଯାହା ହେଲେ ବି ଏଇଟା ତାଙ୍କର ପ୍ରଥମ ସଭା । ଭଗବାନ ଙ୍କୁ ଜୁହାର ଟେ ମାରି , ବଡ ବଡ ପାହୁଲ ପକେଇ ସ୍କୁଲରେ ହାଜର । ସାର୍ ମାନେ ଆସି ଆଦର ସହକାରେ ପାଛୋଟି ନେଲେ । ପ୍ରଥମ କାର୍ଯ୍ୟକ୍ରମ ହେଲା ସ୍କୁଲ ସାମ୍ନାରେ ଥିବା ଗୋପବନ୍ଧୁଙ୍କ ମୁର୍ତ୍ତି ରେ ମାଲ୍ୟାର୍ପଣ । ମୂର୍ତ୍ତି ସାମ୍ନାରେ ଉଚ୍ଚା ଟେବୁଲ୍ ଟିଏ ପଡି ଥାଏ । ଇରେ ୟା ଉପରକୁ ୟେ ମହଣ ମହଣ ଓଜନର ଶରୀରକୁ ଉଠେଇବି କେମିତି ? ସେଠି ଟିକେ ଲଣ୍ଡ ଭଣ୍ଡ ହେଲେ । ଚାରି ଜଣ ଷଣ୍ଢ ଭଳି ସାର୍ ମାଡି ଆସିଲେ ଗୋଟେ କ୍ଷେପାରେ ଉପରକୁ ଉଠେଇ ଦେଲେ । ଟଳ ଟଳ ହୋଇ ନିଜକୁ ସମ୍ଭାଳିଲେ । ହେଲେ ଟେବୁଲଟା ସେମିତି ତାଙ୍କ ଓଜନରେ ଟଳ ଟଳ ହୋଉ ଥାଏ । ୟେତିକିରେ ପଛ ପଟୁ ପିଲାମାନଙ୍କର ଚପା ହସର ଲହରୀ ଭାସି ଆସିଲା । ସେ ସମଯରେ କି ଅବସ୍ଥା ଗେଣ୍ଡୁବାବୁଙ୍କ ସେ ନିଜେ ହିଁ ଜାଣନ୍ତି । ଛେପଢୋକି ମାଳ ବଢେଇଲେ ପିନ୍ଧେଇବାକୁ ହେଲେ ହାତ ପାଇଲାନି । ହେଡମାଷ୍ଟ୍ରେ ପଛରୁ କହିଲେ ଟିକେ ଠେଙ୍ଗେଇ ହେଇ ପଡନ୍ତୁ ପାଇ ଯିବ । ସେ ଠେଙ୍ଗେଇ ହେଇ ମାଳ ପିନ୍ଧେଇଚନ୍ତି କି ନାଇ ଟେବୁଲ୍ ଟି ଟଳ ଟଳ ହୋଇ ଧଡାମ୍ କି ଗଳି ପଡିଲା ଆଉ କିଛି ବାଟ ନ ପାଇ ଗୋପବନ୍ଧୁଙ୍କ ଗଳାକୁ ଧରି ଗେଣ୍ଡୁବାବୁ ଝୁଲି ପଡିଲେ । ଆଉ ପିଲାଙ୍କୁ ସମ୍ଭାଳେ କିଏ ? ହସି ହସି ଗଡିଲେ ଆଉ ସାର୍ ମାନଙ୍କ ଆକଟ ବି କାମ ଦେଲାନି । ସାରମାନେ ତ ନିଜେ ହସ ରୋକି ପାରୁ ନଥାନ୍ତି । ପିଲାଙ୍କୁ ସମ୍ଭାଳିବେ କ'ଣ ??? କଉଠି ଥିଲେ କେଜାଣି ବାଳୁଙ୍ଗା ଟୋକା ଦଳେ ବାହାରି ଆସି ଫଟ୍ ଫାଟ୍ 4/5 ଟା ଫଟୋ ମୋବାଇଲ ରେ ଉଠେଇ ନେଲେ । କାଲି ନିଶ୍ଚେ ନ୍ୟୁଜ ଫ୍ୟୁଜ୍ କୁ ପଠେଇ ଦେବେ । ସାରା ଓଡ଼ିଶା ଦେଖିବ । ଟୋକାଗୁଡା ଙ୍କର କିଛି ଭରସା ନାହିଁ । ସେ ସେମିତି ଝୁଲି ଥାଆନ୍ତି । ସାରମାନେ ବଡ କଷ୍ଟରେ ହସ ଚାପି ଟେବୁଲ୍ ଠିଆ କରି ବଡ କଷ୍ଟରେ ତାଙ୍କୁ ତଳକୁ ଓହ୍ଲେଇଲେ । 

          


         ଓହୋ ! ଆଜି ଗୋପବନ୍ଧୁ ମୋ ଜୀବନ ବଞ୍ଚେଇଲେ । ଗୋଟେ ସଷ୍ଟାଙ୍ଗ ପ୍ରଣିପାତ କରି ମନେ ମନେ ଜଣେଇଲେ ଜୀବିତା ଅବସ୍ଥାରେ କ'ଣ ସେବା କରିଥିଲେ ମୁଁ ତ ଆଉ ଦେଖିନି । ଆଜି କିନ୍ତୁ ମରିଗଲା ପରେ ବି ମୋତେ ମହାବିପଦ ରୁ ବଞ୍ଚେଇଲେ । ଆପଣ ପ୍ରକୃତରେ ମହାପୁରୁଷ ।


ପୁଣି ବକ୍ତୃତା ବି ବାକି ଅଛି । ଗଳା ଖଙ୍କାରି ଆରମ୍ଭ କଲେ, ସମସ୍ତ ସଭାସଦ୍ ମାନଙ୍କୁ ମୋର ନମସ୍କାର । ଯେଉଁ ମାଟିରେ ଗାନ୍ଧୀ , ଗୋପବନ୍ଧୁ, ସୁଭାଷ ପରି ମହାନ୍ ଆତ୍ମା ଜନ୍ମନେଲେ ସେ ଉତ୍କଳ ମାଟି ଧନ୍ୟ । ପଛରୁ ଡେଙ୍ଗୁ ସାର୍ ଧୀରେ କହିଲେ ଗାନ୍ଧୀ ଗୁଜୁରାଟ ର । ଛେପ ଠୋକି ଗେଣ୍ଡୁବାବୁ କହିଲେ ହେଲେ କ'ଣ ହେଲା ? ମା ନହେଲେ ମାଉସୀ ତ , ମା ମାଉସୀ ସମାନ । 


ମଧୁସୂଦନ ଲେଖିଗଲେ ବନ୍ଦେ ଉତ୍କଳ ଜନନୀ । ପୁଣି ପଛରୁ ଟୋକିଲେ ମାଷ୍ଟ୍ରେ , ଆଜ୍ଞା ! ଲକ୍ଷ୍ମୀକାନ୍ତଙ୍କ ରଚନା । ଓହୋ ! ଲକ୍ଷ୍ମୀକାନ୍ତ ମାନେ କ'ଣ ?? ବିଷ୍ଣୁ ତ ! ତାଙ୍କର ଆଉ ଏକ ନାମ ମଧୁସୂଦନ ନୁହଁ କି, ସେ ଯିଏ ଇୟେବି ସିୟେ ଏକା କଥା । 


ଆମ ପୂର୍ବପୁରୁଷ ଥିଲେ ସାଧବ ଓ ବୀର ପାଇକ । ଗୌରବମୟ ଧନଧାନ୍ୟ ମଣ୍ଡିତ ଉତ୍କଳକୁ ବଳାତ୍କାର କରି ତାର ସବୁ ପ୍ରାଚୁର୍ଯ୍ୟ କୁ ଲୁଟି ନେଲା କିଏ ? ମୋଗଲ , ମରହଟ୍ଟା ଆଉ ଇଂରେଜ । ପୁଣି ପଛରୁ ବଳାତ୍କାର ନୁହ ସେଟା ବଳପୂର୍ବକ ହେବ । ଦୁଇଟା ଯାକ ଏକା କଥା ନୁହ କଉ ଭାଷାକୋଷରେ ଲେଖା ହେଇଚି ?? ଓହୋ ! ମୋର ସବୁ କଥାକୁ ଟୋକୁଚ କ'ଣ କିହୋ ମାଷ୍ଟ୍ରେ ??? ହଉ ଏତିକିରେ ମୋର ବକ୍ତୃତା ସମାପ୍ତ କରୁଚି । ବନ୍ଦେ ଉତ୍କଳ ଜନନୀ । ତାଳି ବଦଳରେ ହସରେ ଫାଟି ପଡୁଥିଲା ସେ ଅଞ୍ଚଳ ।


        ମାଷ୍ଟ୍ରେ ଦୀର୍ଘ ନିଶ୍ୱାସ ଛାଡିଲେ ଯାହା ହେଉ ଭାଷଣ ସରିଲା । ଏହି ହେଉଛି ଆମ ଜାତୀୟ ପ୍ରୀତି ଆଉ ଭାଷାଗତ ଯୋଗ୍ୟତା । ପ୍ରତି ମୁହୂର୍ତ୍ତରେ ଲାଞ୍ଚିତ ହେଉଛି । ଶିକ୍ଷିତ ହୁଅନ୍ତୁ ବା ଅଶିକ୍ଷିତ ନିଜ ଭାଷା ସାହିତ୍ୟ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଆଜି ସେଇ ମହାପୁରୁଷ ମାନଙ୍କ ତ୍ୟାଗ ଆଉ ଅକ୍ଳାନ୍ତ ପରିଶ୍ରମ ବ୍ୟର୍ଥ ଯାଉଛି । ସୁଧୀବୃନ୍ଦ ଭାବି ଦେଖନ୍ତୁ ......।।।


         

         


Rate this content
Log in

Similar oriya story from Comedy